+100%-

ବହୁ ପୁରାକାଳର କଥା । ଗୋଟିଏ ନଗରୀରେ ‘ସୋମିଲାକ୍’ ନାମକ ଏକ ତନ୍ତୀ ବାସ କରୁଥିଲା । ଲୁଗା ବୁଣି ସେ ନିଜର ଗୁଜୁରାଣ ମେଂଟାଏ । ସେ ବୁଣୁଥିବା ଲୁଗା ଗୁଡିକ ଏତେ ଉତ୍କୃଷ୍ଟମାନର ଥିଲା ଯେ ରାଜା ମଧ୍ୟ ଏହା ପିନ୍ଧିବାକୁ ସବୁ ସମୟରେ ଚାହୁଁଥିଲେ । କିନ୍ତୁ ସେ ତା’ର କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ପାଉ ନଥିଲା । ଅନ୍ୟ ତନ୍ତୀମାନେ କିନ୍ତୁ ନିକୃଷ୍ଟ ମାନର ପୋଷାକ ପ୍ରସ୍ତୁତ କରୁଥିଲେ ମଧ୍ୟ ସେମାନେ ଅଧିକ ପାରିଶ୍ରମିକ ପାଉଥିଲେ । ଏହା ଦେଖି ଦିନେ ସୋମିଲାକ୍ ତା’ର ପତ୍ନୀକୁ କହିଲା, “ଦେଖ! ଆଜି ମୋର ମନ ଭଲ ନାହିଁ । ମୁଁ ଆଉ ଏ ଦେଶରେ ରହିବା ପାଇଁ ଚାହୁଁ ନାହିଁ ।” ପତ୍ନୀ ସଂଗେ ସଂଗେ ନ ରହିବାର କାରଣ ଜାଣିବାକୁ ଇଚ୍ଛା ପ୍ରକାଶ କଲେ । ସୋମିଲାକ୍ କହିଲେ, ‘ଉତ୍କୃଷ୍ଟ ମାନର ଲୁଗା ପ୍ରସ୍ତୁତ କଲେ ମଧ୍ୟ ମୋତେ ଠିକ୍ ପାରିଶ୍ରମିକ ମିଳୁନାହିଁ । ଅଥଚ ଯେଉଁମାନେ ନିକୃଷ୍ଟ ମାନର ଲୁଗା ବୁଣୁଛନ୍ତି ସେମାନେ ଦିନକୁଦିନ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି ।

       ସୋମିଲାକ୍ ଙ୍କର ଏହି କଥା ଶୁଣି ପତ୍ନୀ କହିଲେ, “ତୁମେ କହୁଛ ଯେ ତୁମେ ଅନ୍ୟତ୍ର ଯାଇ ଅଧିକ ଅର୍ଥ ରୋଜଗାର କରିବ । କିନ୍ତୁ ଗୋଟିଏ କଥା ମନେରଖ, ଯାହା ତୁମ ଭାଗ୍ୟରେ ଥିବ ତାହା ନିଶ୍ଚୟ ଘଟିବ । ଭାଗ୍ୟ ଏବଂ କର୍ମ ସର୍ବଦା ହାତ ଧରାଧରି ହୋଇ ଚାଲିଥାଆନ୍ତି । ଯେପରି ଗୋଟିଏ ବାଛୁରୀ ଶହ ଶହ ଗାଈଙ୍କ ମଧ୍ୟରୁ ତା’ର ମାଆକୁ ଖୋଜି ପାଇପାରେ, ଠିକ୍ ସେହିପରି ଭାଗ୍ୟ ଶହ ଶହ କର୍ମୀଙ୍କ ମଧ୍ୟରୁ ଉଚିତ୍ କର୍ମୀଙ୍କୁ ଖୋଜି ପାଇପାରେ । ତେଣୁ ମୋର କଥା ମାନି, କେଉଁଆଡେ ନଯାଇ ଏହିଠାରେ ହିଁ ନିଜ କାର୍ଯ୍ୟରେ ମନ ଦିଅ ।” ପତ୍ନୀର କଥା ଶୁଣି ସୋମିଲାକ୍ କହିଲେ, ତୁମେ ଯାହା କହୁଛ ମୋତେ ଠିକ୍ ଲାଗୁ ନାହିଁ । ସବୁ କିଛି କର୍ମ ଉପରେ ନିର୍ଭର କରେ । କର୍ମ ନ କଲେ କେହି କେବେ ତୁମ ହାତ ପାଖରେ ଆଣି ଖାଦ୍ୟ ଦେବେ ନାହିଁ । ସିଂହଟିଏ ଯଦି ତା’ର ଶୀକାର ଖୋଜିବ ନାହିଁ ତା’ ହେଲେ ଶିକାର କଦାପି ସିଂହର ମୁହଁ ପାଖକୁ ଆସିବ ନାହିଁ । ଏହା କହି ସୋମିଲାକ୍ କହିଲେ ମୁଁ ମନସ୍ଥ କରିସାରିଛି, ମୁଁ ଏହି ଯାଗାଛାଡି ଅନ୍ୟତ୍ର ଚାଲିଯିବି ।

ଏହା କହି ସୋମିଲାକ୍ ତାଙ୍କ ଗୃହ ତ୍ୟାଗ କରି ବର୍ଦ୍ଧମାନପୁର ନାମକ ଏକ ସ୍ଥାନରେ ଆସି ପହଁଚିଲେ । ସେ ସେହି ସ୍ଥାନରେ ଦୀର୍ଘ ତିନି ବର୍ଷ ଧରି ରହି, କଠିନ ପରିଶ୍ରମ ବଳରେ ତିନିଶହ ସ୍ୱର୍ଣ୍ଣମଦ୍ରା ଅର୍ଜନ କରିବାକୁ ସକ୍ଷମ ହୋଇଥିଲେ । ଏହାପରେ ସେ ସ୍ୱଗୃହକୁ ପ୍ରତ୍ୟାବର୍ତନ କରିବାକୁ ଇଚ୍ଛାକଲେ        । ଘରକୁ ଫେରିବା ସମୟରେ ଅଧାବାଟରେ ହୋଇଛନ୍ତି ଏକ ଜଙ୍ଗଲ ପଡିଲା । ସେତେବେଳକୁ ସୂର୍ଯ୍ୟ ମଧ୍ୟ ଅସ୍ତ ହୋଇଯିବା ଉପରେ ।’ ରାତିରେ ଏତେବଡ ଜଙ୍ଗଲଟି ପାରହୋଇ ସେ ଯିବେ କିପରି? ଜଙ୍ଗଲ ମଧ୍ୟରେ ରାତିରେ ହିଂସ୍ର ଜନ୍ତୁଙ୍କର ରଡି ତାଙ୍କୁ ଆହୁରି ଭୟଭୀତ କରିଦେଲା । ତେଣୁ ସେ ଏକ ବଡ ଗଛ ଉପରକୁ ଉଠିଯାଇ ସେଠାରେ ବସିଲେ । ବହୁତ ବାଟ ଚାଲି ଚାଲି ଆସିଥିବାରୁ କିଛି ସମୟ ପରେ ତାଙ୍କୁ ସେଠାରେ ନିଦ ଲାଗିଗଲା । ଏହାପରେ ସୋମିଲାକ୍ ସ୍ୱପ୍ନ ଦେଖିଲେ, ଦୁଇଜଣ ଭୟଙ୍କର ଦେଖା ଯାଉଥିବା ମଣିଷ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରୁଛନ୍ତି ।

       ‘କର୍ମ’ କହୁଛି, ‘ତୁମେ କ’ଣ ପାଇଁ ସୋମାଲିକ୍ ଙ୍କୁ ପାରିଶ୍ରମିକ ସ୍ୱରୂପ ତିନି ଶହ ସ୍ୱର୍ଣ୍ଣ ମୁଦ୍ରା ଦେଲ? ତୁମେ କ’ଣ ଜାଣି ନାହଁ ସେ କେବଳ ତା’ର ଖାଇବା ଏବଂ ପିନ୍ଧିବା ପାଇଁ ଯେତିକି ଅର୍ଥ ଆବଶ୍ୟକ, ସେ କେବଳ ସେତିକି ଅର୍ଥ ଚାହେଁ ।

       ‘ଭାଗ୍ୟ’ ସଂଗେ ସଂଗେ ଉତ୍ତର ଦେଲା, ମୁଁ କ’ଣ କରି ପାରିଥାନ୍ତି ଯେ, ସେହି ବ୍ୟକ୍ତି ଜଣକ ବହୁତ ପରିଶ୍ରମ କରିଛନ୍ତି । ମୁଁ ‘ତ’ ତାଙ୍କ ପରିଶ୍ରମ ଅନୁସାରେ ତାଙ୍କୁ ଫଳ ପ୍ରଦାନ କରିଛି । ତୁମେ ମୋତେ କ’ଣ ପାଇଁ ଦାୟୀ କରୁଛ?

       ଏହାପରେ ହଠାତ୍ ସୋମିଲାକ୍ ଙ୍କର ନିଦ ଭାଙ୍ଗିଗଲା । ସେ ସଂଗେ ସଂଗେ ନିଜ ପଇସାମୁଣି ବାହାର କରି ଦେଖନ୍ତି ତ ଗୋଟିଏ ହେଲେ ପଇସା ନାହିଁ । ସେ ଭାବିଲେ କ’ଣ ସବୁ ହୋଇଗଲା? ମୁଁ ଦିନ ରାତି ପରିଶ୍ରମ କରି ଏତିକି ସମ୍ବଳ ଉପାର୍ଜନ କରିଥିଲି, ମାତ୍ର ମୁହୂର୍ତକରେ ସେସବୁ କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଗଲା । ମୋର ପରିଶ୍ରମର କିଛି ମୂଲ୍ୟ ରହିଲା ନାହିଁ । ମୁଁ କିପରି ମୋର ପତ୍ନୀ ଏବଂ ବନ୍ଧୁ ପରିଜନ ମାନଙ୍କୁ ମୁହଁ ଦେଖାଇବି ତେଣୁ ମୁଁ ବର୍ତ୍ତମାନ ଘରକୁ ନ ଫେରି ପୁନର୍ବାର ବର୍ଦ୍ଧମାନପୁର ଫେରିଯିବି ।

       ବର୍ଦ୍ଧମାନପୁରରେ କିଛି ବର୍ଷ ରହିବା ପରେ ସେ ପୁନର୍ବାର ପାଂଚଶହ ସ୍ୱର୍ଣ୍ଣମୁଦ୍ରା ଉପାର୍ଜନ କରିବାକୁ ସକ୍ଷମ ହୋଇପାରିଲେ । ଏହାପରେ ସେ ପୁଣିଥରେ ଘରକୁ ଯିବାକୁ ଚାହିଁଲେ । ଏହିପରି କିଛି ବାଟ ଯିବାପରେ ଜଙ୍ଗଲ ପଡିଲା । ସୂର୍ଯ୍ୟ ଅସ୍ତ ହୋଇ ଆସୁଥାନ୍ତି । ସୋମିଲାକ୍ ଠିକ୍ କଲେ ଯେ ଜଙ୍ଗଲରେ ରାତି କଟାଇ ତହିଁଆର ଦିନ ଗ୍ରାମକୁ ଯିବେ । ପୂର୍ବଥର ଶୋଇପଡିବାରୁ ମୁଦ୍ରା ସବୁ କେଉଁଆଡେ ଉଭାନ୍ ହୋଇଯାଇଥିଲା । ତେଣୁ ସେ ଏହିଥର ଜଙ୍ଗଲରେ ବିଶ୍ରାମ ନନେଇ ବାଟ ଚାଲିବାକୁ ମନସ୍ଥ କଲେ । କିଛି ସମୟ ପରେ ସେ ଦୁଇଜଣ କଥାବାର୍ତ୍ତା ହେଉଥିବାର ଶୁଣିବାକୁ ପାଇଲେ? କର୍ମ କହିଲା, ‘ତୁମେ କଣ ପାଇଁ ସୋମିଲାକ୍ଙ୍କୁ ପାଂଚ ଶହ ସ୍ୱର୍ଣ୍ଣ ମୁଦ୍ରା ଦେଲ? ତୁମେ ବୋଧହୁଏ ଜାଣିନାହଁ, ସେ କେବଳ ଖାଦ୍ୟ ଏବଂ ବସ୍ତ୍ର ପାଇଁ ଯେତିକି ଅର୍ଥ ଆବଶ୍ୟକ ସେତିକି ସେ ଚାହାଁନ୍ତି । ‘ଭାଗ୍ୟ’ କହିଲା, ‘ମୁଁ କ’ଣ କରିପାରିଥାନ୍ତି’, ଜଣେ ମନୁଷ୍ୟ କଠିନ ପରିଶ୍ରମ କରିବ । ମୁଁ ତାକୁ ତା’ର ପରିଶ୍ରମର ମୂଲ୍ୟ ଦେବି ନାହିଁ । ତୁମେ ମୋତେ ଏଥିପାଇଁ ଦାୟୀ କର ନାହିଁ!

       ଯେତେବେଳେ ସୋମିଲାକ୍ ଏହି କଥା ଶୁଣିବାକୁ ପାଇଲେ, ଏହାପରେ ସଂଗେ ସଂଗେ ସେ ମୁଣି ଦେଖନ୍ତିତ ମୁଣିରେ ସ୍ୱର୍ଣ୍ଣମୁଦ୍ରା ଗୁଡିକ କେଉଁ ଆଡେ ଉଭାନ୍ ହୋଇଯାଇଛି । ସୋମିଲାକ୍ ଏହା ଦେଖି ମନେ ମନେ ନିଜକୁ ଖୁବ୍ ନିନ୍ଦା କଲେ । ଏବଂ ଚିନ୍ତା କଲେ, ମୁଁ ଏହି ସ୍ୱର୍ଣ୍ଣମୁଦ୍ରା ଗୁଡିକୁ ପୁଣିଥରେ ହଜାଇଦେଲି । ଆଉ ମଧ୍ୟ ଫେରି ପାଇବାର ଆଶା ନାହିଁ । ତେଣୁ ଏହି ଜୀବନ ରଖି କିଛି ଲାଭ ନାହିଁ । ସେ ଆତ୍ମହତ୍ୟା କରିବେ ବୋଲି ମନସ୍ଥ କଲେ । ଗୋଡିଏ ଦଉଡି ଆଣି ସେହି ବୃକ୍ଷରେ ବାନ୍ଧି ଆତ୍ମହତ୍ୟା କରିବାକୁ ଯିବା ସମୟରେ ସେ ଏକ ଶବ୍ଦ ଶୁଣିବାକୁ ପାଇଲେ । ସ୍ୱର୍ଗରୁ କେହି ଜଣେ ତାଙ୍କୁ ଯେପରି କହୁଛି, ‘ସୋମାଲିକ୍’! ଏହିପରି କାର୍ଯ୍ୟ କର ନାହିଁ । ମୁଁ ହେଉଛି ଭାଗ୍ୟ, ଯିଏ କି ତୁମର ସ୍ୱର୍ଣ୍ଣ ମୁଦ୍ରା ଗୁଡିକୁ ଚୋରାଇ ନେଇଛି । ମୁଁ ଭାବିଥିଲି ତୁମେ ତୁମର ଖାଦ୍ୟ ବସ୍ତ୍ର ପାଇଁ ଯେତିକି ଧନ ଆବଶ୍ୟକ ସେତିକି ତୁମର ଦରକାର । କିନ୍ତୁ ତୁମର କାର୍ଯ୍ୟ କରିବାର ସ୍ପୃହା ମୋତେ ବହୁତ ଆନନ୍ଦ ଦେଇଛି । ତେଣୁ ତୁମର ଯାହା ଇଚ୍ଛା ତାହା ତୁମେ ମୋତେ ମାଗ । ମୁଁ ତୁମକୁ ନିଃଦ୍ୱନ୍ଦରେ ତାହା ଦେବାକୁ ରାଜି ଅଛି । ଭାଗ୍ୟ ଦେବତାଙ୍କର ଏହି କଥା ଶୁଣି ସୋମିଲାକ୍ କହିଲେ, ‘ମୋତେ ପ୍ରଚୁର ଅର୍ଥ ଦାନ କରନ୍ତୁ । ଭାଗ୍ୟ ଦେବତା ପଚାରିଲେ, ‘ତୁମେ ଏତେ ଗୁଡିଏ ଧନ ନେଇ କଣ କରିବ? ତୁମେ ତ ତାହାର ବ୍ୟବହାର ଜାଣି ନାହଁ? ତାଛଡା ତୁମେ ତ କେବେ ଆବଶ୍ୟକତାଠାରୁ ଅଧିକ ଅର୍ଥ ଉପାର୍ଜନ କରି ନାହଁ?

       ସୋମିଲାକ୍ କହିଲେ, ‘ଦୟାକରି, ଆପଣ ମୋତେ ଅଧିକ ଅର୍ଥ ଦାନ କରନ୍ତୁ । ସମାଜରେ ଯାହା ପାଖରେ ଅଧିକ ଧନ ଥାଏ । ସେ ଯେତେ ନୀଚ୍ଚ ଜାତିର ହେଉ ପଛେ ତାକୁ ସମସ୍ତେ ସମ୍ମାନ ପ୍ରଦାନ କରିଥାଆନ୍ତି । ଏହାପରେ ଭାଗ୍ୟଦେବତା କହିଲେ, ତୁମକୁ ପ୍ରଥମେ ଦୁଇଜଣ ବଣିକଙ୍କ ଘରକୁ ଯିବାକୁ ପଡିବ । ଜଣଙ୍କର ନାମ ହେଉଛି ‘ଗୁପ୍ତଧନ’ ଆଉ ଜଣକର ନାମ ହେଉଛି ‘ଉପଭୁକ୍ତ ଧନ’ । ତୁମେ ପ୍ରଥମେ ତାଙ୍କର ବ୍ୟବହାର ସଂପର୍କରେ ଜାଣିବ? ତୁମକୁ ଯାହାର ବ୍ୟବହାର ଭଲ ଲାଗିବ, ମୁଁ ତୁମକୁ ସେହି ଅନୁସାରେ ଧନ ପ୍ରଦାନ କରିବି । ଏହା କହି ଭାଗ୍ୟଦେବତା ସୋମିଲାକ୍ଙ୍କ ସାମ୍ନାରୁ କେଉଁ ଆଡେ ଅଦୃଶ୍ୟ ହୋଇଗଲେ ।

       ଏହାପରେ ସୋମିଲାକ୍ ସଂଗେ ସଂଗେ ବର୍ଦ୍ଧମାନପୁର ଯିବାକୁ ସ୍ଥିର କଲେ । ସନ୍ଧ୍ୟା ହୋଇଆସୁଥାଏ । ‘ଗୁପ୍ତଧନ’ର ଘର କେଉଁଠାରେ ବୋଲି ପଚାରି ପଚାରି ସେଠାରେ ଯାଇ ପହଁଚିଲେ । ଗୁପ୍ତଧନ, ତାଙ୍କର ପତ୍ନୀ ଏବଂ ତାଙ୍କର ପୁତ୍ର କେହି ସୋମିଲାକ୍ଙ୍କର ଉପସ୍ଥିତି ସେଠାରେ ଚାହୁଁ ନଥିଲେ । ସେମାନଙ୍କର ଅନିଚ୍ଛା ସତ୍ୱେ ସୋମିଲାକ୍ ସେମାନଙ୍କର ଅତିଥି ହୋଇ ରହିଲେ । ରାତ୍ରି ସମୟରେ ଯେତେବେଳେ ସମସ୍ତେ ଭୋଜନ କରିବାକୁ ଗଲେ, ଅତିଥିଙ୍କୁ ଯେପରି ଆଦର ସହକାରେ ଖାଦ୍ୟ ପରଷିବା କଥା, ତାହା ସେମାନେ କଲେ ନାହିଁ । ଏହାପରେ ସୋମିଲାକ୍ ଶୋଇବା ପାଇଁ ଗଲେ । ସେ ଶୁଣିବାକୁ ପାଇଲେ ଦୁଇଜଣ ବ୍ୟକ୍ତି କଥାବାର୍ତ୍ତା ହେଉଛନ୍ତି । କର୍ମ କହିଲେ, ‘ତୁମେ କ’ଣ ପାଇଁ ଗୁପ୍ତଧନଙ୍କୁ ବାଧ୍ୟ କଲ ସୋମିଲାକ୍ଙ୍କୁ ଖାଇବାକୁ ଦେବାପାଇଁ? ତମେ କ’ଣ ଜାଣି ନାହଁ ଗୁପ୍ତଧନ ଅନ୍ୟ କାହା ପାଇଁ ଖର୍ଚ୍ଚ କରିବାକୁ ଭଲ ପାଆନ୍ତି ନାହିଁ ।

       ‘ଭାଗ୍ୟ’ କହିଲେ, ମୁଁ କ’ଣ କରିଥାଆନ୍ତି? ସୋମିଲାକ୍ ମଧ୍ୟ ଖାଦ୍ୟ ଆବଶ୍ୟକ କରୁଥିଲେ ଏବଂ ଗୁପ୍ତଧନ ତାଙ୍କର ପ୍ରକୃତି ଯେପରି ସୋମିଲାକ୍ଙ୍କ ପ୍ରତି ସେହିପରି ବ୍ୟବହାର ପ୍ରଦର୍ଶନ କଲେ । ତୁମେ ମୋତେ ବାରମ୍ବାର କ’ଣ ପାଇଁ ଦାୟୀ କରୁଛ?

       ତହିଁଆରଦିନ ସକାଳୁ ସୋମିଲାକ୍ ଶୀଘ୍ର ଉଠିପଡି ଯିବାକୁ ବାହାରିଲେ । ସେହି ସମୟରେ ସେ ଦେଖିବାକୁ ପାଇଲେ, ଗୁପ୍ତଧନକୁ କଲେରା ରୋଗ ହୋଇଛି । ଦିନ ସାରା କିଛି ଖାଇ ପାରିଲେ ନାହିଁ । ଏହାପରେ ସୋମିଲାକ୍ ଉପଭୁକ୍ତଧନଙ୍କର ଘରେ ଯାଇ ପହଁଚିଲେ । ସେ ସୋମିଲାକ୍ଙ୍କୁ ଦେଖିବା ମାତ୍ରକେ ସଂଗେ ସଂଗେ ଖୁସିରେ ସ୍ୱାଗତ କଲେ । ତାଙ୍କୁ ପ୍ରଥମେ ଗାଧୋଇ ପାଧୋଇ ନୂତନବସ୍ତ୍ର ପରିଧାନ କରିବା ପାଇଁ କହିଲେ । ଏହାପରେ ତାଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କଲେ । ରାତିରେ ତାଙ୍କର ଶୋଇବାର ମଧ୍ୟ ସୁବନ୍ଦୋବସ୍ତ କଲେ । ଯେତେବେଳେ ସୋମିଲାକ୍ ଶୋଇବା ପାଇଁ ଗଲେ, ସେହି ସମୟରେ ପୁନର୍ବାର ଭାଗ୍ୟଦେବତା ଏବଂ କର୍ମ ଦେବତାଙ୍କ କଥୋପକଥୋନ ଶୁଣି ପାରିଲେ । କର୍ମ ଦେବତା କହିଲେ, ‘ତୁମେ କଣ ପାଇଁ ଉପଭୁକ୍ତଧନଙ୍କୁ ସସମ୍ମାନେ ଅତିଥି ଚର୍ଚ୍ଚା କରିବା ପାଇଁ କହିଲ? ତୁମେ ବୋଧହୁଏ ଜାଣି ନାହଁ ଉପଭୁକ୍ତଧନଙ୍କ ନିକଟରେ ଅଧିକ ଧନ ନାହିଁ । କିନ୍ତୁ ସେ ସଦା ସର୍ବଦା ଅତିଥି ମାନଙ୍କ ପାଇଁ ଖର୍ଚ୍ଚ କରିଚାଲିଥାନ୍ତି । ‘ଭାଗ୍ୟ’ ଦେବତା କହିଲେ, ‘ସୋମିଲାକ୍ ଯାହା ଚାହୁଁଥିଲେ, ‘ଉପଭୁକ୍ତଧନ’ ତାହା ପୂରଣ କଲେ । ଉପଭୁକ୍ତଧନ ତାଙ୍କ ପ୍ରକୃତି ଅନୁସାରେ କାର୍ଯ୍ୟ କଲେ । ଏଥିପାଇଁ ମୋତେ ଦାୟୀ କରିବା ଉଚିତ୍ ନୁହେଁ ।

       ତହିଁଆରଦିନ ସକାଳୁ ରାଜାଙ୍କର ଭୃତ୍ୟ ଆସି ଉପଭୁକ୍ତ ଧନକୁ କିଛି ଧନ ପ୍ରଦାନ କଲେ । ସୋମିଲାକ୍ ଯେତେବେଳେ ଏହା ଦେଖିଲେ, ସେ କହିଲେ, ‘ଏହି ଉପଭୁକ୍ତଧନ ନାମଧାରୀ ବ୍ୟକ୍ତି ଜଣକ ଧନୀ ହୋଇ ନପାରନ୍ତି ସତ, କିନ୍ତୁ ଗୁପ୍ତଧନଠାରୁ ଶତ ଗୁଣେ ଭଲ । ତେଣୁ ହେ ଭାଗ୍ୟ ଦେବତା । ମୁଁ ଉପଭୁକ୍ତଧନଙ୍କ ପରି ଆଦର୍ଶବାନ୍ ହେବାକୁ ଚାହେଁ ।