+100%-

ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ବିରାଟ ବୃକ୍ଷ ଥିଲା । ସେହି ବୃକ୍ଷଟି ନାନା ଜାତିର ଫଳ, ଫୁଲରେ ପୂରି ଉଠିଥିଲା । ସେହି ବୃକ୍ଷରେ ମଧ୍ୟ ନାନାଦି ଜାତିର ପକ୍ଷୀ ବସା ବାନ୍ଧି ରହିଥାଆନ୍ତି । ବୃକ୍ଷଟି ବାଟୋଇ ମାନଙ୍କୁ ଗ୍ରୀଷ୍ମ ସମୟରେ ମଧ୍ୟ ଶୀତଳ ଛାୟା ପ୍ରଦାନ କରୁଥିଲା । ଏହି ବୃକ୍ଷର ଏକ ଶାଖାରେ ‘ଲଘୁପତନକ’ ନାମକ ଏକ କୁଆ ବାସ କରୁଥିଲା । ଏକଦା କୁଆଟି ଖାଦ୍ୟ ଅନ୍ୱେଷଣ କରିବା ପାଇଁ ବୃକ୍ଷର କିଛି ଦୂରକୁ ଚାଲିଗଲା । ଫେରିବା ସମୟରେ ହଠାତ୍ ତାର ଆଖି ଏକ କଳା ଶିକାରୀ ଉପରେ ପଡିଲା, ଯିଏକି ଧିରେ ଧିରେ ସେହି ବୃକ୍ଷ ନିକଟକୁ ଅଗ୍ରସର ହେଉଥିଲା । ‘ଲଘୁପତନକ’ ଏହା ଦେଖିବା ପରେ ହଠାତ୍ ଭୟଭୀତ ହୋଇପଡିଲେ । କିଛି ସମୟ ସେହି ସ୍ଥାନରେ ରହି ଲକ୍ଷ୍ୟ କଲେ ଶିକାରୀଟି କଣ କରୁଛି? ଶିକାରୀଟି ଧିରେ ଧିରେ ଯାଇ ଗଛ ନିକଟରେ ପହଁଚିଲା । ଗଛର ଚର୍ତୁପାଶ୍ୱର୍ରେ ଜାଲ ବସାଇ ଚାରିଆଡେ ଖାଦ୍ୟ ବିଂଚିଦେଲା । ଲଘୁପତନକ ଏହା ଲକ୍ଷ୍ୟ କରି ସଂଗେ ସଂଗେ ବୃକ୍ଷରେ ଥିବା ଅନ୍ୟାନ୍ୟ ପ୍ରାଣୀମାନଙ୍କୁ ଏହି କଥା ଜଣାଇଦେଲେ, ଏବଂ ସଭିଙ୍କୁ ସତର୍କ ହୋଇ ରହିବାକୁ ନିର୍ଦ୍ଧେଶ ଦେଲେ ।

ଜାଲ ବସାଇ ଦେଇ ଶିକାରୀଟି ବୃକ୍ଷର ଉହାଡରେ ଲୁଚି ରହିଥାଏ । ଲଘୁପତନକଙ୍କର କଥା ମାନି କୌଣସି ପକ୍ଷୀ ଖାଦ୍ୟ ଖାଇବା ପାଇଁ ଆଉ ଆସିଲେ ନାହିଁ । ଏହି ବୃକ୍ଷରେ ଚିତ୍ରଗ୍ରୀବ ନାମକ ଏକ କପୋତ ତାର ଅନୁଚର ବର୍ଗଙ୍କୁ ନେଇ ବାସ କରୁଥିଲା । ସେହିଦିନ ସେ ତା’ର ଅନୁଚର ମାନଙ୍କୁ ଧରି କୌଣସି ଏକ ପଡୋଶୀ କପୋତ ନିକଟକୁ ଯାଇଥାଏ । ଦୁର୍ଭାଗ୍ୟ ବଶତଃ ଚିତ୍ରଗ୍ରୀବ ଏହି କଥା ଜାଣିପାରି ନଥିଲେ । ବନ୍ଧୁ ଗୃହରୁ ଫେରିବା ପରେ ସମସ୍ତ କପୋତ ଭୋକିଲା ହୋଇ ପଥସାରା ଖାଦ୍ୟ ଅନ୍ୱେଷଣ କରୁଥାନ୍ତି । ସେ ବୃକ୍ଷ ନିକଟରେ ପହଁଚିବା କ୍ଷଣି ଖାଦ୍ୟ ଲୋଭରେ ତଳକୁ ଓହ୍ଲାଇ ଖାଦ୍ୟ ଖାଇବା ମାତ୍ରକେ ଶିକାରୀ ପକାଇଥିବା ଜାଲରେ ପଡିଗଲେ । ଶିକାରୀଟି ଏତେ ଗୁଡିଏ କପୋତକୁ ଜାଲରେ ପଡିଥିବାର ଦେଖି ମହାଆନନ୍ଦରେ ଜାଲ ନେଇ ଘରକୁ ଫେରିଲା ।

କପୋତ ରାଜା ଚିତ୍ରଗ୍ରୀବ ତାଙ୍କର ଅନୁଚର ମାନଙ୍କୁ ଆଶ୍ୱାସନା ଦେଇ କହିଲେ, ‘ଭାଇମାନେ’! ଆମ୍ଭେ ସମସ୍ତେ ବଡ ବିପଦରେ ପଡିଛେ । ଏହି ବିପଦ ସମୟରେ ଧୈର୍ଯ୍ୟହରା ହେବା ଉଚିତ୍ ନୁହେଁ । ଏହି ସମୟରେ ଯଦି ଆମେ ସମସ୍ତେ ମିଳିମିଶି ବୁଦ୍ଧିମତ୍ତା ସହିତ କାର୍ଯ୍ୟ କରିବା ତା’ହେଲେ ଆମେ ବିପଦକୁ ଏଡାଇ ପାରିବା । ଚାଲ, ଆମ୍ଭେମାନେ ସମସ୍ତେ ମିଶି ଏହି ଜାଲକୁ ନେଇ ଉଡି ପଳାଇବା ।

କପୋତମାନେ ସମସ୍ତେ ଚିତ୍ରଗ୍ରୀବଙ୍କର କହିବା ଅନୁଯାୟୀ କାର୍ଯ୍ୟ କଲେ । ଶିକାରୀ ଯେତେବେଳେ ଦେଖିଲା ଯେ କପୋତମାନେ ତା’ର ଜାଲକୁ ନେଇ ଉଡିଗଲେ, ସେ କିଛି ବାଟ ତାଙ୍କୁ ଅନୁସରଣ କଲା । ଶିକାରୀଟି ବା କିପରି ଆକାଶରେ ଉଡୁଥିବା କପୋତମାନଙ୍କୁ ଆଉ ଧରିପାରେ? ଏପଟେ ଲଘୁପତନକ ଖାଦ୍ୟ ଅନ୍ୱେଷଣ ଛାଡି କପୋତମାନଙ୍କର ଅବସ୍ଥା କ’ଣ ହେବ ସେହି କଥା ଚିନ୍ତା କରୁଥାନ୍ତି । ଏହିପରି କିଛି ସମୟ ଚିନ୍ତା କରିବା ପରେ ଲଘୁପତନକ ମଧ୍ୟ ଚିତ୍ରଗ୍ରୀବ ଏବଂ ତାଙ୍କର ଅନୁଚର ବର୍ଗଙ୍କୁ ଅନୁସରଣ କଲେ ।

ଯେତେବେଳେ ଚିତ୍ରଗ୍ରୀବ ଦେଖିଲେ ଶିକାରୀଟି ଆଉ ସେମାନଙ୍କ ପଛରେ ଅନୁଧାବନ କରୁନାହିଁ, ସେହି ସମୟରେ ସେ ଅନ୍ୟ କପୋତମାନଙ୍କୁ କହିଲେ, ‘ଭାଇମାନେ’! ଶିକାରୀ ଆଉ ଆମ ପଛେ ଅନୁଧାବନ କରୁନାହିଁ । ତେଣୁ ଆମେ ବର୍ତ୍ତମାନ ମହିଳାରୋପ୍ୟକୁ ଉଡିଯାଇପାରିବା । ସେଠାରେ ହିରଣ୍ୟକ ନାମକ ଏକ ମୂଷିକ ଯିଏ କି ମୋର ଅତ୍ୟନ୍ତ ଘନିଷ୍ଠ ବନ୍ଧୁ, ତାଙ୍କ ନିକଟକୁ ଯିବା । ସେ ନିଶ୍ଚୟ ଆମ୍ଭମାନଙ୍କୁ ଏହି ଜାଲ ଫାଶରୁ ମୁକ୍ତି ଦେଇପାରିବେ । ଯେତେବେଳେ ବିପଦ ଆସେ ସେତେବେଳେ ପ୍ରକୃତ ବନ୍ଧୁ ହିଁ ସାହାଯ୍ୟ କରିଥାଏ । କିନ୍ତୁ ଅନ୍ୟମାନେ ସେହି ସମୟରେ ତୁମର ଦୁଃଖ ଦେଖି ଆନନ୍ଦିତ ହୁଅନ୍ତି । ଚିତ୍ରଗ୍ରୀବଙ୍କର ଉପଦେଶ ସମସ୍ତେ ମଥାପାତି ଗ୍ରହଣ କରି ସେହି ଅନୁସାରେ କାର୍ଯ୍ୟ କରୁଥାନ୍ତି ।

ତେଣୁ ସଭିଏଁ ଏକତ୍ର ହୋଇ ହିରଣ୍ୟକ ରହୁଥିବା ସ୍ଥାନକୁ ଯିବାକୁ ବାହାରିଲେ । ହିରଣ୍ୟକ ଯେଉଁ ଗାତ ମଧ୍ୟରେ ରହୁଥିଲେ, ସେଠାରେ ପହଁଚିବା ପରେ, ଚିତ୍ରଗ୍ରୀବ ନମ୍ର ଭାବରେ କହିଲେ, ବନ୍ଧୁ ହିରଣ୍ୟକ! ମୁଁ ବଡ ବିପଦରେ ପଡିଯାଇଛି । ତେଣୁ ତୁମେ ଦୟାକରି ମୋତେ ଏହି ବିପଦରୁ ଉଦ୍ଧାର କର । ହିରଣ୍ୟକ ପ୍ରଥମେ ଏହାଶୁଣି ଗାତ ଭିତରୁ ବାହାରକୁ ନଆସି ପଚାରିଲେ, ‘ଆପଣ କିଏ’? ଏବଂ ‘ଆପଣଙ୍କୁ ମୁଁ କେଉଁ ବିପଦରୁ ଉଦ୍ଧାରକରିପାରିବି’? ଇତ୍ୟାଦି । କପୋତ ମାନଙ୍କର ରାଜା ଚିତ୍ରଗ୍ରୀବ କହିଲେ, ‘ମୁଁ ହେଉଛି ଚିତ୍ରଗ୍ରୀବ’ । ଏକ ଶିକାରୀ ବସାଇଥିବା ଜାଲ-ଫାଶରେ ମୁଁ ଏବଂ ମୋର ଅନୁଚରବର୍ଗ ପଡିଯାଇଛୁ । ତେଣୁ ତୁମେ ଏହି ଫାଶକୁ କାଟି ଆମ୍ଭମାନଙ୍କୁ ମୁକ୍ତି ଦିଅ ।

ଯେତେବେଳେ ହିରଣ୍ୟକ ନିଜ ବନ୍ଧୁ ଚିତ୍ରଗ୍ରୀବଙ୍କୁ ଦେଖିଲା ସେ ସଂଗେ ସଂଗେ ତାଙ୍କୁ ସାହାଯ୍ୟ କରିବାକୁ ବାହାରିଆସିଲା । ହିରଣ୍ୟକ ପ୍ରଥମେ ବନ୍ଧୁ ଚିତ୍ରଗ୍ରୀବଙ୍କୁ ପରୀକ୍ଷା କରିବାକୁ ଯାଇ କହିଲେ, ମୁଁ ପ୍ରଥମେ ତୁମକୁ ମୁକ୍ତ କରିଦେବି । ତାହାପରେ ତୁମ୍ଭ ଅନୁଚର ମାନଙ୍କୁ ମୁକ୍ତ କରିବି । ଏହାଶୁଣି ଚିତ୍ରଗ୍ରୀବ ସଂଗେ ସଂଗେ କହିଲେ, ‘ହିରଣ୍ୟକ’! ତୁମେ ସେପରି କର ନାହିଁ । ପ୍ରଥମେ ମୋର ଅନୁଚର ମାନଙ୍କୁ ମୁକ୍ତ କରିଦିଅ ତା’ପରେ ମୋତେ ମୁକ୍ତ କରିବ । ହିରଣ୍ୟକ କହିଲେ, ‘ପ୍ରଥମେ ରାଜା ମୁକ୍ତ ହେବା ପରେ ଅନୁଚର ମାନେ ମୁକ୍ତ ହୁଅନ୍ତି । କିନ୍ତୁ ଚିତ୍ରଗ୍ରୀବ ତାଙ୍କୁ ବୁଝାଇବାକୁ ଯାଇ କହିଲେ, ‘ଅନୁଚର ମାନେ ସେମାନଙ୍କ ସଂସାର ଛାଡି ମୋ ସହିତ ଆସିଛନ୍ତି । ତେଣୁ ମୋର ସେମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ପ୍ରଥମ କର୍ତ୍ତବ୍ୟ । ତେଣୁ ତୁମେ ଦୟାକରି ସେମାନଙ୍କୁ ପ୍ରଥମେ ମୁକ୍ତି କରିଦିଅ । ତା’ପରେ ମୋ କଥା ଚିନ୍ତା କରିବ ।

ହିରଣ୍ୟକ ବନ୍ଧୁ ଚିତ୍ରଗ୍ରୀବର କଥା ଶୁଣି ଆନନ୍ଦରେ ବିହ୍ୱଳ ହୋଇ ପଡିଲା ଏବଂ କହିଲା ‘ବନ୍ଧୁ’! ଜଣେ ରାଜାର କର୍ତ୍ତବ୍ୟ କ’ଣ ତାହା ମୁଁ ଭଲ ଭାବରେ ଜାଣେ । ପ୍ରଜାମାନଙ୍କୁ ରକ୍ଷା କରିବା ହେଉଛି ତା’ର ପ୍ରଧାନ କର୍ତ୍ତବ୍ୟ । ତେଣୁ ମୁଁ ପ୍ରଥମେ ତୁମ ଅନୁଚର ମାନଙ୍କୁ ମୁକ୍ତ କରିଦେବି । ଏହାକହି ହିରଣ୍ୟକ ତାଙ୍କ ଶକ୍ତ ଦାନ୍ତରେ ଜାଲର ଫାଶକୁ କାଟିବାକୁ ଆରମ୍ଭ କଲେ । କିଛି ସମୟପରେ ଅନୁଚର ବର୍ଗମାନଙ୍କ ସହିତ କପୋତରାଜାଙ୍କୁ ହିରଣ୍ୟକ ମୁକ୍ତ କରିଦେଲେ । ଏହାପରେ କପୋତ ରାଜା ଚିତ୍ରଗ୍ରୀବ ହିରଣ୍ୟକଙ୍କୁ ଧନ୍ୟବାଦ ଜଣାଇ ଅନୁଚର ମାନଙ୍କ ସହିତ ଉଡିଗଲେ । ହିରଣ୍ୟକ ନିଜ ଗାତ ମଧ୍ୟକୁ ଫେରିଗଲେ ।

ଏହି ସବୁ ଘଟଣା ଲଘୁପତନକ ଲକ୍ଷ୍ୟ କରୁଥାଆନ୍ତି । ସେ ହିରଣ୍ୟକ ଏବଂ ଚିତ୍ରଗ୍ରୀବଙ୍କର ଏପରି ବନ୍ଧୁତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ହିରଣ୍ୟକଙ୍କର ବୁଦ୍ଧିକୁ ମଧ୍ୟ ମନେ ମନେ ପ୍ରଶଂସା କଲେ । ଲଘୁପତନକ ଚିନ୍ତା କରୁଥାନ୍ତି ପ୍ରକୃତରେ ଏହି ମୂଷା ହିଁ କପୋତ ମାନଙ୍କୁ ରକ୍ଷା କରିପାରିଲା । ଯଦି ଦୁର୍ଭାଗ୍ୟ ବଶତଃ ମୁଁ ଏପରି ଜାଲ ଫାଶରେ ପଡିଯାଏ, ତା’ହେଲେ ଏହି ମୂଷାଟି ହିଁ ମୁକ୍ତ କରିପାରିବ । ତେଣୁ ତାହା ସହିତ ବନ୍ଧୁତା କରିବା ନିହାତି ଜରୁରୀ । ଏହା ଭାବି ଲଘୁପତନକ ହିରଣ୍ୟକର ଗାତ ନିକଟରେ ପହଁଚିଲା । ଚିତ୍ରଗ୍ରୀବଙ୍କର ସ୍ୱରକୁ ଅନୁକରଣ କରି ଲଘୁପତନକ ଡାକିଲେ, ‘ହିରଣ୍ୟକ’ । ଟିକେ ବାହାରକୁ ଆସ । ହିରଣ୍ୟକ ଏହି କଣ୍ଠସ୍ୱର ଶୁଣି ଭାବିଲେ, ବୋଧହୁଏ ଆଉ ଗୋଟିଏ କପୋତ ବିପଦରେ ପଡି ମୋତେ ସାହାଯ୍ୟ ପାଇଁ ଡାକୁଛି । ସେ ପ୍ରଥମେ ଗାତ ଭିତରେ ଥାଇ ପଚାରିଲେ, ‘ଆପଣ କିଏ? ଆପଣଙ୍କର ମୋ ପାଖରେ କି କାର୍ଯ୍ୟ ଅଛି’? ଏହାପରେ ଲଘୁପତନକ କହିଲେ, ‘ମୁଁ ହେଉଛି ଲଘୁପତନକ’ । ମୋର ଆପଣଙ୍କୁ କିଛି ଜରୁରୀ କଥା କହିବାକୁ ଅଛି । ତେଣୁ ଆପଣ କିଛି ସମୟ ପାଇଁ ବାହାରକୁ ଆସନ୍ତୁ ଏବଂ ମୋ ସହିତ କଥାବାର୍ତ୍ତା କରନ୍ତୁ । ହିରଣ୍ୟକ ସଂଗେ ସଂଗେ କହିଲେ, ‘ମୁଁ କ’ଣ ପାଇଁ ବାହାରକୁ ଯିବି’? ‘ଲଘୁପତନକ’ କହିଲେ, ‘ଚିତ୍ରଗ୍ରୀବ’ ହେଉଛନ୍ତି ମୋର ବନ୍ଧୁ । ଆପଣ ଚିତ୍ରଗ୍ରୀବଙ୍କୁ ଯେପରି ମୁକ୍ତ କଲେ ମୁଁ ତାହା ଦେଖି ଆଶ୍ଚର୍ଯ୍ୟ ହୋଇପଡିଲି । ସେଥିପାଇଁ ମୁଁ ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଯଦି ମୁଁ କେବେ ଦୁର୍ଭାଗ୍ୟବଶତଃ ଏହି ଦଶା ଭୋଗ କରେ ଆପଣ ମୋତେ ନିଶ୍ଚୟ ମୁକ୍ତ କରିଦେବେ । ତେଣୁ ମୁଁ ଆପଣଙ୍କ ସହିତ ବନ୍ଧୁତା କରିବାକୁ ଚାହେଁ ।

ଲଘୁପତନକଙ୍କର ଏହି କଥା ଶୁଣି ‘ହିରଣ୍ୟକ’ କହିଲେ, ତୁମେ ହେଉଛ ଶିକାରୀ, ମୁଁ ହେଉଛି ତୁମର ଶିକାର । ତେଣୁ ମୁଁ କିପରି ତୁମ୍ଭର ବନ୍ଧୁ ହୋଇପାରିବି । ଜଣେ କ’ଣ କେବେ ଜାଣିଶୁଣି ତା’ର ଶତ୍ରୁ ସହିତ ମିତ୍ରତା କରିପାରେ? ବନ୍ଧୁତା ସେଇଠି ସମ୍ଭବ, ଯେଉଁଠାରେ ଉଭୟ ବ୍ୟକ୍ତି ଶକ୍ତି, ଧନ, ଐଶ୍ୱର୍ଯ୍ୟ ସବୁ କ୍ଷେତ୍ରରେ ସମାନ ହୋଇଥିବେ । ଏହାଶୁଣି ‘ଲଘୁପତନକ’ କହିଲେ, ଯଦି ତୁମେ ମୋ ସହିତ ବନ୍ଧୁତା କରିବ ନାହିଁ ତା’ହେଲେ ମୁଁ ଏହିଠାରେ ଉପବାସରେ ପ୍ରାଣ ତ୍ୟାଗ କରିବି । ହିରଣ୍ୟକ କହିଲେ, ମୁଁ କିପରି ତୁମର ବନ୍ଧୁ ହେବି । ତୁମେତ’ ପ୍ରଥମେ ମୋର ଶତ୍ରୁ । ‘ଲଘୁପତନକ’ କହିଲେ, ଆଜି ପର୍ଯ୍ୟନ୍ତ ମୋର ଆପଣଙ୍କ ସହିତ ଦେଖା ହୋଇନଥିଲା । ମୁଁ କିପରି ଆପଣଙ୍କର ଶତ୍ରୁ ହେଲି । ହିରଣ୍ୟକ କହିଲେ, ‘ପୃଥିବୀରେ ଦୁଇ ପ୍ରକାରର ଶତ୍ରୁ ଦେଖାଯାଆନ୍ତି । ଗୋଟିଏ ପ୍ରକାରର ଶତ୍ରୁ ଯିଏକି ଜନ୍ମରୁ ଶତ୍ରୁ ହୋଇଥାଆନ୍ତି ଏବଂ ଅନ୍ୟ ଏକ ପ୍ରକାରର ଶତ୍ରୁ ଯିଏକି ସ୍ଥାନ ବିଶେଷରେ ସୃଷ୍ଟି ହୋଇଥିବା କଳହରୁ ହୋଇଥାଆନ୍ତି । ହିରଣ୍ୟକଙ୍କ ଠାରୁ ଏହି କଥା ଶୁଣି ଲଘୁପତନକ କହିଲେ ପ୍ରତ୍ୟେକ ବିବାଦ ବା କଳହ ସହିତ କିଛି ନା କିଛି କାରଣ ରହିଥାଏ । କିନ୍ତୁ ଆମ ଭିତରେ ନା ଅଛି ବିବାଦ, ନା ଅଛି କଳହ । ତେଣୁ ତୁମେ ମୋ ସହିତ ବନ୍ଧୁତା କର । ମୁଁ ଭଗବାନଙ୍କ ନିକଟରେ ପ୍ରତିଜ୍ଞା କରି କହୁଛି ମୁଁ ତୁମର କୌଣସି ଅନିଷ୍ଟ କରିବି ନାହିଁ ।

ଲଘୁପତନକ ଏହିପରି ଅନୁନୟ ବିନୟ ହୋଇ କହିବା ପରେ ମଧ୍ୟ ହିରଣ୍ୟକ ତା’ କଥାରେ ବିଶ୍ୱାସ କରିପାରିଲେ ନାହିଁ । ଏହାପରେ ଲଘୁପତନକ କହିଲେ, ‘ଆପଣଙ୍କର ଯଦି ମୋ ଉପରେ ବିଶ୍ୱାସ ନାହିଁ, ତା’ହେଲେ ଆପଣ ଗାତ ଭିତରେ ରହି ମୋତେ ରାଜନୀତି ଏବଂ ନୈତିକ ଶିକ୍ଷା ସଂପର୍କରେ କିଛି ଜ୍ଞାନ ପ୍ରଦାନ କରନ୍ତୁ । ଲଘୁପତନକଙ୍କର ନମ୍ର ବ୍ୟବହାର ଏବଂ ମାର୍ଜିତ କଥାବାର୍ତ୍ତା, ଶୁଣି ହିରଣ୍ୟକ ମନେ ମନେ ସ୍ଥିର କଲେ, ‘ଲଘୁପତନକ ହିଁ ମୋ ପାଇଁ ଉଚିତ୍ ବନ୍ଧୁ ହୋଇପାରିବେ । ତେଣୁ ତାଙ୍କ ସହିତ ବନ୍ଧୁତା କରିବା ଆବଶ୍ୟକ । ଏହାପରେ ହିରଣ୍ୟକ ଲଘୁପତନକଙ୍କ କଥାରେ ରାଜି ହୋଇ କହିଲେ, ‘ବନ୍ଧୁ’ । ମୁଁ ତୁମ ବନ୍ଧୁତାକୁ ସ୍ୱୀକାର କଲି । ଏହାପରେ ଉଭୟେ ଘନିଷ୍ଠରୁ ଘନିଷ୍ଠତର ହେବାକୁ ଲାଗିଲେ । ଲଘୁପତନକ ପ୍ରତିଦିନ ହିରଣ୍ୟକଙ୍କ ପାଇଁ ଫଳମୂଳ ସଂଗ୍ରହ କରି ଆଣନ୍ତି । ଉଭୟେ ଏକତ୍ର ଗୋଟିଏ ସ୍ଥାନରେ ବସି ଖାଆନ୍ତି । ପରସ୍ପର ପରସ୍ପରକୁ ବିଭିନ୍ନ ଗଳ୍ପ ମଧ୍ୟ କହନ୍ତି ।

ଏକଦା ହିରଣ୍ୟକ ଲଘୁପତନକଙ୍କୁ କହିଲେ, ‘ମୁଁ ତୁମ ଡେଣା ତଳେ ବସି ତୁମକୁ କେତେକ କଥା କହିବି । ଏହାପରେ ଦିନେ ଲଘୁପତନକ ଲୁହ ଛଳ ଛଳ ଆଖିରେ ଆସି ହିରଣ୍ୟକଙ୍କ ନିକଟରେ ପହଁଚିଲେ ଏବଂ କହିଲେ, ‘ବନ୍ଧୁ ହିରଣ୍ୟକ’ । ମୁଁ ଏହି ସ୍ଥାନରେ ଆଉ ରହିବାକୁ ଚାହୁଁନାହିଁ । ମୁଁ ଚାହୁଁଛି ଅନ୍ୟ କେଉଁ ସ୍ଥାନକୁ ଉଡିଯିବି । ହିରଣ୍ୟକ ସଂଗେ ସଂଗେ ଏହାର କାରଣ ଜାଣିବାକୁ ଇଚ୍ଛା କଲେ । ଲଘୁପତନକ କହିଲେ, ‘ଏଠାରେ କେତେ ଦିନ ହେବ ଭଲ ବର୍ଷା ହୋଇ ନାହିଁ । ତେଣୁ ମନୁଷ୍ୟମାନେ ଖାଦ୍ୟ ନପାଇ ଅନାହାରରେ କାଳାତିପାତ କରୁଛନ୍ତି । ସେମାନେ ଯେତେବେଳେ ଖାଇବାକୁ ପାଉ ନାହାନ୍ତି ଆମ ପରି ସାଧାରଣ ପକ୍ଷୀ ମାନଙ୍କୁ କିଏ ପଚାରେ? ଏହି କାରଣରୁ ମୁଁ ଏଠାରୁ ଅନ୍ୟତ୍ର ଚାଲିଯିବାକୁ ଚାହୁଁଛି । ବେଶୀ ଦୁଃଖ ଲାଗୁଛି ଏଇଥିପାଇଁ ଯେ, ତୁମ ପରି ବନ୍ଧୁଟିଏ ମୋତେ ହରାଇବାକୁ ପଡିବ ।

ଏହାଶୁଣି ‘ହିରଣ୍ୟକ’ କହିଲେ, ‘ଲଘୁପତନକ’ । ତୁମେ କେଉଁଠାକୁ ଯିବାକୁ ଚାହୁଁଛ? ଉତ୍ତର ଦେବାକୁ ଯାଇ ‘ଲଘୁପତନକ’ କହିଲେ, ‘ଦକ୍ଷିଣ ଦିଗରେ ଏକ ବିରାଟ ଜଂଗଲ ମଧ୍ୟରେ ଏକ ହ୍ରଦ ଅଛି । ସେହି ହ୍ରଦ ମଧ୍ୟରେ ‘ମନ୍ଥରକ’ ନାମକ ଏକ କଚ୍ଛପ ବାସ କରୁଅଛି । ଯିଏ କି ମୋର ଏକ ଘନିଷ୍ଠ ବନ୍ଧୁ । ସେ ମୋତେ ସେହି ହ୍ରଦ ମଧ୍ୟରୁ ମାଛ ଆଣି ଖାଇବାକୁ ଦେବ, ଏବଂ ମୁଁ ସେଠାରେ ସୁଖରେ କାଳାତିପାତ କରିବି । ସମୟେ ସମୟେ ତା’ ସହିତ ମଧ୍ୟ ରାଜନୀତି, ନୈତିକ ଶିକ୍ଷା ସମ୍ବନ୍ଧରେ ଆଲୋଚନା କରିବି । ମୁଁ ଏଠାରେ ରହି ମୋର ବନ୍ଧୁମାନଙ୍କର ଧ୍ୱଂସ ଅବସ୍ଥାକୁ ଦେଖି ପାରିବି ନାହିଁ । ଲଘୁପତନକ କହିଲେ, ‘ଯେଉଁମାନେ ପ୍ରକୃତରେ ସୁଖୀ ସେମାନେ ନିଜର ଭୂମି ଏବଂ ବନ୍ଧୁ ପରିଜନଙ୍କର ଧ୍ୱଂସକୁ ଦେଖିପାରନ୍ତି ନାହିଁ । କିମ୍ବା ଶସ୍ୟ ନଷ୍ଟ ହେବାକୁ ମଧ୍ୟ ସହ୍ୟ କରିପାରନ୍ତି ନାହିଁ । ତେଣୁ ମୁଁ ଏହି ସ୍ଥାନ ତ୍ୟାଗ କରି ଅନ୍ୟତ୍ର ଚାଲିଯିବାକୁ ଚାହୁଁଛି ।

ଏହାଶୁଣି ହିରଣ୍ୟକ କହିଲେ, ‘ମୁଁ ମଧ୍ୟ ଚାହୁଁଛି ତୁମ ସହିତ ଯିବା ପାଇଁ । ତୁମେ ଚାଲିଗଲେ ମୁଁ ଏଠାରେ ଏକା ହୋଇଯିବି ଏବଂ ମୋତେ ମଧ୍ୟ ଏଠାରେ ଭୟ ଲାଗିବ । କାରଣ ଏଠାରେ ଏପରି କିଛି ଅଛି ଯାହାକି ମୋର ଭୟଭୀତ ହେବାର କାରଣ ଅଟେ । ଲଘୁପତନକ କହିଲେ, ‘ମୋତେ ସବୁ କିଛି କୁହ’ । ହିରଣ୍ୟକ କହିଲେ, ‘ଏହା ଏକ ଦୀର୍ଘ କାହାଣୀ । ତେଣୁ ଯେଉଁଠାକୁ ଯିବ ମୋତେ ସେଠାକୁ ସାଙ୍ଗରେ ନେଇଯାଅ, ମୁଁ ସେଠାରେ ତୁମକୁ ସେହି କାହାଣୀ କହିବି । ଲଘୁପତନକ କହିଲେ ମୁଁ ସେଠାକୁ ଉଡି ଉଡି ଯିବି, ହେଲେ ତୁମେ କିପରି ସେଠାକୁ ଯିବ? ଏହାଶୁଣି ହିରଣ୍ୟକ କହିଲେ, “ମୋତେ ତୁମେ ତୁମର ପିଠି ଉପରେ ବସାଇ ଉଡିବ । ଏହା ବ୍ୟତୀତ ଆଉ କୌଣସି ଉପାୟରେ ମୋତେ ସେଠାକୁ ତୁମେ ନେଇ ପାରିବ ନାହିଁ ।

ଏହାଶୁଣି ‘ଲଘୁପତନକ’ କହିଲେ ଯାହାହେଉ ମୋ ଠାରୁ ଭାଗ୍ୟବାନ ଆଉ କେହି ନାହିଁ । ତୁମକୁ ସାଙ୍ଗରେ ନେଇ ମୁଁ ଯାଇପାରିବି, ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମଣୁଛି । ସଂଗେ ସଂଗେ ତୁମେ ମୋ ପଛରେ ବସ ଏବଂ ମୋତେ ଜୋର୍ରେ ଭିଡିଧର । ଏହାପରେ ମୁଁ ଉଡିବାକୁ ଆରମ୍ଭ କରିବି । ଏହାଶୁଣି ହିରଣ୍ୟକ ଲଘୁପତନକଙ୍କର ପଛରେ ବସିଲେ ଏବଂ ସେ ଉଡିବାକୁ ଆରମ୍ଭ କଲେ । କିଛି ସମୟପରେ ସେମାନେ ସେହି ହ୍ରଦ ନିକଟରେ ଯାଇ ପହଁଚିଗଲେ । କଚ୍ଛପଟି ଦୂରରୁ ଏମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଲଘୁପତନକ ହ୍ରଦ ନିକଟରେ ଥିବା ଏକ ବୃକ୍ଷର ତଳେ ହିରଣ୍ୟକଙ୍କୁ ଓହ୍ଲାଇ ଦେଲେ । ହିରଣ୍ୟକ ସଂଗେ ସଂଗେ ସେଠାରେ ଥିବା ଏକ ଗାତ ମଧ୍ୟରେ ଯାଇ ପଶିଗଲେ । ଏହାପରେ ଲଘୁପତନକ ସେହି ବୃକ୍ଷର ଏକ ଶାଖାରେ ବସି ‘ମନ୍ଥରକ’ଙ୍କୁ ଡାକିଲେ । ମନ୍ଥରକ ଲଘୁପତନକଙ୍କ ସ୍ୱର ଶୁଣି ସଂଗେ ସଂଗେ ହ୍ରଦ ମଧ୍ୟରୁ ବାହାରକୁ ଆସିଲେ । ଉଭୟ ବନ୍ଧୁ ପରସ୍ପରକୁ ଦେଖି ଆନନ୍ଦରେ ବିହ୍ୱଳିତ ହୋଇ ଉଠିଲେ । ଏହାପରେ ହିରଣ୍ୟକ ଗାତ ମଧ୍ୟରୁ ବାହାରି ଆସି ମନ୍ଥରକଙ୍କ ନିକଟରେ ପହଁଚିଲେ । ଲଘୁପତନକ ମନ୍ଥରକଙ୍କ ନିକଟରେ ବନ୍ଧୁ ହିରଣ୍ୟକଙ୍କୁ ପରିଚିତ କରାଇଦେଲେ । ଲଘୁପତନକ କହିଲେ, ‘ହିରଣ୍ୟକ ହେଉଛନ୍ତି ମୋର ଜୀବନଠାରୁ ବଳି ପ୍ରିୟ । ସେ ବର୍ତ୍ତମାନ ମନ ଦୁଃଖ କରିଛନ୍ତି । ତେଣୁ ମୁଁ ତାଙ୍କୁ ମୋ ସାଙ୍ଗରେ ନେଇ ଆସିଛି । ମନ ଦୁଃଖର କାରଣ କ’ଣ ସେ ଏଠାରେ ଆମକୁ କହିବେ ।

ଏହାପରେ ହିରଣ୍ୟକ ଉଭୟଙ୍କୁ କାହାଣୀ କହିବା ଆରମ୍ଭ କଲେ ।