+100%-

କୌଣସି ଏକ ବିଶାଳ ବନସ୍ତ ଥିଲା । ସେହି ବନସ୍ତ ମଧ୍ୟରେ ଥିଲା ବିଶାଳ ବୃକ୍ଷଟିଏ । ବୃକ୍ଷଟି ବନସ୍ତର ଖୁବ୍ ଶୋଭାବର୍ଦ୍ଧନ କରୁଥିଲା । ସେପରି ଏକ ବିଶାଳବୃକ୍ଷ ଅନ୍ୟ କୌଣସି ବନସ୍ତରେ ଦେଖାଯାଉନଥିଲା । କାରଣ ଏହି ବିଶାଳ ବୃକ୍ଷ ଏପରି ଏକ ବିଶାଳ ବନସ୍ତରେ ରହିବାରେ କୌଣସି ଏକ ବିଶେଷ କଥାକୁ ଧରି ରହିଥିଲା ।

ଦିନକର କଥା, ସେହି ବିଶାଳ ବୃକ୍ଷ ତଥା ସୁନ୍ଦର ରମଣୀୟ ଶୋଭାପ୍ରତି ଆକୃଷ୍ଟ ହୋଇ କେଉଁଆଡ଼ୁ ଆସିଥିବା ସିଂଧୁକ ନାମକ ପକ୍ଷୀ ତାହାକୁ ନିଜର ବାସସ୍ଥଳିଭାବରେ ଗ୍ରହଣ କରିନେଲା ।

ସଂସାର ନାମକ ପୃଥିବୀରେ ଯେତେ ପକ୍ଷୀ ଅଛନ୍ତି, ସେମାନଙ୍କ ଠାରୁ ଏହି ସିଂଧୁକନାମକ ପକ୍ଷୀ ସ୍ୱତନ୍ତ୍ର ତଥା ଭିନ୍ନ ଥିଲା । ଆଉ ମଧ୍ୟ ପକ୍ଷୀଟିର ନିକଟରେ କେତେକ ଅଦ୍ଭୂତ ଗୁଣଥିଲା । ସେହି ଗୁଣହେଲା ସିଂଧୁକ ପକ୍ଷୀର ପୁରୀଷ ବା ମଳ ଯେତେବେଳେ ଭୂମିକୁ ସ୍ପର୍ଶକରେ ସେତେବେଳେ ତାହା ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହୋଇଯାଉଥିଲା ।

ଦିନକର କଥା, ଅନେକ ଦିନ ସେହି ସିଂଧୁକପକ୍ଷୀ ସେହି ବିଶାଳ ବୃକ୍ଷରେ ବାସ କରିବା ପରେ ଅକସ୍ମାତ ଜଣେ ବ୍ୟାଧ ଶିକାର କରିବା ଉଦ୍ଧେଶ୍ୟରେ ସେହି ବନସ୍ତକୁ ଆସି ପଶୁ ସଂଧାନରେ ଥିଲା । ସେ ପଶୁପକ୍ଷୀ ସଂଧାନ କରିବା ଉଦ୍ଧେଶ୍ୟରେ ଯେତେବେଳେ ସେହି ବିଶାଳ ବନସ୍ତରେ ପରିଭ୍ରମଣ କଲା ସେତିକିବେଳେ ଏହି ଭ୍ରମଣ ମଧ୍ୟରେ ତା’ର ଦୃଷ୍ଟି ମଧ୍ୟକୁ ଆସିଥିଲା ସେହି ପତିତ ସୁବର୍ଣ୍ଣଗୁଡ଼ିକ । ବୃକ୍ଷ ଉପରେ ସେ ଯେତେବେଳେ ସେପରି ପକ୍ଷୀଟିକୁ ଦେଖିଲା ସେତେବେଳେ ସେ ତା’ର ନେତ୍ର ଦୁଇଟିକୁ ବିଶ୍ୱାସ କରିପାରିଲା ନାହିଁ । କାରଣ ସେ ବ୍ୟାଧ, ପଶୁପକ୍ଷୀ ଶିକାର କରିବା ତା’ର ଜୀବିକା । ଜୀବନ କାଳ ମଧ୍ୟରେ ସେ ବହୁ ବନସ୍ତ ପରିଭ୍ରମଣ କରିଛି, ସଂସାର ମଧ୍ୟରେ ଏପରି ପଶୁ ଓ ପକ୍ଷୀ ନାହିାଁନ୍ତି ଯାହାକୁ କି ସେ ବ୍ୟାଧ ଚିହ୍ନିନାହିଁ କି ସେମାନଙ୍କ ବିଷୟରେ ତାକୁ ଜଣାନାହିଁ, କିନ୍ତୁ ସେ ସେଦିନ ଏପରି ଏକ ପକ୍ଷୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ବିଶ୍ୱାସ କରି ନଥିଲା ଯେ ଏହା ଏକ ପକ୍ଷୀ, ତେବେ ବହୁତ ଭାବିବାପରେ ସିଂଧୁକକୁ ପକ୍ଷୀଭାବେ ମନେ ମନେ ସ୍ୱୀକାର କଲା । ତା’ପରେ ବ୍ୟାଧ ବି ମନେ ମନେ ଭାବିଲା, ଏ ଅଦ୍ଭୂତ ପକ୍ଷୀ ତା’ର ଖାଦ୍ୟ କାର୍ଯ୍ୟରେ ଲାଗିବ କି ନାହିଁ ।

ଏହି କଥା ଖୁବ୍ ଭାବପ୍ରବଣତାର ସହିତ ବ୍ୟାଧ ଦୁଇ ନେତ୍ରରେ ପକ୍ଷୀଟିକୁ ଦେଖିବା ସହିତ ତା’ର ଦିବ୍ୟ ଭାବନା ମଧ୍ୟରେ ଚିନ୍ତା କଲା ଏପରି କ୍ଷେତ୍ରରେ ସେ କ’ଣ କରିପାରିବ ।

ବ୍ୟାଧର ଚିନ୍ତାରେ ପ୍ରତିବନ୍ଧକ ବା ବିରୋଧ ଭାବ ଆସିବା ଆଗରୁ ସେ ତା’ର ସମ୍ମୁଖରେ ଦେଖିଲା ପକ୍ଷୀଟି ମଳତ୍ୟାଗ କଲା । ସେହି ମଳ ଭୂମି ସ୍ପର୍ଶ କରିବା କ୍ଷଣି ତାହା ସଂଗେ ସଂଗେ ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହୋଇଗଲା ।

ଏହାଠାରୁ ସଂସାରରେ ଆଉ କି ଆଶ୍ଚର୍ଯ୍ୟ କଥା ଅଛି ଯାହା ବ୍ୟାଧର ସମ୍ମୁଖକୁ ଆସି ନାହିଁ । ସେପରି ଶୁଦ୍ଧ ସୁବର୍ଣ୍ଣକୁ ଦେଖି ବ୍ୟାଧ ବିଶେଷ ଭାବରେ ବିସ୍ମିତ ହେଲା । ଆଉ ମଧ୍ୟ ଭାବିଲା ଏପରି ପକ୍ଷୀ କେବେ ଭୋଜନର ସାମଗ୍ରୀ ହୋଇ ନପାରେ, ସଂସାରରେ କେତେଗୁଡ଼ିଏ ଆଶ୍ଚର୍ଯ୍ୟ କଥା ମଧ୍ୟରୁ ଏହା ଥିଲା ଆଉ ଏକ ଆଶ୍ଚର୍ଯ୍ୟ । ଯେଉଁ ପକ୍ଷୀର ମଳ ପୃଥିବୀର ଭୂମି ସ୍ପର୍ଶ କରୁ କରୁ ତାହା ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହୋଇଯାଉଛି, ତାହା ମଧ୍ୟରେ ଏମିତି କୌଣସି ବିସ୍ମୟର ଗୁଣ ରହିଥିବ । ସେପରି ପକ୍ଷୀକୁ ନିଜର ଭୋଜନ ନିମନ୍ତେ ସଂଗ୍ରହ କରିବ କି ନାହିଁ । ସେହି ସଂଦେହ ମଧ୍ୟରେ ବ୍ୟାଧ ଅନେକ ସମୟ ଭାବିଲା ଓ ପକ୍ଷୀଟିକୁ ବଧ କରିବାରେ ସମୟ ଅତିବାହିତ କଲା।

ଏଥର ବ୍ୟାଧର ଚିନ୍ତା ବିଚାର ଶେଷର ପହଞ୍ଚିଲା ଓ ସେ ଚିନ୍ତା କଲା ଯେ ପକ୍ଷୀଟିକୁ ମାରିଦେବ ନାହିଁ କି ନିଜର ଖାଦ୍ୟ ନିମନ୍ତେ ବଧ କରିବ ନାହିଁ । ତେବେ ସେହି ପକ୍ଷୀଟିକୁ ତାକୁ ଧରି ନେବାକୁ ହେବ ।

ପକ୍ଷୀଟିକୁ ଧରିବା ନିମନ୍ତେ ବ୍ୟାଧ ଏଥର ତା’ର ଜାଲ ବିଛାଇଲା । ଜାଲ ସଂପୂର୍ଣ୍ଣ ନୂଆ ଥିଲା । ପକ୍ଷୀଟି ଜାଲ ଓ ବ୍ୟାଧକୁ ଦେଖି ଚିନ୍ତା କଲା, ସେ ଏହିପରି ବହୁ ବନସ୍ତ ବୁଲିଛି, ବହୁତ ରାଜ୍ୟ ବୁଲିଛି, ହେଲେ ସେ କେବେ ଏପରି ବ୍ୟାଧଟିକୁ ଦେଖି ନଥିଲା କିମ୍ବା ଏପରି ଜାଲ ମଧ୍ୟ ଦେଖିନଥିଲା । ତେଣୁ ସେ ବ୍ୟାଧ ଓ ଜାଲ ଯେ ତାହାର ବିପଦ ତାହା ଚିନ୍ତା କଲା ନାହିଁ, ବରଂ ଚିନ୍ତାହୀନ ଭାବେ ନିଶ୍ଚିତ ହୋଇ ଯାଇ ସେହିଠାରେ ହିଁ ବସି ପଡ଼ିଲା ।

ସିଂଧୁକ ପକ୍ଷୀ ବସଂଦେହରେ ଜାଲ ଉପରେ ଆସି ବସି ପଡ଼ିବା ମାତ୍ରେ ବ୍ୟାଧ ଖୁବ୍ ଜୋରରେ କୁହାଟ ମାରିଲା । ତାହା ଦେଖି ସିଂଧୁକ ପକ୍ଷୀଟି ଖୁବ୍ ବ୍ୟସ୍ତ ହୋଇପଡ଼ିଲା । ତେଣୁ ତରବର ହୋଇ ପଳାଇ ଯିବାକୁ ଚେଷ୍ଟା କରିଲା ।

କିନ୍ତୁ ସିଂଧୁକ ପକ୍ଷୀ ଯେଉଁଥିଲାଗି ତରବର ହୋଇ ପଡ଼ୁଥିଲା, ତାହା କିନ୍ତୁ ତା’ ପାଇଁ ଶୁଭଫଳ ଯୁକ୍ତ ହେଲାନାହିଁ । ତରବରିଆ ଭାବରେ ଯେଉଁ କାର୍ଯ୍ୟ କରାଯାଏ ତାହା କେବେ ସଫଳତାର ରୂପ ନେଇନଥାଏ । ବର୍ତ୍ତମାନ ସେହି ତରବରିଆ କାରଣରୁ ସିଂଧୁକପକ୍ଷୀ ମୁକ୍ତ ହୋଇଯିବା ବଦଳରେ ଜାଲ ମଧ୍ୟରେ ଅଧିକରୁ ଅଧିକ ଛନ୍ଦି ହୋଇପଡ଼ିଲା । ସିଂଧୁକ ପକ୍ଷୀଟି ଜାଲରୁ ମୁକ୍ତ ହୋଇପାରିଲା ନାହିଁ । ବରଂ ନିର୍ବଳ ହୋଇପଡ଼ିଲା । ବ୍ୟାଧପାଇଁ ସିଂଧୁକକୁ ଧରିନେବା ଲାଗି ସହଜ ହେଲା, ସେ ସଙ୍ଗେ ସଙ୍ଗେ ପକ୍ଷୀଟିକୁ ମାଡ଼ିବସିଲା ଓ ଖୁବ୍ ଆୟତକରି ନିଜର ପଞ୍ଜୁରି ମଧ୍ୟରେ ପୂରାଇ ଦେଲା । ଲୋଭବଶତଃ ହେଉ ଅଥବା ତା’ର ବୃତ୍ତି ବଶତଃ ହେଉ ସିଂଧୁକ ପକ୍ଷୀଟିକୁ ଧରି ପଞ୍ଜୁରି ମଧ୍ୟରେ ପୂରାଇ ଦେବାପରେ ଏବେ ସେ ଆଉ ଏକ ଭାବନାରେ ପଡ଼ିଗଲା ।

ବ୍ୟାଧ ଏବେ ବାସ୍ତବତା ମଧ୍ୟକୁ ଫେରି ଆସି ଭାବିଲା, ଏହି ପକ୍ଷୀ ମୋଦ୍ୱାରା କେବେ ବଧ ବା ଖାଦ୍ୟ ହୋଇପାରିବ ନାହିଁ । କାରଣ କୌଣସି ଦିନ ସେ ଏପରି ସ୍ୱର୍ଣ୍ଣପୁରୀଷ ପକ୍ଷୀ ଦେଖିନଥିଲା । ଏପରି ସୁବର୍ଣ୍ଣ ମଳତ୍ୟାଗ କରୁଥିବା ପକ୍ଷୀ ବିଷୟରେ ଯଦି କୌଣସି ଚୋର ଖଣ୍ଟ ଜାଣନ୍ତି ତାହାହେଲେ ତା’ର ପୈତୃକ ଜୀବନଟି କେତେବେଳ ସ୍ୱର୍ଗକୁ ଚାଲିଯିବ ତାହା ସେ ଜାଣିପାରିବ ନାହିଁ ।

ଏହାପରେ ଏପରି ପକ୍ଷୀ ଗୁଣ କଥା ଯେବେ ରାଜାଙ୍କ କାନରେ ପଡ଼େ, ତାହାହେଲେ ଘଟଣା ଯେ ଯାଇ କେଉଁଠାରେ ପହଞ୍ଚିବ । ତେଣୁ ବିପଦ ହିଁ ଆଜିଠାରୁ ତା’ର ପିଛା ଛାଡ଼ିବ ନାହିଁ । ତେଣୁ ସବୁଠାରୁ ବିବେକର ମୂଲ୍ୟବାନ କଥା ହେବ ପକ୍ଷୀଟିକୁ ନିଜ ପାଖରେ ନରଖି ସେ ରାଜ୍ୟର ରାଜାଙ୍କ ନିକଟରେ ପହଞ୍ଚାଇ ଦେଇ ପକ୍ଷୀଟିର ଏହି ଅଦ୍ଭୂତ ଗୁଣବାବଦରେ ଜଣାଇ ଦେଇ ରାଜାଙ୍କୁ ପ୍ରଦାନ କରି ଦେବ କାରଣ ସେପରି ପକ୍ଷୀକୁ ରଖି ସେ ଯେଉଁ ବିପଦକୁ ବରଣ କରିବାକୁ ଭାବୁଛି ବରଂ ସେ ସେଥିରୁ ତ୍ରାହି ପାଇଯିବ ଓ ଏଥିଲାଗି ରାଜାଙ୍କଠାରୁ ଅବଶ୍ୟ ପୁରସ୍କାର ବି ପାଇପାରିବ ।

ଏହିପରି ଭାବରେ ବ୍ୟାଧ ନାନା ପ୍ରକାର ଚିନ୍ତା କଲା ଓ ଶେଷରେ ପକ୍ଷୀଟିକୁ ଧରି ନଅରକୁ ଗଲା । ନଅରରେ ପହଞ୍ଚିବା ବେଳକୁ ସ୍ୱୟଂ ରାଜା ନିଜର ମନ୍ତ୍ରୀ ପାରିଷଦକୁ ନେଇ ରାଜସଭାରେ ନିଜ ଆସନରେ ବସିଥାଆନ୍ତି । ବ୍ୟାଧ ପକ୍ଷୀଟିକୁ ନେଇ ରାଜାଙ୍କ ସମ୍ମୁଖରେ ଥୋଇଦେଇ ପାଦତଳେ ପ୍ରଣାମ କଲା । ରାଜା ପକ୍ଷୀଟିକୁ ଦେଖି ପଚାରିବାରୁ ବ୍ୟାଧ ପକ୍ଷୀଟିର ଗୁଣମାନ ପ୍ରଦାନ କଲା ।

ରାଜା ପକ୍ଷୀଟିର ସମସ୍ତ ଗୁଣ ଶୁଣି ସାରିବାପରେ ମନେ ମନେ ସେ ଖୁବ୍ ପୁଲକିତ ହୋଇ ଉଠିଲେ । ଏହାପରେ ବ୍ୟାଧର ଏଥିଲାଗି ପୁରସ୍କାର ନେବା ଦରକାର, ସେଥିଲାଗି ସେ ମନ୍ତ୍ରୀଙ୍କର ମୁଖକୁ ଚାହିଁଲେ ।

ହେଲେ ମନ୍ତ୍ରୀ ରାଜାଙ୍କ ପରି ସରଳ ଓ ନିଷ୍କପଟୀ ଗୁଣରେ ନଥିଲେ । ସେ ଥିଲେ ଖୁବ୍ ସଂଦେହୀ, ଖୁବ୍ ମୂର୍ଖ ଆଉ ମଧ୍ୟ ଖୁବ୍ ତରବରିଆ ସ୍ୱଭାବର ବ୍ୟକ୍ତି । ସେ ଯେତେବେଳେ ଜାଣିଲେ ଯେ ରାଜା ଏହି ବ୍ୟାଧର ଏହି ଗୁଣ ନିମନ୍ତେ କିଛି ପୁରସ୍କାର ଦେବାକୁ ଚାହୁଁଛନ୍ତି, ସେତେବେଳେ ମନ୍ତ୍ରୀଙ୍କର ବିଚାର ତା’ର ବିପରୀତ ଥିଲା । ସେ ରାଜାଙ୍କୁ ମନ୍ତ୍ରଣା ଦେଲେ ଯେ ଏତେ ସହଜରେ ଏପରି ପକ୍ଷୀ ସଂପର୍କର ବ୍ୟାଧକୁ ବିଶ୍ୱାସ କରିବା ଉଚିତ ନୁହେଁ, କାରଣ ଯେଉଁ ବ୍ୟାଧର ପଶୁପକ୍ଷୀମାନେ ଖାଦ୍ୟ ହୋଇଥାଆନ୍ତି ସେ ବା କାହିଁକି ଏହି ପକ୍ଷୀକୁ ନିଜର ଖାଦ୍ୟ ଭାବରେ ଗ୍ରହଣ କଲା ନାହିଁ । ତେଣୁ ଛାମୁଙ୍କ ପକ୍ଷେ ଉଚିତ ହେବ ପକ୍ଷୀଟିର ସ୍ୱାଧୀନତାକୁ ବଜାଇ ରଖିବା ଲାଗି ତାହାକୁ ଏବେ ଉଡ଼ାଇ ଦେବା ଉଚିତ୍ ।

ମନ୍ତ୍ରୀଙ୍କର ପାଣ୍ଡିତ୍ୟ ପ୍ରତି ରାଜାଙ୍କର ବିଶେଷ ବିଶ୍ୱାସ ଥିଲା । ତେଣୁ ମନ୍ତ୍ରୀଙ୍କର ମନ୍ତ୍ରଣାକୁ ସେ ପାଳନ କରିବାକୁ ଯାଇ ପକ୍ଷୀଟିକୁ ଉଡ଼ାଇ ଦେଲେ ।

ଏପରି ମହତ ରାଜାଙ୍କର ମହତ ଗୁଣକୁ ଦେଖି ପକ୍ଷୀଟି ଖୁବ୍ ଖୁସି ହୋଇଗଲା । ପକ୍ଷୀଟି ଉପରକୁ ଉଠୁ ଉଠୁ ରାଜାଙ୍କର ସମ୍ମୁଖରେ ମଳତ୍ୟାଗ କରି ଦେଇଗଲା । ସେହି ମଳ ରାଜା ମନ୍ତ୍ରୀ ଓ ସମସ୍ତ ପାରିଷଦମାନଙ୍କ ଆଖିଆଗରେ ପଡ଼ିବା ମାତ୍ରେ ତାହା ଶୁଦ୍ଧ ସୁବର୍ଣ୍ଣରେ ପରିଣତ ହୋଇଗଲା । ତାହା ଦେଖିବା ମାତ୍ରେ ରାଜା ନିଜକୁ ବହୁତ ଧିକାରିଲେ ଆଉ ମଧ୍ୟ ମନ୍ତ୍ରୀଙ୍କର ଏହି ଭୁଲ ମନ୍ତ୍ରଣାଲାଗି ତିରଷ୍କାର କଲେ । କାରଣ ସାଧାରଣ ଲୋକ ଗରିବ ହୋଇପାରେ, ତେବେ ତା’ର କଥାପ୍ରତି ବିଶ୍ୱାସ ନକରି ସ୍ୱର୍ଣ୍ଣ ପୁରୀଷ ସିଂଧୁକ ପକ୍ଷୀକୁ ହରାଇଲେ।