+100%-

ଖୁବ୍ ବିସ୍ତାରିତ ଅରଣ୍ୟ । ରାଜ୍ୟର ରାଜାଙ୍କର ଏହି ଅରଣ୍ୟଟି ହେଉଛି ନିଜର ପାରିଧି କରିବାର ସ୍ଥାନ । ମଝିରେ ମଝିରେ ରାଜା ସେହି ଜଙ୍ଗଲକୁ ପାରିଧି କରିବାକୁ ଯାଇଥାଆନ୍ତି । ମନ ଖୁସିରେ ବାର୍ହା, ହରିଣ, ଖୁରଙ୍ଗ ଯାହାହେଲେ ଜନ୍ତୁଟିଏ ଶିକାର କରିଦେଲେ ବେଶ୍ ମନ ଆନନ୍ଦରେ ରାଜ ନଅରକୁ ଫେରି ଆସନ୍ତି ।

ସେହି ଅରଣ୍ୟଟି ଖୁବ୍ ବିସ୍ତୀର୍ଣ୍ଣ ଦେଖି ହାତୀଗୁଡ଼ିଏ ପିଲାଛୁଆ ଧରି ନିର୍ଭୟରେ ରହନ୍ତି । ଦଇବ ଯୋଗକୁ ଲାଗ ଲାଗ ବର୍ଷା ହେଲା ନାହିଁ । ଅରଣ୍ୟ ମଧ୍ୟରେ ପୋଖରୀ, ହ୍ରଦ, ଝରଣାରେ ଆଉ ପାଣି ରହିଲା ନାହିଁ । ହାତୀମାନେ ପାଣି ବିନା ଡହଳବିକଳ ହୋଇପଡ଼ିଲେ । କ’ଣ କରିବେ? ସବୁ ନ ମିଳିଲେ ଚଳିବ, ହେଲେ ପାଣି ବିନା ଜୀବ କେଉଁ ବଞ୍ଚି ପାରିବ ଯେ? ସେଥିପାଇଁ କୁହନ୍ତି ଜଳ ହିଁ ଜୀବନ ।

ଏପରି ଭାବନା ମଧ୍ୟରେ ହାତୀମାନେ ବିଚାର କଲେ – ତା’ପରେ ସେମାନେ ଭାବିଲେ ସିଧା ଯାଇ ଆମ ମୁରବୀ ହାତୀ ରାଜା ନିକଟରେ ଏକଥା କହିବା । ଦେଖିବା ସେ ଆମ ପାଇଁ କି ବିଚାର କରୁଛନ୍ତି ।

ଏ ପ୍ରକାର ବିଚାର ନେଇ ସବୁଯାକ ହାତୀ ଏକାଠି ହୋଇ ସେଦିନ ହାତୀ ରାଜାଙ୍କ ପାଖରେ ପହଞ୍ଚି ସମସ୍ତ କଥା କହିବାରୁ ହାତୀ ରାଜା କହିଲେ ନିଶ୍ଚୟ ଏହାର ଉପାୟ ଆମକୁ ଚିନ୍ତା କରିବାକୁ ହେବ । ତେଣୁ ଆସନ୍ତା କାଲି ପ୍ରାତଃକାଳରୁ ଆମ୍ଭେମାନେ ଜଳ ଅନ୍ୱେଷଣରେ ବାହାରିବା । ଯେଉଁଠି ହେଲେ ଆମେ ଜଳର ସନ୍ଧାନ ପାଇବା ।

google-tez-social
ହାତୀ ରାଜାଙ୍କର ଆଦେଶ କ୍ରମେ ସମସ୍ତେ ତା’ ପରଦିନ ସକାଳ ହେବାରୁ ଏକାଠି ହୋଇ ଜଳ ଅନ୍ୱେଷଣରେ ବାହାରିଗଲେ । ଏହିପରି ଯାଉ ଯାଉ ସମସ୍ତେ ଗୋଟିଏ ସ୍ଥାନରେ ପହଞ୍ଚି ଦେଖିଲେ ଯେ ସେଠାରେ ଗୋଟିଏ ବଡ଼ ପୁଷ୍କରିଣୀ ଅଛି । ଯେଉଁ ପୁଷ୍କରିଣୀରେ କୁଆ ଆଖି ପରି ପରିଷ୍କାର ଜଳ । ଜଳକୁ ଦେଖି ସମସ୍ତେ ଆନନ୍ଦ ହୋଇଯାଏ ସଙ୍ଘବଦ୍ଧ ଭାବେ ସେହି ପୁଷ୍କରିଣୀରେ ପଶି ବୁଡ଼ି ରହିଲେ । ସେମାନେ ସେହି ଜଳରେ ତିନି ରାତି ବୁଡ଼ି ରହିବା ପରେ ବାହାରି ପୁଣି ନିଜ ସ୍ଥାନକୁ ଚାଲିବାକୁ ଆରମ୍ଭ କଲେ ।

ହାତୀମାନଙ୍କର ଦଳଗତ ଚାଲିବା ମଧ୍ୟରେ ରାସ୍ତାରେ ତାଙ୍କରି ପାଦତଳେ ଅନେକ ଠେକୁଆ ଦଳିହୋଇ ମରିଗଲେ । ଠେକୁଆମାନଙ୍କର ହାଡ଼ମାନ ଭାଙ୍ଗି ଚୁର୍ମାର ହୋଇଗଲା । ଆଉ ମଧ୍ୟ କେତେକ ଅଧାମରା ହୋଇ ରହିଗଲେ । ଏହାପରେ ହାତୀମାନେ ସମସ୍ତେ ଚାଲିଯିବାରୁ ଯେଉଁ କେତେକ ଠେକୁଆ ଥିଲେ ସେମାନେ ସମସ୍ତେ ବାହାରକୁ ବାହାରି ଆସି ଚିନ୍ତା କରିବାକୁ ଲାଗିଲେ । ଜଳ ଅଭାବରୁ ହାତୀମାନେ ଜଳ ସନ୍ଧାନ କରି କରି ଏଠାରେ ଆସି ପହଞ୍ଚି ଏକ ବଡ଼ ପୁଷ୍କରିଣୀ ଅନ୍ୱେଷଣ କରିଗଲେଣି । ଏବେ ପ୍ରତିଦିନ ତ ସେମାନେ ଏଇ ପଥରେ ଆସିବେ । ପ୍ରତିଦିନ ଏହିପରି ଆମ ଠେକୁଆ ବଂଶ ଉପରେ ଦଳି ମକଚି ଚାଲିଯିବେ । କିଛିଦିନ ପରେ ଆମ୍ଭମାନଙ୍କର ବଂଶ ଲୋପ ପାଇଯିବ ।

ଏମିତି ଭାଳେଣୀ ମଧ୍ୟରେ ସବୁ ଠେକୁଆଙ୍କର ମୁଣ୍ଡ ବିଗିଡ଼ିଗଲା । ଏଥିପାଇଁ କି ଉପାୟ ସେମାନେ କରିବେ ସେହି ଚିନ୍ତାରେ ପଡ଼ି ବିଚାର କଲେ । ସେତେବେଳେ ଗୋଟିଏ ହେଲେ ଠେକୁଆ ଆଗକୁ ବାହାରି କିଛି କହିପାରିଲେ ନାହିଁ କି ଏଥିପାଇଁ ସାଧାରଣ ଗୋଟାଏ ଉପାୟ ମଧ୍ୟ ସ୍ଥିର କରିପାରିଲେ ନାହିଁ ।

ଏମିତି ଠେକୁଆମାନଙ୍କ ବିଚାରରେ ବହୁ ସମୟ ବିତିଗଲା । ସେମାନଙ୍କ ମଧ୍ୟରେ ଗୋଟିଏ ବୟସ୍କ ବୁଢ଼ା ଠେକୁଆ ଥିଲା । ସେ ଅନେକ କିଛି ଚିନ୍ତା କରିସାରିବା ପରେ କହିଲା – ତୁମ୍ଭେମାନେ ଏବେ ମନ ମଧ୍ୟରୁ ଏହି ବିପଦକୁ ଘୁଞ୍ଚାଇଦିଅ । ମୁଁ ନିଶ୍ଚୟ ଏହାର ଉପାୟ ସ୍ଥିର କରିବି ।

ଠେକୁଆମାନେ ବୁଢ଼ା ଠେକୁଆ ଠାରୁ ଏମିତି ଗୋଟାଏ ଭରସା ପାଇ ଛାତିରେ ଦମ୍ଭ ଧରିଲେ । କଥା ହେଲା ଆସନ୍ତାକାଲି ସକାଳ ହେଲେ ସେ ହାତୀମାନଙ୍କର ରାଜାଙ୍କ ନିକଟରେ ଯାଇ ପହଞ୍ଚିବେ । ତା’ପରେ ସେଠାରେ ଯାଇ ସେ ତାଙ୍କର ବୁଦ୍ଧି ଖଟାଇ ଏହାର ନିରାକରଣ ବ୍ୟବସ୍ଥା କିପରି ହୋଇପାରିବ ତାହାର ବ୍ୟବସ୍ଥା କରିବେ ।

ସମସ୍ତଙ୍କର ସମ୍ମତି ଏଥିପାଇଁ ମିଳିଲା । ତା’ପରଦିନ ସକାଳ ହୁଅନ୍ତେ ସଜବାଜ ହୋଇ ବୁଢ଼ା ଠେକୁଆ ବାହାରିଗଲା । ହାତୀରାଜାଙ୍କୁ ଦର୍ଶନ କରିବା ନିମନ୍ତେ । ଯାହାହେଉ କଷ୍ଟକରି ବୁଢ଼ା ଠେକୁଆ ରାଜାଙ୍କୁ ଯାଇ ସାକ୍ଷାତ କଲା । ଦୂରରୁ ଥାଇ ପ୍ରଣାମ ଜଣାଇ ଆପତ୍ତି କଲା କି ମୁଁ ଚନ୍ଦ୍ରମା ରାଇଜରୁ ଆସିଅଛି । କାରଣ ଚନ୍ଦ୍ରମା ରାଜାଙ୍କର ମୁଁ ଦୂତ ଅଟେ । ଚନ୍ଦ୍ରମା ଆପଣଙ୍କ ନିକଟକୁ କିଛି ସମ୍ବାଦ ଦେଇ ପଠାଇଛନ୍ତି ।

ବୁଢ଼ା ଠେକୁଆ ଠାରୁ ଚନ୍ଦ୍ରମା ରାଜାଙ୍କ କଥା ଶୁଣି ହାତୀ ରାଜା ଚମକି ପଡ଼ିଲା । ଆଉ ମଧ୍ୟ ତା’ର ମନ ମଧ୍ୟରେ ଭୟ ବି ଆସିଗଲା । ତାକୁ ସେ ଭୟଭୀତ କଣ୍ଠରେ କହି ପକାଇଲା – ଚନ୍ଦ୍ରମା ରାଜା ମୋ ପାଖକୁ କେଉଁ ସମ୍ବାଦ ଦେଇ ପଠାଇଛନ୍ତି ଶୀଘ୍ର କୁହନ୍ତୁ । ମୋ ପ୍ରତି କି ଆଦେଶ ହୋଇଛି ।

ଏଥର ବୁଢ଼ା ଠେକୁଆ ହାତୀର ମନୋଭାବରୁ ଜାଣିପାରିଲା ଯେ ଏଇ କଥାରେ ହାତୀର ମନ ମଧ୍ୟରେ ଭୟ ଆସିଯାଇଛି । ହାତୀର କହିବା ମାତ୍ରେ ଠେକୁଆ କହିଲା ଚନ୍ଦ୍ରମା ରାଜାଙ୍କର ଆପଣଙ୍କୁ ଆଦେଶ ହୋଇଅଛି ଯେ ଆପଣ କ’ଣ ଜାଣିପାରୁନାହାଁନ୍ତି ଯେ ସେହି ପୁଷ୍କରିଣୀ କୂଳରେ ମୋର ବହୁ ପରିବାର କୂଳ କୁଟୁମ୍ବ ବାସ କରୁଛନ୍ତି । ଆପଣଙ୍କ ବଂଶ ପରିବାର ସାଙ୍ଗସାଥି ସେହି ପୁଷ୍କରିଣୀକୁ ଯିବା ପଥରେ ସେମାନଙ୍କର ବହୁତ କ୍ଷୟକ୍ଷତି କରି ପକାଉଛନ୍ତି । ଏକଥା ଜାଣିବା ପରେ ଚନ୍ଦ୍ରମା ଦେବତା ବହୁ କ୍ରୋଧ ହୋଇ ମୋତେ ଏଠାକୁ ପଠାଇଲେ । ଆଜି ଠାରୁ ଆପଣ କିମ୍ବା ଆପଣଙ୍କ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନମାନେ ଯେପରି ସେଠାକୁ ନ ଯାଆନ୍ତି ସେଥିଲାଗି ସାବଧାନ ହେବେ ।

ଠେକୁଆ ଠାରୁ ଏକଥା ଶୁଣିବା ପରେ ହାତୀ ରାଜା ବେଶ ଆତୁର ହୋଇପଡ଼ିଲା । ସେ ଭୟଭୀତ ସ୍ୱରରେ କହିଲା -ଦୟାକରି ଆପଣ ମୋତେ ଥରେ ଚନ୍ଦ୍ରମା ଦେବତାଙ୍କୁ ଦର୍ଶନ କରାଇଦେଲେ ମୁଁ ଶାନ୍ତି ପାଇଯାଆନ୍ତି ଆଉ ମଧ୍ୟ ଚନ୍ଦ୍ରମା ରାଜା କରିଥିବା ଆଦେଶକୁ କଡ଼ାକଡ଼ି ଭାବରେ ପାଳନ କରିବି ।

ବୁଢ଼ା ଠେକୁଆ କହିଲା – ଠିକ୍ ଅଛି । ତାହାହେଲେ ଆପଣ ଏବେ ମୋ ସାଥିରେ ଆସନ୍ତୁ । ମୁଁ ଆପଣଙ୍କୁ ଚନ୍ଦ୍ରମା ରାଜାଙ୍କର ଦର୍ଶନ କରାଇଦେଇ ପାରିବି । ତା’ପରେ ଆପଣ ଚନ୍ଦ୍ରମା ଦେବତାଙ୍କ ଦର୍ଶନ କରି ଚାଲିଆସିବେ ।

ସେତେବେଳକୁ ସନ୍ଧ୍ୟା ହୋଇ ଆସୁଥାଏ । ପୂର୍ଣ୍ଣିମା ଜହ୍ନ ପୁଷ୍କରିଣୀ ଉପରେ ପଡ଼ୁଥାଏ । ଠେକୁଆ ସହ ହାତୀ ରାଜା ଯାଇ ସେହି ପୁଷ୍କରିଣୀ ନିକଟରେ ପହଞ୍ଚିଗଲା । ଠେକୁଆ କହିଲା – ହେ ହାତୀ ରାଜା ଆମର ଚନ୍ଦ୍ରମା ଦେବତା ବର୍ତ୍ତମାନ ଆସି ଏହି ପୁଷ୍କରିଣୀ ମଧ୍ୟରେ ଅବସ୍ଥାନ କରୁଛନ୍ତି । ଆପଣ ଏବେ ଚନ୍ଦ୍ରମା ରାଜାଙ୍କର ଦର୍ଶନ କରନ୍ତୁ ।

ଆକାଶରେ ପୂର୍ଣ୍ଣମୀ ରାତ୍ରର ଚାନ୍ଦର ପ୍ରତିବିମ୍ବ ପୁଷ୍କରିଣୀ ମଧ୍ୟରେ ପଡ଼ିଥାଏ । ହାତୀରାଜା ପୁଷ୍କରିଣୀ ମଧ୍ୟରେ ଚନ୍ଦ୍ରମାକୁ ଦର୍ଶନ କରି ମହା ଆନନ୍ଦ ଅନୁଭବ କରି କହିଲା – କାଲିଠାରୁ ଆମେ ଆଉ ଏହି ପୁଷ୍କରଣୀକୁ ଆସିବୁ ନାହିଁ । ଏହାକହି ହାତୀ ରାଜା ଚାଲିଯାଆନ୍ତେ ଠେକୁଆମାନେ ଶାନ୍ତିରେ ନିଃଶ୍ୱାସ ମାରିଲେ । ବୁଢ଼ା ଠେକୁଆର ଉପସ୍ଥିତି ବୁଦ୍ଧି ଯୋଗୁ ସମସ୍ତ ଠେକୁଆଙ୍କ କୂଳ ସମସ୍ତ ବିପଦରୁ ରକ୍ଷା ପାଇଗଲା ।