+100%-

ଦିନକର କଥା । ଭୋଜପୁର ଶାସନର ଆନନ୍ଦ ଶର୍ମା ଯେଜେମାନି କାର୍ଯ୍ୟରେ ଦୂର ଗ୍ରାମକୁ ଯାଇଥିଲେ । ସେଠାରେ ରାମ ଥାଟୋଇ ନାମକ ଜଣେ ଦିନ ମଜୁରିଆର ଶ୍ରାଦ୍ଧ କର୍ମ ସାରି ଫେରିବା ସମୟରେ ସେ ଦକ୍ଷିଣା ସ୍ୱରୂପ ବ୍ରାହ୍ମଣଙ୍କୁ ଛେଳି ଗୋଟିଏ ଦେଲେ ।

ବ୍ରାହ୍ମଣ ଛେଳିଟିକୁ ପାଇ ଆନନ୍ଦ ହୋଇଗଲା । କାରଣ ସେ ଜଣେ କର୍ମାଙ୍ଗ ସିଦ୍ଧି ପୂତ ବ୍ରାହ୍ମଣ ହୋଇଥିବା କାରଣରୁ ମାଛ ମାଂସ ଭକ୍ଷଣ କରନ୍ତି ନାହିଁ । ସେଥିପାଇଁ ଭାବିଲେ ସାଧାରଣ ଦକ୍ଷିଣାଠାରୁ ଏ ଛେଳିର ମୂଲ୍ୟ ନିଶ୍ଚିତ ଭାବରେ ଅଧିକ ହେବ । ତେଣୁ ଛେଳିକୁ ନିଜ ଗ୍ରାମରେ ନ ବିକି ୟାକୁ ନେଇ ହାଟରେ ବିକିବାକୁ ହେବ ।

ବ୍ରାହ୍ମଣ ଏହିପରି ଭାବନା ଚିତ୍ତରେ ମାର୍ଗ ଗମନ କରୁଥାଆନ୍ତି । ସେତେବେଳେ ସେହି ମାର୍ଗ ଦେଇ ତିନିଜଣ ଯୁବକ ମଧ୍ୟ ଯାଉଥିଲେ । ସେମାନେ ଦୂରରୁ ଏହି ଛେଳିକୁ ଦେଖି ଲୋଭ କଲେ । ସେମାନଙ୍କର ଠକିବା ହେଉଛି ବୃତ୍ତି ଏବଂ ପ୍ରକୃତି । ତେଣୁ ସେମାନେ ଛେଳିଟିକୁ କିପରି କରଛଡ଼ା କରାଇ ନେବେ ସେହି ଚିନ୍ତାରେ ରହିଲେ । ଏହାପରେ ସେମାନେ ବସି ବସି କିଛି ଯୋଜନା ମଧ୍ୟ ପ୍ରସ୍ତୁତ କରିଲେ । ଏହି ଯୋଜନା ମଧ୍ୟରେ ଠକ ତିନିଜଣ ଯାକ ସେହିଠାରୁ ପୃଥକ୍ ପୃଥକ୍ ହୋଇ ଚାଲିଗଲେ ।

google-tez-social
ବ୍ରାହ୍ମଣ କାହିଁକି ଏକଥା ଜାଣିବେ । ସେ ମନ ଖୁସିରେ ତାଙ୍କ ମାର୍ଗ ଲକ୍ଷ୍ୟରେ ସେ ଚାଲିଥାଆନ୍ତି । ଏହି ଯିବା ମାର୍ଗରେ ପ୍ରଥମ ଠକ ସାଥିରେ ବ୍ରାହ୍ମଣଙ୍କର ଦେଖାହେଲା । ସେ ବ୍ରାହ୍ମଣଙ୍କୁ ଦେଖୁ ଦେଖୁ ହସି ପକାଇ କହିଲା – କିହୋ ପଣ୍ଡିତେ କେଉଁଆଡ଼େ ଯିବାର ହୋଇଥିଲା । ଆଜି କ’ଣ କେଉଁ ଯଜମାନର କାର୍ଯ୍ୟ ଥିଲା ନା କ’ଣ? ହଁ ଗଣ୍ଠିଲିତ ଖୁବ୍ ବଡ଼ ଦେଖାଯାଉଛି । ଆଜି କାହା ମୁହଁ ଚାହିଁ ଯାଇଥିଲେ କେଜାଣି ଗୋସାଇଁ ରୋଜଗାର ଭଲ ହୋଇଛି । ଠିକ୍ କଥା ଶୁଣି ବ୍ରାହ୍ମଣ ମନରେ ଆନନ୍ଦ କହିଲେ ନ ସରେ । ସେ ମନେ ମନେ ଭାବୁଥିଲେ ଦକ୍ଷିଣାଠାରୁ ଛେଳି ଗୋଟିକ ବହୁ ଗୁଣରେ ଦାମ୍ ଅଧିକ ହେବ । ଠକ ଜଣଙ୍କ ଠାରୁ ସେହି କଥା ଶୁଣିବାମାତ୍ରେ ବ୍ରାହ୍ମଣଙ୍କର ମନଟା ଆହୁରି ଅଧିକ ଆନନ୍ଦ ହୋଇଗଲା । ବ୍ରାହ୍ମଣ କହିଲେ – ହଁରେ ପୁଅ । ତୁ ଯୋଉ ବାକ୍ୟ କହିଲୁ ତାହାକୁ ନିନ୍ଦା କରିବା ଆମ୍ଭର ଧର୍ମ ନୁହେଁ ।

ଏଥର ଠକ ଜାଣିଲା ତୋଷାମଦିଆ କଥାଶୁଣି ବ୍ରାହ୍ମଣ ଖୁସି ହୋଇଗଲା । ଏହିବେଳେ ବ୍ରାହ୍ମଣଙ୍କର ଖୁସି ମିଜାଜର ମୁଖକୁ ଚାହିଁ ଠକ କହିଲା – ହେଲେ ଗୋସେଇଁ, ଏ କୁକୁରଟି ଖୁବ୍ ଡଉଲଡାଉଲ ହୋଇଛି, କ’ଣ କେଉଁ ଯେଜମାନ ଘରୁ ମାଗି ଆଣିଛନ୍ତି । ଭଲ ହୋଇଛି ଗୋସେଇଁ । ବର୍ତ୍ତମାନ ସବୁଆଡ଼େ ଚୋର ଗୋଳ । ଏ କୁକୁର ନିଶ୍ଚୟ ମହାପୁରୁଷଙ୍କର କାମରେ ଲାଗିବ । ହେଲେ ପଣ୍ଡିତ ମୋ ବାପା ଗୋସାପ ତ କୁହନ୍ତି ଗଧ, ଓଟ, କୁକୁର ଗୁଡାକ ତ ଚାରିଜାତିଙ୍କ ମଧ୍ୟରେ ଶ୍ରେଷ୍ଠ ଜାତି ବ୍ରାହ୍ମଣ । ସେମାନେ ସେ ସବୁ ଜନ୍ତୁଜୁନ୍ତା ରଖିବା ତ ଦୂରର କଥା, ସେମାନଙ୍କୁ ସ୍ପର୍ଶ କଲେ ସ୍ନାନ କରିବାକୁ ହୋଇଥାଏ । ହେଲେ ଆପଣ ଯେ କୁକୁରଟାକୁ ସାଥିରେ ଧରି ଯାଉଛନ୍ତି । ଏହା ଦେଖିଲେ ଅନ୍ୟଜାତିମାନେ ଆପଣଙ୍କୁ କ’ଣ ଭାବିବେ?

ଠକ ଠାରୁ ଏକଥା ଶୁଣିବାମାତ୍ରେ ବ୍ରାହ୍ମଣ ରାଗି କୋପ ହୋଇଯାଇ କହିଲେ – କିରେ ତୁ ଅନ୍ଧ କିରେ? ନାଁ ଅନ୍ଧାରକଣା । ତୋତେ ମୋ ଛେଳିଟା କୁକୁର ପରି ଦେଖାଯାଉଛି ।

ପଣ୍ଡିତଙ୍କର ଏପରି କ୍ରୋଧବାଣୀ ଶୁଣି ଠକଟି ହାତଯୋଡ଼ି ପାଦତଳେ ପଡ଼ିଯାଇ କହିଲା ଗୋସେଇଁ ଆଜ୍ଞା, ଆପଣଙ୍କର ସେହି ଜୀବଟା କୁକୁର ନୁହେଁ ଛେଳି । ସତ କଥାରେ ଆପଣ ଯଦି ରାଗି କ୍ରୋଧ ହୋଇଗଲେ ତାହା ହେଲେ ମୋତେ କ୍ଷମା କରିଦିଅନ୍ତୁ । ଠକ ଏହାକହି ଆଗରେ ଥିବା ବଟ ବୃକ୍ଷ ମୂଳକୁ ଯାଇ ବସିପଡ଼ିଲା ।

ଏହାପରେ ବ୍ରାହ୍ମଣ ନିଜ ମାର୍ଗରେ ଗମନ କଲେ । ଏହିପରି କିଛିବାଟ ଯାଇଛନ୍ତି ଆଗରେ ବସିଥିଲା ଦ୍ୱିତୀୟ ଠକ । ସେ ହସ ହସ ହୋଇ ବ୍ରାହ୍ମଣଙ୍କ ପାଖକୁ ଚାଲିଆସି କହିଲା – ଓଳଗି ଗୋସାଇଁ । ଖରାଟା ଆଜି ଟିକେ ବେଶି ହୋଇଯାଇଛି । ସେଇଥିଲାଗି କୁକୁରଟାକୁ କାନ୍ଧରେ ପକାଇ ଯାଉଛ । ଭଲ କଥା । ନିରୀହ ଜୀବଟା ତ । ତାକୁ ବହୁତ କଷ୍ଟ ହେଉଥିବ । ହଁ କୁକୁରଟା ତ ବେଶି କୋଉ ଓଜନ ହୋଇଥିବ ଯେ ।

ଠକର ଏକଥା ଶୁଣି ବ୍ରାହ୍ମଣ ଖୁବ୍ ରାଗିଗଲା । ଆରେ ମୂର୍ଖତୋର ସେଇଟା ଆଖି ନା ଗାଡ଼ିଆ । ଆରେ ମୁଁ ବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ । ମୁଁ କୁକୁରଟାକୁ କାନ୍ଧରେ ପକାଇ ଯିବା କଥା ତୋର ସେହି ମୂର୍ଖ ଆଖିକୁ ଦେଖାଗଲା ।

ଠକ କହିଲା – ଆହେ ଗୋସେଇଁ ମାପୁରୁ । ଆପଣ ତ ବେଶ୍ ଚିତା କାଟିଛନ୍ତି । ନିଜ ମଣିଷଟିଏ ପରି ଦିଶୁଛନ୍ତି । ଆପଣମାନେ ବେଦଜ୍ଞ ବ୍ରାହ୍ମଣ ସହିବାର ଶକ୍ତି ଆପଣଙ୍କ ଠାରେ ବେଶି । ସେଥିପାଇଁ ଆପଣ ସବୁ ଛୋଟ ଜାତି ଆପଣଙ୍କୁ ପଣ୍ଡିତ ଠାକୁର କହି ମାନିଆ ଦେଉଛୁ । ଆପଣ କ’ଣ ମୋର ଶତ୍ରୁ ଯେ ମୁଁ ଆପଣଙ୍କୁ ଛେଳିକୁ କୁକୁର କହୁଛି । ଯାହା ସତ୍ୟ ତାହା ତ କହିଲି ଏଥିରେ ମୋତେ କ୍ଷମା କରିଦେବେ ଆଉ ଏଇଟା ଯଦି ସତରେ କୁକୁର ହୋଇନଥିବ ତୁମେ ଗାଁରେ ପହଞ୍ଚିଲେ ଲୋକେ ପୁଣି କ’ଣ କହିବେ ସେତ ବେଳେ ମୋ କଥା ମନେ ପକାଇବ ।

ଏହି କହି ଠକ ସେହିଠାରେ ରହିଗଲା । ବ୍ରାହ୍ମଣଙ୍କର ମନ ମଧ୍ୟରେ ଏଥର ସନ୍ଦେହ ଆସିଲା । ସତରେ କ’ଣ ଯେଜେମାନ ମୋତେ ଠକାଇ ଦେଲା । ଯଦି ଏଇଟା ଛେଳି ନ ହୋଇ କୁକୁର ହୋଇଥାଏ ତାହାହେଲେ ଯେଜମାନଙ୍କୁ ବ୍ରହ୍ମଶାପ୍ୟ ଲାଗିବ । ଏହାପରେ ବ୍ରାହ୍ମଣ ପୁଣି ନିଜ ମାର୍ଗରେ ଗମନ କରିବାକୁ ଲାଗିଲେ ।

ନିଜ ଗ୍ରାମରେ ପହଞ୍ଚିବାକୁ ଅଳ୍ପ ରାସ୍ତା ଅଛି । ତୃତୀୟ ଠକଟି ପଣ୍ଡିତଙ୍କୁ ପଥରେ ଦେଖି ଓଳଗି ହୋଇ ହସ ହସ ହୋଇ କହିଲା – ହେ ପଣ୍ଡିତ ଆପଣଙ୍କର ଆଜି ବହୁତ ଭାଗ୍ୟ ନା, ଆଜି ରୋଜଗାରଟା ଭଲ ହୋଇଛି । ଗଣ୍ଠିଲି ତ ପୁରା ଓଜନ ଅଛି ।

ଠକ କଥା ଶୁଣି ବ୍ରାହ୍ମଣଙ୍କର ମନରେ ଆନନ୍ଦ ଆସିଲା । ସେ ଖୁସି ହୋଇ ହସି ଦେଇ କହିଲେ – ହଁରେ ପୁଅ । ଆଜି ଅନୁକୁଳଟା ଭଲ ଥିଲା । ଯେଜେମାନଟି ମୋର ମନର ମଣିଷଟିଏ । ମନ ଭରି ଭୋଜନ । ମନ ଭରି ଦକ୍ଷିଣା ଦେବା ସହିତ କହିଲା ଗୋସେଇଁ ମହାପ୍ରଭୁ ମୋର ଗୋଟାଏ ମାନସିକ ଥିଲା । ଆଜି ଏଇ ଛେଳିଟିକୁ ଆପଣଙ୍କୁ ଦାନ ଦେଇ ମାନସିକରୁ ମୁକ୍ତି ପାଇବି ।

ବ୍ରାହ୍ମଣ ମୁଖରୁ ଆନନ୍ଦର କଥାଟି ଶୁଣି ପକାଇ ଠକ କହିଲା ତମ ଯେଜେମାନଟା କେଡ଼େ ଠକ ଦେଖିଲ । ଶଳା ଠକେଇବାକୁ ଆଉ କାହାକୁ ପାଇଲା ନାହିଁ । କିରେ ଚାରିବର୍ଣ୍ଣରେ ଶ୍ରେଷ୍ଠ ବ୍ରାହ୍ମଣ । ଆମ ଛତିଶ ପାଟକରେ ବ୍ରାହ୍ମଣଙ୍କୁ ଦେବତା ମାନି ପୂଜା କରନ୍ତି । ସେ ପୁଣି ନିଜର କୂଳ ପୁରୋହିତ । ତାଙ୍କୁ ପୁଣି ଠକେଇ ଦେଲା । କି ହୋ ଗୋସାଇଁ ତୁମ ଯେଜମାନନା ମୋଚି କିହୋ । ଜାଣି ଜାଣି ଡାକି ହାକି ତୁମର ଅଭିଶାପ ନେଉଛି । କିହୋ ଗୋସେଇଁ କ’ଣ ତୁମକୁ ଏତେ ଛୋଟ ହୋଇ ମାଗୁଥିଲେ ଯେ ତୁମେ ତାଙ୍କୁ ଛେଳିକହି କାଳିଆ କୁକୁରଟାକୁ ଦାନ କରିଛ। ଛି ଛି ଆଜିକାଲି ଦୁନିଆରୁ ଧର୍ମ ଛାଡ଼ିଗଲା ଗୋସେଇଁ ।

ତୃତୀୟ ଠକର କଥା ଶୁଣି ବ୍ରାହ୍ମଣ ବିସ୍ମୟ ହୋଇଗଲା । ବାଟରେ ତ ଗୋଟିଏ କଥା ତିନିଜଣ କହିଲେଣି । ପୁଣି ଗ୍ରାମରେ ପହଞ୍ଚିଗଲେ କିଏ ବା କ’ଣ ମୋତେ ନ କହିବ । ଛି ଛି ଛି ୟେ ମୋ ଯେଜମାନନା ମୋର ଶତ୍ରୁ । ନିଜର କୂଳ ପରୋହିତ ସାଥିରେ ଅଧର୍ମର ବିଚାର କଲା । ଆରେ ତୋର କୂଳରେ କେହି ରହିବେନି? ଏହା କହି ଛେଳିଟାକୁ କାନ୍ଧରୁ ଓହ୍ଲାଇ ଫିଙ୍ଗିଦେଲେ ।

ଠକ କହିଲେ – ସତରେ ଦୁନିଆଁରେ ପୁଣି ଇମିତି ଠକ ଥାଆନ୍ତି ନିଜର କୂଳ ପରୋହିତ! ତାଙ୍କୁ ପୁଣି ଠକିଦେଇଛି। ସତରେ ବ୍ରାହ୍ମଣମାନଙ୍କର ଅଭିଶାପ ଏ କଳି ଯୁଗରେ ତ ସଙ୍ଗେ ସଙ୍ଗେ ଫଳିବ । କୂଳ ପରୋହିତଙ୍କ କାନ୍ଧରେ ତୁମେ କୁକୁରଟାକୁ ବୁହାଇଲ ।

ଏହା କହି ଠକ ଓଳଗିଟିଏ ହୋଇ ଛେଳିର ଦୌଡ଼ି ଯାଉଥିବା ରାସ୍ତାକୁ ଚାହିଁଥାଏ । ଏଥର ବ୍ରାହ୍ମଣଙ୍କର କାନ୍ଧ ହାଲୁକା ହୋଇଗଲା ସିନା ହେଲେ ମନଟା ରାଗ କ୍ରୋଧରେ ପୁରିଗଲା । ସେହିକଥା ଭାବି ଭାବି ବ୍ରାହ୍ମଣ ପୁଣି ନିଜ ମାର୍ଗରେ ଚାଲିଲେ । ଏହାପରେ ଛେଳିଟିକୁ ଗୋଡ଼େଇ ଗୋଡ଼େଇ ତିନି ଠକ ଆନନ୍ଦରେ ଚାଲିଗଲେ । କଥାରେ କହନ୍ତି ତିନି ତୁଣ୍ଡରେ ଛେଳି କୁକୁର, ତିନି ଠକ ତାହା ପ୍ରମାଣ କରିଦେଲେ ।