+100%-

        ମର୍କତ ନଗର ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ଶମ୍ଭୁକେଶ ନାମକ ଜଣେ ରାଜା ଥାଆନ୍ତି । ସେ ରାଜା ବହୁତ ବିଳାସ ବ୍ୟସନରେ କାଳାତିପାତ କରୁଥାଆନ୍ତି । ସେ ରାଜାଙ୍କର ହାତୀ ଦାନ୍ତର ପଲଙ୍କ ଥିଲା । ସେ ପଲଙ୍କରେ ମଖମଲି ଗଦି । ଗଦିରେ ପୁଣି ରାଜାଙ୍କର ଶୋଇବା ଆଗରୁ ନାନା ପ୍ରକାର ସୁଗନ୍ଧିତ ଅତର ସିଞ୍ଚା ଯାଉଥିଲା । କେତେ ଦାସ ଦାସୀ ଦିନରାତି ଚବିଶ ଘଣ୍ଟା ରାଜାଙ୍କର ସେବାରେ ଥିବେ । ଏଭଳି ପଲଙ୍କରେ ରାଜା ଶୁଅନ୍ତି ।

ରହସ୍ୟର କଥା । ଏଭଳି ରାଜାଙ୍କର ମୁଣ୍ଡରେ କେତେ ଦିନରୁ ଉକୁଣୀ ଗୋଟିଏ ରହି ଆସୁଥାଏ । ସେ କେବଳ ରାଜାଙ୍କର ରକ୍ତପିଇ ଜୀବନ ବଞ୍ଚାଇଛି ।

ଏମିତି ଏକ ଦିନ ଆସିଲା ଯେ ଉକୁଣୀ ଭାଗ୍ୟରେ ଟଙ୍କା ପଶିଲା । ସେ ଟଙ୍କା ପୁଣି କ’ଣ ନା ଓଡ଼ଶଟିଏ । ଏପଟ ସେପଟ ହୋଇ ହୋଇ ବୁଲୁବୁଲୁ ରାଜାଙ୍କର ଘରଦ୍ୱାର ପରିଷ୍କାର ପରିଚ୍ଛନ ଦେଖି ପଶିଗଲା । ସେ ପୁଣି ଧିରେ ଧିରେ ଛପି ଛପିକା ଯାଇ ରାଜାଙ୍କର ପଲଙ୍କ ଗୋଡ଼ ଦେଇ ଯାଇ ପଶିଗଲା । ରାଜାଙ୍କର ଶଙ୍ଖ ମଲ ମଲ ଗଦି ଭିତରେ ।

google-tez-social
ସେତେବେଳକୁ ରାଜା ଶେଯରେ ନଥାଆନ୍ତି । ଚାଲାଖିଆ ଉକୁଣୀ ରାଜାଙ୍କର ପ୍ର୍ରାତଃ ଶଯ୍ୟା ପରିତ୍ୟାଗ କରିବା ଆଗରୁ ରାଜାଙ୍କର ମୁଣ୍ଡରୁ ବାହାରି ଆସି ପଲଙ୍କ ବାଡ଼ା ଉପରେ ବୁଲୁଥାଏ । ରାତିସାରା ତ ରାଜାଙ୍କ ମୁଣ୍ଡରୁ ରକ୍ତ ଶୋଷି ପେଟ ପୂର୍ଣ୍ଣ କରିଦେଇଛି । ଆଉ ଖାଇବା ପିଇବାର ଚିନ୍ତା ନାହିଁ । କିନ୍ତୁ ଯେ ଓଡ଼ଶ ତ ଆଜି ଆସି ବଇରୀ ହେଲା ।

ମନେ ମନେ ଓଡ଼ଶ ଉପରେ ବହୁତ କ୍ରୋଧ କଲା । ସହ୍ୟ କରିପାରିଲା ନାହିଁ । ଯେତେବେଳେ ଓଡ଼ଶ ପଲଙ୍କ ଉପରକୁ ଚଢ଼ିବାକୁ ଆରମ୍ଭ କଲା । ତାକୁ ଦେଖି ଉକୁଣି ଆକଟ କରିବା ଢ଼ଙ୍ଗରେ କହିଲା – ତୋର କେଡ଼େ ସାହସରେ! ମୁଁ ରାଜାଙ୍କ ପାଖରେ କେଜାଣି କେଉଁ କାଳରୁ ରହିଆସିଲିଣି, ତୋ ପରି ସଂସାରରେ କେତେ ତ ଜୀବ ଅଛନ୍ତି । କିରେ ୟେ ପରା ରାଜାଘର କଥା । ଭୟରେ କେହି ତ ଏଠାରୁ ଏପରି ଅକୁହା ଅପୋଛା ଚାଲି ଆସନ୍ତି ନାହିଁ । ତୋର ପୁଣି କିପରି ସାହସ ହେଲାଯେ, ସିଧାସିଧା ରାଜାଙ୍କର ପଲଙ୍କ ଉପରକୁ ଚାଲିଆସିଲୁ । ଆଚ୍ଛା ହେଉ । ରାଜା ଆସନ୍ତୁ ତୋର ବିଚାର ପଡ଼ିବ ।

ଉକୁଣୀ ଠାରୁ ଯେମିତି ଏକଥା ଶୁଣିଛି, ଓଡ଼ଶ ହାତଯୋଡ଼ି ପକାଇ କହିଲା -ଦେଖ ଭାଇ ଘରକୁ ଆସିଥିବା ଶତ୍ରୁଟି ଅତିଥି ପାଲଟି ଯାଆନ୍ତି । ହେଲେ ମୁଁ ତ ପଥଭୁଲି ଚାଲିଆସିଲି । ସେଥିଲାଗି ମୋର ଉପରେ ରାଗ ନକରି ବରଂ ମୋତେ ଅତିଥି ଭାବିବା ଉଚିତ୍ । କାରଣ ଶତ୍ରୁ ହେଲେ ବି ଏପରି ବ୍ୟବହାର କରିବା ଅନୁଚିତ୍ କଥା, ତୁମ୍ଭର ପାପ ହେବ । ବରଂ ତୁମ୍ଭର ଅତିଥି ସତ୍କାର କରିବା ଦରକାର । ଏହାନକରି ଆସିଥିବା ଅତିଥିଟିକୁ ଘରୁ ତଡ଼ି ଦେବା ଅଧର୍ମ ହେବ ।

ତୁମେ ତ ମୋର ସାନ ଭାଇ ସମାନ ଲାଗିବ । ତୁମକୁ ସତ କହିବା ଅବଶ୍ୟ ଭଲ । ସେଥିଲାଗି ତୁମ୍ଭଙ୍କୁ ସତ କହୁଛି; କାରଣ ଅସଲ ସତ୍ୟଟା ଜାଣି ପାରିଲେ ତୁମ ହୃଦୟରେ ନିଶ୍ଚୟ ମୋ ପ୍ରତି ଦୟା ଆସିବ ।

ଉକୁଣୀ କହିଲା – କହୁନା କ’ଣ କହିବାର ଅଛି?

ଓଡ଼ଶ କହିଲା – ମୁଁ ଏଠାକୁ ଆସିବା ଆଗରୁ ବହୁତ ସ୍ଥାନ ବୁଲି ଆସିଛି । ସେଥି ମଧ୍ୟରେ ବୟସ୍କ, ପିଲା ଆଉ ଯୁବକ, ଏମିତି ଅନେକ ଲୋକଙ୍କର ରକ୍ତ ଶୋଷି ସାରିଛି । ନିଜର କ୍ଷୁଧା ନିବାରଣ ନିମନ୍ତେ ସିନା ଯାର ନାହିଁ ତା’ର ସିନା ରକ୍ତ ପିଇଲି ହେଲେ ସେମାନଙ୍କର ରକ୍ତଗୁଡ଼ା କାହାର କଷା ତ କାହାର ମୋତେ ଆମ୍ବିଳା ଲାଗିଲା । ହେଲେ ଭାଇ ତୁମେ ତ ସଂସାରର ଖୁବ୍ ବଡ଼ ଲୋକ । ମାନ୍ୟଗଣ୍ୟ ଲୋକ! ରାଜାଙ୍କର ରକ୍ତ ପିଉଛ । ହେଲେ ସାଧାରଣ ମଣିଷର ରକ୍ତ ଠାରୁ ଜଣେ ରାଜାଙ୍କର ରକ୍ତର ସ୍ୱାଦ କିମିତିକା ତାହା ଯଦି ତୁମ୍ଭର ଦୟା ହେବ ତାହାହେଲେ ମୁଁ ଚାଖି ପାରନ୍ତି । ତୁମେ ମୋତେ ଏଥିପାଇଁ ଦୟାକରି ଅନୁମତି ଦେବ । ଆଉ ମଧ୍ୟ ସାହାଯ୍ୟ କରିବ । ଏତିକି ସୁବିଧା ପାଇଲେ ମୁଁ ମଧ୍ୟ ଅତିଥି ସାଥିଙ୍କୁ ଭାଇ ପାରି ଭାଇ ଗୋଟିଏ ହୋଇ ମଧ୍ୟ ରହିବି । କାରଣ ଆମ ଦୁହିଁଙ୍କର କାମ ତ ମଣିଷ ଠାରୁ ରକ୍ତ ଶୋଷିବା, ତେବେ ଦୟାକର । ଭାଇ ହୋଇ ତୁମ୍ଭ ସହ ରାଜାଙ୍କର ରକ୍ତର ସ୍ୱାଦ କିପରି ତାହା ମଧ୍ୟ ଚାଖିଯାଆନ୍ତି ।

ଏପରି ଓଡ଼ଶ ଉକୁଣୀକୁ ଅନେକ ମନ ଭୁଲାଣିଆ କଥା କହିଲା । ଏପରି କଥା ଓଡ଼ଶ କହିଲା ଯେ ଉକୁଣୀ ମଧ୍ୟ ଓଡ଼ଶ ପ୍ରତି ଥିବା ସମସ୍ତ ରାଗ କ୍ରୋଧ କଥାକୁ ଭୁଲିଗଲା । ଉକୁଣି ତହୁଁ କହିଲା, ମୁଁ ରାଜାଙ୍କର ରକ୍ତକୁ ଶୋଷିବା ସମୟରେ ବହୁ ସାବଧାନତା ସହିତ ଶୋଷିଥାଏ । କିପରି କହିଲ – ଏ ରାଜା ଭାରି କ୍ରୋଧୀ । ତା’ ପାଖରେ ଯିଏ ସାମାନ୍ୟ ଟିକିଏ ଦୋଷୀ ସେ ତାକୁ ସଙ୍ଗେ ସଙ୍ଗେ ପ୍ରାଣଦଣ୍ଡ ଆଦେଶ କରିଦିଏ । ସେଥିପାଇଁ ରାଜା ଯେତେବେଳେ ଖୁବ୍ ନିଦରେ ଶୋଇପଡ଼ିବ ସେତେବେଳେ ମୁଁ ଧିରେ ଧିରେ ଯାଇ ପଲଙ୍କ ବାଡ଼ରୁ ବାହାରି ଯାଇ ତା’ ମୁଣ୍ଡରେ ପଶିବି । ତା’ପରେ ଗୋଟିଏ ଜାଗାରେ ସ୍ଥିର ହୋଇ ପେଟ ପୂରିବା ଯାଏ ରକ୍ତ ଶୋଷିବି । ଯେତେବେଳେ ପାଆନ୍ତି ପ୍ରହର ହେବ ମୁଁ ଧିରେ ଧିରେ ରାଜାଙ୍କ ମୁଣ୍ଡରୁ ବାହାରି ଆସି ପୁଣି ଏହି ପଲଙ୍କ ବାଡ଼କୁ ପଳାଇ ଆସେ । ସେଥିପାଇଁ ଏତେଦିନ ହେଲା ମୁଁ ଏହି କାର୍ଯ୍ୟକୁ ଏତେ ସାବଧାନତାର ସହିତ କରିଚାଲିଛି ଯେ କେହି ମୋତେ ଦେଖିପାରନ୍ତି ନାହିଁ । ତେଣୁ ତୁମକୁ ସେମିତି ହୁସିଆର ହୋଇ କାର୍ଯ୍ୟ କରିବାକୁ ହେବ ।

ଉକୁଣୀ ତ ରାଜି ହୋଇ ଯାଇ ବନ୍ଧୁ ପରି ବ୍ୟବହାର କରୁଛି । ତାହା ଜାଣିଯିବା ପରେ ଓଡ଼ଶ ଟିକିଏ ମୁରୁକି ମୁରୁକି ହସିଲା । ତା’ ପରେ କହିଲା ଭାଇ, ତୁମେ ମୋ ବୁଦ୍ଧିକରା ଆଦୌ ଜାଣନା । ସେଥିପାଇଁ ଆଦୌ ବ୍ୟସ୍ତ ହୁଅ ନାହିଁ । ଦେଖିବ ନାହିଁ ମୁଁ କିପରି ଭାବରେ ମୋ କାର୍ଯ୍ୟକୁ ସଫଳ କରିବି ।

ବାସ୍ । ଦୁହିଁଙ୍କ ମଧ୍ୟରେ କଥା ଚାଲିଛି । ଏତିକିବେଳକୁ ରାଜା ଅନ୍ତପୁରକୁ ଆସିଲେ ଶୋଇବା ଲାଗି । ରାଜା ବିଶ୍ରାମ ନେବାକୁ ଯେମିତି ଶୋଇପଡ଼ିଛନ୍ତି ଓଡ଼ଶ ରାଜାଙ୍କର ଖୋଲା ଚେହେରାକୁ ଦେଖି ତଟସ୍ଥ ହୋଇଗଲା । ସେ ଶହ ଶହ ହଜାର ହଜାର ମନୁଷ୍ୟଙ୍କ ଠାରୁ ରକ୍ତ ଶୋଷିଛି, ହେଲେ ରାଜାଙ୍କର ଶରୀରର ତାଜା ରକ୍ତ ସତେ ଯେପରି ଆଖିକୁ ଜଳଜଳ ହୋଇ ଦେଖାଯାଉଛି । ଏପରି ରକ୍ତ କେତେଜଣ ବଡ଼ ବଡ଼ ମନ୍ତ୍ରୀ ଆଉ କର୍ମଚାରିମାନଙ୍କ ଶରୀରରେ ଦେଖିଥିଲେ ମଧ୍ୟ ରାଜାଙ୍କ ରକ୍ତ ସେମାନଙ୍କ ରକ୍ତ ତୁଳନାରେ ବେଶ୍ ଶୁଦ୍ଧ ପରି ଦେଖାଯାଉଛି । ଏପରି ଭାବରେ ଚିନ୍ତା କରି କରି ଆଉ ସମ୍ଭାଳି ହୋଇପାରିଲା ନାହିଁ । ଓଡ଼ଶ ତା’ ପାଟିରୁ ଖାଲି ରାଜାଙ୍କର ରକ୍ତ ପିଇବାକୁ ଲାଳ ଝରିଲା । ଏହାପରେ ଓଡ଼ଶ ଆଉ ସମୟ ନେଲା ନାହିଁ, ରାଜା ବିଛଣା ଧରିଛନ୍ତି କି ନାହିଁ ସଙ୍ଗେ ସଙ୍ଗେ ଓଡ଼ଶ ଯାଇ ପଲଙ୍କ ଉପରକ ଶେଜ ମଧ୍ୟରେ ପଶିଗଲା । ଆଉ ଲୋଭ ସମ୍ଭାଳି ନପାରି ରାଜାଙ୍କ ପିଠିକୁ କାମୁଡ଼ିବାକୁ ଲାଗିଲା ।

ରାଜା ତ ସେଙ୍ଗ ସେଙ୍ଗ ଶୋଇଥିଲେ । ସେତେବେଳକୁ ଆଖିକୁ ରାଜାଙ୍କର ନିଦ ଆସିନାହିଁ । ସେ ଜାଣିପାରିଲେ ଯେ ଗଦି ମଧ୍ୟରେ ଓଡ଼ଶ ଲୁଚିରହି କାମୁଡ଼ୁଛି । ସେଥିଲାଗି ସେ ସଙ୍ଗେ ସଙ୍ଗେ ପାଟିକରି ନଅରର ନିଯୁକ୍ତ ଚାକରମାନଙ୍କୁ ଡକାଇ ପଠାଇ କହିଲେ – ଦେଖ ଏହି ଗଦି ମଧ୍ୟରେ ଓଡ଼ଶଟିଏ ଆସି ପଶିଛି । ଯଥାଶୀଘ୍ର ତାହାକୁ ଖୋଜି ବାହାର କର, ଆଉ ତାକୁ ହତ୍ୟା କର ।

ରାଜାଙ୍କର ଏ ସମସ୍ତ ଆଦେଶକୁ ଓଡ଼ଶ ଯେତେବେଳେ ଗଦି ମଧ୍ୟରେ ଥାଇ ଜାଣିପାରିଲା ସେ ଉଦ୍ଧାର ପାଇବାର ମାର୍ଗ ସ୍ଥିର କରିବାକୁ ମଧ୍ୟ ଧୁରନ୍ଧର ଥିଲା। ସେ ସଙ୍ଗେ ସଙ୍ଗେ ପଲଙ୍କରେ ଥିବା ଯୋଡ଼େଇ ମଧ୍ୟରେ ଯାଇ ଲୁଚିଗଲା । କିନ୍ତୁ ନିରୀହ ଉକୁଣୀକୁ ଆଉ ସେତେବେଳେ କୌଣସି ବୁଦ୍ଧି ଆସିଲା ନାହିଁ । ସେ କୁଆଡ଼େ ଯାଇ ନପାରି ଚାକରମାନଙ୍କ ହସ୍ତରେ ଧରା ପଡ଼ିଗଲା । ଆଉ ମଧ୍ୟ ଚାକରମାନେ ଉକୁଣୀକୁ ନିର୍ମମ ଭାବରେ ହତ୍ୟା କରିଦେଲେ ।

ଦେଖ! ଏଠାରେ କେତୋଟି ବିଷୟ ଉପରେ ‘କୁ’ର ବିଚାର କରାଯାଇଛି । ସେଥି ମଧ୍ୟରୁ ବର୍ତ୍ତମାନର ମନ୍ତ୍ରୀ ଓ ରାଜାଙ୍କର ରକ୍ତ ସହିତ ସାଧାରଣ ମନୁଷ୍ୟମାନଙ୍କର ରକ୍ତର ଉଦାହରଣ, ଦ୍ୱିତୀୟଟି ହେଉଛି ଆଜିର ସମାଜରେ ଅନ୍ୟର ରକ୍ତ ଶୋଷିବାକୁ ଓଡ଼ଶ ଓ ଉକୁଣି ସମାନ ଅନେକ ବ୍ୟକ୍ତି ଅଛନ୍ତି । ତୃତୀୟତଃ ଏତେ ସହଜରେ ଜଣେ ଅପରିଚିତକୁ ସାହାଯ୍ୟ କଲେ ଓ ତାହାକୁ ବିଶ୍ୱାସ କରି ଗୃହରେ ରଖିଲେ ପ୍ରାୟତଃ ଫଳ ଏହିପରି ଭାବରେ ଭୋଗିବାକୁ ହୋଇଥାଏ ।