+100%-

ଗାଁ ମୁଣ୍ଡରେ ଗୋଟିଏ ବଡ଼ ପୋଖରୀ ଥିଲା । ସେହି ପୋଖରୀରେ ଦୁଇଗୋଟି ହଂସ ମଧ୍ୟ ରହୁଥିଲେ । ସେମାନେ ରାତ୍ରି ସାରା ପୋଖରୀ ହୁଡ଼ାରେ ବିତାଇ ଥାଆନ୍ତି ପୁଣି ଦିନ ହେଲେ ପୋଖରୀରେ ପହଁରି ପହଁରି ନିଜର ଖାଦ୍ୟ ସଂଗ୍ରହ କରି ଖାଆନ୍ତି ଓ ଆନନ୍ଦରେ ଜଳରେ ସନ୍ତରଣ କରନ୍ତି ।

ସେହିପରି ପୋଖରୀ ଭିତରେ ଗୋଟିଏ କଇଁଛ ଥିଲା । କଇଁଛ ଦିନସାରା ପାଣି ମଧ୍ୟରେ ବୁଡ଼ି ରହେ । ସନ୍ଧ୍ୟା ହୋଇ ଆସିଲେ ସେ ପୋଖରୀ ତୁଠକୁ ଆସେ । ସେତେବେଳେ ହଂସ ଯୋଡ଼ିକ କଇଁଛକୁ ନାନା ପ୍ରକାର ନୀତିବାଣୀ ହିତୋପଦେଶ, ଏବଂ ବେଳେ ବେଳେ ପୁରାଣ କଥା କହି ଆନନ୍ଦ ଦେଇଥାନ୍ତି ।

ଏମିତି ଦୁଇହଂସ ଓ କଇଁଛଙ୍କ ମଧ୍ୟରେ ବେଶ୍ ବନ୍ଧୁତ୍ୱ ବଢ଼ୁଥାଏ । କେହି କାହାରିକୁ ପାଖରୁ ଛାଡ଼ିବାକୁ ଇଚ୍ଛା କରନ୍ତି ନାହିଁ । ସେମାନେ ଏହିପରି ପ୍ରତିଦିନ ଆନନ୍ଦରେ ସମୟ କାଟୁଥାଆନ୍ତି ।

ହଂସ ଓ କଇଁଛଙ୍କ ମଧ୍ୟରେ ଏହିପରି ଦିନ ଗୁଡ଼ିକ କଟି ଯାଉଥାଏ । ଏହାପରେ ଆସିଲା ଦୁର୍ଦ୍ଧିନର ସମୟ । ସେହି ଅଞ୍ଚଳରେ ଗୋଟିଏ ବର୍ଷ ଆଦୌ ବର୍ଷା ହେଲା ନାହିଁ । ବର୍ଷା ନ ହେବାରୁ ସେହି ଅଞ୍ଚଳର ସମସ୍ତ ପୋଖରୀ, ଗଡ଼ିଆ, କୂପ ଆଦି ଶୁଖିଗଲା । ଯେତେବେଳେ ଏପରି ଅବସ୍ଥା ଦେଖାଗଲା ସେତେବେଳେ ହଂସ ଏବଂ କଇଁଛଙ୍କ ମୁଣ୍ଡରେ ବଜ୍ର ପଡ଼ିଗଲା । ହଂସ କହିଲା ଆହେ କଇଁଛ ଭାଇ, ସବୁଆଡ଼େ ଜଳର ତ ଅଭାବ ହୋଇଗଲା । ଲୋକେ ତ ପାଣି ବିନା ହାହାକାର ହେଲେଣି । ସହଜେ ତ ଆମେ ଜଳ ନ ହେଲେ ବଞ୍ଚିବା ମୁସ୍କିଲ ହେବ । ଏ ଅବସ୍ଥାରେ ତମେ ମଧ୍ୟ ଏହି ପାଣି ନଥିବା ପୋଖରୀରେ ରହିବ କିପରି?

google-tez-social
ହଂସଠାରୁ ସମସ୍ତ କଥା ଶୁଣିଲାରୁ କଇଁଛ ମଧ୍ୟ ଖୁବ୍ ଭୟଭୀତ ହୋଇପଡ଼ି କହିଲା – ତୁମ ଦୁହିଁଙ୍କର ତ ଉପାୟ ଅଛି । ଏବେ ଚାହିଁଲେ ଉଡ଼ିଯିବ । ଯେଉଁଠାରେ ପାଣିର ସନ୍ଧାନ ପାଇବ ସେହିଠାରେ ରହିବ । ମୁଁ ସେତିକି ବାଟ ଗଲା ବେଳକୁ ତ ପାଣି ବିନା ପଥ ମଧ୍ୟରେ ପଡ଼ି ମରିଯିବି । ତୁମ ବିନା ମୋର ଆଉ କିଏ ଅଛି । ଦେଖ ଭାଇ ଏପରି ବିପଦରୁ ତୁମେ ହିଁ ମୋତେ ଉଦ୍ଧାର ହେବାର ମାର୍ଗ ଦେଖାଇବ । ଏପରି ବିପଦବେଳେ ମୋତେ ଯଦି ବଞ୍ଚାଇବାକୁ ଚାହୁଁଛ ତାହାହେଲେ ତୁମେ ଦୁହେଁ ଯେଉଁ ସ୍ଥାନକୁ ଯିବ ମୋତେ ସେହି ସ୍ଥାନକୁ ନେଇଯିବ । ତୁମେ ଯଦି ମୋ ସାଥିରେ କପଟ କରିବ ତାହାହେଲେ ମୁଁ ନିଶ୍ଚୟ ମରିଯିବି । ତୁମେ ଦୁହେଁ ଓ ମୁଁ କିପରି ବଞ୍ଚିରହିବା ତାହାର ଗୋଟାଏ ଉପାୟ କର ।

କଇଁଛଠାରୁ ସମସ୍ତ କଥା ଶୁଣି ସାରିବା ପରେ ହଂସ କହିଲା ଆରେ ଭାଇ ବନ୍ଧୁତ୍ୱକୁ କଣ କେହି ଛାଡ଼ିପାରେ । ତୁମକୁ ସାହାଯ୍ୟ କରିବା ଲାଗି କ’ଣ ଆମର ଇଚ୍ଛା ନାହିଁ । ହେଲେ ତୁମକୁ ନେବା ପାଇଁ ତ ଉପାୟ ଥିବା ଦରକାର ।

ତହୁଁ କଇଁଛ କହିଲା – ଉପାୟ ଅଛି । ତୁମେ ଖଣ୍ଡିଏ ବାଡ଼ି ଆଣ । ସେହି ବାଡ଼ିର ଦୁଇ ମୁଣ୍ଡକୁ ଧରିଲେ ମୁଁ ବାଡ଼ିର ମଝିସ୍ଥାନକୁ କାମୁଡ଼ି ଧରିବି । ତା’ପରେ ତୁମେ ଉଡ଼ିଉଡ଼ି ଗଲେ ପହଞ୍ଚିବା ଯାଏ ମୁଁ ସେହିପରି ଓହଳିଥିବି । କିନ୍ତୁ ମୋର ଜୀବନ ପ୍ରତି ତୁମ୍ଭ ଦୁହିଁଙ୍କର ଯଦି ଦୟାଥାଏ ଯେତେ ଅସୁବିଧା ହେଲେ ମଧ୍ୟ ଲକ୍ଷ୍ୟଥିବା ସ୍ଥାନରେ ନ ପହଞ୍ଚିବା ଯାଏ ତୁମେ ଦୁହେଁ ଆଦୌ ପାଟି ଖୋଲିବ ନାହିଁ ।

ଯାହାହେଉ ବନ୍ଧୁକୁ ସାହାଯ୍ୟ କରିବା ଲାଗି ହଂସ ଦୁହେଁ ହଁ ଭରିଲେ । କଇଁଛର କହିବା ଅନୁସାରେ ହଂସ ଦୁହେଁ ବାଡ଼ିଟିଏ ଆଣି ଦୁଇ ପାଶ୍ୱର୍କୁ କାମୁଡ଼ି ଧରିବା ପରେ କଇଁଛ ବାଡ଼ିର ମଝିକୁ କାମୁଡ଼ି ଧରିଲା । ତା’ପରେ ହଂସ ଆକାଶରେ ଉଡ଼ି ଉଡ଼ି ଚାଲିଗଲେ ।

ଏହିପରି ଭାବରେ କଇଁଛକୁ ଧରି ହଂସମାନେ ଆକାଶରେ ଉଡ଼ି ଉଡ଼ି ଯାଉଥାଆନ୍ତି, ଏମିତି କିଛି ପଥ ଯିବା ପରେ ଯିବା ରାସ୍ତାରେ ଗୋଟିଏ ଗାଁ ପଡ଼ିଲା । ଏମାନେ ମଧ୍ୟ ଗାଁ ପାରି ହେବାକୁ ଗାଁ ଉପରେ ଉଡ଼ିଯାଉ ଥାଆନ୍ତି । ସେତିକିବେଳେ ଗାଁ ଦାଣ୍ଡରେ କେତେଗୁଡ଼ିଏ ପିଲା ଖେଳୁଥିଲେ । ସେହି ପିଲାଙ୍କ ମଧ୍ୟରୁ ଗୋଟିଏ ପିଲା ଆକାଶରେ ଭାସମାନ କଇଁଛକୁ ଏପରି ଭାବରେ ବୋହି ବୋହି ନେଉଥିବା ଦେଖି ପିଲାମାନଙ୍କୁ ଡାକି କହିଲା – ଦେଖରେ ଭାଇ ୟେ କଇଁଛଟା କିପରି ଝୁଲୁଛି ।

ପିଲାଙ୍କର ଏପରି କଥା ଶୁଣି କଇଁଛର ଖୁବ୍ ରାଗ ହୋଇଗଲା । ସେ ସେଙ୍ଗ ସେଙ୍ଗ ଗୋଟିଏ ରଡ଼ି ଛାଡ଼ି ଦିଅନ୍ତେ ବାଡ଼ିକୁ ଛାଡ଼ି ଦେଲା । ଆଉ ସଙ୍ଗେ ସଙ୍ଗେ ତଳେ ପଡ଼ିଗଲା ।

କଇଁଛ ସେଦିନ ନୀରବ ରହିଯାଇଥିଲେ ପ୍ରାଣଟା ତାହାର ବଞ୍ଚି ଯାଇଥାଆନ୍ତା । କଇଁଛର ବୋକାମି କାରଣରୁ ତାର ମୃତ୍ୟୁ ହେଲା । ଭଲରେ ଭଲରେ ଯାଇ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଯାଇଥାଆନ୍ତା । ତାହା ତ ହୋଇ ପାରିଲା ନାହିଁ । ବରଂ ନିଜର କ୍ରୋଧ ଗୁଣ ଓ ବୋକାମି କାରଣରୁ ଜାଣି ଜାଣି କଇଁଛ ନିଜର ଜୀବନ ହରାଇଲା ।