+100%-

ସୁନାମୀ ନାମକ ଗୋଟିଏ ସହର ଥିଲା । ସେହି ସହରରେ ଗରୀବ ନାମରେ ଜଣେ ଧନୀ ଲୋକ ବାସ କରୁଥିଲା । ତାର ଏଭଳି ଏକ ସମୟ ଆସିଲା ଯେ ସତକୁ ସତ ତା’ର ନାମକରଣ ସମ ସେ ମଧ୍ୟ ଗରୀବ ହୋଇଗଲା । ସେଥିଲାଗି ତାକୁ ପୁଣି ବହୁତ କଷ୍ଟରେ ସମୟ ଅତିବାହିତ କରିବାକୁ ପଡ଼ିଲା । ଏପରି ଦୁଃଖ ଭୋଗ ହେବାରୁ ସେଦିନେ ଚିନ୍ତା କରିଲା ଯେ ତାହାର ଏପରି ଦରିଦ୍ରତାର ଜୀବନ ରଖି ଲାଭ କ’ଣ? ବରଂ ଏପରି ଦୁଃଖ କଷ୍ଟ ସହ୍ୟ କରି ବଞ୍ଚିବା ଅପେକ୍ଷା ମରିଯିବା ଶ୍ରେୟସ୍କର ହେବ ।

ପ୍ରତିଦିନ ଗରୀବ ଏହିକଥା ଭାବନ୍ତି । ଦିନେ ରାତ୍ରରେ ଶୋଇଥିବା ଅବସ୍ଥାରେ ସେ ସ୍ୱପ୍ନ ଦେଖିଲା ଯେ ଜଣେ ସନ୍ନ୍ୟାସୀ ତାକୁ ପାଖରେ ବସାଇ ବୁଝାଇ କହୁଛନ୍ତି – ଆରେ ବାବୁ! ଯେଉଁ ମରିବା ବା ଆତ୍ମହତ୍ୟା କରିବା ନିମନ୍ତେ ତୁମେ ଚିନ୍ତା କରୁଅଛୁ, ସେପରି କରିବା କିନ୍ତୁ ମହାପାପ, ତୁମେ ମରିବ ନାହିଁ ତ ବରଂ ଆତ୍ମହତ୍ୟା କରି ଯେଉଁ ମହାପାପ ଅର୍ଜନ କରିବ ସେହି ପାପର ଫଳ ପୁଣି ତୁମକୁ ପରଜନ୍ମରେ ଭୋଗ କରିବାକୁ ହେବ । ସେଥିପାଇଁ କହୁଛି ତୁମ ମନ ମଧ୍ୟରୁ ସେହି ମରଣ କଥା ଯଥାଶୀଘ୍ର ଦୂର କର । ମୁଁ କିନ୍ତୁ ତୁମର ଦୁଃଖ ତଥା ଦାରିଦ୍ର୍ୟତାର ଉଦ୍ଧାର ପାଇବର ଉପାୟ ବତାଇବା ନିମନ୍ତେ ଆସନ୍ତାକାଲି ତୁମ ନିକଟକୁ ଯିବି । ଆଉ ମଧ୍ୟ ତୁମେ ଭଲଭାବରେ ମନେ ରଖିବ ଯେ ମୁଁ ଯେତେବେଳେ ତୁମ ନିକଟରେ ପହଞ୍ଚିବି ସେତେବେଳେ ତୁମେ ଆଗରୁ ଏକ ଠେଙ୍ଗା ଧରି ଆସିଥିବି । ସେହି ଠେଙ୍ଗାରେ ମୋ ମୁଣ୍ଡକୁ ଏକ ପ୍ରହାର ଦେବ ଯେ ମୁଁ ସଙ୍ଗେ ସଙ୍ଗେ ଗୋଟିଏ ସୁବର୍ଣ୍ଣର ଗଦା ହୋଇଯିବି ।

google-tez-social
ସେଦିନ ଗରୀବର ଏହି ସ୍ୱପ୍ନଟି ଦେଖିବା ପରେ ରାତ୍ରଟି ପାହିଗଲା । ସେହି ଗରୀବ ନାମକ ବ୍ୟକ୍ତିଟି ସକାଳ ହେବାରୁ ସନ୍ନ୍ୟାସୀଙ୍କ ଆସିବା ପଥକୁ ଚାହିଁ ରହିଲେ । ସତକୁ ସତ ଗରୀବର ରାତ୍ରରେ ଦେଖିଥିବା ସ୍ୱପ୍ନ ବାସ୍ତବରେ ପରିଣତ ହେଲା । ସଠିକ୍ ସମୟରେ ସ୍ୱପ୍ନରେ ଦେଖିଥିବା ସନ୍ନ୍ୟାସୀ ଗରୀବ ଗୋଟିଏ ଠେଙ୍ଗାକୁ ଆଗରୁ ସଜିଲ କରି ରଖିଗଲା । ସନ୍ନ୍ୟାସୀଙ୍କର ଆସିବା ମାତ୍ରେ ଠେଙ୍ଗାରେ ସନ୍ନ୍ୟାସୀଙ୍କ ମୁଣ୍ଡକୁ ପ୍ରହାରଟିଏ ଦେବାରୁ ସନ୍ୟାସୀ ସଙ୍ଗେ ସଙ୍ଗେ ସୁବର୍ଣ୍ଣର ଗଦା ଗୋଟିଏ ହୋଇଗଲେ । ଏହାପରେ ଗରୀବ ସେହି ଧନକୁ ଟେକି ନେଇ ନିଜ ଗୃହକୁ ଆନନ୍ଦରେ ପଳାଇଗଲା । କିନ୍ତୁ ଏ ସମସ୍ତ କାର୍ଯ୍ୟ କରିବା ବେଳକୁ ନିଜର ଗୃହ ଚାକରଟି ମଧ୍ୟ ନିଜ ପାଖରେ ଥିଲା । ସେ କାଳେ ଏ ସମସ୍ତ କଥା କାହାକୁ କହିଦେବ ସେଥିପାଇଁ ଚାକରକୁ ମଧ୍ୟ ଗରୀବ କିଛି ଧନ ଦେଇ ତାଗିଦ୍ କରିଦେଲେ ଯେ ଏକଥାତୁ ଓ ମୁଁ ଜାଣିଲି । ଏକଥା ଯେପରି ତିନି କାନ ନହୁଏ ଏଥିଲାଗି ସାବଧାନ ରହିବୁ ।

ଏହିପରି ଭାବରେ ଧନ ନେଇ ଯେଝା ଯେଝା ଗୃହକୁ ଚାଲିଗଲେ । ପରେ ଓଲାବୁଦ୍ଧିଆ ଚାକରରର ମୁଣ୍ଡରେ ଆଉ ଏକ ମନ୍ଦ ଚିନ୍ତା ଆସି ପ୍ରବେଶ ହେଲା । ଚାକର ଭାବିଲା ୟେ ତ ଧନ ରୋଜଗାର କରିବା ନିମନ୍ତେ ସହଜିଆ ଉପାୟ । ପ୍ରତିଦିନ ଯଦି ଏହିପରି ଗୋଟିଏ ଗୋଟିଏ ସନ୍ନ୍ୟାସୀକୁ ଠେଙ୍ଗାରେ ବାଡ଼େଇ ମାରିଦେବି, ତାହାହେଲେ ଦେଶର ବହୁ ଭଣ୍ଡ ସାଧୁ ବୁଲୁଛନ୍ତି । ସମସ୍ତଙ୍କୁ ଶେଷ କରିବାକୁ ହେଲେ ବର୍ଷେ ଦୁଇବର୍ଷ ଲାଗିଯିବ । ଏହା ସହିତ ମୁଁ ଯେ କେତେ ବଡ଼ ହୋଇ ଯାଇଥିବି । ଆଉ ପୁଣି ବୁଦ୍ଧି ଖଟାଇ ରୋଜଗାର କରିବାରେ କି ଲାଭ? ତେଣୁ ଚାକର ସେଦିନ ସିଦ୍ଧାନ୍ତ କଲା ଯେ ଆସନ୍ତା କାଲିଠାରୁ ସେ ସେହି କାର୍ଯ୍ୟ ଆରମ୍ଭ କରିବ ।

ତା’ପରଦିନ ସକାଳୁ ଠେଙ୍ଗାକୁ ଭଲ ଭାବରେ ତେଲ ମାଲିସ କରିନେଇ ବେଶ ଭଦ୍ର ଲୋକଙ୍କ ପରି ଚାଲିଲା ରାସ୍ତାକୁ । ବହୁ ସମୟ ବିତିଲା ସିନା ଏଯାଏ ତ ଗୋଟିଏ ହେଲେ ସାଧୁଙ୍କର ଦର୍ଶନ ହେଲା ନାହିଁ । ଏହାଭାବି ପୁଣି ସେ କିଛି ମାର୍ଗ ଆଗକୁ ଗଲା । ସେଠାରେ ସେ ଯାହା ଦେଖିଲା ତାହା ସେହି ଚାକରକୁ ଆନନ୍ଦ ହି ଦେଇଥିଲା । କାରଣ କିଛି ଦୂର ଚାଲିଯିବା ପରେ ସେ ଦେଖିଲା ଯେ ମାର୍ଗ ପାଶ୍ୱର୍ରେ ଥିବା ମଣ୍ଡପ ଉପରେ ଅନେକ ଗୁଡ଼ିଏ ସନ୍ନ୍ୟାସୀ ବସି ନାନା ପ୍ରକାର ଆନନ୍ଦମୟ କଥା ପ୍ରସଙ୍ଗରେ ନିମଜ୍ଜିତ । ଏଥର ଚାକରର ମନରେ ଆନନ୍ଦ ନ କହିଲେ ନ ସରେ ।

ତହୁଁ ସେ ଆଉ ବିଳମ୍ବ କରିଲା ନାହିଁ । ସଙ୍ଗେ ସଙ୍ଗେ ଯାଇ ସନ୍ନ୍ୟାସୀମାନଙ୍କର ପାଦତଳେ ପ୍ରଣାମ କରି ନିଜ ଘରକୁ ଆଗମନ କରିବା ନିମନ୍ତେ ଆବେଦନ କଲା । ସନ୍ନ୍ୟାସୀମାନେ ଚାକରର ଅନୁନୟ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଚାକରର ଘରକୁ ପ୍ରବେଶ ନିମନ୍ତେ ଗଲବେଳକୁ ଚାକରଟି ସୁନ୍ଦର ଭାବରେ ଗୃହ ଦୁଆର ମୁହଁରେ ଠେଙ୍ଗା ଧରି ବସିପଡ଼ିଲା । ସନ୍ନ୍ୟାସୀମାନେ ଏପରି ଦୃଶ୍ୟ ଦେଖି ଭୟ ପାଇ ପଳାଇଯିବାକୁ ଆରମ୍ଭ କରନ୍ତେ ଚାକର ଜଣ ଜଣ କରି ସମସ୍ତ ମୁଣ୍ଡକୁ ଠେଙ୍ଗା ଦ୍ୱାରା ପିଟିବାକୁ ଆରମ୍ଭ କରିଦେଲା । ସେହି ଠେଙ୍ଗା ମାଡ଼ ଖାଇ କେତେକ ସନ୍ନ୍ୟାସୀ ମରିଗଲେ ଅତ ଆଉ କେତେକ ଦରମଲା ହୋଇ ତଳେ ପଡ଼ି ଅଚେତ ହୋଇଗଲେ । ଏ ସମ୍ବାଦ ସଙ୍ଗେ ସଙ୍ଗେ ଯାଇ ସେହି ରାଜ୍ୟର ରାଜାଙ୍କ କାନରେ ପଡ଼ନ୍ତେ ରାଜା ସୈନ୍ୟମାନଙ୍କ ଦ୍ୱାରା ଚାକରକୁ ବାନ୍ଧି ନେଇ ରାଜାଙ୍କ ନିକଟରେ ହାଜର କରିଦେଲେ ।

ତା’ପରଦିନ ଚାକରର ବିଚାର ହେଲା । ଚାକରକୁ ସନ୍ନ୍ୟାସୀମାନଙ୍କୁ ହତ୍ୟା କରିବା ଅପରାଧରେ ଫାଶି ଦଣ୍ଡ ଆଦେଶ ଦେଲେ । କଥାରେ ଅଛି ସମସ୍ତ କଥାକୁ ଆଗ ବୁଝି ଶୁଝି କରିବାକୁ ହୋଇଥାଏ । ଚାକର କିନ୍ତୁ ନିଜର ବୋକାମି କାରଣରୁ ଫାଶି ଦଣ୍ଡରେ ଦଣ୍ଡିତ ହେଲା ।