+100%-

ଅଗନା ଅଗନି ବନସ୍ତ । ସେହି ବନସ୍ତରେ ଗୋଟିଏ ବିରାଟକାୟ ଶାଳ୍ମଳୀ ବୃକ୍ଷ ଥିଲା । ଚତୁର କାଉ ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ସେହି ଶାଳ୍ମଳୀ ବୃକ୍ଷରେ ତା’ର ରହିବାର ବସାଟି ନିର୍ମାଣ କରି ରହୁଥାଏ । ସେହି ବୃକ୍ଷ ମୂଳରେ ଗୋଟିଏ ଉଚ୍ଚିଆ ଜାଗା ଥିଲା । ସେହି ଜାଗାରେ ମୂଷାଟିଏ ଗାତ ଗୋଟିଏ କରି ରହିଥାଏ । ପୁଣି ଶାଳ୍ମଳୀ ବୃକ୍ଷର ଅଳ୍ପ ଦୂରରେ ଯେଉଁ ପୋଖରୀଟି ଦେଖାଯାଉଥିଲା ସେହି ପୋଖରୀରେ କଇଁଛଟିଏ ମଧ୍ୟ ରହୁଥିଲା । ଶାଳ୍ମଳୀ ବୃକ୍ଷର ସାମାନ୍ୟ ଦୂରକୁ ଗଲେ ଏକ ବୃକ୍ଷଲତାରେ ପୂର୍ଣ୍ଣ ଗୋଟିଏ ଗହଳିଆ ସ୍ଥାନ ଥିଲା ଯେ ସେହିଠାରେ ରହୁଥାଏ ଗୋଟିଏ ହରିଣ । ଏମାନଙ୍କର ଦିନେ ଏକ ସମୟରେ ସାକ୍ଷାତ ହୋଇଥିବାରୁ ନିଜ ନିଜ ମଧ୍ୟରେ ପରିଚୟ ହୋଇଗଲା । ସେହିଦିନଠାରୁ ଚାରିଜଣଙ୍କର ମଧ୍ୟରେ ଗଢ଼ି ଉଠିଲା ମିତ ସଙ୍ଗାତର ସମ୍ପର୍କ । ଏପରି ମିତ୍ରତା ବଢ଼ିଗଲା ଯେ କେହି କାହାରିକୁ ଦିନରେ ଥରେ ନ ଦେଖିଲେ ସେ ଦିନଟି ଖୁବ୍ ଖରାପ ବିତିଯାଏ । ସେମାନଙ୍କର ଯେତେବେଳେ କାହାରି କିଛି କାମ ନଥାଏ ସେମାନେ ଚାଲିଆସନ୍ତି ସେହି ଗଛ ମୂଳକୁ । ସେହିଠାରେ ବସି ନିଜ ନିଜ ମଧ୍ୟରେ ସୁଖ ଦୁଃଖ କଥା ହୁଅନ୍ତି । କେତେବେଳେ ଦୁଃଖର କଥା ତ କେତେବେଳେ ସୁଖର କଥା । ସେମାନଙ୍କର ସମୟ ବିତେ । ପୁଣି କଥା ସରିଲେ ଯେଝା ଯେଝାର ବାସସ୍ଥାନକୁ ଫେରି ଯାଆନ୍ତି ।

ଦିନକର କଥା । ଅପରାହ୍ନରେ କଅଁଳିଆ ଖରା । କାଉ ପ୍ରଥମ ହୋଇ ଆସି ସେହି ଗଛରେ ବସିଲା । ସେତେବେଳକୁ ଅନ୍ୟ ମିତମାନଙ୍କର ସେଠାରେ ଦେଖାନଥାଏ । ତହୁଁ କାଉ କ’ଣ କଲାନା କା କା ହୋଇ ସମସ୍ତ ମିତଙ୍କୁ ଡାକ ପକାଇଲା । ଆହେ କଇଁଛ ମିତ । ଆରେ ଏଯାବତ୍ ତୁମର ଦେଖା ହେଉନାହଁ କାହିଁକି?

କାଉ ଆସିବାର ଜାଣିପାରି କଇଁଛ ସେଠାକୁ ଆସିଲା । କହିଲା ଭାଇରେ କ’ଣ ଆଉ କରିଥାଆନ୍ତି । କାଲି ରାତିରେ ମନଟା ମଧ୍ୟରେ କେତେଗୁଡାଏ କଥା ଗୋଳେଇ ଘାଣ୍ଟି ହେଲା ଯେ ରାତି ପାହିଗଲା ବରଂ ମୋତେ ଆଉ ନିଦ ହେଲା ନାହିଁ । ଶୋଉ ଶୋଉ ଏଯାଏ ଶୋଇପଡ଼ିଲି । ଏଇନେ ଯଦି ତୁମର ଡାକ ମୋ କାନରେ ବାଜି ନଥାଆନ୍ତା ନା ମୁଁ କୋଉ ଉଠିଥାଆନ୍ତି, ଭଲ ହେଲା ଡାକିଦେଲ ।

google-tez-social
ଠିକ୍ ସେହି ବେଳକୁ ମିତ ମୂଷା ଆସି ପହଞ୍ଚିଗଲା । ଏହା ମଧ୍ୟରେ ପଶ୍ଚିମ ଆକାଶରେ ସୂର୍ଯ୍ୟ ଡୁବିଯିବାକୁ ବସିଲେଣି । ହେଲେ ସମସ୍ତଙ୍କର ଆଖିଆଉ ଚିନ୍ତା ଯାଇ ରହିଲା ହରିଣ ଉପରେ । ଏଯାଏ ହରିଣ ମିତର ଏଠାରେ କାହିଁକି ଦେଖା ନାହିଁ ତ? କାଉ ଭାବୁ ଭାବୁ କହି ପକାଇଲା ବିଚରା ମିତ ଆମର ଆଜି କ’ଣ କୌଣସି ଅସୁବିଧାରେ ପଡ଼ିଗଲେ ନା’ କ’ଣ?

କଇଁଛ ସେମାନଙ୍କ ଠାରୁ ବେଶି ଭାବୁଥିଲା ଯେ ଏଯାଏ ହରିଣ ମିତର କାହିଁକି ଦେଖାନାହିଁ । ସମସ୍ତଙ୍କ ମନ କେତେକ ସନ୍ଦେହକୁ ନେଇ ବିକଳ ହୋଇ ପଡ଼ିଲା । ସେ କହିଲା – ଆଚ୍ଛା ମିତ କାଉ, ତମେ ତ ଆମ ମଧ୍ୟରୁ ଏହି କାମ ସହଜ କରିପାରିବ । ତମେ ଟିକେ ଆକାଶ ଆଡ଼େ ବୁଲି ଆସି ଦେଖ ତ ମିତ ଆମର କୁଆଡ଼େ ଗଲେ?

ସଙ୍ଗେ ସଙ୍ଗେ କାଉ କା କା ହୋଇ ଉପରକୁ ଉଠିଲା । ସଙ୍ଗେ ସଙ୍ଗେ ଚାରିଆଡ଼କୁ ଖେଦି ପକାଇଲା । ଏଇ ଉଡ଼ିବା ମଧ୍ୟରେ ତା’ର ନଜର ପଡ଼ିଗଲେ ଯେ ବିଚରା ହରିଣ ମିତ ଜାଲରେ ପଡ଼ିଯାଇଛି । କାଉ ସଙ୍ଗେ ସଙ୍ଗେ ହରିଣ ମିତ ପାଖରେ ଯାଇ ଦେଖିଲା ହରିଣ ମିତ ବଡ଼ ଅସଜିଆ ଜାଲରେ ପଡ଼ିଯାଇଛି । କାଉକୁ ଦେଖୁ ଦେଖୁ କାନ୍ଦ କାନ୍ଦ ହୋଇଗଲା ହରିଣ । କହିଲା କ’ଣ କରିବି ଆଉ? ଏପରି ଜାଲରେ ପଡ଼ିଛି ଯେ ଏଥିରୁ ଉଦ୍ଧୁରିବା ଆଉ ସମ୍ଭବ ନୁହେଁ । ଶିକାରୀ ଆସିବା ବେଳ ପ୍ରାୟ ହୋଇଯିବଣି । ତୁମେ ସବୁ ମିତମାନଙ୍କୁ କହିଦେବ, ସେମାନେ ଆଉ ମୋ କଥା ଭାବିବେ ନାହିଁ । ତାଙ୍କ ହରିଣ ମିତର ମୃତ୍ୟୁ ଡାକରା ଆସିଗଲାଣି ।

କାଉ ମିତକୁ ଏତକ କହୁକହୁ ହରିଣ କାନ୍ଦିବାକୁ ଲାଗିଲା । କାଉ ତାଙ୍କୁ ଖୁବ୍ ସାନ୍ତ୍ୱନା ଦେଇ କହିଲା – ରୁହ ବ୍ୟସ୍ତ ହୁଅ ନାହିଁ । ମୁଁ ଯାଉଛି ସବୁ ମିତ୍ରଙ୍କୁ ଏକଥା କହିବି । ତୁମକୁ କିପରି ଉଦ୍ଧାର କରାଯିବ ତା’ର ଗୋଟିଏ କିଛି ଉପାୟ କରିବାକୁ ହେବ ନା?

ଏହାକହି ସଙ୍ଗେ ସଙ୍ଗେ କାଉ ଉଡ଼ିଯାଇ ମିତମାନଙ୍କ ପାଖରେ ପହଞ୍ଚିଲା । କାଉ ମିତ ଏତେବେଳ ହେଲା ଗଲାଣି ଯେ ଏଯାଏ ଫେରିଲା ନାହିଁ? ଏଯାଏ ବୋଧହୁଏ ସେ ହରିଣ ମିତଙ୍କର କୌଣସି ସନ୍ଧାନ ପାଇନାହାଁନ୍ତି ।

ଏପରି ସମୟରେ ମିତମାନଙ୍କର ପାଖରେ ଆସି କାଉ ପହଞ୍ଚି ହରିଣ ମିତଙ୍କର ଜାଲରେ ପଡ଼ିବା ବୃତ୍ତାନ୍ତ ଜଣାଇ ଦେଲା । ଏକଥା ଶୁଣିବାମାତ୍ରେ ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । କଇଁଛ କହିଲା ହେ ମୂଷା ମିତ ଏପରି ବିପଦରେ ଆଉ ବିଳମ୍ବ କରିବାର ନାହିଁ । ଆମକୁ ଯେତେ ଶୀଘ୍ର ହେବ ଏହାର ବ୍ୟବସ୍ଥା କରିବାକୁ ହେବ । ମୂଷା କହିଲା ଏତେଗୁଡାଏ ବାଟ ଆମେ ଯାଇ ପହଞ୍ଚିବା ବେଳକୁ ଯଦି ଶିକାରୀ ହାତରେ ଆମର ମିତ ପଡ଼ିଯାଇଥିବେ ଆମେ କରିବା କ’ଣ? କୁଆ କହିଲା – ମୋ ମନକୁ ଗୋଟିଏ ବୁଦ୍ଧି ଆସୁଛି । ତମେ ଯଦି ରାଜି ହେବ ତାହାହେଲେ କହନ୍ତି । ଆମକୁ କଷ୍ଟ ହେଉ ବରଂ ହରିଣ ମିତ ଆମର ଏତେ ବଡ଼ ବିପଦରୁ ନିଶ୍ଚୟ ଉଦ୍ଧାର ପାଇଯାଆନ୍ତେ ।

କାଉ ମୁହଁରୁ ଏକଥା ଶୁଣି କଇଁଛ କହିଲା -ସେ ଉପାୟ ଆମକୁ କହୁନା କାହିଁକି? କାଉ କହିଲା – ତମେ ପଛେ ପଛେ ଆମକୁ ଅନ୍ୱେଷଣ କରି ଆସ । ମୁଁ ମୂଷା ମିତଙ୍କୁ ପିଠିରେ ବସାଇ ସେହି ହରିଣ ମିତ ପାଖକୁ ଶିଘ୍ର ନେଇ ଯାଉଛି । କଇଁଛ ମିତ କହିଲା ଆଉ ଅପେକ୍ଷା କରୁଛ କାହିଁକି । ମୁଁ ପଛେ ପଛେ ଯାଉଛି ତୁମେ ମୂଷା ମିତଙ୍କୁ ପିଠିରେ ବସାଇ ଯେତେ ଶୀଘ୍ର ପାରୁଛ ଚାଲ ।

ଏହାପରେ କୁଆ ନିଜ ପିଠିରେ ମୂଷାକୁ ବସାଇ ଆକାଶରେ ଉଡ଼ି ଉଡ଼ି ଚାଲିଲା । କଇଁଛ ତଳେ ଖୁବ୍ ବେଗରେ ସେହି ଆଡ଼କୁ ଧାଇଁବାକୁ ଲାଗିଲା । ଯାହାହେଉ ସମସ୍ତେ ଏକା ସାଙ୍ଗରେ ସେଠାରେ ଏକାଠି ହୋଇଗଲେ । ମୂଷା ଆଉ ବିଳମ୍ବ ନକରି ଜାଲକୁ କୁଟୁକୁଟୁ କରି କାଟି ପକାଇବାରୁ ହରିଣ ମିତ ମୁକ୍ତି ପାଇଗଲା ।

ଏତିକିବେଳକୁ ଶିକାରୀ ସେହି ଦିଗକୁ ଧାଇଁବାର ଦେଖି ହରିଣ, ଶିକାରୀ ଭୟରେ ଦୌଡ଼ିବାକୁ ଲାଗିଲା ବେଳକୁ, ତାକୁ ଦେଖି ମୂଷା ଗୋଟିଏ ଗାତରେ ପଶିଗଲା । ସେମିତି କାଉ ମଧ୍ୟ ଉଡ଼ିଯାଇ ଗୋଯିଏ ଗଛ ଡାଳରେ ବସିଗଲା । ଏଥର ବିଚରା କଇଁଛ ଯାଏ କୁଆଡ଼େ । ତିନି ମିତଙ୍କ ମଧ୍ୟରେ ଭାଳେଣି ପଡ଼ିଲା । ଏଥର କଇଁଛ ମିତଙ୍କୁ ଆମର ବିପଦ ପଡ଼ିଯିବ ।

ଏମାନଙ୍କ ମନ ମଧ୍ୟରୁ ଭାବନା ସରିନାହିଁ ଜାଲ ପାଖରେ ଧଇଁସଇଁ ହୋଇ ଶିକାରୀ ପହଞ୍ଚିଗଲା । ଜାଲ କାଟି ହରିଣ ଖସିବାର ଜାଣି ମନ ମଧ୍ୟରେ ବହୁତ କ୍ରୋଧ କଲା ଶିକାରୀ । ସେତିକିବେଳେ କଇଁଛ ବିଚରା ଆଗକୁ ଆଗକୁ ପଳାଇ ଯାଉଥିବାର ଦେଖି ଶିକାରୀ ଭାବିଲା ଏ ସବୁତକ ଲୀଲା ଏଇ କଇଁଛର । ହରିଣ ଖସିଗଲା ଖସିଗଲା । ତୁ ଏବେ ଯିବୁ କୁଆଡ଼େ ଦେଖିବା? ଏହା କହି ଶିକାରୀ ଖୁବ୍ ଜୋର୍ରେ ମାଡ଼ିଯାଇ କଇଁଛକୁ ମାଡ଼ିବସି କହିଲା – ଧରାପଡ଼ିଛୁ । ହରିଣକୁ ଖସାଇଦେଲୁ ସିନା ଏଥର ତୁ ଯିବୁ କୁଆଡ଼େ । ହରିଣ ଧରା ପଡ଼ିଥିଲେ ତାକୁ କାଟି ଆଜି ଗୋଟିଏ ବଡ଼ ଭୋଜି ହୋଇଥାଆନ୍ତା । ତୁ ଯେତେବେଳେ ତାକୁ ଖସାଇ ଦେଲୁ ଏଥର ତୋ ଝୋଳଟା କେଡ଼େ ମଜ୍ଜା ଲାଗିବ ଦେଖିବୁ ।

ଏହାକହି ଶିକାରୀ ଖୁବ୍ ଯତ୍ନରେ କଇଁଛକୁ ନିଜର ଗାମୁଛା ମଧ୍ୟରେ ଗୁଡ଼େଇ ଗୁଡ଼େଇ ବାନ୍ଧିଦେଲା । ତା’ ପରେ ଚାଲିଲା ନିଜ ଘରକୁ । କଇଁଛକୁ ଏପରି ହାଲ ଅବସ୍ଥା କରି ଶିକାରୀ ନେଇଯିବାରୁ କୁଆ ସେହି କଥାକୁ ଖୁବ୍ ଜୋର୍ରେ ରାବ କରି ସବୁ ମିତଙ୍କୁ ଜଣାଇ ଦେଲା । ସଙ୍ଗେ ସଙ୍ଗେ ସବୁ ମିତ ଆସି ଏକାଠି ହୋଇଗଲେ । ତାଙ୍କ ମଧ୍ୟରେ ବହୁତ ବିଚାର ବିମର୍ଷ ଚାଲିଲା । ଏତିକିବେଳେ ମୂଷା ବାହାରି ପଡ଼ି କହିଲା – ତମେମାନେ ଆଦୌ ବ୍ୟସ୍ତ ହୁଅ ନାହିଁ, କଇଁଛ କିପରି ରକ୍ଷା ପାଇବ ଆଗ ବିଚାର କର ।

ସମସ୍ତେ ବସି ବସି ବହୁ ପ୍ରକାର ଚିନ୍ତା କରିବାକୁ ଲାଗିଲେ । ବୁଦ୍ଧିଆ କାଉ । ସେ ସେଉଠୁ କହିଲା – ମୋ ମୁଣ୍ଡରେ ଗୋଟିଏ ବୁଦ୍ଧି ପଶିଛି । ଆମକୁ ସେହି ଉପାୟ କରିବାକୁ ହେବ । ହରିଣ ମିତ ଖୁବ୍ ଜୋର୍ରେ ଦୌଡିଯାଇ ଶିକାରୀର ଅଦେଖାରେ ଆଗ ପୋଖରୀ ହୁଡ଼ାରେ ମଲାପରି ପଡ଼ିରହିବ । ମୁଁ ମିଛି ମିଛିକା ତା’ଉପରେ ବସି ହରିଣ ମିତକୁ ଖୁମ୍ଫିବାକୁ ଆରମ୍ଭ କରିଦେବି । ଶିକାରୀର ଯେତେବେଳ ଆମ ଉପରେ ନଜର ପଡ଼ିବ ହରିଣ ମାଂସ ଖାଇବା ପାଇଁ ତା’ ପାଟିରୁ ଲାଳ ବୋହିବ । ସେତେବେଳେ ଶିକାରୀ କ’ଣ ଏତେ ଛୋଟିଆ କଇଁଛ ମିତର ମାଂସ ପ୍ରତି ଲୋଭ ରଖିବ । ସେ ତା’ର ଗାମୁଛାଟି ଥୋଇଦେଇ ଯେତେବେଳେ ଆମ ପାଖକୁ ଧାଇଁବ ସେତେବେଳେ ମୂଷାମିତ ଯାଇ ଗାମୁଛାଟିକୁ କାଟିଦେଲେ କଇଁଛ ମିତ ମୁକ୍ତି ପାଇ ଦୌଡ଼ି ଯାଇ କେଉଁ ବୁଦା ମୁଳେ ଲୁଚିଯିବ । ଶିକାରୀ ଆମ ପାଖ ହେବା ମାତ୍ରେ ତ ହରିଣ ମିତ ଦୁଇ କୁଦାରେ ପଳାଇଯିବ । ଆଉ ମୁଁ ଉପରକୁ ଉଡ଼ିଯିବି ।

କାଉର କଥା ସମସ୍ତଙ୍କୁ ମନକୁ ପାଇଲା । ସର୍ବ ଶେଷରେ ସେହି ବୁଦ୍ଧିକରି ତିନି ମିତ ଯାକ କଇଁଛକୁ ଉଦ୍ଧାର କରି ଆଣିଲେ । ହେଲେ ବିଚରା ଶିକାରୀ ମୁଣ୍ଡରେ ହାତମାରି କହିଲା – ହାଏରେ ବିଧାତା ତୁ ଆଜି ମୋ ଦାନାରେ ଧୂଳି ଦେଲୁ । ଏତେଗୁଡାଏ ପରିଶ୍ରମ ମୋର ବୃଥା କରିଦେଲୁ ।