+100%-

ଏକ ସମୁଦ୍ର କୂଳରେ ଗୋଟିଏ ଜାମୁ ବୃକ୍ଷ ଥିଲା । ସେହି ଜାମୁ ବୃକ୍ଷରେ ବର୍ଷକ ବାର ମାସ ଜାମୁକୋଳି ଫଳ ଫଳୁଥିଲା । ଗଛଟିରେ ସଦାସର୍ବଦା ଫଳ ଫଳୁଥିବା ଦେଖି ସେହି ଗଛଟିକୁ ନିଜଲାଗି ଉତ୍ତମ ପାଇ ରକ୍ତମୁଖ ନାମକ ବାନର ସେଠାରେ ବାସ କରିବାକୁ ଲାଗିଲା ।

ଏମିତି କିଛିଦିନ ରକ୍ତମୁଖ ବାନର ସେହି ବୃକ୍ଷରେ ରହିବା ପରେ ସମୁଦ୍ରରେ ବାସ କରୁଥିବା ବିରାଳମୁଖ ନାମକ ଏକ କୁମ୍ଭୀର ନିଜ ଲାଗି ଏକ କୋମଳପ୍ରାୟ ବାଲୁକା ଶେଜ ଖୋଜୁ ଖୋଜୁ ଆସି ସେହିଠାରେ ହିଁ ପହଞ୍ଚିଗଲା । ସେତେବେଳେ ଜାମୁ ଗଛରେ ରହୁଥିବା ରକ୍ତମୁଖ ବାନର ସହିତ ତା’ର ପରିଚୟ ହେଲା । ଏହାପରେ ରକ୍ତମୁଖ ବାନର କହିଲା, ତୁମେ ମୋ ପାଖରେ ଆସି ପହଞ୍ଚିଥିବା ଜଣେ ଅତିଥି । ମୋର ଏହି ବୃକ୍ଷରେ ଫଳୁଥିବା କୋଳି ଅମୃତ ତୁଲ୍ୟ, ତେଣୁ ସେହି ଜାମୁକୋଳି ଦେଉଛି ତୁମେ ଖାଅ ।

ଏଠାରେ ରକ୍ତମୁଖ ବାନର ବିରାଳମୁଖ କୁମ୍ଭୀରକୁ ନିଜର ଅତିଥି ଭାବରେ ସ୍ୱୀକାର କରିଛି । କାରଣ କେହି ମୂର୍ଖ ହେଉ ଅଥବା ପଣ୍ଡିତ ହେଉ ପାଖରେ ପହଞ୍ଚିଥିବା ଅତିଥି ହେତୁ ବାନର ମହତ୍ତ୍ୱପୂର୍ଣ୍ଣ ବ୍ୟବହାର ତାକୁ ଦେଖାଇଲା । କାରଣ ଅତିଥି ସେବା କରିଥିଲେ ତା’ର ଫଳ ପୂଣ୍ୟ ତଥା ସ୍ୱର୍ଗ ପ୍ରାପ୍ତି ଫଳ ହୋଇଥାଏ । ଏହାବ୍ୟତୀତ ଯାହାଙ୍କ ଦ୍ୱାରରୁ ବିମୁଖପ୍ରାୟ କେହି ଅତିଥି ଫେରିଯାଏ ତାହାର ଘରୁ ଦେବତା ବା ପିତୃପୁରୁଷମାନେ ଫେରିଯାଇଥାଆନ୍ତି, ଏକଥା ବାନର ଜାଣିଥିଲା । ତେଣୁ କୁମ୍ଭୀରକୁ ଜାମୁକୋଳି ଖାଇବା ନିମନ୍ତେ କହିଥିଲା ।

ରକ୍ତମୁଖ ବାନର ଏହିପରି ଶ୍ରଦ୍ଧାପୂର୍ଣ୍ଣ ଭାଷା କହି ବିରାଳମୁଖ କୁମ୍ଭୀରକୁ ସୁନ୍ଦର ସୁନ୍ଦର ପାଚିଥିବା ଜାମୁକୋଳିଗୁଡ଼ିଏ ଖାଇବାକୁ ଦେଲା ।

ବିରାଳମୁଖ ବାନର ସେଠାରେ ଜାମୁକୋଳି ଖାଇବା ସମୟରେ ବାନରକୁ ତା’ର ଉତ୍ତମ ବଂଧୁ କହି ବହୁ ସମୟ ତା’ ସହିତ ଆଳାପ ଆଲୋଚନା କଲା ଓ ଜାମୁକୋଳି ପେଟପୂରା ଖାଇସାରିବା ପରେ ନିଜର ପୂର୍ବ ସ୍ଥାନକୁ ଫେରି ଯାଇଥିଲା ।

ତା’ପରେ ବିରାଳମୁଖ କୁମ୍ଭୀର ଆଜି ଯେଉଁ ଜାମୁକୋଳି ଖାଇଲା ସେଥିରେ ସେ ସନ୍ତୁଷ୍ଟ ହେବାରୁ ସେ ପ୍ରତିଦିନ ଜାମୁକୋଳି ଖାଇବା ନିମନ୍ତେ ସେଠାକୁ ଆସିଲା । ଏହାଦ୍ୱାରା ଦୁହିଁଙ୍କ ମଧ୍ୟରେ ଖୁବ୍ ପ୍ରିୟତା ବା ବଂଧୁତା ବଢ଼ିବାକୁ ଲାଗିଲା ।

ଏହିପରି ତିନୋଟି ଦିନ ବିତିଯାଇଛି । ବିରାଳମୁଖ କୁମ୍ଭୀର, ରକ୍ତମୁଖର ଜାମୁକୋଳି ନିଜେଖାଇବା ସହିତ ପ୍ରତିଦିନ କିଛି କିଛି ଘରକୁ ନେଇଯାଇ ଏବଂ ସ୍ତ୍ରୀଙ୍କୁ ଖାଇବାକୁ ଦେଲା ।

କୁମ୍ଭୀରର ସ୍ତ୍ରୀ ଯେତେବେଳେ ପ୍ରତିଦିନ ଏପରି ସୁସ୍ୱାଦୁ ତଥା ଅମୃତ ତୁଲ୍ୟ ଜାମୁକୋଳି ଖାଇଲା, ତାହା କେଉଁଠାରୁ ଆସିଲା ଏହାକୁ କିଏ ଦେଇଛି, ସ୍ତ୍ରୀ ହିସାବରେ ତା’ର ସ୍ୱାମୀ ବିରାଳମୁଖକୁ ପଚାରିଲା – ସ୍ୱାମୀ ତୁମେ ଏହି ଅମୃତମୟ ପାଚିଲାଫଳଗୁଡ଼ିକ କେଉଁଠାରୁ ପାଇଲ?

ସ୍ତ୍ରୀଙ୍କ ଠାରୁ ଏକଥା ଶୁଣି ବିରାଳମୁଖ କୁମ୍ଭୀର ତା’ର ସ୍ତ୍ରୀଙ୍କୁ କହିଲା, ହେ ପ୍ରିୟେ, ଏଥି ମଧ୍ୟରେ ମୋର ଜଣେ ଶ୍ରେଷ୍ଠ ବଂଧୁ ହୋଇଛନ୍ତି । ରକ୍ତମୁଖ ବାନର ଭାବରେ ତାହାର ପରିଚୟ । ମୁଁ ପ୍ରତିଦିନ ସେହିଠାକୁ ଯାଉଥିବାରୁ ସେ ମୋତେ ଏହି ଜାମୁକୋଳି ଖାଇବାକୁ ଦେଇଥାଏ । ମୁଁ ତା’ର ବହୁତ ସ୍ନେହକୁ ଭାଙ୍ଗିପାରେ ନାହିଁ, ପେଟପୁରା ଖାଇବାପରେ ଆଉ କିଛି ତୁମଲାଗି ନେଇ ଆସିଥାଏ ।

କରାଳମୁଖ ଠାରୁ ତା’ର ସ୍ତ୍ରୀ ଏକଥା ଶୁଣି ସାରି ବହୁତ ସମୟ ଚିନ୍ତାକଲା ଯେ ଯିଏ ପ୍ରତିଦିନ ଉଦର ପୂର୍ଣ୍ଣ କରି ଏପରି ଅମୃତମୟ ଫଳ ଖାଉଛି । ଏ ଫଳ ଯଦି ଏତେ ସ୍ୱାଦ, ତାହାହେଲେ ସେହି ରକ୍ତମୁଖର କଲିଜା ଯେ ଏହାଠାରୁ ଅଧିକ ସୁସ୍ୱାଦୁ ହୋଇ ନଥିବ କାହିଁକି । ଏମିତି ଭାବି କରାଳମୁଖ କୁମ୍ଭୀରର ସ୍ତ୍ରୀ କହିଲା – ହେ ସ୍ୱାମୀ, ତୁମେ ଯଦି ମୋତେ ଏତେ ଭଲ ପାଅ । ଆଉ ମୋ ପରି ଜଣେ ସୁନ୍ଦରୀ ସ୍ତ୍ରୀର ଯେବେ ତୁମର ପ୍ରୟୋଜନ ଥାଏ ତାହାହେଲେ ତୁମେ ମୋତେ ତୁମର ବଂଧୁଙ୍କର ଦେଉଥିବା ଜାମୁକୋଳି ନଆଣି ତା’ କଲିଜା ଗୋଟିକ ଆଣି ମୋତେ ଦିଅ । କାରଣ ତା’ର ହୃଦୟ ବା କଲିଜାଟି ନିଶ୍ଚୟ ଅମୃତଠାରୁ ଆହୁରି ସୁସ୍ୱାଦୁ ହୋଇଥିବ । ଆଉ ମଧ୍ୟ ସେପରି ଅମୃତତୁଲ୍ୟ, ସୁସ୍ୱାଦୁ କଲିଜା ବା ହୃଦୟଟିକୁ ଖାଇଦେଲେ ମୋତେ ଆଉ ବାର୍ଦ୍ଧକ୍ୟ ସ୍ପର୍ଶ କରିପାରିବ ନାହିଁ । ବାର୍ଦ୍ଧକ୍ୟ ନହେଲେ ମୋର ମୃତ୍ୟୁ ମଧ୍ୟ ହେବ ନାହିଁ । ତେଣୁ ମୁଁ ସଦାସର୍ବଦା ଚିର ଯୌବନ ହୋଇ ବଞ୍ଚିରହିବି । ଆଉ ମଧ୍ୟ ଖୁବ୍ ସୁଖର ସହିତ ତୁମ୍ଭଠାରୁ ଇନ୍ଦ୍ରିୟସୁଖ ଭୋଗ କରିବି ।

କରାଳମୁଖ ନିଜର ଅତିପ୍ରିୟ ତଥା ଅତି ସୁନ୍ଦରୀ ସ୍ତ୍ରୀଙ୍କ ମୁଖରୁ ଯେତେବେଳେ ଏକଥା ଶୁଣିଛି ସେ ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତୋରରେ କହିଲା, ପ୍ରିୟେ! ଥାଉ ଥାଉ, ତୁମ୍ଭେ ଆଉ ଏପରି କଥା ମୋତେ କୁହନାହିଁ । କାରଣ ସେହି ରକ୍ତମୁଖ ବାନର ଏହା ମଧ୍ୟରେ ସେ ମୋର ଭାଇ ହୋଇସାରିଛନ୍ତି । ଏଥି ସକାଶେ ସେ ଭାଇକୁ ମାରିଦେବା ମୋ ନିମନ୍ତେ ଦୂରୁହ ବ୍ୟାପାର ହେବ । ତେଣୁ ତୁମ ମନକୁ ଆସୁଥିବା ସେହି ବୃଥା ଆଶାକୁ ତ୍ୟାଗକର, କାହିଁକି ନା’ ମାଆ ଗୋଟିଏ ପ୍ରକାର ଭାଇକୁ ଜନ୍ମ ଦେଇଥାଏ; କିନ୍ତୁ ବାଣୀ ଦ୍ୱିତୀୟ ପ୍ରକାର ଭାଇର ଜନ୍ମ ଦେଇଥାଏ । କିନ୍ତୁ ବିଚାର ଦୃଷ୍ଟିରୁ ବଚନରୁ ଜାତ ହୋଇଥିବା ଭାଇ ସହୋଦର ଭାଇଠାରୁ ଆତି ଉତ୍ତମ ତଥା ଭାଇ ମଧ୍ୟରେ ଶ୍ରେଷ୍ଠ ଅଟେ ।

କରାଳମୁଖ କୁମ୍ଭୀରର ମୁଖରୁ ଏପରି କଥା ଶୁଣିବାପରେ ତା’ର ପ୍ରାଣପ୍ରିୟା ସ୍ତ୍ରୀର ମନକୁ ଦାରୁଣ ଦୁଃଖ ଲାଗିଲା । ତା’ପରେ ସେ ଅଭିମାନିନୀ ହୋଇପଡ଼ି କହିଲା – ତୁମେ ରକ୍ତମୁଖ ବାନରର ବାସକରୁଥିବା ବାଲୁକା ଶେଜରେ ବହୁ ସମୟ ଧରି ରହୁଥିବାରୁ କାରଣଟି ଏବେ, ମୋତେ ଜଣାଯାଇଛି । ଏହାର କାରଣ ନିଶ୍ଚୟ ସେହି ବାନରର ସ୍ତ୍ରୀ, କାହିଁକି ନା’ ତୁମେ ମୋତେ ବିରୁଦ୍ଧାଚରଣ କରୁଛ । ପୁଣି କେତେଦିନ ହେଲା ତୁମେ ଆଉ ପୂର୍ବଦିନ ପରି ଶ୍ରଦ୍ଧା ସ୍ନେହରେ ମୋ ସାଥିରେ ଦି’ପଦ କଥା ହେଉନାହଁ । ଆଗରୁ ମୁଁ ଯେଉଁ ଦ୍ରବ୍ୟ ଇଚ୍ଛା କରୁଥିଲି ତାହା ବିନା ଆପତ୍ତିରେ ମୋହ ନିକଟରେ ଆସି ପହଞ୍ଚାଉଥିଲ ତାହା ମଧ୍ୟ କରୁନାହିଁ । ଅଧିକାଂଶ ରାତ୍ରରେ କାହାକୁ ଭାବୁଥିବା କଥା ତୁମର ଘନ ଘନ ଗରମ ନିଃଶ୍ୱାସରୁ ମୁଁ ଜାଣିବାକୁ ପାଉଅଛି । ଆଗପରି ତୁମେ ଆଉ ମୋତେ ଆଲିଙ୍ଗନ କରୁନାହଁ । ତେଣୁ ମୁଁ ଏବେ ଜାଣିପାରୁଅଛି ଯେ ମୋଠାରୁ ଏବେ ସେହି ରକ୍ତମୁଖର ବାନର ସ୍ତ୍ରୀ ତୁମ ଲାଗି ଖୁବ୍ ପ୍ରିୟ ହୋଇଯାଇଛି । ତାହା ହୋଇ ନଥିଲେ ମୋ ମନ ମଧ୍ୟରେ ଉଦିତ ହୋଇ ଉଠିଥିବା ଅଭିଳାଷକୁ ପୂରଣ କରିବା ଲାଗି ତୁମେ କୁଣ୍ଠିତ ବା କାହିଁକି ହୋଇଥାଆନ୍ତ ।

ଏଥର କରାଳମୁଖ କୁମ୍ଭୀର ନିଜ ସ୍ତ୍ରୀଙ୍କ ଠାରୁ ଏପରି ଅସହ୍ୟ କଥାମାନ ଶୁଣି ବିକଳ ହୋଇ ପଡ଼ିଲା । ଏତେ ଦିନଧରି ବଂଧୁ ହୋଇ ବାନରଠାରୁ ଏତେ କୋଳି ଖାଇସାରିଛି, ବର୍ତ୍ତମାନ ସ୍ତ୍ରୀ କଥାରେ ଯଦି ମୋତେ ବଂଧୁ ହତ୍ୟା କରିବାକୁ ହେବ, ଏହା କୁମ୍ଭୀରର ଚିନ୍ତାର କାରଣ ହେଲା । ମନେ ମନେ କୁମ୍ଭୀର ନିଜର ପତ୍ନୀର ବିରୋଧୀ ଓ ବିଦ୍ରୋହୀ ହୋଇଗଲା । ପୁଣି ଏଥିଲାଗି ସ୍ତ୍ରୀ ଯେ ଦିନ ଦିନ ଧରି ଉପବାସରେ ସମୟ ବିତାଉଛି ତାହା ମଧ୍ୟ ସବୁଠାରୁ ବଡ଼ ଦୁଃଖର କାରଣ ହୋଇଗଲା ।

କୁମ୍ଭୀରର ସ୍ତ୍ରୀ ଶେଷରେ ବି କହିଛି, ସେହି ମାଙ୍କଡ଼ର କଲିଜା ମୋତେ ନମିଳିବା ଯାଏ ମୁଁ ଆଉ କୌଣସି ଖାଦ୍ୟ ଖାଇବି ନାହିଁ । ବରଂ ସେଇଥିପାଇଁ ହିଁ ମୁଁ ମୃତ୍ୟୁବରଣ କରିବି ।

ଏହାପରେ କରାଳମୁଖ କୁମ୍ଭୀର ଭାବିଲା କିପରି ସେ ରକ୍ତମୁଖ ବଂଧୁ ବାନରକୁ ହତ୍ୟା କରିବ । ଏହପରି କଥାଗୁଡ଼ିଏ ମନ ମଧ୍ୟରେ ଚିନ୍ତା କରି କରି ସେ ରକ୍ତମୁଖ ବାନର ନିକଟକୁ ଗଲା ଏବଂ ବାନର ପାଖରେ ପହଞ୍ଚିବା ଆଗରୁ ବାନର ମଧ୍ୟ କୁମ୍ଭୀରର ମନ ମଧ୍ୟରେ ଥିବା ହତାଶ ଭାବକୁ ଲକ୍ଷ୍ୟ କରି କହିଲା, ହେ ବଂଧୁ, ତୁମେ କିନ୍ତୁ ଗତକାଲିର ବଂଧୁପରି ମୋତେ ଦେଖାଯାଉ ନାହଁ । ଆଉ ପୁଣି ଆଜି ବିଳମ୍ବରେ ଆସିଅଛ । ମୁଖରେ ତୁମର ସରସତା ନାହିଁ, ଗୃହରେ କ’ଣ ତୁମର ସେଭଳି କିଛି ଅଘଟଣ ଘଟିଛି । ମୁଁ ପରା ତୁମର ଏତେ ପ୍ରିୟ ବଂଧୁ । ବଂଧୁ ହୋଇ ବଂଧୁର ହିତକଥା ପରି ଦୁଃଖର କଥା କ’ଣ ମୋ ପକ୍ଷେ ଶୁଣିବା ଉଚିତ୍ ହେବନାହିଁ ।

ରକ୍ତମୁଖ ବାନର ଠାରୁ ଏକଥା ଶୁଣି କୁମ୍ଭୀରକୁ ମଧ୍ୟ ସ୍ତ୍ରୀ ଙ୍କର କହିଥିବା କଥାଟି ଅନ୍ୟପ୍ରକାର ଚତୁରତା ସହ କହିଲା, ହେ ବଂଧୁ, ତୁମ୍ଭର ଭାଉଜଙ୍କ କହିଥିବା କଥା ମୋତେ ଆଜି ଖୁବ୍ ବାଧିଛି । ସେ ମୋତେ ଖୁବ୍ କଟୁ ଶବ୍ଦ ଉଚ୍ଚାରଣ କରି କହିଲେ ତୁମେ ପ୍ରତିଦିନ ତୁମ ବଂଧୁଙ୍କ ଠାରୁ ଫଳ ଆହାର କରି ଚାଲି ଆସୁଛ, ହେଲେ ବଂଧୁ ହିସାବରେ ତାଙ୍କୁ କ’ଣ ଆମ ଘରକୁ ଡାକି ଆଣିବା ଲାଗି ତୁମ୍ଭର ବିବେକ କହୁନାହିଁ । ତେଣୁ ଆଜି ଯେତେବେଳେ ଯାଉଛ ତାହାହେଲେ ମୋର ଦିଅରକୁ ସାଥିରେ ଧରି ଯେପରି ଘରକୁ ଫେର ତାହା ଯଦି ନକରିବ ତାହାହେଲେ ଏହାପରେ ତୁମର ମୋତେ ପରଲୋକରେ ଦେଖାହେବ । ତୁମର ଭାଉଜ ଏହିପରି ରକ୍ତୁମୁଖ ହୋଇ କହିବାପରେ ଏଠାକୁ ମୁଁ ଆସିଛି, ଆଜି ଯେବେ ମୋ ସହିତ ସେଠାରେ ସେ ତୁମକୁ ନଦେଖେ ତାହାହେଲେ ସମସ୍ତ ପ୍ରକାର ଅସୁବିଧା ମୋ ଗୃହରେ ଘଟିଯିବ ।

ସେଦିନ କୁମ୍ଭୀର ଛଳନା ପୂର୍ବକ ନିଜ ପତ୍ନୀଙ୍କର ଏହିପରି ଆଦରଭାବକ ନିମନ୍ତ୍ରଣ କରିବା ପରେ ରକ୍ତମୁଖ ବାନର କୁମ୍ଭୀର କଥାରେ ଅତି ସରଳରେ ବିଶ୍ୱାସ କରିଦେଲା । ଏହାପରେ ବାନର କହିଲା ସତରେ ମିତ୍ର ଭାଉଜ ତୁମକୁ ବିଚାରଯୋଗ୍ୟ କଥାତ କହିଛନ୍ତି, କାରଣ ଭାଉଜଙ୍କର କଥାରେ ଟିକେ ମଧ୍ୟ ମିଥ୍ୟାନାହିଁ । ଆଜିକାଲି ସଂସାରରେ ଏହିପରି ଅନେକ ବଂଧୁ ଅଛନ୍ତି, ଯେଉଁମାନେ ବହୁ ଲୋଭୀ ଓ ସ୍ୱାର୍ଥପର ଅଟନ୍ତି । ଶୁଣ ବଂଧୁ, ମୋର ଭ୍ରାତୃପତ୍ନୀ ତୁମକୁ କୌଣସି ଅନ୍ୟାୟ କଥା କହିନାହାଁନ୍ତି । ହେଲେ ଆମେତ ବନଚାରୀ, ତୁମ୍ଭେମାନେ ତ ଜଳ ମଧ୍ୟରେ ଘର କରି ବାସ କରୁଛ । ସେଠାକୁ ମୁଁ କିପରି ବା ଯାଇପାରିବି । ସେଥିଲାଗି ମୋର ଅନୁରୋଧ, ମୋର କଥା କହି ମୋର ଭାଉଜଙ୍କୁ ତୁମ୍ଭେ ମୋ ନିକଟକୁ ଘେନିଆସ । ମୁଁ ତାଙ୍କୁ ଏଠାରେ ସାକ୍ଷାତରେ ପାଇ ତାଙ୍କଠାରୁ ଆଶୀର୍ବାଦ ମଧ୍ୟ ଗ୍ରହଣ କରିପାରିବି ।

google-tez-social

କୁମ୍ଭୀର ଏଥର ସ୍ତ୍ରୀର କଥାକୁ କାର୍ଯ୍ୟରେ ପରିଣତ କରିବା ନିମନ୍ତେ ରକ୍ତମୁଖ ବାନରକୁ କହିଲା ବଂଧୁ, ମୁଁ ତୁମକୁ ଆଉ କେତୋଟି କଥା କହୁଛି – ଦୁନିଆରେ ଯେ ବଂଧୁଙ୍କୁ ଆଦର ସହକାରେ ଦେବ ତାହାଠାରୁ ଗ୍ରହଣ କରିବ, ନିଜର ଗୁପ୍ତକଥା ବଂଧୁକୁ କହୁଥିବ ଓ ଶୁଣୁଥିବ, ମିତ୍ରର ଗୋପନ କଥାକୁ ପଚାରି ବୁଝୁଥିବ, ମିତ୍ର ଗୃହରେ ଖାଉଥିବା ସ୍ଥଳେ ମିତ୍ର ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରି ନେଇ ଖୁଆଏ । ତେଣୁ କରି ଭାଉଜ ତୁମ୍ଭଙ୍କୁ ନିଜ ପାଖକୁ ଦର୍ଶନ ପାଇବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି, ତେଣୁ ତୁମ୍ଭେ ଆମ୍ଭ ଘରକୁ ଯିବ, ଭାଉଜ ତୁମ୍ଭ ନିମନ୍ତେ ନାନାପ୍ରକାର ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି ।

କୁମ୍ଭୀରଠାରୁ ଏକଥା ଶୁଣିବା ମାତ୍ରେ ରକ୍ତମୁଖ ମାଙ୍କଡ଼ ହସି ହସି କହିଲା ନିଶ୍ଚୟ ମୋର ଭ୍ରାତୃପତ୍ନୀ ଏକଥା କହିଥିବେ । ଆଉ ମଧ୍ୟ ବାନର ଭାବିଲା ଯେ ଯେଉଁମାନେ ଅତିଲୋଭୀ, ସର୍ବଦା ବଂଧୁ ସଜାଇ ନିଜ ଆଡ଼କୁ ଆକର୍ଷଣ କରିଥାଆନ୍ତି ଏକଥାକୁ ଭଲ ଭାବରେ ବୁଝି ଅତି ବୁଦ୍ଧିମାନ ବ୍ୟକ୍ତିମାନେ ଏପରି ସ୍ୱାର୍ଥପର ମିତ୍ରକୁ ବର୍ଜନ କରିଥାଆନ୍ତି । ଏହାପରେ ରକ୍ତମୁଖ ବାନର କହିଲା ତୁମ୍ଭେତ ମୋର ଏତେ ପ୍ରିୟ ମିତ୍ର, ମୁଁ ଜାଣିଛି ଯେ ଯିଏ ନିଜର ମିତ୍ରବଂଧୁକୁ ଆଦର ସହକାରେ ଦେଇଥାଏ ମିତ୍ରଠାରୁ ଗ୍ରହଣ କରୁଥାଏ – ଏହିପରି ଅନେକ ଶୁଭ ସଂପର୍କକୁ ନେଇ ଦୁଇ ବଂଧୁଙ୍କ ମଧ୍ୟରେ ଏକପ୍ରକାର ଅବିଚ୍ଛେଦ୍ୟ ସଂପର୍କ ରହିଯାଇଥାଏ । ହୁଏତ ମୋର ଭାଉଜ ଏସବୁ କରିପାରି ନଥିବାରୁ ନିଜଉପରକୁ ଦୋଷ ନନେଇ ତୁମ ଉପରକୁ ଦୋଷତକ ଲଦିଦେଇ ତୁମ୍ଭ ମନରେ ଦୁଃଖ ଅଣାଇଛନ୍ତି, ଯାହା ମୋତେ ବୁଝିବାକୁ ଅଛି କିଛି ଅଛପା ରହିଲା ନାହିଁ । ହେଲେ ଆମେତ ହେଲୁ ବନଚାରୀ ତୁମ୍ଭର ତ ଜଳ ମଧ୍ୟରେ ଘର, ମୋର ମନ ମଧ୍ୟରେ ଏବେ ସେହି ଗୋଟିଏ ଚିନ୍ତା ହୋଇଛି ଯେ ଭାଉଜଙ୍କୁ ସାକ୍ଷାତ କରିବା, ତାଙ୍କଠାରୁ ସ୍ନେହ ଆଦର ଆଦାୟ କରିବା, ସୁମିଷ୍ଟଦ୍ରବ୍ୟ ଭୋଜନ କରିବା ନିମନ୍ତେ ତୁମ୍ଭର ସେହି ଜଳମଗ୍ନ ଗୃହକୁ ଯିବି କିପରି? ମୋର ଅନୁରୋଧ ଏହା ଯେ ମୋର ଭାଉଜଙ୍କୁ ତୁମ୍ଭେ ମୋ ନିକଟକୁ ଘେନି ଆସିଲେ ଖୁବ୍ ଭଲ ହୁଅନ୍ତା, ଆଉ ମଧ୍ୟ ଯାହା ସଂପୂର୍ଣ୍ଣ ଭାବର ଅସମ୍ଭବ ସେଥିରୁ ଆମ୍ଭେ ବଞ୍ଚିତ ହୋଇ ନିଜ ନିଜର ବଂଧୁତ୍ୱକୁ ବଜାଇରଖି ପାରନ୍ତେ। ମୁଁ ତାକୁ ଭକ୍ତିର ସହିତ ପ୍ରଣାମ କରନ୍ତି ଓ ତାଙ୍କଠାରୁ ମୋର ଦୀର୍ଘାୟୁ ନିମନ୍ତେ ଆଶୀର୍ବାଦ ମଧ୍ୟ ନେଇପାରନ୍ତି ।

କିନ୍ତୁ କରାଳମୁଖ କୁମ୍ଭୀର ଛାଡ଼ିବାର ଜନ୍ତୁ ନୁହଁ । ଏହାପରେ ସେ ବାନରକୁ ବୁଝାଇବା ନିମନ୍ତେ ଆଉ ଦୁଇପାଦ ଆଗକୁ ଯାଇ କହିଲା ହେ ବଂଧୁ ରକ୍ତମୁଖ – ତୁମ୍ଭେତ ଯାହା କହିଲ ତାହା ସତ୍ୟ, କିନ୍ତୁ ଭାଉଜ ତୁମର ସମସ୍ତ କଥାକୁ ସ୍ଥିର କରି ସାରିବା ପରେ ହିଁ ତୁମ୍ଭକୁ ନେବା ନିମନ୍ତେ ମୋତେ ପଠାଇଛନ୍ତି, କାରଣ ତାଙ୍କର କହିବା କଥା, ଆମେ ସିନା ଆମର ହିତ ନିମନ୍ତେ ସମୁଦ୍ର ମଧ୍ୟରେ ବାସକରୁଥାଉ, ହେଲେ ସ୍ଥଳଭାଗରେ ଯେ ଆମର ଅନେକ ବଂଧୁ ମିତ୍ର ରହିଛନ୍ତି, ଆମେ ସମସ୍ତଙ୍କର ଆତିଥ୍ୟ ଗ୍ରହଣ କରୁଛୁ ହେଲେ ଅନ୍ୟ ବଂଧୁ ଓ ମିତ୍ରମାନଙ୍କୁ ଆତିଥ୍ୟ ନଦେଇ ପାରି ଆମେ ସଦାସର୍ବଦା ଅକୃତଜ୍ଞ ହୋଇ ରହିବା କାହିଁକି । ସେଥିଲାଗି ତୁମ୍ଭର ବୁଦ୍ଧିମତା ଭାଉଜ ଏଥିଲାଗି ବହୁଦିନ ଆଗରୁ ନିଜର ବଂଧୁ ମିତ୍ରଙ୍କୁ ଆତିଥ୍ୟ ଦେବା ନିମନ୍ତେ ଉପାୟକରି ରଖିଛନ୍ତି । ତାହାହେଲା, ସମୁଦ୍ରର ଆର ପାରିରେ ମୋର ବୁଦ୍ଧିମତୀ ସ୍ତ୍ରୀ ଏକ ସୁନ୍ଦର ଓ ଅତିରମଣୀୟ ଗୃହ ନିର୍ମାଣ କରିଛନ୍ତି । ସେହି ଗୃହର ଚତୁଃପାଶ୍ୱର୍ରେ ନାନା ପ୍ରକାର ପୁଷ୍ପଲତା, ଫଳର ବୃକ୍ଷ ଲଗାଇ ଅତି ରମଣୀୟ କରିଛନ୍ତି । ତେଣୁ ସେଠାକୁ ଯିବାର ତ କୌଣସି ଅସୁବିଧା ହେବନାହିଁ ।

ତେବେ ତୁମ୍ଭର ଭାବନା ଗଭୀର ସମୁଦ୍ର ପାର ହୋଇ ସେହି ସ୍ଥାନକୁ ଯିବ କିପରି । ହେ ବଂଧୁ, ତୁମେ ସେଥିଲାଗି କୌଣସି ଚିନ୍ତା କର ନାହିଁ । ତୁମ୍ଭକୁ ମୁଁ ମୋର ପିଠିର ବସାଇ ନିର୍ଭୟର ସହିତ ମୋର ସେହି ସୁନ୍ଦର ଗୃହକୁ ନେଇଯିବି । ମିତ୍ର କରାଳ ମୁଖ କୁମ୍ଭୀର ଠାରୁ ଏକଥା ଶୁଣିବାପରେ ରକ୍ତମୁଖ ବାନର ନିଜର ମନ ମଧ୍ୟରେ ସଂଦେହ ରଖି କହିଲା – ହେ ମିତ୍ର, ଯଦି ଏପରି ସୁନ୍ଦର ବ୍ୟବସ୍ଥା ତୁମେ କରିଛ, ତାହାହେଲେ ଆଉ ବିଳମ୍ବ କରିବାର କାରଣ ତ କିଛି ନାହିଁ । ତେବେ ସେହି କାର୍ଯ୍ୟ ଏବେ ଶିଘ୍ର ହୋଇଯିବା ଦରକାର । ତା’ପରେ ବାନର ଯଥାଶିଘ୍ର ଯାଇ କୁମ୍ଭୀରର ପିଠିରେ ବସିଯାଇ କହିଲା ଆଉ ବିଳମ୍ବନକରି ଶିଘ୍ର ଚାଲନ୍ତୁ । ଭାଉଜ ତେଣେ ଆମରି ପ୍ରତୀକ୍ଷାରେ ବସିରହି ଅନ୍ନଜଳ ମଧ୍ୟ ଗ୍ରହଣ କରିନଥିବେ । ତେଣୁ ଯେତେ ଶିଘ୍ର ଯାଇ ଭାଉଜଙ୍କ ନିକଟରେ ପହଞ୍ଚିବା ଦରକାର ।

ବାନର କୁମ୍ଭୀରର ପିଠିରେ ବସିବାପରେ କୁମ୍ଭୀର ଖୁବ୍ ଆନନ୍ଦିତ ହୋଇଗଲା। ଆଉ କ୍ଷଣେ ମାତ୍ର ବିଳମ୍ବ ନକରି ଗଭୀର ସମୁଦ୍ର ମଧ୍ୟରେ ସେ ଚାଲିବାରେ ଲାଗିଲା ।

ଏବେ କୁମ୍ଭୀରର ପିଠିରେ ବସିବାପରେ କୁମ୍ଭୀର ଖୁବ୍ ଆନନ୍ଦ ହୋଇଗଲା । ଆଉ କ୍ଷଣେ ମାତ୍ର ବିଳମ୍ବ ନକରି ଗଭୀର ସମୁଦ୍ର ମଧ୍ୟରେ ସେ ଚାଲିବାରେ ଲାଗିଲା ।

ଏବେ କୁମ୍ଭୀରର ପିଠିରେ ବସିବାପରେ କୁମ୍ଭୀରର ସମୁଦ୍ର ମଧ୍ୟରେ ଯିବାର ଦୃଶ୍ୟକୁ ଦେଖି ବାନର ମନରେ ଖୁବ୍ ଭୟ କରି କହିଲା, ହେ ମିତ୍ର, ତୁମେ ଟିକେ ଧୀରେ ଧୀରେ ଚାଲ । ଦେଖୁନାହଁ ସମୁଦ୍ର ମଧ୍ୟରୁ ଉତ୍ପନ୍ନ ହେଉଥିବା ବଡ଼ ବଡ଼ ଢ଼େଉର ପାଣିରେ କିପରି ମୋର ଦେହ ଭିଜାଇବାରେ ଲାଗିଛି ।

ରକ୍ତମୁଖ ବାନର ମନରେ ଏପରି ଭୟର ଆଶଙ୍କା ଦେଖି କରାଳମୁଖ କୁମ୍ଭୀର ହସୁଥାଏ ଓ ଭାବୁଥାଏ, ଇଏତ ମୋର ପିଠିରେ ବସିଥିବାରୁ ତିଳେମାତ୍ର ହଲଚଲ ହୋଇପାରିବ ନାହିଁ । ତା’ ଛଡ଼ା ସ୍ଥଳଭାଗକୁ ଛାଡ଼ି ବହୁଦୂର ଜଳଭାଗରେ ଆଣି ମୁଁ ତାକୁ ପହଞ୍ଚାଇ ଦେଇ ସାରିଛି । ଏଥର ବାନର ସମସ୍ତ ଦିଗରୁ ଉପାୟ ହୀନ, ଏଥର ପ୍ରକୃତ ସତ୍ୟ କଥାଟା ତାକୁ ଜଣାଇ ଦେବା ଭଲ । ତାହା ଭାବି କରାଳମୁଖ କୁମ୍ଭୀର କହିଲା ହେ ମିତ୍ର, ଯେତେ ଗଭୀର ଜଳ ମଧ୍ୟରେ ତୁମ୍ଭର ଯିବାର ଯେଉଁ ଭୟ ଦେଖା ହୋଇଛି, ତୁମ୍ଭେ ଆଉ ସେ କଥା ଲାଗି ଚିନ୍ତା କର ନାହିଁ । ମୃତ୍ୟୁର ସମୟ ହୋଇଯିବାପରେ ଜୀବ ଆଉ ତା’ର ନିଜର ଆୟତରେ ନଥାଏ, ରହିବା ମଧ୍ୟ ଉଚିତ୍ ନୁହେଁ । ଅଗ୍ନିଦ୍ୱାରା ପୋଡ଼ି ହେଉ, ବା ବାୟୁଦ୍ୱାରା କଚାଡ଼ି ହେଉ ଅବା ଜଳଦ୍ୱାରା ବୁଡ଼ି ହେଉ, ମୃତ୍ୟୁ ଯେଣୁ ନିଶ୍ଚୟ ତା’ ପକ୍ଷେ ଏସବୁ ଚିନ୍ତା କରିବାର କୌଣସି କାରଣ ନାହିଁ । ମୁଁ ତୁମକୁ ତୁମ ଭାଉଜଙ୍କର ସ୍ନେହର ଆମନ୍ତ୍ରଣ ରକ୍ଷା କରିବା ନିମନ୍ତେ ତ କହି ତୁମ ମନର ପରିବର୍ତ୍ତନ କରାଇ ଦେଲି, ଆଉ ବଂଧୁ ସହ କିପରି ବିଶ୍ୱାସୀ କରାଇବାକୁ ହୁଏ ସେପରି ଯୋଜନା ମଧ୍ୟ କରାଇଦେଲି । ଏହା କିନ୍ତୁ ମୋର ଥିଲା ତୁମଲାଗି ପ୍ରତାରଣା । ଏବେ ତୁମର ମୃତ୍ୟୁ ସମୟ ଖୁବ୍ ନିକଟତର ହୋଇ ଆସିଲାଣି, ଏବେ ବରଂ ତୁମେ ତୁମର ଇଷ୍ଟଦେବଙ୍କୁ ସ୍ମରଣ କରିବା ଦରକାର । କାରଣ ପତ୍ନୀଙ୍କର ବାକ୍ୟରେ ବିଶ୍ୱାସ ଜନ୍ମାଇ ମୁଁ ତୁମକୁ ମାରିଦେବା ନିମନ୍ତେ ଏଠାକୁ ଘେନି ଆସିଅଛି । କୁମ୍ଭୀରର ଏପରି ଏକ ପ୍ରତାରଣାର କଥାଶୁଣି ରକ୍ତମୁଖ ବାନର ଭୟରେ ଥରିଲା । ଆଉ କହିଲା, ହେ ମିତ୍ର, ମୁଁ ତୁମର ଏପରି କି ଅପରାଧ କାର୍ଯ୍ୟକଲି ଯେ ତୁମେ ମୋର ବଧ କରିବାର ଉପାୟ ଚିନ୍ତା କରିଛ ।

କରାଳ ମୁଖ କୁମ୍ଭୀର ହସିହସି କହିଲା ଶୁଣ ମିତ୍ର, ପ୍ରତିଦିନ ତୁମଠାରୁ ନେଇଯାଇଥିବା ଫଳଗୁଡ଼ିକ ଅତି ସନ୍ତୁଷ୍ଟଭାବରେ ମୋର ପତ୍ନୀ ଖାଇବା ପରେ ଚିନ୍ତା କଲେ ଯେ ତୁମ ମିତ୍ର ଆମକୁ ଦେଉଥିବା ଫଳଗୁଡ଼ିକ ସ୍ୱାଦକୁ ମୁଁ ଭୁଲି ପାରୁନାହିଁ । ଆଚ୍ଛା କହିଲ ଏହି ଅମୃତତୁଲ୍ୟ ଫଳକୁ ତୁମର ମିତ୍ର ସବୁଦିନ ଖାଇ ମିତ୍ରଙ୍କର କଲିଜାଟା ନିଶ୍ଚୟ ଏହି ଫଳଗୁଡ଼ିକଠାରୁ ବହୁ ଅମୃତତୁଲ୍ୟ ହୋଇଥିବ । ମୋର କିନ୍ତୁ ଇଚ୍ଛା ହୋଇଛି ଯେ ତୁମେ ତୁମର ମିତ୍ରଙ୍କଠାରୁ ଫଳ ନଆଣି ବରଂ ତୁମ ମିତ୍ରଙ୍କର କଲିଜାଟା ଆଣି ଦିଅ, ମୋର ସେହି କଲିଜାକୁ ଖାଇବାରେ ମନ ବଳିଛି । ତାହା ଯଦି ତୁମେ ମୋତେ ଆଣି ନଦେବ ତାହାହେଲେ ମୁଁ ଆଉ ମୋ ପ୍ରାଣ ରଖିବି ନାହିଁ । ତେଣୁ ହେ ମିତ୍ର, ମୋର ପତ୍ନୀଙ୍କୁ ଶାନ୍ତି କରିବା ନିମନ୍ତେ ମୁଁ ବାଧ୍ୟ ହୋଇଛି ।

କୁମ୍ଭୀରର ଏପରି କଥା ଶୁଣି ଚତୁର ବାନର ଖୁବ୍ ହସିବାକୁ ଲାଗିଲା । ଆଉ କହିଲା – ବାଃ, ମୁଁ ଦେଖୁଛି ତୁମଠାରୁ ଏପରି ଜଣେ ମୁର୍ଖବଂଧୁ ମୁଁ ଆଉ କେଉଁଠାରେ ଦେଖିନାହିଁ । ମୋର ଭାଉଜଙ୍କର ଏତେ ବଡ଼ ଚିନ୍ତାକୁ ଯେ ମୁଁ ସହଜରେ ତୁଲାଇ ଦେଇ ପାରିଥାଆନ୍ତି ତାହା ତୁମେ ପ୍ରଥମରୁହିଁ ମୋତେ କହିବାର ଥିଲା, କାରଣ ଏବେତ ତାହା ସଫଳ ହୋଇପାରିବ ନାହିଁ ବୋଲି ଚିନ୍ତିତ ହୋଇ ପଡ଼ିଲିଣି । ମହା ମହା ପଣ୍ଡିତ କହିଛନ୍ତି, କାଲି ଯାହା କରିବାର ଅଛି, ତାହାଆଜି କର, ଆଜି ଯାହା କରିବାର ଅଛି ବର୍ତ୍ତମାନ କର । ହେଲେ ହେ ମିତ୍ର ତୁମେ ମୋ ସ୍ଥାନଠାରୁ ବହୁତ ଦୂର ଗଭୀର ସମୁଦ୍ର ମଧ୍ୟକୁ ନେଇ ଆସି ସାରିଲଣି, ମୋର ପ୍ରିୟ ଭାଉଜଙ୍କୁ ଦେଖିବା ନିମନ୍ତେ ମୋର ପ୍ରାଣ ଯେପରି ବିକଳ ହେଉଛି ସେହିପରି ବ୍ୟସ୍ତ ମଧ୍ୟ ହେଉଛି । ତେଣୁ ଭାଉଜ ଭାବୁଥିବେ ଯେ ମୋର ମିତ୍ରକୁ ଧରି ଆଉ ଅଳ୍ପକ୍ଷଣ ପରେ ସେ ଆସି ଏଠାରେ ପହଞ୍ଚିଯିବେ । ସେଠାରେ ପହଞ୍ଚିବାପରେ ସେ ଯେତେବେଳେ ଜାଣିପାରିବେ ଯେ ତାଙ୍କର ଇଚ୍ଛା ଏବେ ପୂରଣ ହୋଇପାରୁନାହିଁ, ଆଉ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ଏଥିରେ ତାଙ୍କ ମନରେ ଯେଉଁ ଦୁଃଖ ହେବ ତାହା ଏହିପରି ସଫଳତା ଦେବାରେ କୌଣସି ଲାଭ ହେବନାହିଁ । କାରଣ ମୁଁ ଜାଣେ ମୋର କଲିଜା ହେଉଛି ମୋ ଜୀବନର ସର୍ବସ୍ୱ । ମୋ ଶରୀରର ସବୁଠାରୁ ମୂଲ୍ୟବାନ ବସ୍ତୁ, ସେଥିଲାଗି ମୁଁ ମୋର କଲିଜାକୁ ସମସ୍ତ ବିପଦରୁ ରକ୍ଷା କରିବା ନିମନ୍ତେ ସେହି ଜାମୁଗଛର ଏକ କୋରଡ଼ ମଧ୍ୟରେ ସଦାସର୍ବଦା ଲୁଚାଇ କରି ରଖିଥାଏ । ତୁମେ ଏତେଦୂର ସମୁଦ୍ରରେ ପହଞ୍ଚିବା ପରେ ଭାଉଜଙ୍କର ଏତେ ସୁନ୍ଦର ମାଗୁଣିକଥା ମୋତେ ବା କିପରି ନ କହିଲ, ସେଥିଲାଗି ମୁଁ ଏବେ ଚିନ୍ତାରେ ପଡ଼ିଗଲିଣି । ଭାଉଜଙ୍କଠାରେ ପହଞ୍ଚିଯିବାରେ ଆଉ ଲାଭ ବା କ’ଣ ହେବ । ତୁମେ ମୋର କଲିଜା ନଥିବା ଶରୀରଟାକୁ ଆଣି ମୋତେ ଆଉ ମୋର ଭାଉଜଙ୍କୁ ଏପରି ହନ୍ତସନ୍ତକରି କି ଲାଭ ପାଇବ ମିତ୍ର ।

କରାଳମୁଖ କୁମ୍ଭୀର ରକ୍ତମୁଖା ବାନରର ଚରିତ୍ର ପ୍ରତି ସଂଦେହ କରିପାରିଲା ନାହିଁ । ବରଂ ସେ ଯାହା ଯାହା କହିଲା, ତାହା ଶୁଣିବା ପରେ କହିଲା – ହେ ମିତ୍ର, ଏପରି ଏକ ଭୁଲକରି ମୁଁ ପସ୍ତାଉଅଛି, କ’ଣ କରିବା ବରଂ ଯେତିକି ପଥ ମୁଁ ଆସି ସାରିଛି ପଥ ଫେରିବାର ଯେଉଁ କଷ୍ଟ ହେବ ତାହା କରିବା ଲାଗି ମୁଁ କୁଣ୍ଠିତ ନୁହଁ, କିପରି ମୋର ସ୍ତ୍ରୀ ତଥା ତୁମର ଭାଉଜ ତୁମର କଲିଜାକୁ ଭୋଜନକରି ଖୁସି ହେବେ ମୋର ସେହି ଚିନ୍ତା, ଚାଲ ଆଉ ଥରେ ଏଠାରୁ ଫେରିଯିବା ଆଉ ତୁମର ବାସସ୍ଥାନରୁ ତୁମର କଲିଜା ଧରି ଆମେ ଫେରି ଆସିବା ।

ଯେପରି କରାଳମୁଖ କୁମ୍ଭୀରର କଥାଶୁଣି ରକ୍ତମୁଖ ବାନର ଭାଉଜଙ୍କ ପାଇଁ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଥିଲା, ସେହିପରି କରାଳମୁଖ ରକ୍ତମୁଖର ଭାଉଜଙ୍କ ପ୍ରତି ସ୍ନେହ ଆଦର ଦେଖି ଆତ୍ମହରା ପ୍ରାୟ ହୋଇ ବାନରକୁ ତା’ର ନିଜ ସ୍ଥାନ ଆଡ଼େ ଫେରାଇ ନେଲା । କୁମ୍ଭୀର ଯେତେବେଳେ ଜାମୁ ବୃକ୍ଷ ମୂଳରେ ବାନରକୁ ପହଞ୍ଚାଇ ଦେଲା ବାନର ତତ୍ କ୍ଷଣାତ୍ ବୃକ୍ଷ ଉପରୁ ଡ଼େଇଁ ପଡ଼ି ଚାଲି ଯାଇ କହିଲା, ଓହୋ ଏ ଯମର ମୁଖରୁ ବଞ୍ଚିଗଲି । ଚାଲିଯାଉଥିବା ପ୍ରାଣଟା ମୋର ଅକ୍ଲେଶରେ ରହିଗଲା । କାରଣ ଯେଉଁମାନେ ବାସ୍ତବ କ୍ଷେତ୍ରରେ ଅବିଶ୍ୱସ୍ତ ସେମାନଙ୍କୁ ଆଦୌ ବିଶ୍ୱାସ କରିବା ଉଚିତ୍ ନୁହେଁ ତେଣୁ ମୋର ଆଜିର ଦିନଟିମୋର ମୃତ୍ୟୁପରେ ଆଉ ଏକ ଜନ୍ମଭାବରେ ବିଶ୍ୱାସ କରିବାକୁ ପଡିବ। ଏଥର ରକ୍ତମୁଖ ବାନର ହସ ହସ ହୋଇ ମିତ୍ର କରାଳମୁଖ ଆଡ଼କୁ ଚାହିଁବା ବେଳକୁ କୁମ୍ଭୀରଠାରୁ ଶୁଣିଲା ଯେ, ହେ ମିତ୍ର ଏତେଗୁଡାଏ ପରିଶ୍ରମ ମୋର ବୃଥା ହୋଇଯାଇଛି । ଶିଘ୍ର ତୁମେ ତୁମର କଲିଜାଟାକୁ ମୋତେ ଦେଇଦିଅ । ଯାହା ତୁମ ଭାଉଜଙ୍କର ଆହାର ହେବ ଆଉ ଆହାର କରିବା ପରେ ସେ ଯେପରି ଆମ ଦୁଇଜଣଙ୍କର ପ୍ରଶଂସା ଗାଇବ ।

ବାନର ବୃକ୍ଷ ଉପରେ ହସି ହସି କହିଲା – ରେ ମୂର୍ଖ, ବିଶ୍ୱାସଘାତକ ତୋର କ’ଣ ଦୁଇଗୋଟି କଲିଜା ଅଛି । ଗୋଟାଏ ତୋର ଶରୀର ମଧ୍ୟରେ ଆଉ ଗୋଟିଏ ତୋର ବାକ୍ସରେ, ଯେତେ ଶିଘ୍ର ପାରୁଛ ଏଠାରୁ ଚାଲିଯାଅ କାରଣ ତୁମପରି ଯମ ସଦୃଶ ମିତ୍ରକୁ ମରିଯାଉଥିବା ସମୟରେ ଜଳବୁନ୍ଦେ ଯେ ଦେଉଥିବ ତାହା ଛଡ଼ାଇ ଆଣି ତାକୁ ମାରିଦେବା ଉଚିତ୍ ।

କୁମ୍ଭୀର ତାହା ଶୁଣିବା ପରେ ଖୁବ୍ ଲଜ୍ୟାର ସହିତ ଚିନ୍ତା କଲା ସତରେ ମୁଁ କେଡ଼େ ମୁର୍ଖ, ବାନରକୁ କାହିଁକିବା ମୋ ମନ ମଧ୍ୟରେ ଥିବା ଗୋପନ କଥାକୁ ଜଣାଇ ଦେଲି ।

ଯାହାଙ୍କୁ ଆଦୌ ବିଶ୍ୱାସ ନକରିବା ଲାଗି ସଂସାର ଜାଣିଛି ସେପରି ବ୍ୟକ୍ତି ଯେତେ ବିଶ୍ୱାସୀ କଥା କହିଲେ ମଧ୍ୟ ବିଶ୍ୱାସ କରିବ ନାହିଁ ବରଂ ସେପରି ଅବିଶ୍ୱାସୀକୁ ମୂଳରୁ ହିଁ ଧ୍ୱଂସ କରିଦେବା ଦରକାର ।

ସମସ୍ତ ବିପଦ ତଥା ସଙ୍କଟ କାଳରେ ଯାହାଙ୍କର ବୁଦ୍ଧି ଭ୍ରଷ୍ଟ ହୁଏନାହିଁ ସେମାନେ ମହା ମହା ବିପଦରୁ ରକ୍ଷାପାଇ ଯାଆନ୍ତି ।