+100%-

ବୀରସିଂହ ନାମରେ ଏକ ଶିବଭକ୍ତ ଯୁବକ ଥାଏ । ସେ ଭଗବାନ ଶିବଙ୍କୁ ସର୍ବଦା ଉପାସନା କରେ । ତା’ର ପିଲାଦିନୁ ବାପ ମା’ ମରି ଯାଇଥା’ନ୍ତି । ତେଣୁ ତା’ର କାକାହିଁ ତାକୁ ପାଳି ପୋଷି ମଣିଷ କରିଥିଲେ । ବୀରସିଂହର ବିବାହ ବୟସ ହେବାରୁ ତା’ର କାକା ଚନ୍ଦ୍ରସିଂହ ଦିନେ କନ୍ୟା ଖୋଜି ଯାଇ ନିଜ ଶଶୁର ଘର ଗ୍ରାମ ହରିପୁରରେ ପହଁଚିଲେ । ସେଠାରେ ତାଙ୍କ ଶ୍ୟାଳକ ରବିଗୁପ୍ତଙ୍କ ସହିତ ଏ ବିଷୟରେ ସେ ଆଲୋଚନା କଲେ । ଶେଷକୁ ଚନ୍ଦ୍ରସିଂହ କହିଲେ, “ଆରେ ତୁମ ଝିଅ, ମୋହିନୀଟିତ ବଡ ହୋଇଗଲାଣି, ଦେଖିବାକୁ ତ ସେ ଅତି ସୁନ୍ଦର ଓ ଗୁଣର ପିଲାଟିଏ ମଧ୍ୟ । ବୀରସିଂହ ପାଇଁ ଏଇଟି ବଡ ଚମତ୍କାର ବୋହୁ ହେବ ।”

ତାଙ୍କ କଥା ଶୁଣି ରବିଗୁପ୍ତ କହିଲେ, “ଭାଇ, ଏଭଳି ପ୍ରସ୍ତାବରେ ମୋର ଆପତ୍ତିର ପ୍ରଶ୍ନ ଆଉ ଉଠୁଛି କେଉଁଠି?”

ଇତିମଧ୍ୟରେ ଦିନେ ହରିପୁରର ରାଜା ଭାସ୍କରଦେବ ଘୋଡା ଉପରେ ରାସ୍ତାରେ ଯାଉ ଯାଉ ମୋହିନୀକୁ କୋଠା ଉପରେ ଠିଆ ହୋଇଥିବାର ଦେଖିଲେ । ସେ ତା’ର ସୌନ୍ଦର୍ଯ୍ୟରେ ମୁଗ୍ଧ ହେଲେ ଓ ସେଇଠାରୁ ରାଜନଅରକୁ ଫେରି ଆସିଲେ । ସେ ତାଙ୍କର ବିଚକ୍ଷଣ ଓ ଜ୍ଞାନୀ ମନ୍ତ୍ରୀମାନଙ୍କୁ ଡାକି କହିଲେ, “ସେହି ଯୁବତୀକୁ ମୁଁ ବିବାହ କରିବାକୁ ଚାହେଁ, ତେଣୁ ଆପଣମାନେ ଏ ବିଷୟରେ ଯଥା ଶୀଘ୍ର କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ।”

ପ୍ରଧାନ ମନ୍ତ୍ରୀ ରବିଗୁପ୍ତଙ୍କ ଘରକୁ ଯାଇ ତାଙ୍କୁ କହିଲେ, “ମହାଶୟ, ଏ ରାଜ୍ୟରେ ସମସ୍ତିଙ୍କ ଅପେକ୍ଷା ଆପଣ ହିଁ ବହୁତ ଭାଗ୍ୟବାନ୍ । ସ୍ୱୟଂ ରାଜା ଆପଣଙ୍କ ଝିଅକୁ ବିବାହ କରିବାକୁ ପସନ୍ଦ କରିଛନ୍ତି । ଶୁଭମୁହୂର୍ତ୍ତ ଠିକ୍ କରି କୁହନ୍ତୁ ।”

ରବିଗୁପ୍ତ ଏଥର ମହା ଅଡୁଆରେ ପଡିଲେ । କହିଲେ, “ମୋ ଝିଅ ଯଦି ଦେଶର ରାଣୀ ହେବ ତେବେ ତା’ଠାରୁ ବଳି ସୌଭାଗ୍ୟର କଥା ଆଉ କ’ଣ ବା ଅଛି? କିନ୍ତୁ ମୋର ଦୁର୍ଭାଗ୍ୟ ଯେ ମୁଁ ଆଗରୁ ଅନ୍ୟ ଜଣକୁ କଥା ଦେଇ ସାରିଛି । ସେ ବାଗ୍ଦତା ।”

ମନ୍ତ୍ରୀ ଯାଇ ରାଜାଙ୍କୁ ସବୁ କଥା କହିବାରୁ ରାଜା ତାଙ୍କର ମିତ୍ର ଓ ଘନିଷ୍ଟ ସମ୍ପର୍କୀୟମାନଙ୍କୁ ଡାକି କହିଲେ, “ମୋହିନୀକୁ ବିବାହ ନ କଲେ ବଂଚି ରହିବା ତାଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହେବ ।”

google-tez-social

ତେଣୁ ସେମାନେ ପୁଣି ଥରେ ରବିଗୁପ୍ତଙ୍କୁ ଆସି ବୁଝାଇଲେ, “ମହାଶୟ, ଭାଗ୍ୟ ଅନୁକୂଳ, ଭାଗ୍ୟଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବାକୁ ଇଚ୍ଛା କରିବା ବେଳେ ଆପଣ ତାଙ୍କୁ ନାତ ଦେଇ ତଡୁଛନ୍ତି? ଏ କିପରି କଥା?”

ରବିଗୁପ୍ତ କହିଲେ “ଆପଣମାନେ ନିରର୍ଥକ ଚେଷ୍ଟା କରୁଛନ୍ତି । ରାଜା ମୋର ଜାମାତା ହେବାଠାରୁ ଆଉ କି ଭାଗ୍ୟ ଅଧିକ ଅଛି? କିନ୍ତୁ ଲୋଭରେ ପଡି ମୁଁ ମୋର ସତ୍ୟ ଭଙ୍ଗ କରିବା କ’ଣ ଉଚିତ୍ ହେବ?”

ସେମାନେ ଅଗତ୍ୟା ରାଜପ୍ରାସାଦକୁ ଫେରି ଆସି ରାଜାଙ୍କୁ ବୁଝାଇଲେ, “ମହାରାଜ ଆପଣ ମୋହିନୀଙ୍କୁ ଭୁଲିଯା’ନ୍ତୁ । ରାଜ୍ୟରେ କ’ଣ ସୁନ୍ଦର କନ୍ୟାର ଅଭାବ ଅଛି? ରବିଗୁପ୍ତ ସତ୍ୟ ରକ୍ଷା ପାଇଁ ଏପରି କରୁଛନ୍ତି । ତାଙ୍କର ଆଚରଣ ପ୍ରଶଂସନୀୟ ଅଟେ ।”

ରାଜା ସବୁ ଶୁଣି ଚୁପ୍ ରହିଲେ । ସମସ୍ତେ ଚାଲିଯିବା ପରେ ରାଜା ସ୍ୱୟଂ ମୋହିନୀର ଘରେ ଆସି ପହଁଚିଲେ । ହଠାତ୍ ରାଜାଙ୍କୁ ଦେଖି ରବିଗୁପ୍ତ ଓ ତାଙ୍କ ସ୍ତ୍ରୀ ବ୍ୟସ୍ତ ବିବ୍ରତ ହୋଇ ପଡିଲେ । କିନ୍ତୁ ମୋହିନୀ ତା’ ବାପମା’ଙ୍କୁ ଧୈର୍ଯ୍ୟ ଧରିବାକୁ କହି ନିଜେ ସେ ରାଜାଙ୍କୁ ସ୍ୱାଗତ କରି କହିଲା, “ଭଉଣୀ ଉପରେ ଭାଇର ବହୁତ ଅନୁଗ୍ରହ, ତେଣୁ ସ୍ୱୟଂ ଏଠାକୁ ଆସିଛନ୍ତି ।”

ଏକଥା ଶୁଣି ରାଜା କହିଲେ, “ମୋହିନୀ, ଏ କି କଥା? ମୁଁ ତ ତୁମକୁ ମୋର ପତ୍ନୀ ରୂପେ ଗ୍ରହଣ କରିବାକୁ ଏଠାକୁ ଆସିଛି ।”

ମୋହିନୀ କହିଲା “ମହାରାଜ, ବୀରସିଂହଙ୍କ ସହିତ ମୋର ଯେଉଁ ମୁହୂର୍ତ୍ତରୁ ବିବାହ ଠିକ୍ ହୋଇଛି, ସେଦିନୁ ତ ମୁଁ ତାଙ୍କୁହିଁ ମୋର ପତି ରୂପରେ ମାନି ନେଇଛି । ଏବେ ଆପଣ ସ୍ୱୟଂ କୁହନ୍ତୁ ତ ଜଣେ ସ୍ତ୍ରୀ କ’ଣ କେବେବି ଦୁଇଜଣ ସ୍ୱାମୀ କରିପାରେ?”

ରାଜା ପ୍ରଶ୍ନକଲେ “ତୁମକୁ ନ ପାଇ ଯିଏ ଅସହ୍ୟ କଷ୍ଟ ପାଉଛି ତମେ ପୁଣି ତାକୁହିଁ ଉପଦେଶ ଦେଉଛ?”

ଏହା ଶୁଣି ମୋହିନୀ ଚୁପ୍ ରହିଲା । ମନ ଭିତରେ ମୋହିନୀ ଶିବଙ୍କୁ ଧ୍ୟାନ କଲା ଓ ରାଜାଙ୍କୁ କହିଲା, “ଯଦି ଭଗବାନ୍ ଶଙ୍କରଙ୍କର ଇଚ୍ଛା ଥିବ କି ମୋ ସହିତ ଆପଣଙ୍କର ବିବାହ ହେବ ତେବେ ତାହା ନିଶ୍ଚୟହିଁ ହେବ । ଆମ ବଂଶରେ ଏପରି ଏକ ନିୟମ ଅଛି ଯେ ବିବାହର ସାତଦିନ ପୂର୍ବରୁ ନିଷ୍ଠା ପୂର୍ବକ ଶିବଙ୍କର ଆରାଧନା କରିବାକୁ ହୁଏ । ତେଣୁ ମୁଁ ଆଜିଠାରୁହିଁ ଏ ବ୍ରତ ଆରମ୍ଭ କରିବି ।”

ରାଜା ମୋହିନୀର ଏପରି କଥା ଶୁଣି କିଛିଟା ଆଶ୍ୱସ୍ତ ହୋଇ ରାଜନଅରକୁ ଫେରିଗଲେ । ତା’ପରେ ରବିଗୁପ୍ତ ସବୁ କିଛି ଗୋଟିଏ ଚିଠିରେ ଲେଖି ଚନ୍ଦ୍ରସିଂହଙ୍କ ପାଖକୁ ପଠାଇଲେ । ବୀରସିଂହ ବଡମାନଙ୍କ ଆଶିର୍ବାଦ ଓ ଅନ୍ୟମାନଙ୍କ ଶୁଭେଚ୍ଛା ସହ ହରିପୁର ଗ୍ରାମରେ ଯାଇ ପହଁଚିଲା । ସେଠାରେ ଗୁପ୍ତରେ ଦୁହିଁଙ୍କର ବିବାହ ସମାପ୍ତ ହେବା ପରେ ସେ କନ୍ୟାକୁ ଧରି ଘୋଡା ଛୁଟାଇ ନିଜ ଗ୍ରାମକୁ ଫେରି ଆସିଲା ।

ଗୁପ୍ତଚରଙ୍କଠାରୁ ଏକଥା ଶୁଣି ରାଜା ଭୀଷଣ କ୍ରୋଧାନ୍ୱିତ ହୋଇ ତାଙ୍କର କେତେକ ସୈନ୍ୟଙ୍କୁ ସେ ଡାକି କହିଲେ, “ତୁରନ୍ତ ବୀରସିଂହକୁ ବଧ କରି କନ୍ୟାକୁ ବଳପୂର୍ବକ ଘେନି ଆସ ।”

ବୀରସିଂହ ଉପସ୍ଥିତ ବିପଦ ଦେଖି ଭଗବାନ୍ ଶିବଙ୍କୁ ଆରାଧନା କଲା । ଶିବ ନିଜେ ପ୍ରତ୍ୟକ୍ଷ ହୋଇ ବୀରକୁ ଏକ ଭୟଙ୍କର ଆୟୁଧ ଦେଇ କହିଲେ, “ବୀର, ନେ ଏଇ ଆୟୁଧ ଦ୍ୱାରା ତୁ ତୋର ଶତ୍ରୁ ସଂହାର କର ।” ଏକଥା କହି ଶିବ ସେଠାରୁ ତୁରନ୍ତ ଅନ୍ତର୍ଦ୍ଧାନ ହୋଇଗଲେ ।

ଅଳ୍ପ ସମୟ ମଧ୍ୟରେ ବୀରସିଂହ ସମସ୍ତ ସୈନିକଙ୍କୁ ନିପାତ କରିଦେଲେ । ଏସବୁ ଦୃଶ୍ୟ ପାହାଡ ଉପରୁ ସେ ରାଜା ନିଜେ ଦେଖୁଥିଲେ, ସେ ସୈନ୍ୟମାନଙ୍କୁ ପଠାଇ ଦେଇ ନିଶ୍ଚିନ୍ତ ରହିପାରି ନଥିଲେ । ତେଣୁ ସେ ମଧ୍ୟ ଯୁଦ୍ଧ କରିବାକୁ ଆସୁଥିଲେ । ଦୂରରୁ ଆହୁରି ମଧ୍ୟ ରାଜା ଦେଖିଲେ ଯେ ଜଣେ ଶିବଭକ୍ତଙ୍କୁ ଦେଖିବା ମାତ୍ରେ ବୀରସିଂହ ଯୁଦ୍ଧ ନ କରି ତାଙ୍କୁ ପ୍ରଣାମ କଲା । ଏକଥା ଦେଖି ରାଜା ଏକ ଶିବଭକ୍ତର ଛଦ୍ମବେଶରେ ବୀରସିଂହ ପାଖକୁ ଗଲେ । ତାଙ୍କୁ ଦେଖି ବୀରସିଂହ ଅସ୍ତ୍ର ତ୍ୟାଗ କରି ପ୍ରଣାମ କରନ୍ତେ ରାଜା ଏଭଳି ସୁଯୋଗ ପାଇ ବୀରସିଂହକୁ ତରବାରୀରେ କାଟି ଦେବାକୁ ବାହାରିଲେ । ଅଥଚ ତରବାରୀ ଚଳାଇବା ମାତ୍ରେ ତାହା ଏକ ଫୁଲମାଳାରେ ପରିଣତ ହୋଇ ବୀରସିଂହର ଗଳାରେ ଝୁଲିଲା । ପରେ ପରେ ତାଙ୍କର ନିଜ ଲୋକ ସବୁ ଆସି ସେଠାରେ ପହଁଚିଗଲେ ।

ଏ ଘଟଣା ଘଟିବା ପରେ ପରେ ଭଗବାନ୍ ଶିବ ସେଠାରେ ଆବିର୍ଭାବ ହୋଇ କହିଲେ, “ବୀରସିଂହ, ଏବେ କି ବର ମାଗୁଛୁ ମାଗ ।”

ବୀରସିଂହ କହିଲା, “ପ୍ରଭୁ ମୋତେ, ମୋର ପତ୍ନୀକୁ, ଆମର ଘନିଷ୍ଠମାନଙ୍କୁ ଓ ଏଠାରେ ଉପସ୍ଥିତ ସମସ୍ତିଙ୍କୁ ଶିବ ସାଯୁଜ୍ୟ ପ୍ରଦାନ କରନ୍ତୁ ।”

ଶିବ ପଚାରିଲେ “ତୁମର ଅପକାର କରିଥିବା ଏଇ ପାପାତ୍ମା ରାଜାକୁ ମଧ୍ୟ କ’ଣ ତାହା ଦିଆଯିବ?”

ବୀରସିଂହ କହିଲା, “ପ୍ରଭୁ, ଏହି ରାଜା ଶୈବ ଚିହ୍ନ ଦେହରେ ଧାରଣ କରିଛି ଏବଂ ଆପଣଙ୍କର ପ୍ରତ୍ୟକ୍ଷ ଦର୍ଶନ ଲାଭ କରିଛି, ତା’ପରେ ବି ସେ ଆଉ ପାପାତ୍ମା ହୋଇ ରହିଲା କିପରି?” ବୀରକଥା ଶୁଣି ଭଗବାନ୍ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇ ସମସ୍ତିଙ୍କୁ ଧରି କୈଳାଶକୁ ଗଲେ ।