+100%-

ରାଜା ସିନ୍ଧ୍ୟସେନ ବିନ୍ଧ୍ୟଗିରୀ ରାଜ୍ୟକୁ ଶାସନ କରୁଥାଆନ୍ତି । ରାଜାଙ୍କର ଅତି ସୁନ୍ଦର ଘୋଡ଼ାଗୁଡ଼ାଏ ଥାଆନ୍ତି । ଦିନକର କଥା ରାଜାଙ୍କର ରୋଷ ଶାଳାରେ ଗୋଟିଏ ମେଣ୍ଢା କେଉଁଆଡ଼ୁ ଚାଲି ଆସି ପଶିଗଲା । ତାକୁ ରୋଷେଇଆ ଲୁହା ଅଥବା କାଠ ଫାଳିଆ ଦ୍ୱାରା ପିଟିବାକୁ ଆରମ୍ଭ କରି ଦିଅନ୍ତେ ଆଉ ଜଣେ ରୋଷେଇଆ ଥିଲା ସେ ଚୁଲି ମଧ୍ୟରୁ ଖଣ୍ଡିଏ ଜଳନ୍ତା କାଠ ବାହାର କରି ଆଣି ମେଣ୍ଢାକୁ ପିଟି ଦେବାରୁ ତା’ ଦେହରେ ଥିବା ଲୋମରେ ନିଆଁ ଲାଗିଗଲା । ଏବେ ବିଚରା ମେଣ୍ଢା ଗଢ଼ିବାକୁ ଲାଗିଲା । ଏହାଦ୍ୱାରା ମେଣ୍ଢା ଦେହରୁ ନିଆଁ ତ ଲିଭିଲା ନାହିଁ ବରଂ କୁଟାଗଦାରେ ନିଆଁ ଲାଗିଯିବାରୁ ତାହା ଜଳିବାକୁ ଲାଗିଲା । କୁଟାଗଦା ଜଳିବା କାରଣରୁ ସେ ନିଆଁ ଧିରେ ଧିରେ ଯାଇ ଘୋଡାଶାଳରେ ଲାଗିଗଲା । ଘୋଡାଶାଳରେ ନିଆଁ ଲାଗିଯିବାରୁ ଅନେକ ଗୁଡ଼ିଏ ଘୋଡ଼ା ସେହି ନିଆଁରେ ଜଳିଗଲେ ।

ଏ ସମ୍ବାଦ ସଙ୍ଗେ ସଙ୍ଗେ ଯାଇ ରାଜାଙ୍କ ପାଖରେ ପହଞ୍ଚିବାରୁ ରାଜା ବିବ୍ରତ ହୋଇପଡ଼ି ରାଜବୈଦ୍ୟଙ୍କୁ ଡକାଇ ପଠାଇଲେ । ରାଜବୈଦ୍ୟ ସମ୍ବାଦ ପାଇବାକ୍ଷଣି ଆସି ରାଜାଙ୍କ ଦର୍ଶନ କରନ୍ତେ ରାଜା ତାଙ୍କ ଘୋଡ଼ାମାନେ କିପରି ଭଲ ହେବେ ତାହାର ବ୍ୟବସ୍ଥା କରିବାକୁ କହିଲେ ।

ରାଜାଙ୍କ ବୈଦ୍ୟ କହିଲେ – ଘୋଡ଼ାମାନେ ତ ନିଶ୍ଚୟ ଭଲ ହୋଇଯିବେ । ସେଥିପାଇଁ କିଛି ମାଙ୍କଡ଼ମାନଙ୍କର ଚର୍ବି ଦରକାର ।

ରାଜା ବୈଦ୍ୟଙ୍କର ଏକଥା ଶୁଣିବା ପରେ ସୈନ୍ୟମାନଙ୍କୁ ଡାକି କହିଲେ -ଆମର ବହୁ ମୂଲ୍ୟବାନ ଘୋଡ଼ାଗୁଡ଼ିକ ମରିଯିବେ । ସେମାନଙ୍କର ଭଲ ହେବା ଲାଗି ମାଙ୍କଡ଼ମାନଙ୍କର ଚର୍ବି ଦରକାର । ଯାଅ ଅଯଥାରେ ରାଜ୍ୟରେ ଅନେକ ଗୁଡ଼ିକଏ ମାଙ୍କଡ଼ ଅଛନ୍ତି । ସେମାନେ ଥିବାରୁ ରାଜ୍ୟରେ କୌଣସି ଫଳମୂଳ ରହୁ ନାହିଁ । ସେମାନଙ୍କୁ ମାରିଦେଲେ ଆମର ଦୁଇ ପ୍ରକାର ଲାଭ ହେବ ନିଶ୍ଚୟ । ତେଣୁ ରାଜ୍ୟରେ ଯେଉଁଠାରେ ଯେତେ ମାଙ୍କଡ଼ ପାଇବ ସେମାନଙ୍କୁ ତୁରନ୍ତ ମାରି ସେମାନଙ୍କ ଚର୍ବି ସଂଗ୍ରହ କରି ଆଣ । ଯାହାଦ୍ୱାରା ଘୋଡ଼ାଗୁଡ଼ିକ ଆମର ଭଲ ହୋଇଯିବେ ।

ରାଜାଙ୍କର ଆଦେଶ ହେବାରୁ ସୈନ୍ୟମାନେ ଆଉ ମୁହୂର୍ତ୍ତେ ମାତ୍ର ଅପେକ୍ଷା କଲେ ନାହିଁ । ସେ ସଙ୍ଗେ ସଙ୍ଗେ ବାହାରିଗଲେ ଓ ଅନେକ ଗୁଡ଼ିଏ ମାଙ୍କଡ଼ ମାରି ପକାଇ ସେମାନଙ୍କର ଚର୍ବି ଆଣି ରାଜବୈଦ୍ୟଙ୍କୁ ଦେଲେ ।

google-tez-social
ଏହି ବିପଦ ସମୟରେ ସମସ୍ତ ମାଙ୍କଡ଼ମାନଙ୍କ ମଧ୍ୟରେ ଗୋଟିଏ ବୁଢ଼ା ମାଙ୍କଡ଼ ଥାଏ । ସେ ଯେତେବେଳେ ଦେଖିଲା ସୈନ୍ୟମାନେ ଗୋଡ଼ାଇ ଗୋଡ଼ାଇ ନିଜ ବଂଶକୁ ମାରୁଛନ୍ତି ତାହାଦେଖି ସେ ଛାନିଆ ହୋଇ ଲୁଚି ଲୁଚି ଆଉ ଗୋଟିଏ ଜଙ୍ଗଲ ମଧ୍ୟକୁ ପଳାଇଗଲା । ଆଉ ମଧ୍ୟ ସେ ରାଜ୍ୟର ରାଜା ଓ ସୈନ୍ୟମାନଙ୍କ ଉପରେ ତାର ବହୁତ କ୍ରୋଧ ହେଲା । ସେଥିଲାଗି ସେ ନିଜ ବଂଶକୁ ହତ୍ୟା କରିଥିବା ଯୋଗୁ ପ୍ରତିଶୋଧ ନେବାକୁ ଚିନ୍ତା କଲା ।

ଏମିତି ଚିନ୍ତା କରି ଯାଉ ଯାଉ ମାର୍ଗରେ ଥିବା ଗୋଟିଏ ପୁଷ୍କରିଣୀ ନିକଟରେ ପହଞ୍ଚିଲା । ବୁଢ଼ା ମାଙ୍କଡ଼କୁ ଶୋଷ ହେଉଥିଲା । ଯେ ଯେତେବେଳେ ପାଣି ପିଇବାକୁ ପୁଷ୍କରଣୀ ପାଖକୁ ଯାଏ ସେ ସେହି ଘାଟରେ ଦେଖିଲା ଯେ ଏହା ପୂର୍ବରୁ ଅନେକ ପଶୁ ମଧ୍ୟ ସେହି ପୋଖରୀରୁ ପାଣି ପିଇବାକୁ ଆସିଛନ୍ତି । ତାହାଦେଖି ସେ ବଡ଼ ଆଶ୍ଚର୍ଯ୍ୟ ହୋଇଗଲା । ସେ ଭାବିଲା ଯେଉଁ ପଶୁମାନେ ଏ ପୁଷ୍କରିଣୀକୁ ପାଣି ପିଇବାକୁ ଆସିଥିଲେ ସେମାନଙ୍କର ଫେରିଯିବାର ପାଦଚିହ୍ନ ଏଠାରେ କାହିଁ । ତେଣୁ ଚତୁର ବୁଢ଼ା ମାଙ୍କଡ଼ ସିଧା ପୁଷ୍କରିଣୀରୁ ପାଣି ପିଇଲା ନାହିଁ । ସେ ଗୋଟିଏ ପଦ୍ମନାଡ଼ ଟାଣି ଆଣି ସେହି ନାଡ଼ ସାହାଯ୍ୟରେ ପାଣି ପିଇବାକୁ ଲାଗିଲା ।

ସତକୁ ସତ ପୁଷ୍କରିଣୀ ଭିତରେ ଗୋଟିଏ ଜଳ ରାକ୍ଷାସ ରହୁଥିଲା । ସେ ବୁଢ଼ା ମାଙ୍କଡ଼ର ବୁଦ୍ଧିକୁ ଦେଖି ତାକୁ ଧନ୍ୟବାଦ ଦେଇ କହିଲା, ହେ ମାଙ୍କଡ଼ ଭାଇ! ତୁମର ଉପସ୍ଥିତ ବୁଦ୍ଧି ଦେଖି ମୁଁ ଖୁବ୍ ଖୁସି ହେଲି । ଆଜିଠାରୁ ତୁମେ ମୋର ବନ୍ଧୁ ହେଲ ।

ବୁଢ଼ା ମାଙ୍କଡ଼ ତ ଭାରି ବୁଦ୍ଧିଆ । ସେ ରାକ୍ଷାସ ଆଗରେ ଆନନ୍ଦ ହୋଇ ଯାଇ କହିଲା – ସତରେ ଭାଇ ଆଜିଯାଏ ମୋର କେହି ବନ୍ଧୁ ନଥିଲେ । ନିଜର ବଂଶ ପରିବାର ସବୁ ମରିଗଲେ । ମୁଁ ଏକା ହୋଇଯିବା କାରଣରୁ ମୁଁ ମଧ୍ୟ ବନ୍ଧୁ ଜଣେ ଖୋଜୁଥିଲି । ଯାହାହେଉ ତୁମପରି ବନ୍ଧୁ ଜଣେ ମୋତେ ମିଳିଯିବାରୁ ମୁଁ ମୋ ନିଜକୁ ଧନ୍ୟ ମନେ କରୁଅଛି । ହେଲେ ବନ୍ଧୁ ମୋ ମନ ମଧ୍ୟରେ ଗୋଟାଏ ବଡ଼ ଚିନ୍ତା ରହିଯାଇଛି । ଯେତେ ସୁଖ ମିଳିଲେ ବି ସେହି କଥା ମୋର ମନେ ପଡ଼ିଗଲେ ସବୁ ସୁଖ ମୋତେ ବିଷପରି ଲାଗୁଛି । ସେଥିଲାଗି ମୋ ବଂଶକୁ ବିନାଶ କରିଥିବା ରାଜାର ପ୍ରତିଶୋଧ ନେବାକୁ ଚାହୁଁଛି ।

ମାଙ୍କଡ଼ ବନ୍ଧୁଠାରୁ ଏକଥା ଶୁଣିବା ମାତ୍ରେ ଜଳ ରାକ୍ଷାସ କହିଲା ଏଥିପାଇଁ ମୁଁ ତୁମକୁ ସାହାଯ୍ୟ କରିବି ସେହିକଥା ମୋତେ କୁହ ।

ତହୁଁ ମାଙ୍କଡ଼ କହିଲା – ତୁମେ ଯଦି ଦୟାକରି ମୋତିର ମାଳାଟିଏ ମୋତେ ଦେଇପାରିବ ତାହାହେଲେ ମୁଁ ତୁମକୁ ବହୁ ପରିମାଣରେ ଖାଦ୍ୟ ଆଣି ଯୋଗାଇ ଦେବି ।

ମାଙ୍କଡ଼ଠାରୁ ଖାଦ୍ୟ କଥା ଶୁଣି ରାକ୍ଷାସ ଆନନ୍ଦ ହୋଇ ସଙ୍ଗେ ସଙ୍ଗେ ନିଜେ ପିନ୍ଧିଥିବା ମୋତିମାଳାଟିକୁ ମାଙ୍କଡ଼କୁ ଦେଇ ପକାଇଲା ।

ଏହାପରେ ମାଙ୍କଡ଼ କ’ଣ କଲାନା, ସଙ୍ଗେ ସଙ୍ଗେ ମୋତିମାଳାଟିକୁ ଗଳାରେ ପକାଇ ରାଜାଙ୍କର ନଗରରେ ଯାଇ ପହଞ୍ଚି ଗଲା । ରାଜାଙ୍କର ଦୃଷ୍ଟିରେ ଯେତେବେଳେ ସେହି ମୋତି ମାଳାଟି ପଡ଼ିଲା ରାଜାଙ୍କର ମଧ୍ୟ ସେହି ମାଳାଟି ପ୍ରତି ଲୋଭ ହେଲା । ତହୁଁ ରାଜା ବୁଢ଼ା ମାଙ୍କଡକୁ ଅତି ଆଦର କରି ପଚାରିଲେ – ତୁମ ମୋତି ମାଳାଟି ଖୁବ୍ ସୁନ୍ଦର । ମୋ ରାଜକୋଷରେ ଏତେ ରତ୍ନର ମାଳ ଅଛି ଯେ ହେଲେ ଏହି ମାଳାପରି ତାହା ସୁନ୍ଦର ଦେଖାଯାଉ ନାହିଁ । ସେଥିପାଇଁ ମୋର ମଧ୍ୟ ଇଚ୍ଛା ହେଉଛି ସେହିପରି ମାଳା ଗୋଟିଏ ପିନ୍ଧିବାକୁ । ସେହି ମାଳାଟି ତୁମେ କେଉଁଠାରୁ ଆଣିଲ ତାହା ମୋତେ କହିପାରନ୍ତ ଯଦି ମୁଁ ଯାଇ ସେହି ମାଳାରୁ ଗୋଟିଏ ଆଣନ୍ତି ।

ବୁଦ୍ଧିଆ ମାଙ୍କଡ଼ ଏଥର ତାର ପ୍ରତିଶୋଧ ନେବା ନିମନ୍ତେ ନିଜର ଚତୁରତା ଦେଖାଇ କହିଲା – ଛାମୁ! ଆମ ରାଜ୍ୟର ପଶ୍ଚିମପାଖ ଅରଣ୍ୟ ସମୀପରେ ଗୋଟିଏ ପୁଷ୍କରିଣୀ ଅଛି । ସେହି ପୁଷ୍କରିଣୀରେ ସ୍ନାନାଦି କର୍ମ ସାରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାରକୁ ସୂର୍ଯ୍ୟ ଦେବତା ତୁଷ୍ଟ ହୋଇ ମୋତେ ଏହି ମୋତି ମାଳାଟି ଦେଇଥିଲେ ।

ମାଙ୍କଡ଼ଠାରୁ ଏକଥା ଶୁଣି ରାଜା ଖୁବ୍ ଆନନ୍ଦ ସହକାରେ କହିଲେ ତୁମେ ଯଦି ଏପରି କାର୍ଯ୍ୟ କରିବାରେ ସାହାଯ୍ୟ କରିବ ତାହାହେଲେ ମୁଁ ମଧ୍ୟ ତୁମକୁ ବହୁ ଧନରତ୍ନ ପ୍ରଦାନ କରିବି । ତୁମେ ମୋତେ ସାହାଯ୍ୟ କରିବ ତ?

ମାଙ୍କଡ଼ କହିଲା – କି କଥା କହୁଛନ୍ତି ଛାମୁ! ମୁଁ ଗୋଟିଏ ଛାର ମାଙ୍କଡ଼ । ଆମ ରାଜ୍ୟରେ ଫୁଲ ଫଳର ଅଭାବ ହେବାରୁ ଆପଣଙ୍କ ରାଜ୍ୟକୁ ଆସୁ ଆସୁ ଏହି ମାର୍ଗରେ ଆନନ୍ଦରେ ଫଳ ଆହାର କରି ଖୁସି ହୋଇଛି । ଆପଣ ଯେ ଆମର ଶାସକ ତଥା ପାଳକ । ଆପଣଙ୍କ ପାଇଁ ଏହି ସାମାନ୍ୟ କାର୍ଯ୍ୟଟି କରାଇ ଦେବାରେ ଅସୁବିଧା କେଉଁଠି ଅଛି ଛାମୁ! ଆପଣ ଏବେ ପ୍ରସ୍ତୁତ ହୁଅନ୍ତୁ ବରଂ ବିଳମ୍ବରେ ସମସ୍ତ ଶୁଭକାର୍ଯ୍ୟରେ ବାଧା ଦେଖା ଯାଇଥାଏ ।

ମାଙ୍କଡ଼ର କଥା ଶୁଣି ରାଜା ଖୁବ୍ ଆନନ୍ଦ ପ୍ରକାଶ କରି ମନ୍ତ୍ରୀକୁ କହିଲେ – ତୁମେ ଆମ ରାଜ୍ୟରେ ଏହି କଥା ଘୋଷଣା କରିଦିଅ ଯେ ଯିଏ ଯେତେ ଯିବାର ବ୍ୟବସ୍ଥା କରନ୍ତୁ, କାରଣ ଅନେକ ଗଲେ ଆମେ ଏକାବେଳେ ଅନେକ ଗୁଡ଼ିଏ ମୋତିମାଳ ଆଣିପାରିବା ।

ବାସ୍, ଏଥର ବୁଢ଼ା ମାଙ୍କଡ଼ ଖୁବ୍ ଖୁସି ହୋଇଯାଇ ରାଜାଙ୍କ ସହିତ ରାଜ୍ୟର ବହୁ ପ୍ରଜାମାନଙ୍କୁ ଧରି ଯାଇ ସେହି ପୋଖରୀ ପାଖରେ ପହଞ୍ଚାଇ ଦେଇ କହିଲା – ଦେଖନ୍ତୁ ଛାମୁ! ଏହି ପୂଜା ନିମନ୍ତେ ଯେଉଁମାନେ ଆସିଛନ୍ତି ସେମାନେ ଏକାବେଳକେ ପୁଷ୍କରିଣୀ ମଧ୍ୟକୁ ପ୍ରବେଶ କରିବେ ଓ ଏକା ସାଥିରେ ବୁଡ଼ିବେ । କିନ୍ତୁ ଆପଣଙ୍କୁ ଅପେକ୍ଷା କରିବାକୁ ହେବ । ଏହାର କାରଣ ହେଲା ଛାମୁ ହେଉଛନ୍ତି ଆମ ସମସ୍ତଙ୍କ ଉପରେ ଶ୍ରେଷ୍ଠ । ଏଥିପାଇଁ କହୁଥିଲି କି ସାଧାରଣ ପ୍ରଜାମାନେ ପ୍ରଥମ ସେମାନଙ୍କର ମୋତିମାଳା ପାଇଯିବା ପରେ ଆପଣ ତା’ପରେ ବୁଡ଼ ପକାଇଲେ ସୂର୍ଯ୍ୟ ଦେବତା ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଆପଣଙ୍କୁ ଖୁବ୍ ମୂଲ୍ୟବାନ୍ ମୋତି ମାଳାଟିଏ ପ୍ରଦାନ କରିବେ।

ବୁଢ଼ା ମାଙ୍କଡ଼ କଥାରେ ପ୍ରଥମ ସମସ୍ତ ପୁଷ୍କରିଣୀ ମଧ୍ୟରେ ପ୍ରବେଶ କରି ବୁଡ଼ ପକାଇଲେ । ରାଜା ପୁଷ୍କରିଣୀରେ ପାହାଚ ଉପରେ ବସିଥାଆନ୍ତି । ଏହା ମଧ୍ୟରେ ପ୍ରଜାମାନେ ପୁଷ୍କରିଣୀରେ ବୁଡ଼ିବାର ବହୁ ସମୟ ଅତିବାହିତ ହୋଇଯିବାରୁ ରାଜା ମାଙ୍କଡ଼କୁ ଏହି ବିଳମ୍ବ ହେବାର କାରଣ ପଚାରନ୍ତେ ବୁଢ଼ା ମାଙ୍କଡ଼ କହିଲା – ହେ ମହାରାଜ! ପୁଷ୍କରିଣୀ ମଧ୍ୟରେ ଏକ ଜଳ ରାକ୍ଷାସ ରହୁଅଛି । ବର୍ତ୍ତମାନ ସୁଦ୍ଧା ଯେତେ ପ୍ରଜା ତା’ ମଧ୍ୟକୁ ପ୍ରବେଶ କରିଛନ୍ତି ଆଉ ସେମାନେ କାହିଁକି ଫେରୁନାହାଁନ୍ତି ତାହାର କାରଣ କ’ଣ ଆପଣ ଜାଣିପାରୁ ନାହାଁନ୍ତି ।

ରାଜାଙ୍କ ମନରେ ମାଙ୍କଡ଼ର କଥାରୁ ସନ୍ଦେହ ଆସିଲା । ସେ ଯେତେବେଳେ ମାଙ୍କଡ଼କୁ ଏହାର କାରଣ ଜାଣିବାକୁ ଇଚ୍ଛା କରନ୍ତି ସେତେବେଳକୁ ମାଙ୍କଡ଼ ନିକଟରେ ଥିବା ଉଚ୍ଚ ବୃକ୍ଷ ଉପରକୁ ଚଢ଼ିଯାଇ ସାରିଥାଏ । ରାଜା ତଳୁ ଥାଇ ମାଙ୍କଡ଼କୁ ଚାହାଁନ୍ତେ ବୁଢ଼ା ମାଙ୍କଡ଼ ହସିଦେଇ କହିଲା – ଆପଣଙ୍କର ଘୋଡ଼ା ଭଲ ହେବା ନିମନ୍ତେ ଆପଣ ମୋ ବଂଶ ମାରି ତାଙ୍କର ଚର୍ବି ନେଇଗଲେ । ସେତେବେଳେ ତ ଆପଣଙ୍କୁ ଦୁଃଖ ଲାଗି ନଥିଲା । ଏଥର ପ୍ରଜାମାନଙ୍କୁ ଜଳ ରାକ୍ଷାସ ଖାଇଗଲା । ଏଥିରେ ଆପଣ ଦୁଃଖ ନକରି ନିଜର ରାଜାବାଟୀକୁ ଫେରିଯାଆନ୍ତୁ ।

ମାଙ୍କଡ଼ର ପ୍ରତିଶୋଧ ପରାୟଣ କଥାକୁ ଶୁଣିସାରି ରାଜା କିଛିକ୍ଷଣ ପାଇଁ ସ୍ତବ୍ଧ ହୋଇଗଲେ । ତା’ ପରେ ଅନେକ ଗୁଡାଏ ମାଙ୍କଡ଼କୁ ମାରିଥିବା କାରଣ ନେଇ ସେ ବହୁତ ମନସ୍ତାପ କରି ପରିଶେଷରେ ଘୋଡ଼ା ଉପରେ ବସି ନିଜ ରାଜ୍ୟକୁ ଫେରିଗଲେ ।