+100%-

ସଙ୍ଗମ ରାଜପ୍ରାସାଦଠାରୁ ବହୁତ ଦୂରରେ ଗୋଟିଏ ଘଞ୍ଚ ଅରଣ୍ୟ ଥିଲା । ସେହି ଅରଣ୍ୟରେ ବହୁ ସଂଖ୍ୟକ ବ୍ୟାଘ୍ର, ହସ୍ତୀ, ସିଂହ, ବାର୍ହା, ମୃଗ, ଶୃଗାଳ ଆଦି ବହୁତ ହିଂସ୍ରଜୀବ ବାସ କରୁଥାଆନ୍ତି । ହଠାତ୍ ସେହି ଅରଣ୍ୟରେ ପଶୁମାନଙ୍କର ଖାଇବା ଲାଗି ଖାଦ୍ୟ ସଙ୍କଟ ଦେଖାଦେଲା । ପଶୁପକ୍ଷୀମାନେ ସେହି ଅରଣ୍ୟରେ ବାସ କରୁଥିଲେ ମଧ୍ୟ ପ୍ରତିଦିନ ସକାଳ ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରକୁ ପଳାଇ ଯାଆନ୍ତି ଓ ସନ୍ଧ୍ୟାହେଲେ ଖାଇ ପିଇ ସେହି ଅରଣ୍ୟରେ ଆସି ରହନ୍ତି ।

ଦିନକର ଘଟଣା । ସେହି ଅରଣ୍ୟରେ ବାସ କରୁଥାଏ ଗୋଟିଏ ଚଣ୍ଡରବ ନାମକ ଏକ ଶୃଗାଳ । ଦିନକର କଥା, ଅରଣ୍ୟ ମଧ୍ୟରେ ଖାଇବାକୁ ନିଜର ଖାଦ୍ୟ ଅନ୍ୱେଷଣ କରିବାକୁ ଯାଇ ଏକ ଗ୍ରାମରେ ପହଞ୍ଚି ଯାଆନ୍ତେ ଗ୍ରାମରେ ଥିଲେ ଅନେକ କୁକୁର । କୁକୁରମାନେ ତ ଶୃଗାଳକୁ ଦେଖିଲେ ଆଉ କି ଛାଡ଼ନ୍ତି ତାକୁ । ଶୃଗାଳକୁ ଦେଖି ଗୁଡାଏ କୁକୁର ମଧ୍ୟ ଶୃଗାଳ ପଛରେ ଧାଇଁବାକୁ ଲାଗିଲେ ।

ଏହାପରେ ବିଚରା ଶୃଗାଳ ପ୍ରାଣ ଭୟରେ ଗ୍ରାମରେ ଥିବା ଏକ ଧୋବା ଘର ଆଡ଼କୁ ଦୌଡ଼ିବାକୁ ଲାଗିଲା । ଏଥର ଶୃଗାଳ ଭାଗ୍ୟ ବଦଳି ଗଲା ପ୍ରାୟ । ପ୍ରାଣ ବିକଳରେ ଧାଉଁଥିବା ବେଳେ ଅଜାଣତରେ ଧୋବାଘର ଥିବା ନୀଳକୁଣ୍ଡରେ ଗଳି ପଡ଼ିଲା ।

google-tez-social
ଶୃଗାଳ ନୀଳକୁଣ୍ଡରେ ଗଳି ପଡ଼ିବାରୁ ତା’ ଶରୀର ତମାମ ନୀଳ ବର୍ଣ୍ଣ ହୋଇଗଲା । କ’ଣ କରିବ ବିଚରା ସେମିତି ନୀଳ ରଙ୍ଗ ହୋଇ ଯେତେବେଳେ ଜଙ୍ଗଲ ଆଡ଼କୁ ଧାଇଁ ଆସିଲା କୁକୁରମାନେ ଏପରି ଏକ ଅଦ୍ଭୂତ ଜୀବକୁଦେଖି କୁଆଡ଼େ ଗଲା ସେ ଶୃଗାଳ! ତାକୁ ଏଣେ ତେଣେ ଖୋଜିବାକୁ ଲାଗିଲେ ।

କିନ୍ତୁ ଅସଲ ଶୃଗାଳକୁ ଚିହ୍ନି ନପାରି ଛାଡ଼ିଦେଲେ । ସେହିପରି ନାନା ପ୍ରକାର ଚିନ୍ତା କଥା ମନରେ ଭାବି ଶୃଗାଳ ଯେତେବେଳେ ଯାଇ ସେହି ଅରଣ୍ୟ ମଧ୍ୟରେ ପହଞ୍ଚିଲା ଅରଣ୍ୟ ମଧ୍ୟରେ ଥିବା ବ୍ୟାଘ୍ର, ଭାଲୁ, ସିଂହ ଆଦି ବଡ଼ ବଡ଼ ହିଂସ୍ରଜନ୍ତୁମାନେ ତାଙ୍କ ଅରଣ୍ୟ ମଧ୍ୟରେ ଏମିତି ଏକ ଅଦ୍ଭୁତ ଜୀବକୁ ଦେଖି ଭୟଭୀତ ହୋଇ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ ।

ଏଥର ଚତୁର ବିଲୁଆ ବୁଝିପାରିଲା ଯେ ମୋର ଏହି ନୀଳବର୍ଣ୍ଣର ରୂପକୁ ଦେଖି ସମସ୍ତେ ପ୍ରାୟ ଡ଼ରିଯାଇଛନ୍ତି । ଏଥର ଏଠାରେ ଏକ ନୂଆ ବୁଦ୍ଧି ଚିନ୍ତା କରିବା ।

ୟେ ତ ଚତୁର ବିଲୁଆ । ସମସ୍ତଙ୍କର ଦୌଡ଼ିବାର ଦେଖି ଖୁବ୍ ଜୋର୍ରେ ଡାକ ପକାଇଲା । ଆରେ ଆରେ ତମେମାନେ କେଉଁଆଡ଼େ ପଳାଇ ଯାଉଛ । ସ୍ୱର୍ଗରୁ ଦେବରାଜ ଇନ୍ଦ୍ର ମୋତେ ବରଦେଇ ପଠାଇଛନ୍ତି । ଆଜିଠାରୁ ମୁଁ ହେଉଛି ଏହି ଅରଣ୍ୟର ରାଜା । ଆସ, ସମସ୍ତେ ଫେରି ଆସ । ତୁମ୍ଭମାନଙ୍କ ପରି ପ୍ରଜାମାନେ ଯଦି ଅରଣ୍ୟ ପରିତ୍ୟାଗ କରି ପଳାଇଯିବେ ତାହାହେଲେ ରାଜ୍ୟ ବା ଚାଲିବ କିପରି? ଆଉ ମୁଁ ଏଠାରେ ରାଜା ହୋଇ ରହିବି ବା କିପରି?

ଯାହାହେଉ ଶୃଗାଳ ଭାବିଲା ଆଜିଠାରୁ ମୋର ଗୋଟାଏ ନୂଆ ଜନ୍ମ ହେଲା । ତା’ ପରେ ସେ ଯାଇ ରାଜଗାଦିରେ ଦମ୍ଭରେ ସହିତ ବସିଗଲା । ହେଲେ ସେ ତ ସାମାନ୍ୟ ଶୃଗାଳ । ଅରଣ୍ୟର ରାଜା ସିଂହ ଯେପରି ରାଜ ସିଂହାସନରେ ବସି ଶାସନ କରିବା କଥା ସେ କିପରି ବା ରାଜଗାଦିରେ ବସିପାରନ୍ତା । ଶୃଗାଳର ମୁହଁ ସିନା ଇସ୍ପାତ । ହେଲ ପଛଟା ସନ୍ନିପାତ । ତଥାପି ନିଜ ଜୀବନକୁ ସତେ ଯେପରି ବାଜି ଲଗେଇ ବହୁ ସାହାସର ସହିତ ରାଜଗାଦିରେ ବସିଛି ଶୃଗାଳ । ନୂଆ ହୋଇ ଏତେ ବଡ଼ ଆସନର ଅଧିକାରୀ ହୋଇଥିବାରୁ ତାକୁ ସବୁଦିନ ଯେପରି ନୂଆ ନୂଆ ଲାଗିଲା । ପୁଣି ନିଚ୍ଚ ଯଦି ଉଚ୍ଚକୁ ଯାଇଛି ଏପରି ସୁବିଧା ପାଇଲେ ତାକୁ ସ୍ୱର୍ଗକୁ ଚାରି ହାତ ଜଣାଯାଏ ।

ଏହାପରେ ଶୃଗାଳ ରାଜା ସିଂହାସନ ଉପରେ ବସି ସମସ୍ତ ଦିଗକୁ ଚାହିଁଲା । ସିଂହାସନ ପାଖାପାଖି ବସିଥାଏ ଅରଣ୍ୟର ରାଜା ବିଚରା ସିଂହ । ସିଂହକୁ ଦେଖି ମନେ ମନେ ଭାବୁଥାଏ ଶୃଗାଳ, ଆରେ ତୁ ତ ଆମକୁ ମୂଷା କରି ରଖିଥିଲୁ, ଦେଖି ପାରିଲୁ ତ ସାମାନ୍ୟ ଶୃଗାଳର କରାମତି ।

ତହୁଁ ଶୃଗାଳ କହିଲା ମୋ ପୂର୍ବରୁ ଏ ଅରଣ୍ୟ ରାଜା କିଏ ଥିଲା?

– ହଜୁର, ଆମ ଅରଣ୍ୟର ରାଜା ଥିଲେ ଆମ୍ଭର ଏହି ଶକ୍ତିଶାଳୀ ସିଂହ ରାଜା ।

ପଶୁମାନଙ୍କ ଠାରୁ ଏକଥା ଶୁଣି ଶୃଗାଳ କହିଲା – ବାଃ, ସିଂହ ତୁମ୍ଭେ ଅରଣ୍ୟରେ ଖୁବ୍ ଶକ୍ତିଶାଳୀ ନାଁ, ଠିକ୍ ଅଛି । ଆଜିଠାରୁ ସିଂହ ମୋ ରାଜ୍ୟର ମନ୍ତ୍ରୀ ହେଲା । କାରଣ ସେ ଯୋଦ୍ଧା ଓ ଶକ୍ତିଶାଳୀ ।

ତା’ପରେ ଅରଣ୍ୟ ରାଜ୍ୟର ରାଜାଙ୍କର ମନ୍ତ୍ରୀ ସେନାପତି ଆଦିଙ୍କର ଗୋଟି ଗୋଟି ପରିଚୟ ନେଇସାରି ଶୃଗାଳ ଏଥର ରାଜା ରାଜପରିଷଦରୁ ମୂଖ୍ୟ ମୂଖ୍ୟ କର୍ମଚାରୀମାନଙ୍କର ନାମ ଘୋଷଣା କଲା ।

ଅରଣ୍ୟର ପୂର୍ବତନ ରାଜା ସିଂହକୁ ମନ୍ତ୍ରୀ କରିବା ପରେ ବ୍ୟାଘ୍ରକୁ ସେନାପତି ହସ୍ତୀକୁ ପାଣିବୁହା, କୁକୁର ଦ୍ୱାରପାଳ ଭାବରେ ନିଯୁକ୍ତି ଦେଇ କହିଲା, ଦୁଃଖର କଥା ବର୍ତ୍ତମାନ ଯେତେ ଜଣ ମୋର ବିଶ୍ୱାସକୁ ଆସିଗଲେ ଆଉ ମଧ୍ୟ ସେମାନଙ୍କର ଯୋଗ୍ୟତା ଦେଖି ମୋ ପରିଷଦରେ ନିଯୁକ୍ତି ଦେଇଅଛି । ଏଥିରେ କାହାରି ଦୁଃଖ କରିବାର ନାହିଁ । କାରଣ ଆଗାମୀ ଅଳ୍ପ ଦିନ ମଧ୍ୟରେ ମୁଁ ପୁଣି ମୋର ପରିଷଦ ମଣ୍ଡଳୀ ବଢ଼ାଇବି । ସବୁଠାରୁ ଅନୁତାପର କଥା ହେଲା ଯେ କୁକୁରକୁ ଦ୍ୱାରପାଳରେ ନିଯୁକ୍ତି ଦେଲି ସତ ହେଲେ ତାଠାରୁ ନିମ୍ନ ଯୋଦ୍ଧା ଓ ବିଚକ୍ଷଣ ଶୃଗାଳକୁ ମୋ ପରିଷଦରେ ନିଯୁକ୍ତି ଦେଇପାରିଲି ନାହିଁ । ସେଥିପାଇଁ ଦୁଃଖିତ । କିନ୍ତୁ ବୁଦ୍ଧିଆ ଶୃଗାଳ ଜାଣିଥିଲା ଯେ ସ୍ୱଜାତି ପର ହିଂସୁକ । ପାଖରେ ରହିଲେ ଶୃଗାଳର ଆଚରଣମାନ ଦେଖି କାଳେ କେତେବେଳେ ସାଧାରଣ ତାଙ୍କ ପରି ଶୃଗାଳଟି ବୋଲି ସେମାନେ ଜାଣିପାରିବେ ତାହାହେଲେ ସେମାନେ ସେତେବେଳେ ଶୃଗାଳର ଜାତି ଗୋଚର ରଖିବେ ନାହିଁ । ସେଥିଲାଗି ଶୃଗାଳମାନେ ତାହାର ସ୍ୱଜାତି ହେତୁ ଶୃଗାଳ ନିଜର ସ୍ୱଜାତିକୁ ପରିଷଦରେ ସ୍ଥାନ ଦେଲା ନାହିଁ ।

ହଠାତ୍ ଶୃଗାଳ ରାଜା ହୋଇଛି । ଏଥର ତା’ର ବାସ୍ତବ ଧାରଣା ହୋଇଯାଇଛି ଯେ ମୋର ଶରୀର ନୀଳବର୍ଣ୍ଣ ହେତୁ ମୋତେ ଆଉ କେହି ସାଧାରଣ ଶୃଗାଳ ବୋଲି ଭାବିପାରୁ ନାହିଁ । ସମସ୍ତେ ତାହାର ଏହି ଅଦ୍ଭୂତବର୍ଣ୍ଣ ଦେଖି ଭୟ ମଧ୍ୟ କରୁଅଛନ୍ତି । ଏବେ ଶୃଗାଳ ବେଶ୍ ଆନନ୍ଦ । ସୁଧ ଅୟସର ଅଭାବ ନାହିଁ । ଦିନକୁ ଦିନ ଶୃଗାଳ ମଧ୍ୟ ମୋଟାଶୋଟା ହୋଇଗଲା ।

ଏବେ ଆସିଲା ଶୃଗାଳର ମନ୍ଦ ସମୟ । ହଠାତ୍ ଅରଣ୍ୟର ଜୀବଜନ୍ତୁମାନେ ଆସି କହିଲେ – ଛାମୁ ବର୍ତ୍ତମାନ ଆମ ଅରଣ୍ୟ ଉପରକୁ ବିପଦ ଘନେଇ ଆସୁଛି । ବାହାର ଶତ୍ରୁମାନେ ଆମ ଉପରେ ଆକ୍ରମଣ କରିବାକୁ ଅଣ୍ଟା ଭିଡ଼ୁଛନ୍ତି ।

ଅରଣ୍ୟରେ ଥିବା ପଶୁମାନଙ୍କ ଠାରୁ ଏକଥା ଶୁଣିବା ମାତ୍ରେ ଶୃଗାଳର ପିଳେହି ପାଣି ହୋଇଗଲା । ସହଜେ ତ ସେ ଶୃଗାଳ । ଶରୀର ନୀଳ ରଙ୍ଗ ହୋଇଯିବା କାରଣରୁ ସେ ଏବେ ନକଲି ରାଜା । ସେ ପୁଣି ଶତ୍ରୁମାନଙ୍କ ସହିତ ଲଢ଼େଇ କରିବ!

କଥାଟା ଶୁଣୁ ଶୁଣୁ ଶୃଗାଳର ତ ହୋସ୍ ଉଡ଼ିଗଲା । କ’ଣ କରିବ କରିବ ବୋଲି ମୁଣ୍ଡରେ ଆଉ କିଛି ବୁଦ୍ଧି ପଶିଲା ନାହିଁ । ସତରେ ଯଦି କେବେ ଏହି ଅରଣ୍ୟର ଜୀବମାନେ ଜାଣିପାରିବେ ମୁଁ ଶୃଗାଳ ଏଠାରେ ନକଲି ରାଜା ସାଜିଛି ୟେ ମନ୍ତ୍ରୀ ସିଂହ, ବ୍ୟାଘ୍ର ଏମାନେ ମୋତେ ନମାରି ଛାଡ଼ିବା ଅସମ୍ଭବ ।

ଶୃଗାଳର ମନର କଥା ମନରୁ ଯାଇନାହିଁ ହଠାତ୍ ଅରଣ୍ୟ ଆଡ଼ୁ କେତେ ଗୁଡ଼ାଏ ଶୃଗାଳ ହୁକେ ହୋ ହୁକେ ହୋ ଛାଡ଼ନ୍ତେ, ୟେତ ଶୃଗାଳ ସେ ମଧ୍ୟ ନିଜର ପ୍ରକୃତିକୁ ଛାଡ଼ି ନପାରି ଭୁକିବାକୁ ଲାଗିଲା । ଏଥର ଶୃଗାଳର ଅସଲ ରୂପକୁ ସମସ୍ତେ ଜାଣିପାରି ମିଳିମିଶି ଏମିତି ମାଡ଼ ମାରିଲେ ଯେ ସେହି ମାଡ଼ରେ ଶୃଗାଳର ପ୍ରାଣବାୟୁ ଉଡ଼ିଗଲା । ଶୃଗାଳର ନକଲି ରୂପ ଯୋଗୁ ତାକୁ ମରିବାକୁ ହେଲା ।