+100%-

ଗୋଟିଏ ନଗରୀରେ ସାଗରଦତ ନାମକ ଏକ ବଣିକ ବାସ କରୁଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲା । ଦିନେ ବଣିକ ପୁତ୍ର ଗୋଟିଏ ପୁସ୍ତକ ଏକ ଶହମୁଦ୍ରା ଦେଇ କିଣି ଆଣିଲେ । ଏହି ପୁସ୍ତକ ମଧ୍ୟରେ କେବଳ ଗୋଟିଏ କଥା ଲେଖାଥିଲା । ‘ତୁମର ଯାହା ପାଇବାର ଥିବ ତାହା ତୁମ ନିକଟକୁ ନିଶ୍ଚୟ ଆସିବ’ । ଅନ୍ୟ ଅର୍ଥରେ କହିଲେ ଭାଗ୍ୟ ଯାହା ନିକଟକୁ ଯାହା ପଠାଇଥାଏ ତାହା ତା’ନିକଟରେ ଆସି ନିଶ୍ଚୟ ପହଁଚିବ । ଯେତେବେଳେ ସାଗରଦତ ଏହି ବହିଟିକୁ ଦେଖିଲେ ସେତେବେଳେ ପୁତ୍ରକୁ ପଚାରିଲେ, ‘କେତେ ମୁଦ୍ରା ଦେଇ ତୁମେ ଏହି ବହିଟିକୁ କିଣିଛ’? ପୁତ୍ର ସଂଗେ ସଂଗେ ପିତାଙ୍କୁ କହିଲା, ‘ଏକ ଶହ ମୁଦ୍ରା ଦେଇ ମୁଁ ଏହି ବହିଟିକୁ କିଣିଛି । ଏହା ଶୁଣି ପିତା ସଂଗେ ସଂଗେ ରାଗିଯାଇ କହିଲେ, ‘ତମକୁ ଲଜ୍ଜା ନାହିଁ । ବହିଟିକୁ ଏକ ଶତ ମଦ୍ରା ଦେଇ କିଣି ଆଣିଛ । ଅଥଚ ବହିଟିରେ ଗୋଟିଏ ଧାଡିକୁ ବାଦ୍ ଦେଲେ ଆଉ କିଛି ଲେଖାନାହିଁ । ତୁମେ ଯଦି ଏପରି କରିବ ତା’ହେଲେ ଭବିଷ୍ୟତରେ ବ୍ୟବସାୟ ବଣିଜ କିପରି ସମ୍ଭାଳିବ? ପିତାଙ୍କର କଟୁକଥା ପୁତ୍ର ମନରେ ଗଭୀର ଆଘାତ ଆଣିଦେଲା । ତେଣୁ ସେ ମନେ ମନେ ମନସ୍ଥ କଲେ ଯେ ସେ ଘରଛାଡି ଅନ୍ୟତ୍ର ଚାଲିଯିବେ । ପଡୋଶୀ ରାଜ୍ୟକୁ ଯାଇ ସେଠାରେ କିଛି କାର୍ଯ୍ୟ କରି ଆପଣାଛାଏଁ ନିଜ ଗୋଡରେ ନିଜେ ଠିଆ ହେବେ ।

ଏହିପରି ଚିନ୍ତାକରି ଦିନେ ସେ ଗୃହତ୍ୟାଗ କଲେ, ଓ ଏକ ନୂଆ ସ୍ଥାନରେ ଯାଇ ପହଁଚିଲେ । ସେଠାରେ କିଛିଦିନ ରହିବା ପରେ ସେଠାକାର ଜଣେ ବାସିନ୍ଦା ତାଙ୍କୁ ପଚାରିଲେ, ‘ଆପଣଙ୍କର ନାମ କ’ଣ’? ‘ଆପଣ କେଉଁଠାରୁ ଆସିଛନ୍ତି’? ବଣିକ ପୁତ୍ର ବାସିନ୍ଦାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ‘ତୁମେ ଯାହା ଚାହିଁବ ତାହା ନିଶ୍ଚୟ ପାଇବ’ । ଏହାପରେ ତାଙ୍କୁ ସେହି ଅଂଚଳରେ ଯେତେଜଣ ତାଙ୍କ ପରିଚୟ ସଂପର୍କରେ ଜାଣିବାକୁ ପ୍ରଶ୍ନ କରିଛନ୍ତି, ତାଙ୍କଠାରୁ ଏହି ଉତ୍ତର ପାଇଛନ୍ତି । ତେଣୁ ଲୋକମାନଙ୍କ ନିକଟରେ ସେ ‘ଯାହା ଚାହିଁବ ତାହା ପାଇବ’ ଏହି ନାମରେ ପରିଚିତ ହେଲେ ।

ଏକଦା ସେହି ରାଜ୍ୟରେ ରାଜାଙ୍କ କନ୍ୟା ‘ଚନ୍ଦ୍ରାବତୀ’ ଦାସୀ ମାନଙ୍କ ସହିତ ଏକ ମେଳା ଦେଖିବାପାଇଁ ନଗରୀ ମଧ୍ୟକୁ ଆସିଲେ । ମେଳା ଦେଖୁଥିବା ସମୟରେ ହଠାତ୍ ତାଙ୍କର ଆଖି ଏକ ସୁନ୍ଦର, ସୁଠାମ, ସୁଦୀପ୍ତ ଯୁବରାଜଙ୍କ ଉପରେ ପଡିଲା । ରାଜକୁମାରୀ ଚନ୍ଦ୍ରାବତୀଯୁବରାଜଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଦାସୀ ହାତରେ ତାଙ୍କ ନିକଟକୁ ସମ୍ବାଦ ପ୍ରେରଣ କଲେ । ଦାସୀଟି ଯୁବରାଜଙ୍କ ନିକଟରେ ପହଁଚି ଚନ୍ଦ୍ରାବତୀଙ୍କର ହୃଦୟର କଥା ପ୍ରକାଶ କଲେ । ଚନ୍ଦ୍ରାବତୀଙ୍କୁ ତୁରନ୍ତ ରାଜକୁମାର ଆସି ଦେଖା କରନ୍ତୁ ଏବଂ ଯଦି କୁମାର ତାଙ୍କୁ ଦେଖା ନ କରନ୍ତି ତା’ହେଲେ ସେ ପ୍ରାଣତ୍ୟାଗ କରିବେ । ଦାସୀଠାରୁ ଏହି କଥା ଶୁଣି ଯୁବରାଜ କହିଲେ, ‘ରାଜକୁମାରୀଙ୍କୁ ମୁଁ କିପରି ରାଜମହଲ ମଧ୍ୟକୁ ଯାଇ ଦେଖା କରିବି’? ଦାସୀ ରାଜ କୁମାରଙ୍କୁ ଏକ ଉପାୟ ବତାଇ ଦେଲେ । ରାଜ କୁମାରୀ ଝରକା ମଧ୍ୟ ଦେଇ ଭୂମି ପର୍ଯ୍ୟନ୍ତ ଦଉଡି ପକାଯାଇଥିବ । ସେହି ଦଉଡି ମଧ୍ୟଦେଇ ଝରକା ବାଟେ ତୁମେ ରାଜକୁମାରୀଙ୍କୁ ଗୋପନରେ ସାକ୍ଷାତ କରିପାରିବ । ଯୁବରାଜ କହିଲେ, ‘ରାଜକୁମାରୀ ଯଦି ମୋତେ ଅନ୍ତରର ସହିତ ଚାହୁଁଥିବେ, ତା’ହେଲେ ମୁଁ ନିଶ୍ଚୟ ଯାଇ ତାଙ୍କ ପାଖରେ ପହଁଚିପାରିବି ।

ଯେତେବେଳେ ଅଧରାତି ହେଲା, ରାଜକୁମାର କୁମାରୀଙ୍କୁ କଥା ଦେଇଛନ୍ତି, ତାଙ୍କ ନିକଟରେ ଯାଇ ପହଁଚିବେ । କିନ୍ତୁ ରାତି ବଢୁଥାଏ । ଯୁବରାଜଙ୍କର ଦେଖାନଥାଏ । ଯୁବରାଜ ଚିନ୍ତାକଲେ, ‘ଏପରି ଲୁଚିଛପି ରାଜ ମହଲ ମଧ୍ୟକୁ ପ୍ରବେଶ କରିବା ଉଚିତ୍ ନୁହେଁ । ଯେଉଁ କାର୍ଯ୍ୟ ବିବେକାନୁମୋଦିତ ନୁହେଁ, ସେ କାର୍ଯ୍ୟ କରିବା ଠିକ୍ ନୁହେଁ । ଏହିପରି କଥା ଯୁବରାଜ ଚିନ୍ତାକରି ଆଉ ରାଜକୁମାରୀଙ୍କୁ ସାକ୍ଷାତ କରିବାକୁ ଗଲେ ନାହିଁ । ଏହି ସମୟରେ ରାଜମହଲ କଡ ଦେଇ ‘ଯାହା ଚାହିଁବ ତାହା ପାଇବ’ ଯାଉଥାଏ । ସେ ଯେତେବେଳେ ଦେଖିଲେ ଯେ ଗୋଟିଏ ଦଉଡି ଝରକା ବାଟ ଦେଇ ଭୂମି ପର୍ଯ୍ୟନ୍ତ ଲମ୍ବିଛି, ତାଙ୍କୁ ତାହା ଆଶ୍ଚର୍ଯ୍ୟ ଭଳି ଲାଗିଲା । ସେ ପ୍ରଥମେ ଜାଣିବାକୁ ଚାହିଁଲେ କଣ ପାଇଁ ଏବଂ କିଏ ଏପରି କାର୍ଯ୍ୟ କରିଛି? ତେଣୁ ସେ ପ୍ରଥମେ ଏହି ଦଉଡିଟିକୁ ଜୋର୍ରେ ଜାବୁଡି ଧରି ରାଜ ମହଲ ମଧ୍ୟକୁ ଝରକା ବାଟ ଦେଇ ପ୍ରବେଶ କଲେ । ସେ ଯେତେବେଳେ ରାଜକୁମାରୀଙ୍କ ଝରକା ପାଖରେ ପହଁଚିଗଲେ, ରାତ୍ରିର ଅଂଧାରରେ କୁମାରୀ ତାଙ୍କୁ ଯୁବରାଜ ବୋଲି ଭାବି ତାଙ୍କର ଅଭ୍ୟର୍ଥନା କରିବାକୁ ଲାଗିପଡିଲେ । ଏହାପରେ ରାଜକୁମାରୀ ଯୁବରାଜଙ୍କ ନିକଟରେ ନିଜର ମନ କଥା ପ୍ରକାଶ କରିବାକୁ ଲାଗିଲେ । ଏବଂ କହିଲେ ମୁଁ ତୁମକୁ ମୋର ହୃଦୟ ଦେଇ ଭଲପାଉଛି । ତୁମ ବିନା ଅନ୍ୟ କାହାକୁ ମୁଁ ପତି ରୂପେ ବରଣ କରିବି ନାହିଁ । କିନ୍ତୁ ମୁଁ ତୁମକୁ ମୋର ମନ କଥା କହିସାରିବା ପରେ ତୁମେ ମୋତେ କିଛି କହୁ ନାହଁ କାହିଁକି? ବଣିକ ପୁତ୍ର ରାଜ କୁମାରୀଙ୍କୁ ଉତ୍ତର ଦେବାକୁ ଯାଇ କହିଲେ, ‘ତୁମେ ଯାହା ଚାହିଁବ, ତାହା ପାଇବ’ ।

ଯୁବରାଜଙ୍କର ଏହି କଥା ଶୁଣି ରାଜକୁମାରୀ କିଂକର୍ତ୍ତବ୍ୟ ବିମୂଢ ହୋଇ ପଡିଲେ । କିଛି ସମୟ ତାଙ୍କ ମୁଖମଣ୍ଡଳକୁ ଭଲ ଭାବରେ ଅନୁଧ୍ୟାନ କରି ଜାଣିପାରିଲେ ଯେ, ଏହି ବ୍ୟକ୍ତି ଜଣକ ରାଜକୁମାର ନୁହଁନ୍ତି । ଏହାପରେ ରାଜକୁମାରୀ ଭୀଷଣ ଭାବରେ ରାଗିଯାଇ ବଣିକ ପୁତ୍ରକୁ ସେଠାରୁ ତୁରନ୍ତ ଚାଲିଯିବାକୁ ନିର୍ଦ୍ଧେଶ ଦେଲେ । ବଣିକ ପୁତ୍ର ରାଜ ମହଲରୁ ବିଦାୟନେଇ ଏକ ପୁରୁଣା ମନ୍ଦିର ନିକଟରେ ଯାଇ ଶୋଇବା ପାଇଁ ପହଁଚିଲେ । ସେହି ପୁରୁଣା ମନ୍ଦିରରେ ଏକ ରାତ୍ରି ଜଗୁଆଳି, ଯିଏ କି ଏକ ନାରୀ ସହିତ କୁକାର୍ଯ୍ୟରେ ଲିପ୍ତ ଥାଆନ୍ତି । ସେ ବଣିକପୁତ୍ରଙ୍କୁ ଦେଖି ହଠାତ୍ ଉଠି ଆସିଲେ, ଏବଂ ପଚାରିଲେ, ‘ତୁମେ କିଏ’? ବଣିକ ପୁତ୍ର ତାଙ୍କୁ ଉତ୍ତର ଦେଲେ, ‘ତୁମେ ଯାହା ଚାହିଁବ, ତାହା ପାଇବ’ । ଏହାପରେ ଜଗୁଆଳୀ ଜଣକ ନିଜ ପାପ କାର୍ଯ୍ୟକୁ ଘୋଡାଇବାକୁ ଯାଇ କହିଲେ, ଏହା ଏକ ପୁରୁଣା ଭଙ୍ଗା ମନ୍ଦିର । ଏଠାରେ କେହି ରାତ୍ରି ସମୟରେ ରହନ୍ତି ନାହିଁ । ତେଣୁ ତୁମେ ଏଠାରେ ନରହି ମୋ ଗୃହକୁ ଯାଇ ସେଠାରେ ବିଶ୍ରାମ କର । ଏହା କହି ଜଗୁଆଳୀ ଜଣକ ବଣିକ ପୁତ୍ରକୁ ତାଙ୍କ ଘରକୁ ରାସ୍ତା ଦେଖାଇଦେଲେ ।

ବଣିକ ପୁତ୍ର ‘ତୁମେ ଯାହା ଚାହିଁବ, ତାହା ପାଇବ’ ଜଗୁଆଳୀର ଘର ନିକଟରେ ଯାଇ ପହଁଚିଲେ । ଜଗୁଆଳୀର ଘରେ ତା’ର ଏକ ମାତ୍ର ସୁନ୍ଦରୀ କନ୍ୟା ‘ବିନୟବତୀ’ ଯିଏକି ତାଙ୍କର ପ୍ରେମିକର ଆସିବା ବାଟକୁ ଚାହିଁ ରହିଥାନ୍ତି । ଯେତେବେଳେ ବଣିକପୁତ୍ର ସେଠାରେ ପହଁଚିଲେ, ରାତ୍ରି ସମୟରେ ‘ବିନୟବତୀ’ ତାଙ୍କୁ ତାଙ୍କର ପ୍ରେମିକ ମନେ କରି ଗାନ୍ଧର୍ବ ରୀତି ଅନୁଯାୟୀ ବିବାହ କଲେ । ଏହାପରେ ସେ ଯେତେବେଳେ ତାଙ୍କୁ ପଚାରିଲେ, ‘ତୁମେ ତ’ ମୋତେ ବିବାହ କରିସାରିଲଣି, ହେଲେ ମୋ ସହିତ କାହିଁକି କଥା ହେଉନାହଁ ।

ସଂଗେ ସଂଗେ ବଣିକପୁତ୍ର ଉତ୍ତର ଦେଲେ, ‘ତୁମେ ଯାହାଚାହିଁବ ତାହା ପାଇବ’ । ଏହା ଶୁଣିବା ପରେ ବିନୟବତୀ ଜାଣିପାରିଲେ ଯେ ଏହି ବ୍ୟକ୍ତି ଜଣକ ତାଙ୍କର ପ୍ରେମିକ ନୁହେଁ । ସେ ସଂଗେ ସଂଗେ ତାଙ୍କୁ ଘରୁ ବାହାରିଯିବା ପାଇଁ କହିଲେ ।

ଜଗୁଆଳୀର ଗୃହରୁ ବାହାରି ଆସିବା ପରେ ବଣିକ ପୁତ୍ର ରାସ୍ତାରେ ଏକ ବରଯାତ୍ରୀ ଦଳଙ୍କର ଶୋଭାଯାତ୍ରା ଦେଖିବାକୁ ପାଇଲେ । ଅନ୍ୟ ଏକ ଗ୍ରାମର ‘ବନ୍କୀର୍ତି’ ନାମକ ଯୁବକ ସେହି ଗ୍ରାମକୁ ବିବାହ କରିବାକୁ ଆସୁଥାନ୍ତି । ‘ତୁମେ ଯାହା ଚାହିଁବ ତାହା ପାଇବ’ ସେହି ଶୋଭାଯାତ୍ରାରେ ଯୋଗଦେଲେ । କନ୍ୟାଟି ଦାମୀ ବସ୍ତ୍ର ଏବଂ ଦାମୀ ଗହଣା ପରିଧାନ କରି ବରକୁ ଅପେକ୍ଷା କରି ବସିଥାଏ । ଏହି ସମୟରେ ଏକ ହାତୀ ପାଗଳ ହୋଇ, ଯିଏ କି ତା’ର ମାହୁନ୍ତକୁ ମାରି, ଏହି ବରଯାତ୍ରୀ ଶୋଭାଯାତ୍ରା ନିକଟରେ ଉଭା ହେଲା । ସମସ୍ତେ ଯେତେବେଳେ ଏହି ପାଗଳା ହାତୀଟିକୁ ଦେଖିଲେ, ଜୀବନ ବଂଚାଇବା ପାଇଁ ସମସ୍ତେ ନିରାପଦ ସ୍ଥାନକୁ ପଳାଇଗଲେ । କିନ୍ତୁ କନ୍ୟାଟି ଭୟଭୀତ ହୋଇଯାଇ କେଉଁ ଆଡକୁ ଯିବ କିଛି ଠିକ୍ କରିପାରୁନଥାଏ । ଯେତେବେଳେ ବଣିକ ପୁତ୍ର ‘ଯାହା ଚାହିଁବ ତାହା ପାଇବ’ ଦେଖିବାକୁ ପାଇଲେ ଯେ କନ୍ୟାର ଜୀବନ ବିପଦପୂର୍ଣ୍ଣ ସେ ସଂଗେ ସଂଗେ ତା’ ନିକଟକୁ ଯାଇ କହିଲେ, ତୁମେ ଭୟକର ନାହିଁ, ମୁଁ ତୁମକୁ ଏହି ବିପଦରୁ ବର୍ତିବା ପାଇଁ ସାହାଯ୍ୟ କରିବି । ଏହାପରେ ବଣିକ ପୁତ୍ର କୌଶଳ କ୍ରମେ ହାତୀ କବଳରୁ କନ୍ୟାର ଜୀବନ ରକ୍ଷା କଲେ ।

କିଛି ସମୟ ପରେ ବର ଏବଂ ତାର ସାଥୀମାନେ ଯେତେବେଳେ କନ୍ୟା ନିକଟକୁ ଆସିଲେ ସେତେବେଳେ କନ୍ୟାକୁ ବଣିକ ପୁତ୍ର ସହିତ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ବରଂ ସଂଗେ ସଂଗେ ତାର ପିତାଙ୍କୁ କହିଲା ‘ବାପା’! ଦେଖନ୍ତୁ, ଏହି କନ୍ୟା ବର୍ତ୍ତମାନ ଅନ୍ୟ ଜଣକର ହାତ ଧରି ସାରିଲାଣି । କନ୍ୟାର ପିତା ଏହା ଶୁଣି ବରକୁ କହିଲେ, ‘ଯେତେବେଳେ ପାଗଳା ହାତୀଟି ଆକ୍ରମଣ କରିବାକୁ ଆସିଲା ସେତେବେଳେ ସମସ୍ତେ ଜୀବନ ବଂଚାଇବା ପାଇଁ ପଳାଇଲେ । ମୁଁ ମଧ୍ୟ ଅନ୍ୟ ଆଡେ ପଳାଇଲି । ମୋ ଅନୁପସ୍ଥିତିରେ କ’ଣ ଘଟିଛି ତାହା ଜାଣି ନାହିଁ । ଏହାପରେ ସେ ସଂଗେ ସଂଗେ କନ୍ୟାକୁ କ’ଣ ଘଟିଛି ତାହା ପଚାରିଲେ? କନ୍ୟାଟି କହିଲା, “ବାପା”! ମୋର ଜୀବନ ଯେତେବେଳେ ବିପଦପୂର୍ଣ୍ଣ ସେତେବେଳେ ଏହି ବ୍ୟକ୍ତି ନିଜ ଜୀବନକୁ ପାଣି ଛଡାଇ ମୋ ଜୀବନ ବଁଚାଇଲେ । ତେଣୁ ମୁଁ ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ହିଁ ବିବାହ କରିବି ।

ତହିଁ ଆରଦିନ ସକାଳୁ ସାରା ନଗରୀରେ ଏହି ସମ୍ବାଦ ବ୍ୟାପିଗଲା । ରାଜା ଏବଂ ରାଜକନ୍ୟା ମଧ୍ୟ ଉଭୟେ ଏହି କଥା ଶୁଣିଲେ ଏବଂ ଉଭୟେ ବ୍ୟକ୍ତିଗତ ଭାବରେ ଆସିଲେ । ସେହିପରି ଜଗୁଆଳୀର କନ୍ୟା ମଧ୍ୟ ଏହି କଥା ଶୁଣିଲା । ରାଜା ବଣିକ ପୁତ୍ରକୁ ଏସବୁ ସଂକ୍ରାନ୍ତରେ ପଚାରିଲେ । ସେ ସଂଗେ ସଂଗେ ଉତ୍ତର ଦେଲେ, ‘ତୁମେ ଯାହା ଚାହିଁବ, ତାହା ପାଇବ’ । ଯେତେବେଳେ ରାଜକୁମାରୀ ଏହି କଥା ଶୁଣିଲେ, ସେ ସଂଗେ ସଂଗେ ରାତିରେ ଏହି ବ୍ୟକ୍ତି ସହିତ କଟାଇଥିବା ପ୍ରସଂଗ ମନେ ପକାଇଲେ, ଏବଂ ସଂଗେ ସଂଗେ ଚିନ୍ତା କଲେ, ‘ଭଗବାନ ମଧ୍ୟ ନିୟତିର ନିୟମକୁ ପ୍ରତିରୋଧ କରି ପାରିବେ ନାହିଁ । ସେହିପରି ଯେତେବେଳେ ଜଗୁଆଳୀର କନ୍ୟା ଏହି କଥା ଶୁଣିଲା, ସେତେବେଳେ ସେ ଚିନ୍ତାକଲା, ମୁଁ ଯଦି କୌଣସି ଏକ ଘଟଣା ପାଇଁ ଦୁଃଖ କରିନଥାନ୍ତି, ପରବର୍ତୀ ସମୟରେ ତାହା ମୋତେ ଆଶ୍ଚର୍ଯ୍ୟ କରିନଥାନ୍ତା ।’ ଯେତେବେଳେ କନ୍ୟାଟି ଏହି କଥା ଶୁଣିଲା, ସେ ଚିନ୍ତାକଲା, ମୋର ଭାଗ୍ୟରେ ଯାହାଥିବ, ମୋ ନିକଟରୁ ତାକୁ କେହି ଛଡାଇ ନେଇପାରିବେ ନାହିଁ ।

ଋାଜା ଯେତେବେଳେ ଏହି କଥା ଶୁଣିଲେ, ସେ ଚିନ୍ତା କଲେ ଏହା ମଧ୍ୟରେ ନିଶ୍ଚୟ କିଛିନା କିଛି କାରଣ ନିହିତ ଅଛି । ଏହି କାରଣ ମୋର ଜାଣିବା ନିହାତି ଆବଶ୍ୟକ । ଏହାପରେ ରାଜାଙ୍କୁ ରାଜକୁମାରୀ, ଜଗୁଆଳୀର କନ୍ୟା ଏବଂ ବିବାହ କରିବାକୁ ଯାଉଥିବା କନ୍ୟା ବିଷୟରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ଏହାପରେ ରାଜା ବଣିକ ପୁତ୍ର ଯାହା ଚାହିଁବ ତାହା ପାଇବ ଉପରେ ଖୁସି ହୋଇ ନିଜ କନ୍ୟାକୁ ତା’ସହିତ ବିବାହ ଦେବା ପାଇଁ ଚାହିଁଲେ’ । ଯୌତୁକ ପାଇଁ ଏକ ହଜାର ଗ୍ରାମ ଏବଂ ବିଭିନ୍ନ ଦାମୀ ଗହଣା ଦେବାକୁ କହିଲେ । ଯେହେତୁ ରାଜାଙ୍କର କୌଣସି ପୁତ୍ର ନଥିଲେ ତେଣୁ ସେ ବଣିକ ପୁତ୍ର ଯାହା ଚାହିଁବ ତାହା ପାଇବାକୁ ପରବର୍ତୀ ଉତ୍ତରାଧିକାରୀ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଲେ । ସେହିପରି ରାତ୍ରି ଜଗୁଆଳୀ ମଧ୍ୟ ନିଜ କନ୍ୟାକୁ ବଣିକ ପୁତ୍ର ସହିତ ବିବାହ ଦେବାକୁ ଚାହିଁଲେ ।

ଏହିସବୁ କାର୍ଯ୍ୟକ୍ରମ ସରିବାପରେ, ବଣିକ ପୁତ୍ର ‘ଯାହା ଚାହିଁବ ତାହା ପାଇବ’ ପ୍ରଥମେ ତାର ମାତା, ପିତା, ବନ୍ଧୁ, ପରିଜନ ଏବଂ ସଂପର୍କୀୟ ମାନଙ୍କୁ ନିଜ ପାଖକୁ ଆଣି, ସେମାନଙ୍କ ଗହଣରେ ଖୁସିରେ ସମୟ ବିତାଇଲା । ଏହାପରେ ହିରଣ୍ୟକ କହିଲେ ଯେ, ଭାଗ୍ୟ ଯାହାକୁ ଯାହା ଦିଏ, ତାକୁ କେହି ଛଡାଇ ନେଇ ପାରନ୍ତି ନାହିଁ । ମୁଁ ଯେତେବେଳେ ମନ୍ଦିର ନିକଟରେ ଦୁଃଖରେ କାଳାତିପାତ କରୁଥିଲି, ସେତେବେଳେ ଲଘୁପତନକଙ୍କ ପରି ବନ୍ଧୁଙ୍କ ସହିତ ମୋର ସାକ୍ଷାତ ହେଲା । ମନ୍ଥରକ କହିଲେ ‘ଲଘୁପତନକ’ ହେଉଛନ୍ତି ପ୍ରକୃତରେ ତୁମର ବନ୍ଧୁ । ହୁଏତ ପ୍ରତ୍ୟେକ କୁଆ ମୂଷା ମାନଙ୍କର ଶତ୍ରୁ ହୋଇଥାଆନ୍ତି । କିନ୍ତୁ ସେ ସେପରି ନୁହଁନ୍ତି । ସେ ତୁମକୁ ସେଠାରେ ଏକାକୀ ନଛାଡି ତୁମକୁ ତାଙ୍କ ପିଠି ପଛରେ ବସାଇ ଏଠାକୁ ଆଣିପାରିଲେ । ସବୁ ସମୟରେ ସେ ନିଜେ ଯାହା ଖାଆନ୍ତି! ତାହା ତୁମ ପାଇଁ ନେଇ ଆସିଥାନ୍ତି ।

ତେଣୁ ଶାସ୍ତ୍ରରେ କୁହାଯାଇଛି, ଯେତେବେଳେ ତୁମ ପାଖରେ ପ୍ରଚୁର ଧନ ଥିବ, ତୁମେ ସୁଖରେ ସମୟ ଅତିବାହିତ କରୁଥିବ, ସେହି ସମୟରେ ସମସ୍ତେ ତୁମର ବନ୍ଧୁ ଥିବେ । ମାତ୍ର ଯେତେବେଳେ ଦୁଃଖ ଆସେ ସେତେବେଳେ ସେହି ବନ୍ଧୁମାନେ ତୁମ ପାଖରେ ନଥାନ୍ତି । ମାତ୍ର ଯିଏ ପ୍ରକୃତ ବନ୍ଧୁ ସେ ତୁମକୁ ସୁଖ ସମୟରେ ସାହାଯ୍ୟ ନକରି ଦୁଃଖ ସମୟରେ ହିଁ ତୁମ ପାଖରେ ଠିଆ ହୁଅନ୍ତି । ତେଣୁ ଦୁଃଖ ସମୟରେ ଯିଏ ପାଖରେ ଥାଏ, ସେ ହିଁ ପ୍ରକୃତ ବନ୍ଧୁ । ତେଣୁ ତୁମେ ମନରେ କୌଣସି ଦୁଃଖ ନକରି ଏହି ନଦୀ କୂଳରେ ଲଘୁପତନକ ଏବଂ ମୋ ସହିତ ରୁହ । ଏହି ପୃଥିବୀରେ ଧନ, ଯୌବନ, ନାରୀ କ୍ଷଣସ୍ଥାୟୀ ଅଟେ, ମାତ୍ର ପ୍ରକୃତ ବନ୍ଧୁତ୍ୱ ଚିରକାଳ ନିଜସ୍ୱ ଦୀପ୍ତିରେ ପ୍ରଜ୍ୱଳିତ ହୋଇଥାଏ । ଜୀବନରେ ଧନ ଚିରସ୍ଥାୟୀ ହୋଇ ରହିପାରେ ନାହିଁ । ଯଦି ଜଣେ ଧନୀ ବ୍ୟକ୍ତି ଜୀବନରେ କେବଳ ଧନ ସଂଚୟ କରିବାରେ ମନ ଦିଏ ଏବଂ ଧନର କିପରି ସଦୁପଯୋଗ କରାଯାଇ ପାରିବ ସେ କଥା ଚିନ୍ତା କରେ ନାହିଁ । ପରିସ୍ଥିତିରେ ପଡି ଶେଷରେ ସେ ତା’ର ଧନ ହରାଇଥାଏ । ଏହି କଥା ସୋମିଲାକ୍ ତନ୍ତୀ ଜଂଗଲରେ ଶିକ୍ଷା କରିଥିଲା ।

ସୋମିଲାକ୍ ତନ୍ତୀ କିଏ ବୋଲି ଉଭୟ ହିରଣ୍ୟକ ଏବଂ ଲଘୁପତନକ ପଚାରିଲେ? ମନ୍ଥରକ ସୋମିଲାକ୍ ତନ୍ତୀ ସଂପର୍କରେ ଏକ କାହାଣୀ କହିବାକୁ ଆରମ୍ଭ କଲେ ।