+100%-

ଗ୍ରାମ ମୁଣ୍ଡକୁ ଲାଗି ବିସ୍ତାରିତ ଗୋଟେ ପଡ଼ିଆ । ସେହି ପଡ଼ିଆ ମୁଣ୍ଡରେ ଥାଏ ଏକ ବଡ଼ ବରଗଛ । ବରଗଛ ମୂଳକୁ ଲାଗି ଗୋଟିଏ ବଡ଼ ହୁଙ୍କା । ହୁଙ୍କାକୁ ଲାଗି ରହିଥାଏ ଗୁଡାଏ ଛୋଟିଆ ବୁଦୁବୁଦିଆ ଘଞ୍ଚ କଞ୍ଚାଗଛ । ତାରି ମଧ୍ୟରେ ଗୋଟିଏ ଟିକି ଚଢ଼େଇ ଆସି ବସା ବାନ୍ଧି ରହିଲା । ସେଠାରେ କିଛିଦିନ ରହିବାପରେ ସେ ଦେଖିଲଯେ ଆଉ ଗୋଟେ ଛୋଟ ଚଢ଼େଇ ଆସି ବରଗଛର ଉପରେ ବସା ବାନ୍ଧି ରହିଲା ।

ତଳ ଟିକି ଚଢ଼େଇ କହିଲା – ଯାହା ହେଉ ଭଲ ହେଲା । ଆମେ ତ ଏକା ଜାତିର କିଛିଦିନ ଏହିପରି ରହିବା ପରେ ଦୁଇ ଟିକି ଚଢ଼େଇଙ୍କ ମଧ୍ୟରେ ସମ୍ପର୍କ ବଢ଼ିଗଲା । ଦୁହେଁ ବେଳେବେଳେ ଏକାଠି ହୋଇଗଲେ, ସାଙ୍ଗ ହୋଇ ନାନା ପ୍ରକାର କୌତୁକିଆ ଖେଳ ଖେଳନ୍ତି । ସାଥି ହୋଇ ଆହାର ଖୋଜି ଯାଆନ୍ତି ।

ଦିନକର କଥା । ଦୁଇ ସାଙ୍ଗ ଦିନେ ସାଥି ହୋଇ ଆହାର ଖୋଜି ବହୁତ ଦୂରକୁ ଚାଲିଗଲେ । କ’ଣ ହେଲା କେଜାଣି ଗଛ ଉପରେ ରହୁଥିବା ଟିକି ଚଢ଼େଇଟି ଆହାର ସଂଗ୍ରହ କରି ନିଜର ବସାକୁ ବାହୁଡ଼ି ଆସିଲା । ସନ୍ଧ୍ୟା ଯାଇ ରାତ୍ର ହେଲା ତଳ ଟିକି ଚଢ଼େଇ ଆଉ ବସାକୁ ଫେରିଲା ନାହିଁ । ତହୁଁ ବହୁତ ମନଦୁଃଖ କଲା ଉପରେ ରହୁଥିବା ଟିକି ଚଢ଼େଇ । କେତେଦିନ ତାରି କଥା ଭାବି ଭାବି ଖାଇବା ପିଇବା ମଧ୍ୟ ଭୁଲିଗଲା । କ’ଣ ହେବ ଆଉ । ଟିକି ଚଢ଼େଇକୁ ବହୁତ ଖୋଜାଖୋଜି କଲା । ଏମିତି ଖୋଜି ଖୋଜି ନୈରାଶ୍ୟ ହୋଇ ପଡ଼ିଲାରୁ ସବୁ ଦୁଃଖକୁ ମନରେ ଚାପି ସେହିଠାରେ ହିଁ ପଡ଼ିରହିଲା ।

google-tez-social
ଏମିତି କିଛିଦିନ ଯାଆନ୍ତେ ଏକ ସନ୍ଧ୍ୟା ସମୟରେ କୁଆଡ଼େ ଥିଲା କେଜାଣି ଠେକୁଆଟା ଆସି ବୃକ୍ଷ ମୂଳରେ ପହଞ୍ଚଗଲା । ସେ ଟିକି ଚଢ଼େଇର ଗର୍ତ୍ତକୁ ଦେଖିଲା । ଭାବିଲା ଏହି ସ୍ଥାନଟି ମୋ ଲାଗି ଉପଯୁକ୍ତ ସ୍ଥାନ । ସେହିଠୁ ଠେକୁଆ ରହିଲା ଟିକି ଚଢ଼େଇର ଗର୍ତ୍ତରେ । ସେ ସ୍ଥାନ ପରିତ୍ୟାଗ କରି ଆଉ କୁଆଡ଼େ ଯିବାକୁ ଇଚ୍ଛା କଲା ନାହିଁ ।

ଅନେକ ଦିନ ଠେକୁଆ ସେହି ଗର୍ତ୍ତକୁ ଆଦରି ରହିଲା । ହଠାତ୍ ଦିନେ ତଳେ ରହୁଥିବା ଟିକି ଚଢ଼େଇ ଆସିଲା ତା’ ନିଜ ସ୍ଥାନକୁ । ଅନେକ ଦିନ ବାହାରେ ରହିଯିବା ପରେ ତଳେ ରହୁଥିବା ଟିକି ଚଢ଼େଇର ଚେହେରାରେ ବି କେତେ ପରିବର୍ତ୍ତନ ହୋଇଯାଇଥିଲା । ସେଥିଲାଗି ଗଛ ଡାଳରେ ରହୁଥିବା ଟିକି ଚଢ଼େଇ ଅନେକ ସମୟ ଦୋ ଦୋ ଚିହ୍ନା ହୋଇ ପରେ ଚିହ୍ନିପାରିଲା । ତଳେ ରହୁଥିବା ତାର ପୁରୁଣା ସାଙ୍ଗକୁ ।

ସେ କିନ୍ତୁ ଜାଣେ ଯେ ଟିକି ଚଢ଼େଇର ଗର୍ତ୍ତରେ ଆସି ଠେକୁଆ ରହୁଛି । ଟିକି ଚଢ଼େଇ ଯେତେ କହିଲେ ମଧ୍ୟ ଠେକୁଆ କିନ୍ତୁ ସେ ଗର୍ତ୍ତ ନ ଛାଡ଼ି କହିଲା – ତୋ କଥା ଶୁଣି ମୋତେ ହସ ଲାଗୁଛି । ଏଇଟା ତ ମୋ ବସା । ଅନେକ ଦିନ ହୋଇଗଲାଣି ମୁଁ ଏଇଠାରେ ରହୁଛି । ହଠାତ୍ ତମେ କେଉଁଆଡ଼େ ଥିଲ ଯେ ଚାଲିଆସିଲ କହୁଛ କ’ଣ ନା’ ମୋ ବସା । ମୁଁ କିନ୍ତୁ ଅନ୍ୟ ଆଡ଼େ ଯାଇପାରିବି ନାହିଁ । ତମେ ବରଂ ଯେଉଁ ସ୍ଥାନରୁ ଆସିଛ ସେହି ସ୍ଥାନକୁ ଚାଲିଯାଇପାର ।

ଟିକି ଚଢ଼େଇ କହିଲା – ଭଲ କଥା ତ କହୁଛ । ମୋ ବସା । ମୁଁ କେଇଦିନ ଲାଗି ବାହାରକୁ ଯାଇଥିଲି । ମୋର ସାଙ୍ଗ ପରା ଉପରେ ଡାଳରେ ରହୁଛି । ସେ କ’ଣ ମିଛ କହିବ । ସେ ମୋ ଆଗରୁ ଉପର ଡାଳରେ ଅଛନ୍ତି । ତାଙ୍କ କଥା ବି ମିଛ ହୋଇଗଲା । ଦେଖ ଭାଇ ତମେ ମୋ ସହିତ ଅଯଥାରେ କଳି କରୁଛ ସିନା ହେଲେ ଠିକ୍ କରୁନା ।

ଏହିପରି ଠେକୁଆ ଆଉ ଟିକି ଚଢ଼େଇ ମଧ୍ୟରେ ଭଲ ଭାବରେ ଝଗଡ଼ା ହେଲା । କେହି କାହାର ଜିଦ୍ ଛାଡ଼ିଲେ ନାହିଁ । ଏପରି ହେଲା ଯେ ଶେଷରେ କଳି ତୁଟାଇବା ନିମନ୍ତେ ଜଣେ ପଣ୍ଡିତଙ୍କ ପାଖକୁଯିବା ଲାଗି ନିଷ୍ପତ୍ତି କରିଲେ ।

ତହୁଁ ଦୁହେଁ ପଣ୍ଡିତଙ୍କ ପାଖକୁ ବାହାରିଲେ । ତାଙ୍କ ପଛରେ ଗଛ ଡାଳରେ ରହୁଥିବା ଟିକି ଚଢ଼େଇ ମଧ୍ୟ ଗଲା ।

ଏମିତି ଯାଉ ଯାଉ ସେମାନେ ବହୁତ ଦୂର ଚାଲିଗଲେ । ଏଇ ଯିବା ରାସ୍ତାରେ ପଡ଼ିଲା ଏକ ନଈ । ସେହି ନଈବନ୍ଧ ଉପରେ ଗୋଟାଏ ବୁଢ଼ା ବିଲେଇ ବସିଥିଲା । ସେ ଯେମିତି ଏ ଦୁଇଜଣଙ୍କୁ ଦେଖି ନେଲା ତାର ତ ପାଟିରୁ ଲାଳ ବୋହିଲାରୁ ସେ ଏକ ଉପାୟ ପାଞ୍ଚି ସଙ୍ଗେ ସଙ୍ଗେ ନାଳ ମାଟିକୁ ଆଣି ତିଳକ କରି ସାଧୁ ସନ୍ନ୍ୟାସୀ ରୂପରେ ଧ୍ୟାନରେ ବସିଗଲା । ମୁଖରୁ ଖାଲି ବାହାରିଲା ପୁରାଣ ଶାସ୍ତ୍ରର କଥା । ଠେକୁଆ ଓ ଟିକି ଚଢ଼େଇ ଯାଇ ସେହିଠାରେ ପହଞ୍ଚି ଦେଖିଲେ ବିଲେଇ ରୂପୀ ସାଧୁଜଣଙ୍କ ବସି ମନ୍ତ୍ର ଜପ କରିବାକୁ ଲାଗିଛି । ଠେକୁଆ ଆଗ ପଚାରିଲା ସାଧୁ ମହାପୁରୁଷ ଆମେ ଦୁହେଁ ଏକ ସମସ୍ୟାରେ ପଡ଼ି ଆପଣଙ୍କ ପାଖକୁ ଆସିଅଛୁ ।

ବିଲେଇ ସାଧୁ ଆଖି ଖୋଲି ଚାହିଁ କହିଲେ – ତୁମେ ଦୁହିଁଙ୍କର ପୁଣି ସମସ୍ୟା କ’ଣ । ତା’ର ତ ବୃକ୍ଷରେ ଥିବା ଫଳ ଆହାର ତୁମର ଘାସ ଫଳ ଯାହା ପାଇଲେ ତାହା ଆହାର କଲ । ଦେଖିବାକୁ ତୁମେ ଦୁହେଁ ଚିକ୍କଣିଆ ଦେଖାଯାଉଛ । ମୁଁ ଯେ ବର୍ତ୍ତମାନ ଏକ ସମସ୍ୟାରେ ପଡ଼ିଯାଇଛି । ଜୀବନରେ ମାଛ ଶୁଖୁଆ ତମ ଭଳି ଚଢ଼େଇ ଗୁଡାଙ୍କୁ ଜିହ୍ୱା ଲାଳସାରେ ଖାଇ ଦେଇଥିଲି । ଆଜି ତାହାର ଫଳ ଭୋଗିବାକୁ ହେଉଛି । ମୋର ଶରୀର ବର୍ତ୍ତମାନ ଖୁବ୍ ଖରାପ । ମୋର ମରଣ ସମୟ ଆସିଲାଣି । କେତେ କବିରାଜ ପାଖକୁ ଗଲି ଯେ ସମସ୍ତେ ଏହି ରୋଗ କଥା ଦେଖି ଦୂର ଦୂର କଲେ । ଆଉ କହିଲେ ଏ ରୋଗରୁ ମୁକ୍ତି ପାଇବାକୁ ହେଲେ ପ୍ରଥମ ଆମିଷ ଭୋଜନ ଛାଡ଼ିବୁ । କେବଳ ଜଳ ଆହାର କରି ଜୀବନ ରଖିବୁ । ତୋର ଶରୀର ଭଲ ହେବା ଯାଏ ନାରାୟଣଙ୍କ ଭଜନ କରୁଥିବୁ ।

ଯଦି ତୋର ଶତ୍ରୁର ବିପଦ ପଡ଼ିବ ତାହାଙ୍କୁ ସାହାଯ୍ୟ କରିବୁ ତାହାହେଲେ ତୁ ଏହି ରୋଗରୁ ମୁକ୍ତି ପାଇବୁ । ମୋର ସମସ୍ତ କଥା ଶୁଣିଲ ତ ଏବେ ତମେ ତମ ବାଟରେ ଯାଅ ମୁଁ ପ୍ରଭୁଙ୍କର ନାମ ଜପ କରିବି ।

ଭଣ୍ଡ ବିରାଡ଼ିର ଏକଥା ଶୁଣିବା ମାତ୍ରେ ଟିକି ଚଢ଼େଇ କହିଲା ହୋ ମହାତପି! ଆପଣଙ୍କର ସମସ୍ତ କଥା ଆମେ ଶୁଣିଲୁ । ଆପଣଙ୍କ ସମସ୍ତ କଥା ଶୁଣି ଖୁବ୍ ଆନନ୍ଦ ଲାଗିଲା । କାରଣ ଆପଣଙ୍କର ବକ୍ତବ୍ୟରୁ ଗୋଟିଏ କଥାରୁ ଆମ୍ଭେ ବୁଝିପାରିଲୁ ଯେ ଏମିତି ଏକ ଉପାୟ ଅଛି ଯେଉଁ ଉପାୟ କଲେ ଆପଣଙ୍କ ରୋଗ ଭଲ ହୋଇଯିବ ।

ଟିକି ଚଢ଼େଇର କଥା ଶୁଣି ଭଣ୍ଡ ବିରାଡ଼ି ଦୁଇ ଆଖି ଖୋଲି ବିସ୍ମୟ ହୋଇ ଚାହିଁ କହିଲା – ତାହାହେଲେ ସେହି କଥାଟି କ’ଣ? ଏହା କହି ବିରାଡ଼ି ନିଜ ଆଖିରୁ ପ୍ରତାରଣାର ଲୁହ ଦୁଇଟୋପା ଗଡ଼ାଇଦେଲା ।

ଟିକି ଚଢ଼େଇ କହିଲା – ହେ ତପସ୍ୱୀ! ଆପଣ ଆଉ କାନ୍ଦୁଛନ୍ତି କାହିଁକି? ବର୍ତ୍ତମାନ ତ ଉପାୟ ଆପଣଙ୍କ ହସ୍ତରେ । ତାହାହେଲେ ମୁଁ ଚଢ଼େଇ ଓ ମୋର ଶତ୍ରୁ ଠେକୁଆ । ଆମେ ଦୁହେଁ ତ ଦିନେ ଆପଣଙ୍କର ଆହାର ହୋଇଥିଲୁ । ସେ ଦୃଷ୍ଟିରୁ ଆପଣ ଆମର ଶତ୍ରୁ । ସେହିପରି ଆମେ ଆପଣଙ୍କର ଶତ୍ରୁ । ଆପଣ ଆମିଷ ଭୋଜନ ଛାଡ଼ି ଦେଇଛନ୍ତି । ଏହାପରେ ଆମେ ଆସିଛୁ ଏହି କାରଣ ନିମନ୍ତେ । ସେହି କାରଣ ଜାଣିବା ପରେ ଆପଣ ଯେଉଁ ରାୟ ଦେବେ ଆମେ ଦୁହେଁ ତାହା ମାନିଯିବୁ । ଏଥିରେ ଆପଣ ଶତ୍ରୁର ଉପକାର କଲେ ତା’ ସହିତ ଆମ ଦୁହିଁଙ୍କର ସମସ୍ୟାର ସମାଧାନ ହୋଇପାରିବ । ଆପଣଙ୍କ ରୋଗ ଭଲ ହେବ । ଏହାପରେ ଭଣ୍ଡ ସନ୍ନ୍ୟାସୀ ଆଗରେ ଉପରେ ରହୁଥିବା ଟିକି ଚଢ଼େଇକୁ ସାକ୍ଷୀ ରଖି ଠେକୁଆ ଓ ଟିକି ଚଢ଼େଇ ନିଜ ନିଜ ସମସ୍ୟା କହିବାକୁ ଲାଗିଲେ ।

ଭଣ୍ଡ ସାଧୁ ବିଲେଇ ସମସ୍ତ କଥା ଶୁଣିବା ବେଳକୁ କହିଲା – ଦେଖ ବାବା । ରୋଗ ହେତୁ ମୋତେ ଭଲ ଭାବରେ ଦେଖାଯାଉନାହିଁ । କାନକୁ ଭଲ ଭାବରେ ଶୁଭାଯାଉନାହିଁ । ତୁମେ ଦୁହେଁ ଟିକେ ମୋ ଦୁଇ ପାଖକୁ ଲାଗି ବସି ଜଣ ଜଣ କରି ସମସ୍ତ ବୃତ୍ତାନ୍ତ କୁହ ।

ଏହାପରେ ଟିକି ଚଢ଼େଇ ବାମ ପାଖ ଓ ଠେକୁଆ ଦକ୍ଷିଣ ପାଖକୁ ଲାଗିଯାଇ ନିଜ ନିଜ କଥା କହିବାକୁ ଆରମ୍ଭ କରନ୍ତେ ଉକ୍ତ ସନ୍ନ୍ୟାସୀ ବିଲେଇ କ’ଣ କଲାନା, ଶିକାରୀ ଦୁଇଟା ସହଜରେ ଧରା ପଡ଼ିଛନ୍ତି ଯେତେବେଳେ ତାଙ୍କୁ ଆଉ ଛାଡ଼ୁଛି କିଏ? ଭଣ୍ଡ ଆଉ ବିଳମ୍ବ ନକରି ଦୁଇଜଣଙ୍କୁ ଦୁଇପଟେ ଧରିନେଇ କହିଲା – ମୁଳୁ ମାଇଲେ ଯିବ ସରି । ତୁମ ଦୁହିଁଙ୍କର ସମସ୍ୟା ଯାହା ତାହା ସମାଧାନ ମାତ୍ର ଏହିପରି ହେବ ।

ପଞ୍ଝାରେ ଥାଇ ଠେକୁଆ ଭୟରେ ପଚାରିଲା । କୁହନ୍ତୁ ବାବା – ତା’ର ଉପାୟ କିପରି ହେବ ।

ବିରାଡ଼ି କହିଲା – ଗୋଟିଏ ଗର୍ତ୍ତ ଲାଗି ଦୁହିଁଙ୍କର ଝଗଡ଼ା । ବହୁଦିନ ତଳେ ତୁମେ ସେହି ଗର୍ତ୍ତରେ ଥିଲ ବୋଲି ଏମିତି କିଛି ପ୍ରମାଣ ଅଛି ।

ଟିକି ଚଢ଼େଇ କହିଲା – ହଁ, ଆମ ସାଥିରେ ଆଉ ଗୋଟିଏ ଟିକି ଚଢ଼େଇ ଆସିଛି । ସେ ମଧ୍ୟ ବହୁଦିନ ହେଲା ଉପର ଡାଳରେ ବସାବାନ୍ଧି ରହିଛି ।

ଭଣ୍ଡ ସନ୍ନ୍ୟାସୀ କହିଲା – ତାହାହେଲେ ସେ ଟିକି ଚଢ଼େଇକୁ ମୋ ପାଖକୁ ଡାକ ।

ଟିକି ଚଢ଼େଇ ଆର ଟିକି ଚଢ଼େଇକୁ ସାକ୍ଷ୍ୟ ଦେବାକୁ ଡାକିବା ମାତ୍ରେ ସେ ତା’ର ଭାଷାରେ କହିଲା – ତୁମେ ଦୁହେଁ ତ ଗର୍ତ୍ତ ଲୋଭରେ କାଳ ହାତରେ ଧରାପଡ଼ିଛି । ମରଣ ତୁମକୁ ଧରି ବସିଛି । ମୋତେ କ’ଣ ସେହି ମରଣ ହାତରେ ଧରାଇ ଦେବାକୁ ଡାକୁଛ । ଏହାକହି ଟିକି ଚଢ଼େଇଟି ଫୁସ୍ କରି ନିଜ ସ୍ଥାନକୁ ଉଡ଼ିଗଲା । ତାହା ଦେଖି ଭଣ୍ଡ ବିଲେଇ କହିଲା – ସାକ୍ଷୀ ତ ପଳେଇଲା । ତାହାହେଲେ ତ ତୁମ ଝଗଡ଼ାର ସମାଧାନ ହୋଇପାରିବ ନାହିଁ ।

ଟିକି ଚଢ଼େଇ କହିଲା ବାବ! ଏହାର କ’ଣ ଆଉ କିଛି ବିଚାର ନାହିଁ?

ଭଣ୍ଡ ବିଲେଇ କହିଲା – ଏହାର ଉପାୟ ତ ମୁଁ ସ୍ଥିର କରିସାରିଛି । ଏହାକହି ଆଗ ଟିକି ଚଢ଼େଇକୁ ଚିପି ମାରିଦେଲା । ପରେ ଠେକୁଆକୁ କାମୁଡ଼ି କାମୁଡ଼ି ମାରିଦେଇ ମନ ଆନନ୍ଦରେ ଖାଇଲା ।

ଠେକୁଆ ଓ ଟିକି ଚଢ଼େଇ ଜାଣି ଜାଣି ବିଲେଇ ହାତରେ ମୃତ୍ୟୁ ବରଣ କଲେ । ଏହା ତାହାଙ୍କର ମୂର୍ଖତାର କାରଣ ନୁହଁ ତ ଆଉ କ’ଣ ହୋଇପାରେ?