+100%-

ବହୁ ପ୍ରାଚୀନ କାଳର କଥା । କୌଣସି ଏକ ଘଞ୍ଚମୟ ଅରଣ୍ୟ ମଧ୍ୟରେ ଥିଲା ଏକ ଶମୀବୃକ୍ଷ । ସେହି ଶମୀବୃକ୍ଷଟି ଅତି ନିରାପଦ ସ୍ଥାନରେ ଥିବାରୁ ସେହି ବୃକ୍ଷକୁ ନିଜର ନିରାପଦ ଆଶ୍ରୟସ୍ଥଳ ବିଚାରି ଚଟକ ଦମ୍ପତି ବୃକ୍ଷରେ ସୁନ୍ଦରଭାବେ ନୀଡ଼ ଗୋଟିଏ ରଚନା କଲେ । ନୀଡ଼ଟି ପ୍ରସ୍ତୁତ ହୋଇସାରିବା ପରେ ବେଶ୍ ସ୍ୱଚ୍ଛନ୍ଦରେ ସେଠାରେ ବସବାସ କଲେ । ପ୍ରାତଃ ହେଲେ ନୀଡ଼ ପରିତ୍ୟାଗକରି ସମସ୍ତେ ନିଜ ନିଜର ଖାଦ୍ୟ ଅନ୍ୱେଷଣରେ ଚାଲିଯାଆନ୍ତି । ଦିନଟା ସାରା ଆହାର ପାଇ ଉଦର ପୂର୍ଣ୍ଣ ପୂର୍ବକ ପୁଣି ନିଜ ନୀଡ଼କୁ ଫେରିଆସନ୍ତି ।

ଏହିପରି ଭାବେ ଚଟକ ଦମ୍ପତି ବେଶ୍ ଆରାମ ତଥା ନିରାପଦ ଭାବରେ ନିଜଦ୍ୱାରା ପ୍ରସ୍ତୁତ କରିଥିବା ନୀଡ଼ରେ ବାସ କରୁଥାଆନ୍ତି ।

ଦିନକର କଥା, ପ୍ରବଳ ଭାବରେ ଶୀତ ପଡ଼ିଥାଏ । ହଠାତ୍ ସେହି ଋତୁରେ ବାରିପାତ ଆରମ୍ଭ ହୋଇଗଲା । ତାହାପୁଣି ଦିନେ ନୁହେଁ କି ଅଧେ ନୁହେଁ ବାରିପାତ କ୍ରମାଗତ ଭାବରେ ଲାଗିରହିଲା ।

ନିଜର ଶକ୍ତଭାବେ ପ୍ରସ୍ତୁତ ହୋଇଥିବା ନୀଡ଼ଥିବାରୁ ସେହି ନୀଡ଼ ମଧ୍ୟରେ ବର୍ଷାକୁ ଖାତର ନକରି ଚଟକ ଚଟକଣୀ ଦୁହେଁ ବେଶ୍ ଆରାମରେ ଥାଆନ୍ତି । ବାହାରେ ବର୍ଷାହେଉଥିଲେ ମଧ୍ୟ ନୀଡ଼ ମଧ୍ୟରେ ଉଷୁମ ଲାଗୁଥିବାରୁ ସେମାନଙ୍କୁ ଆଦୌ ଶୀତ ବା କଷ୍ଟ ହେଉନଥାଏ । ଅଦିନିଆ ବର୍ଷାକୁ ତାଙ୍କର ଖାତର ନଥାଏ, ଠିକ୍ ଏହିପରି କାଳରେ କେଉଁଠାରେ ଥିଲା କେଜାଣି ବାନର ଗୋଟିଏ ଆସି ସେହି ବୃକ୍ଷ ମୂଳରେ ପହଞ୍ଚିଗଲା । ତା’ର ଶରୀର ଗୋଟାସାରା ଧୂଳି ଧୂସରିତ ସମ ଦେଖାଯାଉଥାଏ । କେତେକ ସ୍ଥାନରେ ଓଦା ମାଟିଗୁଡାକ ଲେସି ହେବାପରି ଦେଖାଯାଉଥାଏ । ସେତେବେଳେ ବାହାରର ବର୍ଷାଯୋଗୁଁ ପ୍ରବଳ ଥଣ୍ଡା ମଧ୍ୟ ବାନର ଭୋଗୁଥାଏ । ଥଣ୍ଡା ଯୋଗୁଁ କମ୍ପମାନ ଅବସ୍ଥାରେ ଥାଏ ଶରୀର । ଉପର ଓ ତଳ ଦନ୍ତର ପିଟାପିଟି ହେବା କାରଣରୁ ସେଥିରୁ ମଧ୍ୟ ଏକ ପ୍ରକାର ବାଦ୍ୟର ଶବ୍ଦ ଉତ୍ପନ୍ନ ହେଉଥାଏ ।

ବାନରର ଏପରି ଅବସ୍ଥା ଦେଖି ଚଟକ ତାକୁ ଉପଦେଶ ଦେବା ଛଳରେ କହିଲା ତୁମେ କେଡ଼େ ବୁଦ୍ଧିମାନ । ଶରୀରରେ ତୁମର ବିରଳ ଶକତି, ହସ୍ତ ଆଉ ଗୋଡ଼ରେ ମଧ୍ୟ ଶକ୍ତି ଅନେକ, ହେଲେ ସବୁଦିନ ଲାଗି ରହିବା ଲାଗି ଏକ ସ୍ଥିର ସ୍ଥାନ ନିର୍ମାଣ ନକରି ଏପରି ଅଯଥା କଷ୍ଟ ସହ୍ୟକରିବାର ମାନେ କ’ଣ ହୋଇପାରେ ।

ଏକେତ ବାନର ଥିଲା ସ୍ୱଭାବରେ କ୍ରୋଧୀ, ଟିକିଏ ଟିକିଏ କଥାରେ ସେ କ୍ରୋଧିତ ହୋଇଉଠେ । ପୁଣି ବର୍ଷାରେ ଭିଜିଭିଜି ତା’ର ହାଲତ ଖରାପ ହୋଇଯାଇଛି । ଚଟକର ଏପରି ହିତୋପଦେଶ ଶୁଣି ବାନର ରାଗ ପଞ୍ଚମକୁ ଚାଲିଯାଇଥିଲା ।

ସେ ନିଜର କ୍ରୋଧକୁ ସମ୍ଭାଳି ନପାରି ଉଠି ଚାହିଁଲା, ଆଉ ଖୁବ୍ ଜୋର୍ରେ ଚିତ୍କାର କଲା । ଶେଷରେ କହିଲା ମୋ କଥା ପ୍ରତି ତୋର ଏପରି ମୁଣ୍ଡ ଖେଳାଇବା କ’ଣ ଦରକାର ।

ଏହାପରେ ମଧ୍ୟ ଚଟକ ବେଶୀ ବେଶୀ କରି ଅରୁଚିକର ଶବ୍ଦଗୁଡ଼ିକ ବାନର ପ୍ରତି ପ୍ରୟୋଗ କରିଲା ସିନା ବାନରକୁ ଛାଡ଼ିଲା ନାହିଁ ।

ଅବଶ୍ୟ ବାନରର ଅସଲ ସ୍ୱଭାବ ବିଷୟରେ ଚଟକ ଅପରିଚିତ ଥିଲା । ତାହା ଯଦି ସେ ଜାଣିଥାଆନ୍ତା ସେ ବା କାହିଁକି ତାହାକୁ ଏପରି ହିତୋପଦେଶ ଦେଇଥାଆନ୍ତା ।

ତାହା ଜାଣିନଥିବାରୁ ଚଟକକୁ ଭଲ କହି ମଧ୍ୟ ଦୁଃଖ ପାଇବାକୁ ହେଲା । ତା’ର କଟୁକ୍ତିରେ ବିରକ୍ତ ହୋଇ ବାନର ଖୁବ୍ ଚିତ୍କାର କରି କରି ବୃକ୍ଷ ଉପରକୁ ଚଢ଼ିଯାଆନ୍ତେ ଚଟକ ଦଂପତି ଦୁହେଁ ସେଠାରୁ ଉଡ଼ିଚାଲିଗଲେ । ବାନର ସିନା ସେମାନଙ୍କର କୌଣସି କ୍ଷତିକରି ପାରିଲା ନାହିଁ ହେଲେ କ୍ରୋଧରେ ବହୁପରିଶ୍ରମରେ କରିଥିବା ନୀଡ଼କୁ ଝିଙ୍କିଆଣି ତଳେ ପକାଇଦେଇ ଚାଲିଗଲା । ଉପଦେଶ ଦେଇ ନୀଡ଼ଟିକୁ ଶେଷକୁ ହରାଇବାକୁ ପଡ଼ିଲା ସେହି ଚଟକ ଦଂପତିଙ୍କୁ ।