+100%-

ଗୋଟିଏ ରାଜ୍ୟରେ ଦୁଇଜଣ ସାଙ୍ଗ ଥାଆନ୍ତି । ଜଣଙ୍କର ନାମ ଧର୍ମବୁଦ୍ଧି ଓ ଅନ୍ୟ ଜଣଙ୍କର ନାମ ପାପବୁଦ୍ଧି । ଧର୍ମବୁଦ୍ଧି ସାଙ୍ଗଟି ସଦା ସତ୍ୟ କହେ, ଅନିଷ୍ଠ ଚିନ୍ତା କରେ ନାହିଁ । ଭାରି ସରଳ ଓ ସାଧୁ ପ୍ରକୃତିର । କିନ୍ତୁ ନାମ ଅନୁସାରେ ପାପବୁଦ୍ଧି ଖୁବ୍ ଜଟିଳ ଏବଂ କୁଟୀଳ ପ୍ରକୃତିର ।

ଏମିତି ଅନେକ ମନ୍ଦ ଚରିତ୍ରର ଲୋକ ଅଛନ୍ତି । ସେମାନେ ସଦାସର୍ବଦା ପରର ଅନିଷ୍ଟ କରିବାରେ ଥାଆନ୍ତି । ପାପବୁଦ୍ଧିର ଚରିତ୍ର ଠିକ୍ ସେୟା । ଦିନକର କଥା । ସେହିଦିନ ତା’ ମୁଣ୍ଡରେ ଏକ ଅନିଷ୍ଠ କଥା ପ୍ରବେଶ କଲା । ଧର୍ମବୁଦ୍ଧି ପରି ସରଳ ପ୍ରକୃତିର ଓ ସବୁ କାର୍ଯ୍ୟକୁ ଧୁରନ୍ଧର ସାଙ୍ଗକୁ ଧରି ସେ ବିଦେଶ ଯିବ । ତାର ସରଳିଆ ଓ ସଚୋଟ କଥାକୁ ଲୋକେ ବେଶ୍ ବିଶ୍ୱାସ କରିବେ ।ତେଣୁ ତାରି ଦ୍ୱାରା ବହୁ ଧନ ରୋଜଗାର ହେବ । ଘର ଆସିବା ବେଳକୁ ତାକୁ ଏପରି ଠକିଦେବି ଯେ ସେ ତା’ର ଟେର ପାଇବ ନାହିଁ । ମୁଁ ସହଜ ଭାବରେ ବଡ଼ ଲୋକ ହୋଇଯିବି ।

ଏହିପରି ଭାବରେ ରାତିସାରା ଯୋଜନା କଲା । ପରିଦିନ ଧର୍ମବୁଦ୍ଧି ପାଖକୁ ଯାଇ କହିଲା – ସାଙ୍ଗ ଆମେ ଆଉ କେତେଦିନ ଘରେ ବସି ରହିବା । ବୟସ କ’ଣ ଅମର ବସୁଛି । ମୁଁ ଭାବୁଥିଲି ଆମେ ସାଥି ହୋଇ ବିଦେଶ ଯାଆନ୍ତେ । ସାଙ୍ଗ ହୋଇ ଦୁଇ ପଇସା ରୋଜଗାର କରନ୍ତେ । ଖର୍ଚ୍ଚବାର୍ଚ୍ଚ ଯାଇ ଯାହା ବଳକା ଦୁଇ ପଇସା ରହନ୍ତା ଭବିଷ୍ୟତ ପାଇଁ ପିଲାପିଲିଙ୍କ ପାଇଁ ରଖି ଦିଅନ୍ତେ ।

google-tez-social
ଧର୍ମବୁଦ୍ଧିତ ଅତି ସରଳ ପ୍ରକୃତିର ଲୋକ । ସେ ବି ପାପବୁଦ୍ଧି କଥାରେ ତରଳିଗଲା । ତାରି କଥାରେ ଖୁବ୍ ବିଶ୍ୱାସ କରି ସହରକୁ ଗଲେ । ସହରକୁ ଯାଇ ବହୁତ ପଇସା ରୋଜଗାର କଲେ । ଯେତେବେଳେ ବହୁତ ପଇସା ରୋଜଗାର କରି ସାରିଲେ ପାପବୁଦ୍ଧି କହିଲା – ଦେଖ ସାଙ୍ଗ ଆମେ ଆଉ ଏଠାରେ ବେଶିଦିନ ରହିବା ନାହିଁ । ଭଲ ଦୁଇପଇସା ଆମେ ରୋଜଗାର କରିଛେ । ଏଇଟା ସହର । ଏଠାରେ ଗୁଣ୍ଡା ବଦମାସ ଆଉ ଚୋରଙ୍କର ଅଭାବ ନାହିଁ । ସେମାନଙ୍କ ମଧ୍ୟରୁ ଆମ ଉପରେ ଯଦି କାହାରି ଆଖି ପଡ଼ିଥିବ କେତେବେଳେ ଯେ ଆମର ଏତକ ଧନ ନେଇଯିବେ । ସେଥିପାଇଁ କହୁଥିଲି ଏତେଗୁଡ଼ାଏ ଟଙ୍କା ପଇସା ପାଖରେ ରଖି ବିପଦକୁ ମୁଣ୍ଡେଇବା ଅପେକ୍ଷା ଆମେ ଗାଁକୁ ଚାଲିଯିବା । ଗାଁରେ ଟଙ୍କା ପଇସାକୁ ନିରାପଦରେ ରଖିଦେଇ ପୁଣି ସହରକୁ ଆସିବା ।

ପାପବୁଦ୍ଧିର କୂଟ ଚକ୍ରାନ୍ତ ବୁଝିପାରିଲା ନାହିଁ ଧର୍ମବୁଦ୍ଧି । ସେ ମଧ୍ୟ ବୁଝିଲା ଯେ ପାପବୁଦ୍ଧି ଭଲ କଥା କହୁଛି । ସଂସାରରେ ଯାହା ପାଖରେ ଧନ ତା’ର ଶତ୍ରୁ ବେଶି । ସେ ମଧ୍ୟ ପାପବୁଦ୍ଧିର କଥାରେ ରାଜି ହୋଇଯିବାରୁ ସେମାନେ ସାଥି ହୋଇ ଗାଁକୁ ବାହାରି ପଡ଼ିଲେ । ଗାଁକୁ ଆସିବା ବାଟରେ ରାତି ହେଲା । ସେମାନେ ରାସ୍ତା ପାଖ ଏକ ବରଗଛ ମୂଳେ ଟିକେ ବିଶ୍ରାମ ନେଲେ । ସେତିକିବେଳେ ପାପବୁଦ୍ଧି ଧର୍ମବୁଦ୍ଧିକୁ କହିଲା, ଦେଖ ଭାଇ ଆଜିଯାଏ ମୋ କଥାରେ ଟିକେ ବି ବାହାରି ଯାଇନୁ । ମୋ ବିଚାର ତୋର ମନକୁ ପାଇଥାଏ । ତେବେ ବର୍ତ୍ତମାନ ମୋ ମୁଣ୍ଡରେ ଗୋଟିଏ କଥା ପଶିଛି । ଅବଶ୍ୟ ସେକଥା ଆମର ହିତରେ ଲାଗିବ ବୋଲି ଭାବୁଛି । ତାହାଛଡ଼ା ମୋର ମଧ୍ୟ ତୋ ପରି ବିଚକ୍ଷଣ ବୁଦ୍ଧି ନୁହେଁ । ଏବେ ଯେଉଁ କଥା ତୋତେ କହିବି ସେକଥା ତୋ ମନକୁ କିପରି ପାଉଛି କେଜାଣି?

ଧର୍ମବୁଦ୍ଧି ପାପବୁଦ୍ଧିଠାରୁ କଥାଶୁଣି ପଚାରିଲା – ଦେଖ ଭାଇ ତୋର ମୋର କେତେ ବନ୍ଧୁତ୍ୱ । ସବୁଥର ତୁ ଯେଉଁ ଯେଉଁ କଥା ସବୁ କହୁ ସେଥିରେ ମୁଁ ରାଜି ହୁଏନା ନାହିଁ! ତୋରି କଥାରେ ବିଦେଶ ଯିବାରୁ ଆମେ ଏତେ ଧନ ରୋଜଗାର କରି ଆସିଲେ ନା ନାହିଁ !

କଥା ଛଡ଼ାଇ ନେଇ ପାପବୁଦ୍ଧି କହିଲା – ମୁଁ ତୋତେ ସେହି ଧନକଥା କହୁଥିଲି । କହିବାକୁ ଗଲେ ଗାଁରେ ଧନ ନିରାପଦ ନୁହେଁ । ଧନଥିଲେ ଘରେ ଚୋର ପଶିବେ । ମୋ ମୁଣ୍ଡରେ ଗୋଟିଏ ଭଲ ବୁଦ୍ଧି ଆସିଛି । ସେ କଥା ତୋ ମନକୁ ଗଲେ ହେଲା । ମୁଁ କହୁଥିଲି ଆମେ ଦୁହେଁ ଯେତେ ଧନ ରୋଜଗାର କରି ଆଣିଛେ ତାହାକୁ ଅଧା ଘରକୁ ନେବା ଆଉ ଅଧକ ଏହି ବରଗଛ ମୂଳରେ ଭଲ ଭାବରେ ପୋତିଦେଇ ଯିବା । ଯେତେବେଳେ ଘରେ ଧନର ଅଭାବ ହେବ ସେତେବେଳେ ଏ ଧନକୁ ଆସି ନେବା । ତୁ ତୋ ଟଙ୍କା ନେବୁ, ଆଉ ମୁଁ ମୋ ଟଙ୍କା ନେବି । ଆଜି ସାଥି ହୋଇ ରଖିଦେଇ ଯିବା କାଲି ପୁଣି ସାଥି ହୋଇ ଆସିବା ।

କ’ଣ କହୁଛୁ । ଏକଥା ତୋ ମନକୁ ପାଇଲା କି ନାହିଁ । ପାପବୁଦ୍ଧିର ଚକ୍ରାନ୍ତ କିନ୍ତୁ ଧର୍ମବୁଦ୍ଧି ମୁଣ୍ଡରେ ପଶିଲା ନାହିଁ । ସହଜରେ କଥାରେ ବଦଳି ଯାଇ ପାପବୁଦ୍ଧିର ଯୋଜନା ଅନୁସାରେ ସମସ୍ତ ଧନରୁ ଅଧା ଅଧା ସେହି ଗଛ ମୂଳରେ ପୋତିଦେଇ ଘରକୁ ଚାଲିଗଲେ । ଦୁଇ ସାଙ୍ଗ ଗ୍ରାମରେ ପହଞ୍ଚିଲେ । ସେମାନେ ଏତେ ଏତେ ଧନ ରୋଜଗାର କରି ଆଣିଥିବାରୁ ପରିବାରରେ ସମସ୍ତେ ତାଙ୍କ ପ୍ରତି ଖୁସି ହେଲେ ।

ସେହିଦିନ ଠାରୁ ବେଶ୍ ଆନନ୍ଦରେ ଚଳୁଥାଆନ୍ତି । ଏହାପରେ ପାପବୁଦ୍ଧିର ମୁଣ୍ଡରେ ପାପ ପଶିଲା । ସେ ଭାବିଲା ଅନେକ ଦିନ ହେଲା ଧନ ସେଠାରେ ପୋତିଦେଇ ଆସିଛୁ । ଆଉ କିଛିଦିନ ଗଲେ ଧର୍ମବୁଦ୍ଧିର ଧନର ଯଦି ଦରକାର ପଡ଼ିବ ତାହାହେଲେ ଧର୍ମବୁଦ୍ଧି ଧନ ପାଇଁ ବାହାରି ପଡ଼ିବ । ହେଲେ ମୋର ବୁଦ୍ଧି ଆଉ କାମରେ ଲାଗିବ ନାହିଁ । ସେହି କାରଣକୁ ମନରେ ଭାବି ପାପବୁଦ୍ଧି କ’ଣ କଲାନା, ସେହି ରାତିରେ ସେ ସେହିଗଛ ପାଖକୁ ଯାଇ ଦୁହିଁଙ୍କର ଧନକୁ ନେଇ ଘରକୁ ଚାଲିଆସିଲା । ତା’ପରେ ଦିନ କେଇଟା ଗଡ଼ିଯିବା ପରେ କହିଲା – ସାଙ୍ଗ ମୋର ତ ହାତରୁ ଧନ ସରିଲା । ଭାବୁଛି ଏବେ ଯାଇ ସେ ଧନ ଆଣିବା । ଆସନ୍ତାକାଲି ସକାଳେ ସାଙ୍ଗ ହୋଇ ଯିବା ବୋଲି ଭାବୁଛି ।

ପାପବୁଦ୍ଧି କଥାଶୁଣି ଧର୍ମବୁଦ୍ଧି କହିଲା – ମୋର ତ ସେପରି ଅବସ୍ଥା । ମୁଁ ମଧ୍ୟ ଗଛ ମୂଳରେ ପୋତାଥିବା ଧନକୁ ଆଣି ଘର ଖର୍ଚ୍ଚରେ ଲଗାନ୍ତି ।

ଦୁଇ ସାଙ୍ଗ ଏପରି କଥା ହୋଇ ତା’ ପରଦିନ ଗଛମୂଳକୁ ଯାଇ ଧନ ପୋତିଥିବା ସ୍ଥାନକୁ ଖୋଳନ୍ତେ ଦେଖିଲେ ଧନ ନାହିଁ । ତାହା ଦେଖି ପାପବୁଦ୍ଧି ଧର୍ମବୁଦ୍ଧି ଉପରେ ରାଗିଯାଇ କହିଲା – ତୁମକୁ ମୁଁ ଏତେ ବିଶ୍ୱାସ କରିଥିଲି । ମୋରି କଥାରେ ଆମେ ଧନ ରଖିଲେ । ମୁଁ ଜାଣିଲି ନାହିଁ, ତମେ ମୋ ସାଥିରେ କପଟ କରି ସବୁତକ ଧନକୁ ମୋ ଅଜାଣତରେ ଆସି ନେଇଗଲ! କାରଣ ଏଠାରେ ଧନ ତମର ମୋର ରଖିଥିଲେ – ତମେ ଜାଣିଥିଲ ବୋଲି ଏକା ଏକା ଆସି ସବୁ ଧନନେଇ ଚମ୍ପଟ ମାରିଲ!

ଏକଥା ଶୁଣି ଧର୍ମବୁଦ୍ଧି ଅବାକ୍ ହୋଇଗଲା । ଆରେ ୟେ ସାଙ୍ଗ ମୋ ନାମରେ କେଡ଼େ ନିପଟ ମିଥ୍ୟା କହି ମୋତେ କିପରି ଦୋଷୀ କରାଉଛି ଦେଖିଲ ।

ଏହି କଥାକୁ ଦୁହିଁଙ୍କ ମଧ୍ୟରେ ଘୋର କଳି ହେଲା । ଏଥିପାଇଁ ଦୁଇସାଙ୍ଗକୁ ପୁଣି ବିଚାରପତିଙ୍କ ପାଖକୁ ଯିବା ହେଲା । ବିଚାରପତି କହିଲେ ଆରେ ପାପ ବୁଦ୍ଧି ତୋର ଧନକୁ ଧର୍ମବୁଦ୍ଧି ନେଇଛି ବୋଲି କାହାକୁ ସାକ୍ଷୀ ରଖିଛୁ କି?

ପାପବୁଦ୍ଧି କହିଲା – ହଜୁର ମୋର ସାକ୍ଷୀ ସେହି ଧର୍ମବୃକ୍ଷ । ଆମେ ଦୁହେଁ ସେଠାରେ ଧନପୋତି ରଖିବା କଥା ସେ ସବୁ ଦେଖିଛି ।

ସେଇଠୁ ବିଚାରପତି କହିଲେ – ଆସନ୍ତାକାଲି ସାକ୍ଷ୍ୟ ନେବା ନିମନ୍ତେ ଆମେ ବୃକ୍ଷ ମୂଳକୁ ଯିବା । ବୃକ୍ଷ ଯଦି କହିଦେବ ସେ ଧର୍ମବୁଦ୍ଧି ଧନ ସବୁକୁ ନେଇଯାଇଛି ସେହି ହିସାବରେ ଧର୍ମବୁଦ୍ଧିକୁ ଆମେ ଦଣ୍ଡ ଦେବା ।

ଏହିପରି ଭାବରେ ବିଚାରପତିଙ୍କ କଥାକୁ ଦୁହେଁ ଶୁଣିସାରି ଘରକୁ ଗଲେ । ଘରେ ଆସି ପାପବୁଦ୍ଧି ସବୁକଥା ବୁଝାଇ ଶୁଝାଇ ବାପାଙ୍କୁ କହିଲା । ବାପା ମଧ୍ୟ ଖୁବ୍ ଧନ ଲୋଭୀ । ସେଥିପାଇଁ ପୁଅର କଥାକୁ ଶୁଣି ପାପ ବୁଦ୍ଧିର ବାପା ବିଚାରପତିଙ୍କର ଯିବା ଆଗରୁ ଯାଇ ସେହି ଗଛର କୋରଡ଼ ଭିତରେ ଲୁଚି କରି ବସିଲା । ବିଚାରପତି ଯାଇ ଗଛକୁ ଏ ସମସ୍ତ ଘଟଣା କହିବାରୁ ଗଛ କହିଲା – ହଁ ଆଜ୍ଞା । ଦୁହେଁ ସିନା ସାଙ୍ଗ ହୋଇ ମୋ ମୂଳରେ ଟଙ୍କାକୁ ପୋତି ଦେଇ ଗଲେ କେତେ ଦିନ ଅତିବାହିତ ହୋଇଯାଆନ୍ତେ ଏହି ଧର୍ମବୁଦ୍ଧି ଆସି ସବୁତକ ନେଇଗଲା । ତେଣୁ ଆପଣ ଧର୍ମବୁଦ୍ଧିକୁ ଚୋର ଭାବରେ ଦଣ୍ଡ ପ୍ରଦାନ କରନ୍ତୁ ।

ଗଛଠାରୁ ଏକଥା ଶୁଣିବା ମାତ୍ରେ ଧର୍ମବୁଦ୍ଧି ସେହି ଗଛ କୋରଡ଼ରେ ନିଆଁ ଲଗାଇ ଦେବାରୁ ପାପ ବୁଦ୍ଧିର ବାପା ଅଧପୋଡ଼ା ହୋଇ ପଦାକୁ ବାହାରି ଆସିଲେ । ସମ୍ମୁଖରେ ବିଚାରପତିଙ୍କୁ ଦେଖି ପାପ ବୁଦ୍ଧିର ବାପା ପ୍ରାଣ ବିକଳରେ କହିଲା – ଆଜ୍ଞା ଏସବୁ କାର୍ଯ୍ୟ ପାପବୁଦ୍ଧିର । ଧର୍ମବୁଦ୍ଧି ବିଶ୍ୱାସରେ ପାପବୁଦ୍ଧି ସିନା ଧନ ରଖିଥିଲା । ହେଲେ ମୋର ପୁଅ ତା’ ସାଙ୍ଗରେ ବିଶ୍ୱାସରେ ବିଷ ଦେଇ ସମସ୍ତ ଟଙ୍କାକୁ ନେଇଗଲା । ମୁଁ ତାର ବାପା ହୋଇ କେବେ ମିଛ କହିବି ନାହିଁ ।

ପାପବୁଦ୍ଧି ଯେ ପ୍ରକୃତ ଚୋର ବିଚାରପତିଙ୍କ ଆଖିରେ ଧରା ପଡ଼ିଗଲା । ସଙ୍ଗେ ସଙ୍ଗେ ପାପବୁଦ୍ଧିକୁ ବନ୍ଦୀଶାଳାକୁ ନେଇଯିବା ଲାଗି ବିଚାରପତି ଆଦେଶ ଦେଲେ । ଆଉ ମଧ୍ୟ ଧର୍ମବୁଦ୍ଧିର ଉପସ୍ଥିତି ବୁଦ୍ଧି ଲାଗି ବିଚାରପତି ତାହାଙ୍କୁ ପୁରସ୍କାର ପ୍ରଦାନ ଦେଲେ ।