+100%-

ଭାଗ୍ୟପୁରୀ ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ସୋମିଳକ ନାମରେ ଜଣେ ତନ୍ତ୍ରୀ ବାସ କରୁଥିଲେ । ବିଚରା ଖୁବ୍ ଦରିଦ୍ର ଥିଲା । ପ୍ରତିଦିନ ହାଡ଼ଭଙ୍ଗା ପରିଶ୍ରମ କରି ସେ ଲୁଗା ବୁଣେ । ଏଥିରୁ ଯାହା ପାରିଶ୍ରମିକ ପାଏ ସେହିଥିରେ ହିଁ ସୁଖ ଦୁଃଖରେ ପରିବାର ପ୍ରତିପୋଷଣ କରେ । କିନ୍ତୁ ସେ ଯେତିକି ପରିଶ୍ରମ କରେ ସେତିକି ପରିଶ୍ରମେରେ ତାର ସାଙ୍ଗମାନେ ଅଧିକ ପରିମାଣରେ ରୋଜଗାର କରିବା ଦେଖି ଦିନେ ତା’ ସ୍ତ୍ରୀ କହିଲା – ଏହି ରୋଜଗାରରେ ଆମ ପରିବାର ଆଉ ସୁଖରେ ରହିବାର ଯୋଗ ଦେଖାଯାଉ ନାହିଁ । କାରଣ ତୁମେ ତ ଦେଖୁଛ ଆମର ଯେତିକି ରୋଜଗାର ସେଥିରେ ଆମେ ଯାଇତାଇ ଚଳିବା । ଅଧିକା ପଇସାଟିଏ ବଳୁନାହିଁ ଯେ ମୋ ଛୁଆପିଲା ଟିକେ ଆନନ୍ଦରେ କ’ଣ କିଛି କରନ୍ତେ । ସେଥିଲାଗି କହୁଥିଲି ଏ କାମକୁ ବନ୍ଦ କରିଦେଇ ମୁଁ ବିଦେଶ ଯାଆନ୍ତି । ବିଦେଶ ଗଲେ ସେଠାରେ ଦୁଇ ପଇସା ଭଲ ରୋଜଗାର ହୁଅନ୍ତା । ଘର ଖର୍ଚ୍ଚ ଯାଇ ପଇସା ତ ବଳନ୍ତା । ମୋ ଛୁଆ ଖୁସିରେ ଚଳନ୍ତେ ।

ସ୍ୱାମୀଙ୍କର ଏକଥା ଶୁଣି ସ୍ତ୍ରୀ ବୁଝାଇ କହିଲେ – ଯାହା ଯେତେବେଳେ ଆମ ଭାଗ୍ୟରେ ଥିବ ଆମକୁ ତାହା ହିଁ ତ ଭୋଗ ହେବ । ଏଥିରେ ଅଧିକା ଆଶା କରି କି ଲାଭ ହେବ । ଯେତେବେଳେ ବିଧାତାଙ୍କର ଇଚ୍ଛା ହୋଇନାହିଁ ସେତେବେଳେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଭାଗ୍ୟ ବଦଳିବ ନାହିଁ । ଈଶ୍ୱର ଆମକୁ ଯେଉଁ କର୍ମ ଦେଇଛନ୍ତି ତାହା ହିଁ ହେଉଛି ଆମ ଭାଗ୍ୟର ଫଳ । ସେଥିରେ ତ ଆମ ପେଟ ପୁରୁନି । ପୁଣି ଏକର୍ମ ଛାଡ଼ି ବିଦେଶ ଗଲେ ଆଉ ଅଧିକ କି ରୋଜଗାର କରିବ । ମୋ କଥାମାନ, ଯେଉଁ କାମ ପାଇଁ ଆମକୁ ଈଶ୍ୱର ପଠାଇଛନ୍ତି ସେହି କାମ କର ।

ସ୍ତ୍ରୀ ଏତେକଥା ବୁଝାଇଲେ ସିନା ହେଲେ ସ୍ୱାମୀ ସେ କଥାକୁ ଶୁଣିଲେ ନାହିଁ । ଯାହା ସେ ସ୍ଥିର କରିଥିଲେ ତାହାହିଁ କଲେ । ତନ୍ତ ବୁଣା କାମ ଛାଡ଼ି ସେ ବିଦେଶକୁ ଗଲେ ଅଧିକା ଧନ ରୋଜଗାର କରିବା ପାଇଁ ।

ସତକୁ ସତ ବିଦେଶ ଯାଇ ବିଚରା ବହୁତ ଧନ ରୋଜଗାର କଲା । ଏତେ ଅଧିକ ରୋଜଗାର ହେଲା ଯେ ଅଳ୍ପ କେଇଟା ଦିନରେ ସମସ୍ତ ରୋଜଗାର ଧନକୁ ଧରି ଗ୍ରାମକୁ ଫେରିଲା । ଚଲା ରାସ୍ତା, ଚାଲି ଚାଲି ଆସିବା ମଧ୍ୟରେ ରାସ୍ତାରେ ରାତ୍ରି ହୋଇଗଲା । ଚାଲି ଚାଲି ବିଚରା ତନ୍ତୀ ଥକି ପଡିଥାଏ । ଥକ୍କା ମେଣ୍ଟାଇବା ଲାଗି ସେ ସେହି ରାସ୍ତାରେ ଏକ ଗଛ ଥିଲା ସେହି ଗଛ ମୂଳେ ଟିକେ ଶୋଇ ପଡ଼ିଲା । ନିଦ ଭାଙ୍ଗିଯିବାରୁ ଉଠି ଘରକୁ ଆସିବାକୁ ବାହାରି ପଡ଼ନ୍ତେ ସେ ତାର ଗଣ୍ଠିଲି ଖୋଲି ଦେଖନ୍ତି ଯେ ଗଣ୍ଠିଲିରେ ଆଉ ଟଙ୍କା ନାହିଁ । ସବୁ ଶୂନ୍ୟ ହୋଇଯାଇଛି ।

google-tez-social
ଏକଥା ଦେଖି ତନ୍ତି ମନରେ ଖୁବ୍ ଦୁଃଖ ହେଲା । ଖାଲି ହାତରେ ସେ ବା କିପରି ଘରକୁ ଫେରିବ? ସେଇଠୁ ସେ ଆଉ ଘରକୁ ନଫେରି ପୁଣି ବିଦେଶ ଫେରିଗଲା । ଏଥର ବିଦେଶ ଯାଇ ଆଗଠାରୁ ଆହୁରି ଅନେକ ଅଧିକ ଧନ ରୋଜଗାର କରି ତାହାକୁ ଗଣ୍ଠିଲି ମଧ୍ୟରେ ଭଲ ଭାବରେ ବାନ୍ଧିବୁନ୍ଧି ରଖିଲା । ତା’ପରେ ଘରକୁ ଚାଲିଲା । ସେହିପରି ଚାଲି ଚାଲି ଆସୁଥାଏ ଗାଁକୁ । ରାସ୍ତାରେ ରାତ୍ରି ହେବାରୁ ସେ ପୁଣି ଗୋଟିଏ ଗଛମୂଳେ ବସି ଥକ୍କା ମାରିଲା । ବସୁ ବସୁ ଆଖିକୁ ନିଦ ଆସିବାରୁ ସେଠାରେ ଶୋଇ ପଡ଼ିଲା ।

ତା’ପରେ ନିଦ ଭାଙ୍ଗିବାରୁ ସେ ଉଠିଲା ଏଥର ଯେତେ ଶୀଘ୍ର ଯାଇ ଗାଁରେ ପହଞ୍ଚିବ । ସେଥିଲାଗି ଗଣ୍ଠିଲିକୁ ଭଲ ଭାବରେ ବନ୍ଧାବନ୍ଧି କରି ଦେଖିବା ବେଳକୁ ଗଣ୍ଠିଲିରେ ଆଉ ଗୋଟିଏ ହେଲେ ପଇସା ନାହିଁ । ଏଥର ତନ୍ତୀ ମୁଣ୍ଡିରେ ହାତଦେଇ ବସି କାନ୍ଦ କାନ୍ଦ ହୋଇଗଲା । ଏତିକିବେଳେ ଅତି ନିକଟରେ ଦୁଇଜଣ ତାରି ବିଷୟରେ କଥା ହେଉଥିବାର ଶୁଣିଲା । ସେମାନଙ୍କ ମଧ୍ୟରୁ ଜଣେ କହୁଛନ୍ତି – ହେ ପ୍ରଭୁ! ତୁମେ ତ ଜାଣିଛ ବିଚରା ତନ୍ତୀ ଯେତେ ଯାହା ଖଟିଲେ ମଧ୍ୟ ତା’ ଭାଗ୍ୟରେ ମୁଠାଏ ଭାତ ନ ଦେଲେ ଖଣ୍ଡିଏ ରୁଟି ମିଳିଥାଏ । ତେବେ ଏପରି ଲୋକକୁ ତୁମେ ଏତେ ଧନ ଦେଲ କାହିଁକି?

ପ୍ରଥମ ଜଣଙ୍କର ଏହିକଥା ଶୁଣିବା ପରେ ତନ୍ତୀ ପୁଣି ଶୁଣିଲା, ଦ୍ୱିତୀୟ ଜଣକ କହୁଛି – ଆହେ କର୍ମ! ଯେଉଁ ଲୋକ ପରିଶ୍ରମ କରୁଛି ତାକୁ ତ ତା’ର ପାରିଶ୍ରମିକ ଦେବା ହେଉଛି ମୋର କର୍ମ । ତେବେ ମୁଁ ଧନ ଦେଲେ କ’ଣ ହେବ । ତା’ର ସମସ୍ତ ଫଳାଫଳ ତ ତୁମରି ହସ୍ତରେ ।

ଏ ସମସ୍ତ କଥା ଶୁଣିବା ପରେ ତନ୍ତୀ ଭାବିଲା – ଠାକୁରଙ୍କର ଇଚ୍ଛା ନାହିଁ, ଧନ ରୋଜଗାର କରି ସୁଖରେ ରହିବା ତ ଆମ ଭାଗ୍ୟରେ ନାହିଁ । ଏଇମିତି ଖଟି ଖଟି ବଞ୍ଚିବାଠାରୁ ମରିଯିବାଟା ମୋ ପକ୍ଷେ ଶ୍ରେୟସ୍କର । ଏହା ଭାବି ତନ୍ତୀ ଯେଉଁ ଗଛମୂଳେ ବସିଥିଲା ସେ ଗଛକୁ ଆତ୍ମହତ୍ୟା କରିବା ନିମନ୍ତେ ଚଢ଼ିଲା ।

ତନ୍ତୀର ଏପରି ଅବସ୍ଥା ଦେଖି ଜଣେ କହିଲା – ତୁ ଟା ସତରେ ମୂର୍ଖ ଲୋକଟାଏ । ଆରେ ତୁ ଆତ୍ମହତ୍ୟା କରିବାକୁ ଯାଉଛୁ କାହିଁକି?

ତା’ କଥା ଶୁଣି ତନ୍ତୀ କାନ୍ଦି ପକାଇ କହିଲା – କହୁନା, ଏପରି ଜୀବନକୁ ନେଇ ବଞ୍ଚି କି ଲାଭ ହେବ? ଦେଖ ଭାଇ ଯେତେ ଥର ତ ଏତେ ପରିଶ୍ରମ କଲି ଯେତେ ଧନ ରୋଜଗାର କଲି ତାହାତ ରହିଲା ନାହିଁ । ଗଣ୍ଠିଲିରୁ ଶୂନ୍ୟ ହୋଇଗଲା ।

ତନ୍ତୀଠାରୁ ଏପରି କଥା ଶୁଣି ସେହି ପୁରୁଷ ଲୋକଟି ଖାଲି ଠୋ ଠୋ ହୋଇ ହସିବାକୁ ଲାଗିଲା ଆଉ ତନ୍ତୀକୁ କହିଲା – ତୁ ଜାଣିରଖ ଯେ ମୁଁ କେହି ନୁହଁ ମୁଁ ହେଉଛି ଭାଗ୍ୟ । ତୋର ସ୍ତ୍ରୀ ଯାହା ଯାହା ତୋତେ ବୁଝାଇଥିଲା ତାହାହିଁ ତ ଠିକ୍ । ତୋ ଭାଗ୍ୟରେ ଲେଖାଅଛି କେବଳ ଖାଇବା ପିଇବାକୁ ବାଦଦେଲେ ଅଧିକ ସୁଖ ଭୋଗ କରିବା ତୋ ଭାଗ୍ୟରେ ନାହିଁ । ସେଥିପାଇଁ କହୁଛି ଏପରି ଆତ୍ମହତ୍ୟା କଲେ ଜନ୍ମ ଜନ୍ମାନ୍ତରେ କେବଳ ପାପ ନର୍କ ଭୋଗ କରିବୁ ସିନା ହେଲେ ସୁଖରେ ମୁକ୍ତି ପାଇ ପାରିବୁ ନାହିଁ । ତେଣୁ ଏହି ମନ୍ଦଚିନ୍ତାକୁ ମନ ମଧ୍ୟରୁ ପରିହାର କରି ଘରକୁ ଫେରିଯାଆ! ଆଗପରି ପରିଶ୍ରମ କରି ସୁଖେ ରହ ।

ଧର୍ମଦେବତାଙ୍କ ଠାରୁ ଏକଥା ଶୁଣିବା ପରେ ତନ୍ତୀଟି ପଚାରିଲା – ହେ ମୋର ଭାଗ୍ୟଦେବତା! ମୋ ଭାଗ୍ୟରେ ସିନା ସୁଖ ଭୋଗ କରିବାର ନାହିଁ, ହେଲେ ବର୍ତ୍ତମାନ ଖାଲି ହସ୍ତରେ ଗ୍ରାମକୁ ଫେରିବି କିପରି? ବିଦେଶ ଯାଉଛି! ବିଦେଶରେ ବହୁତ ରୋଜଗାର କରିବି । ସ୍ତ୍ରୀକୁ ଯେଉଁ ଦମ୍ଭର କଥା କହିଯାଇଥିଲି ବର୍ତ୍ତମାନ ସେ ମୋର ଶୂନ୍ୟହସ୍ତ ଦେଖିଲେ ସେ ମୋତେ କହିବ କ’ଣ?

ତନ୍ତୀର ଏପରି ବାଣୀ ଶୁଣି ସାରିବା ପରେ ଧର୍ମଦେବତା ଟିକିଏ ହସିଦେଇ କହିଲେ – ତୋର ଧନ ଦରକାର ତ? ତାହାହେଲେ ତୁ ଆଉ ଟିକେ ଆଗକୁ ଯାଇ ଦେଖିବୁ ସେଠାରେ ଗୋଟିଏ ମନ୍ଦିର ଅଛି । ସେଠାରେ ଦୁଇଜଣ ଦେବତାଙ୍କୁ ଦେଖିବୁ । ସେମାନଙ୍କୁ ଭକ୍ତିର ସହିତ କହିବୁ । ତୋ ଭାଗ୍ୟରେ ଧନ ନାହିଁ, ସେ ତୋ ଭାଗ୍ୟରେ ଧନ ଲେଖିଦେବେ । ସେ ଲେଖିଦେବା ପରେ ତୋର ଆଉ ଧନର ଅଭାବ ରହିବ ନାହିଁ । ଏହାକହି ସେ ଦୁଇଜଣ ସେହି ସ୍ଥାନରୁ ଅନ୍ତର୍ଦ୍ଧାନ ହୋଇଗଲେ । ଧର୍ମଦେବତାଙ୍କ କଥାରେ ତନ୍ତୀଟି ତରଳିଗଲା । ଆଜି ନିଶ୍ଚୟ ତା’ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଭାବି ତତ୍କ୍ଷଣାତ୍ ତନ୍ତୀ ଚାଲି ଚାଲି ଯାଇ ସେହି ମନ୍ଦିରଠାରେ ପହଞ୍ଚି ଦେଖିଲା ସତକୁ ସତ ମନ୍ଦିରରେ ଦୁଇଜଣ ଦେବତା ଅଛନ୍ତି । ତାହାଙ୍କୁ ଦେଖବବା ମାତ୍ରେ ମନ ତା’ର କୁଣ୍ଢେ ମୋଟ ହୋଇଗଲା । ସଙ୍ଗେ ସଙ୍ଗେ ଦୁଇ ଦେବତାଙ୍କୁ ଭକ୍ତିରେ ପ୍ରଣାମ କରି କହିଲା ପ୍ରଭୁ! ମୁଁ ବହୁତ ଗରୀବ ଲୋକ । ମୋ ଭାଗ୍ୟରେ ଧନୀ ହେବାର ସୁଯୋଗ ନାହିଁ । ଆପଣ ଦୟାକରି ମୋ ଭାଗ୍ୟରେ ଧନୀ ହେବାକୁ ଲେଖି ଦିଅନ୍ତୁ ।

ତନ୍ତୀଠାରୁ ଦୁଇ ଦେବତା ଏକଥା ଶୁଣିବା ମାତ୍ରେ ଖାଲି ପରିହାସ ଛଳରେ ହସିବାକୁ ଲାଗିଲେ ତା’ ପରେ କହିଲେ – ଆରେ ମୂର୍ଖ ତନ୍ତୀ! ତୁମେ ଜଣେ ଧନ ଲୋଭୀ । କେବଳ ଧନ ସଞ୍ଚୟ କରିବାକୁ ଚାହୁଁଛ । ଜାଣିପାରୁନା ଯେ ଏଇଟା ତୁମର ମୁର୍ଖ ତାର ପରିଚୟ ବୋଲି । ଦେଖ ବାବୁ! ତୁମେ ତ ତୁମର ଭାଗ୍ୟକୁ ଏହି ଧନ ମୋହରେ ବିଶ୍ୱାସ କରୁ ନାହଁ । ତୁମେ ଭାବୁଛ ଅଧିକ ସଞ୍ଚୟ କରିବ, କିନ୍ତୁ ବାସ୍ତବରେ ତୁମେ ଜାଣି ଜାଣି ଏପରି ଭୁଲ କରୁଛ । ସତରେ ତୁମେ କେବଳ ଧନର ମୋହରେ ଅନ୍ଧ ହୋଇ ଯାଇଛ । ସେଥିପାଇଁ ତୁମେ ଦୁଃଖ ଭୋଗ କରୁଛ ।

ଏଥର ତନ୍ତୀ ଦେବତାମାନଙ୍କର କଥାର ପ୍ରକୃତ ମୂଲ୍ୟ ବୁଝିଗଲା – ସେ କହିଲା – ହେ ପ୍ରଭୁ! ଆପଣମାନେ ମୋ ପାଇଁ ଏତିକି କୃପା କର ଯେ – ମୁଁ ଏତିକି ଧନପାଇବି ଯେ ଯେଉଁଥିରେ କି ମୋତେ ଦୁଇଓଳି ପେଟଭରି ଖାଇବାକୁ ଆଉ ପିନ୍ଧିବାକୁ ମିଳୁଥିବ । ଏହାଠାରୁ ଆଜିଠାରୁ ମୁଁ ଅଧିକା କିଛି ମାଗିବି ନାହିଁ । ତନ୍ତୀର ଆତୁର ଯାହା ଚାହୁଁଛ ତାହାହିଁ ହେଉ । ତା’ପରେ ତନ୍ତୀ ଫେରିଯାଇ ତା’ର ସ୍ତ୍ରୀ ଆଗରେ ଘଟିଯାଇଥିବା ସମସ୍ତ କଥା କହି ନିଜ କାମରେ ଲାଗିଗଲା ଆଉ ମଧ୍ୟ ଆଉ ଅଧିକ ଧନପାଇଁ କେବେବି ଆଶା ରଖିଲା ନାହିଁ ।