+100%-

ମୁକୁନ୍ଦନଗର ନାମକ ଏକ ସହର ଥିଲା । ସେହି ସରରରେ ଜଣେ ପଣ୍ଡିତ ବାସ କରୁଥିଲେ । ଆଜି କାଲିକା ଯୁଗ ଯେ ଓଲଟା ହୋଇଗଲା, ଦେବତା ବ୍ରାହ୍ମଣମାନଙ୍କୁ ଆଉ ଲୋକେ ମାନିଲେ ନାହିଁ । ଦେବତାଙ୍କ ପୂଜା କରିବାକୁ ହେଲେ ତ ବ୍ରାହ୍ମଣ ପଣ୍ଡିତମାନଙ୍କର ଲୋଡ଼ା । ଲୋକେ ତ ଦେବତା ମାନିଲେ ନାହିଁ । ବ୍ରାହ୍ମଣମାନଙ୍କୁ କାହିଁକି ଖୋଜିବେ ବା ମାନିବେ, ଏଥିପାଇଁ ପଣ୍ଡିତେ ଧନ ରୋଜଗାର କରିବାରେ ବହୁତ ହଇରାଣ ହେଲେ । ଦୁଇଓଳି ଦୁଇ ମୁଠା ପରିବାରର ଲୋକଙ୍କୁ ଖାଇବାକୁ ଦେଇ ପାରିଲେ ନାହିଁ,ଏହାଦ୍ୱାରା ଗୃହରେ ସଦାସର୍ବଦା ଅଶାନ୍ତି ଦେଖାଦେଲା । ଛୁଆଙ୍କର ବିକଳ ଭୋକା ମୁହଁକୁ ଦେଖି ପଣ୍ଡିତ ଆଉ ସହ୍ୟ କରିପାରିଲେ ନାହିଁ । ସେହିଯୋଗୁଁ ନିରୂପାୟ ହୋଇ ଶେଷରେ ଅନ୍ୟ ପନ୍ଥାଟିଏ ବାଛି ନେଲେ – ଏହାପରେ ସମସ୍ତଙ୍କର ଅଜଣାରେ ନାନା ପ୍ରକାର ଚୋରୀ କାର୍ଯ୍ୟରେ ଲିପ୍ତ ହୋଇଗଲେ ସତ ହେଲେ ଲୋକଙ୍କ ଆଗରେ ସେ ପଣ୍ଡିତ ବୋଲି ପରିଚୟ ଦେଇ ଚାଲିଲେ ।

ଦିନକର କଥା । ପଣ୍ଡିତେ ଜାଣିବାକୁ ପାଇଲେ ଯେ, ତାଙ୍କରି ସହରକୁ ଚାରିଜଣ ବ୍ରାହ୍ମଣ ଆସିଛନ୍ତି । ସ୍ୱଜାତି ହେଲେ ସେମାନେ କ’ଣ ସହରରେ ଯେଜମାନି କାର୍ଯ୍ୟ କରିବେ ନା’ କ’ଣ? ତାହା ଯଦି ସତ୍ୟ ହୋଇଯାଏ ତାହାହେଲେ ନିଜର ଭେଳାକ ବୁଡ଼ିଲା । ସହଜେ ତ ଲୋକେ ଦେବତା ବ୍ରାହ୍ମଣଙ୍କର ପୂଜା କରୁନାହାଁନ୍ତି । କାଁ ଭାଁ କେତେବେଳେ ଗୋଟାଏ କର୍ମ ପଡ଼ିଗଲେ ଏହି ପଣ୍ଡିତଙ୍କୁ ଲୋଡ଼ିଥାଆନ୍ତି । ଏମାନେ ଯଦି ସେ ସମସ୍ତ କାମ ତୁଲାଇଦେବେ ତାହାହେଲେ ପିଲା ଛୁଆମାନେ ମୋର ଠୋ ଠୋ ଠି ହୋଇ ଯିବେ ।ଏପରି ଭାବି ପଣ୍ଡିତେ ସେହି ପଣ୍ଡିତମାନଙ୍କର ଅନ୍ୱେଷଣରେ ରହିଲେ ।

google-tez-social
ଯାହାହେଉ ଅନ୍ୱେଷଣ କରୁ କରୁ ବ୍ରାହ୍ମଣମାନଙ୍କୁ ପାଇଗଲେ, ସେମାନଙ୍କ ସହ ଆଳାପ ଆଲୋଚନା କରି ଶେଷରେ ଜାଣି ପାରିଲେ ଯେ ବାସ୍ତବରେ ଏହି ବ୍ରାହ୍ମଣମାନେ ପଣ୍ଡିତ ନୁହଁ ଏମାନେ ବ୍ୟବସାୟ କରିବାକୁ ସହରକୁ ଆସିଛନ୍ତି । ଏହାପରେ ପଣ୍ଡିତେ ସେମାନଙ୍କ ସହିତ ମିଶିଲେ । ଏହି ମିଶିବା ମଧ୍ୟରେ ପଣ୍ଡିତ ଜାଣିବାକୁ ପାଇଲେ ବ୍ରାହ୍ମଣମାନେ ବେପାର କରି ବହୁତ ଧନ ରୋଜଗାର କରୁଛନ୍ତି ।

ଏହା ଦେଖି ପଣ୍ଡିତ ମୁଖରୁ ଲାଳ ବୋହିଲା । ତହୁଁ ନିଜର କୁ-ପ୍ରକୃତି ସଦାସର୍ବଦା ପଣ୍ଡିତଙ୍କ ମନକୁ ଘାଣ୍ଟିଲା । ଶେଷରେ ସେ କଳେବଳେ କୌଶଳେ ସେହି ବ୍ରାହ୍ମଣମାନଙ୍କର ଅତି ପାଖଲୋକ ବା ଆପଣାର ପରି ହୋଇଯିବାରୁ ଦିନେ ପଣ୍ଡିତେ ସେମାନଙ୍କୁ କହିଲେ – ଦେଖ ଭାଇମାନେ! ମୁଁ ମଧ୍ୟ ତୁମମାନଙ୍କର ପରି ଜଣେ ବ୍ରାହ୍ମଣ, ତୁମମାନଙ୍କ ସହିତ ମୋର ତ ଅତି ପରିଚୟ ହୋଇଗଲାଣି ମୋର ମଧ୍ୟ ମନ କରୁଛି ତୁମ ପାଖରେ ରହି ଦି’ ପଇସା ରୋଜଗାର କରନ୍ତି ତୁମେମାନେ ଦୟାକଲେ ହେଲା ।

ସେମିତି ବ୍ରାହ୍ମଣମାନେ ମଧ୍ୟ ଭାବିଲେ – ହଁ – ଆମରି ସ୍ୱଜାତି ବିଚାରା, ଆମ ସହିତ ରହି କାର୍ଯ୍ୟ କରୁ । ମାସକୁ ମାସ କିଛି ପଇସା ଦେଇଦେବା । ଏହିପରି ଭାବରେ ପଣ୍ଡିତେ ସେହି ବ୍ରହ୍ମଣମାନଙ୍କ ପାଖରେ ଚାକର ପରି କାର୍ଯ୍ୟ କଲା ।

କିନ୍ତୁ ପଣ୍ଡିତେ ତ ଖୁବ୍ ଲୋଭୀ ଥିଲେ – ସେ ମନେ ମନେ ଭାବିଲେ ଏମିତି କିଛିଦିନ ରହିଗଲାପରେ ସୁଯୋଗ ଦେଖି ବ୍ୟବସ୍ଥା କରିବାକୁ ହବ। ଯେତେବେଳେ ଏମାନେ ବହୁତ ଧନ ରୋଜଗାର କରି ସାରିବେ । ତା’ପରେ କଳେବଳେ କୌଶଳେ ସେମାନଙ୍କୁ ହତ୍ୟାକରି ସମସ୍ତ ରୋଜଗାର ଟଙ୍କାକୁ ଧରି ଚାଲିଯିବି ।

ମନ ମଧ୍ୟରେ ଏପରି କୁ-ଚିନ୍ତା ପଣ୍ଡିତଙ୍କ ମନ ମଧ୍ୟରେ ଥାଏ । ସେମାନଙ୍କ ସହ ଅତି ଆପଣାର ଭାବରେ ପଣ୍ଡିତେ ଚଳୁଥାଆନ୍ତି । ଚାହୁଁ ଚାହୁଁ ବର୍ଷେ ଗୋଟିଏ ବିତିଗଲା । ଦିନେ ରାତିରେ ଚାରିଜଣଯାକ ବିଚାର କଲେ ଯେ ଏଥର ନିଜ ଦେଶକୁ ପଳାଇଯିବା ।ଏତେ ଗୁଡାଏ ଟଙ୍କା ପାଖରେ ରଖି ଏଠାରେ ବେପାର କରିବା ବିପଦ । ଏହାପରେ ସେମାନେ ସମସ୍ତେ ପଇସାପତ୍ର ବାହାର କରି ଗଣାଗଣି କଲେ ଗୋଟିଏ ଗଣ୍ଠିଲି କରି ବାନ୍ଧି ରଖିଲେ ।

ଏହାପରେ ସମସ୍ତେ ଗ୍ରାମକୁ ଯିବାକୁ ବାହାରନ୍ତେ – ପଣ୍ଡିତେ ସେମାନଙ୍କୁ କହିଲେ – ଏତେ ଦିନ ଧରି ମୁଁ ଆପଣମାନଙ୍କ ସାଥିରେ ଥିଲି । ଆପଣମାନେ ଗ୍ରାମକୁ ଚାଲିଗଲେ ମୋତେ ଆଉ ଭଲ ଲାଗିବ ନାହିଁ । ଦୟାକରି ମୋତେ ଆପଣମାନଙ୍କ ସାଥିରେ ନିଅନ୍ତୁ ।

ପଣ୍ଡିତଙ୍କ ଆଖିରୁ ମିଛି ମିଛିକା ଲୁହ ଗଡ଼ି ପଡ଼ିଲାରୁ ବ୍ରାହ୍ମଣମାନେ ପଣ୍ଡିତଙ୍କୁ ସାଙ୍ଗରେ ନେଇ ନିଜ ଦେଶକୁ ଚାଲିଲେ । ସମସ୍ତେ ସାଥି ହୋଇ ଚାଲିଥାଆନ୍ତି । ଯିବା ମଧ୍ୟରେ ପଣ୍ଡିତେ ନିଜ ମନ ମଧ୍ୟରେ ସେମାନଙ୍କୁ କିପରି ମାରି ଧନତକ ଧରି ନିଜ ଘରକୁ ଫେରି ଆସିବେ ସେହି ଚିନ୍ତାରେ ଥାଆନ୍ତି ।

ଯାଉ ଯାଉ ଯିବା ରାସ୍ତାରେ ଗୋଟିଏ ଗ୍ରାମ ପଡ଼ିଲା । ସେହି ଗ୍ରାମଟି ଗୋଟିଏ ଅଦ୍ଭୂତ ଗ୍ରାମ । ଗ୍ରାମରେ ସମସ୍ତଙ୍କ ଘରେ ଗୋଟିଏ ଗୋଟିଏ ଶୁଆ ଥାଆନ୍ତି । ଧନ ରତ୍ନ ଅସ୍ତ୍ରଶସ୍ତ୍ର ଯେ କେହି ଗୋପନରେ ଧରି ସେହି ଗ୍ରାମ ଦେଇଯାଆନ୍ତି ଶୁଆମାନେ ଖୁବ୍ ଜୋର୍ରେ ବୋବାଳି ପକାଇ ନିଜର ମାଲିକମାନଙ୍କ ସୂଚାଇ ଦିଅନ୍ତି ।

ସେଦିନ ଠାରୁ ସେୟା ହେଲା! ବ୍ରାହ୍ମଣମାନଙ୍କ ନିକଟରେ ଏତେ ଗୁଡାଏ ପଇସା ଥିବା ସଂକେତ ଶୁଆମାନେ ଲୋକଙ୍କୁ ଜଣାଇ ଦେବାରୁ ଗ୍ରାମଟା ସାରା ଲୋକେ ଆସି ପଥରେ ଚାଲି ଚାଲି ଯାଉଥିବା ପାଞ୍ଚଚଣ ବ୍ରାହ୍ମଣଙ୍କୁ ଘେରିଯାଇ ତମେମାନେ କ’ଣ ସବୁ ଏଠି ଗଣ୍ଠିଲି ମଧ୍ୟରେ ରଖିଛ ଆମକୁ ଦେଖାଅ ବୋଲି କହିବାରୁ ବ୍ରାହ୍ମଣମାନେ ସଙ୍ଗେ ସଙ୍ଗେ ଗଣ୍ଠିଲି ଖୋଲି ଦେଖାଇ ଦେଲେ । ହେଲେ ସେମାନେ ପଇସା ପତ୍ରକୁ ଏପରି ସ୍ଥାନରେ ରଖିଦେଲେ ଯେ ତାହାକୁ ଗ୍ରାମବାମୀମାନେ ଆଦୌ ଦେଖି ପାରିଲେ ନାହିଁ । ତେବେ ଶୁଆମାନଙ୍କର ସଂକେତ କେବେ ମଧ୍ୟ ମିଥ୍ୟା ହେବ ନାହିଁ! ଏକଥା ସେ ଭଲଭାବେ ଜାଣି ସାରିଛନ୍ତି । ସେମାନେ ପୁଣି ଜିଦ୍ ଧରିଲେ ଏ ଗଣ୍ଠିଲି ମଧ୍ୟରୁ ସିନା ଆମେ କିଛି ପାଇଲୁ ନାହିଁ ହେଲେ ତୁମେମାନେ ତୁମ ଦେହ ମଧ୍ୟରେ ସେହି ଧନକୁ ନିଶ୍ଚୟ ଲୁଚାଇ ରଖିଛ । ଆମେ ତୁମ ଦେହରୁ ଖଣ୍ଡ ଖଣ୍ଡ କରି ଦେଖିବୁ ।

ଏପରି କଥା ଶୁଣିବାମାତ୍ରେ ପଣ୍ଡିତଙ୍କର ଲୋଭ ଅସମ୍ଭାଳ ହେଲା । ଏମାନେ ତ ଏପରି ଜିଦ୍ ଧରିଲେଣି ନିଶ୍ଚୟ ମୋତେ ସେମାନେ ଯା ନାଇଁ ତାହା କରିଯିବେ । ସେମାନେ ଯଦି କୌଣସି ପ୍ରକାରେ ଧନତକ ପାଇଯିବେ ତାହା ହେଲେ ମୋର ସବୁ ତକ ଆଶା ପଣ୍ଡୁ ହୋଇଯିବ । ତହୁଁ ପଣ୍ଡିତ ଭାବିଲେ ମୋ ପାଖରେ ତ ସତରେ ପଇସାପତ୍ର ନାହିଁ । ମୁଁ ଯଦି କହେ ମୋ ଦେହସାରା ଖୋଜଯେ ଧନ କେଉଁଠାରେ ଅଛି ସେମାନେ କ’ ଣ ସତରେ କାଟିକୁଟି ଖଣ୍ଡ ଖଣ୍ଡ କରି ପକାଇବେ । ବରଂ ମୋ କଥାକୁ ବିଶ୍ୱାସ କରି ନିଜ ନିଜ ଘରକୁ ଫେରିଯିବେ । ତା’ପରେ ମୁଁ ମୋର କାର୍ଯ୍ୟ କରିବି ।

ମନ ମଧ୍ୟରେ ଏହିପରି ଭାବି ପଣ୍ଡିତେ ଗ୍ରାମବାସୀଙ୍କୁ ସେହି କଥା କହିଲା – ଆପଣମାନଙ୍କର ଯଦି ଅବିଶ୍ୱାସ ହେଉଛି ତାହାହେଲେ ଆପଣମାନେ ମୋ ଶରୀରକୁ ଆଗ ପରୀକ୍ଷା କର । କାରଣ ଆମେମାନେ ବ୍ରାହ୍ମଣ । ଆମମାନଙ୍କ ଠାରେ ସତ ଥିବାରୁ ଏ ଯୁଗ ଚଳୁଛି ।

ଗ୍ରାମବାସୀଙ୍କର ଧାରଣା ତ ଶୁଅମାନେ କେବେ ମିଥ୍ୟା କହିବେ ନାହିଁ । ସେଥିଲାଗି ଚୋର ପଣ୍ଡିତକୁ କାଟି ଟିକି ଟିକି କରି ଦେଲେ । ହେଲେ ଚୋର ପଣ୍ଡିତ ପାଖରେ ତ ସତରେ ଧନ ନଥିଲା । ତେଣୁ କିଛି ଧନ ନ ପାଇବାରୁ ବ୍ରାହ୍ମଣମାନଙ୍କ କଥାକୁ ସତ୍ୟଭାବି ସେମାନେ ଅନ୍ୟ ବ୍ରାହ୍ମଣମାନଙ୍କୁ ଛାଡ଼ିଦେଲେ ।

ପଣ୍ଡିତ ନିଜ କପଟ ଏବଂ ଲୋଭ ର ଫଳ ପାଇଲେ।