+100%-

ଏହା ଏକ ପ୍ରାଚନୀ କଳାର କଥା । କୌଣସି ଏକ ରାଜନଗର ଥିଲା । ସେହି ରାଜନଗରେ ବାସ କରୁଥିଲେ ଜଣେ ରାଜା । ସେହି ରାଜାଙ୍କର ନାମ ଥିଲା ଦେବଶକ୍ତି । ରାଜାଙ୍କର ଗୋଟିଏ ମାତ୍ର ପୁତ୍ର । ସେ ସଦାସର୍ବଦା ରୋଗରେ ପଡ଼ି ବହୁ କଷ୍ଟ ଭୋଗ କରୁଥାଆନ୍ତି । ସେଥିଲାଗି ରାଜା ମଧ୍ୟ ଚିନ୍ତିତ ଅବସ୍ଥାରେ ରହୁଥିଲେ କିପରି ରାଜକୁମାର ରୋଗରୁ ମୁକ୍ତ ହେବେ । ଏପରି ଚିନ୍ତାରେ ପଡ଼ି ରାଜା ମଧ୍ୟ ବହୁ ଦୁଃଖ ଭୋଗ କରୁଥାଆନ୍ତି ।

ସେ ରାଜ୍ୟରେ ବହୁ ରାଜବୈଦ୍ୟ ଥିଲେ । ସେମାନେ ଜଣ ଜଣ କରି ଶାସ୍ତ୍ରସମ୍ମତ ରୋଗର ଉପଚାର କରୁଥାଆନ୍ତି ହେଲେ ଚିକିତ୍ସାର ବିଫଳତା ଦେଖି ସେମାନେ ରୋଗୀକୁ ପରିତ୍ୟାଗ କରି ଚାଲି ଯାଉଥାଆନ୍ତି । ଏଥିଯୋଗୁଁ ରାଜକୁମାରଙ୍କର ସଠିକ୍ ଚିକିତ୍ସା କରାଯାଇ ପାରିଲା ନାହିଁ ବରଂ ରାଜାକୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ସଦାସର୍ବଦା ଅପରିବର୍ତ୍ତିତ ରହିଲା ।

ରାଜକୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏପରି କାହିଁକି ହେଉଥିଲା, ତାହାର ମଧ୍ୟ କାରଣ ଥିଲା । ଯାହା ଜାଣିବା କୌଣସି ବୈଦ୍ୟରାଜଙ୍କ ନିମନ୍ତେ ସମ୍ଭବ ହେଉନଥିଲା ।

ଶରୀରରେ ରୋଗ ବ୍ୟାଧି ଥିଲେ ତାହା ନିଶ୍ଚିତ ଭାବରେ ଚିକିତ୍ସକମାନଙ୍କ ନିମନ୍ତେ ସହଜ ସାଧ୍ୟ ହୋଇଥାନ୍ତା । ଏଠାରେ କିନ୍ତୁ ସେପରି ଅବସ୍ଥା ନଥିଲା, ବୈଦ୍ୟମାନେ ଜାଣିପାରିଲେ ନାହିଁ ଯେ ରାଜକୁମାରଙ୍କ ପେଟ ମଧ୍ୟରେ ଏକ ସର୍ପ ବାସ କରିବାରେ ଲାଗିଛି । ସେହି ଉଦରସ୍ଥ ସର୍ପ ହିଁ ଥିଲା ରାଜକୁମାରଙ୍କର ଅସ୍ୱାସ୍ଥ୍ୟର କାରଣ ।

google-tez-social

ଯେତେବେଳେ ରାଜକୁମାରଙ୍କ ଲାଗି ସମସ୍ତ ଚିକିତ୍ସା ଓ ଉପଚାର ସଂପୂର୍ଣ୍ଣ ଭାବରେ ବ୍ୟର୍ଥ ହୋଇଗଲା, ସେତେବେଳେ ରାଜକୁମାର ନିଜର ଶରୀରକୁ ଖୁବ୍ ହୀନ ମନେକଲେ । ଭାବିଲେ ଏପରି ବଞ୍ଚି ରହିବା ଉଚିତ୍ ହେବ ନାହିଁ । ତା’ପରେ ଭାବିଲେ ଯେ ନିଜର ମୃତ୍ୟୁ ହେବା ଆଗରୁ ଏହି ବିଶ୍ୱ ଭ୍ରମଣରେ ଚାଲିଯିବେ । ରାଜକୁମାର ନିଜର ବିଚାର କଥା କାହାକୁ ଜଣାଇଲେ ନାହିଁ । ଦିନେ ସମସ୍ତଙ୍କର ଅଜଣାତରେ ରାଜସୁଖକୁ ତୁଚ୍ଛ ମନେକରି ନିଜର ରାଜ୍ୟକୁ ପରିତ୍ୟାଗ କଲେ । ରାଜକୁମାର ଙ୍କୁ ନପାଇ ରାଜା ଚତୁର୍ଦ୍ଧିଗକୁ ନିଜର ସୈନ୍ୟ ସାମନ୍ତ ପଠାଇ ଯେତେ ଖୋଜିଲେ ମଧ୍ୟ ରାଜକୁମାରଙ୍କର ସଂଧାନ ମିଳିଲା ନାହିଁ । ଶେଷରେ ରାଜା ରାଣୀ ବହୁ ଦୁଃଖ ସହ୍ୟ କରିବା ସହିତ ପୁତ୍ର ନିମନ୍ତେ ବହୁ ବିଳାପକରି ଚୁପ୍ ହୋଇଗଲେ ।

ରାଜାରାଣୀ ଶେଷରେ ଏହା ତାଙ୍କର ଭାଗ୍ୟର ଦୋଷ ମନେକରି ରହିଗଲେ । ରାଜକୁମାର ଏଭଳି ଭ୍ରମଣ କରୁ କରୁ ନିଜ ରାଜ୍ୟଠାରୁ ବହୁତ ଦୂରକୁ ଚାଲିଗଲେ, ସେ ଯେଉଁ ରାଜ୍ୟରେ ଯାଇ ଶେଷ ଆଶ୍ରୟ ଗ୍ରହଣ କଲେ ସେ ରାଜ୍ୟର ରାଜା ଥିଲେ ବଳି ।

ବଳି ମଧ୍ୟ ଖୁବ୍ ପ୍ରତାପି ରାଜା ଥିଲେ । ତାଙ୍କ ସମୟରେ ପ୍ରଜାମାନେ ମଧ୍ୟ ଖୁବ୍ ସୁଖ ଶାନ୍ତିରେ ସମୟ ଅତିବାହିତ କରୁଥିଲେ । ରାଜାଙ୍କର ଦୁଇ ଗୋଟି ବୁଦ୍ଧିମତୀ କନ୍ୟା ଥିଲେ । ପ୍ରତିଦିନ ସୂର୍ଯେ୍ୟାଦୟ ହେବା ଆଗରୁ କନ୍ୟା ଦୁହେଁ ଶଯ୍ୟା ତ୍ୟାଗକରି ନିଜର ସ୍ନାନାଦି କାର୍ଯ୍ୟ ଶେଷ କରନ୍ତି । ଏହାପରେ ସେମାନେ ପିତାଙ୍କ ନିକଟକୁ ଆସି ପ୍ରଣାମ କରି ବିଦାୟ ନେବା କାଳରେ ଗୋଟିଏ କନ୍ୟା କହେ ରାଜାଙ୍କର ବିଜୟ ହେଉ, ଏହା ପରେ ଅନ୍ୟା କନ୍ୟାଟି ପିତାଙ୍କୁ ପ୍ରଣାମକରି ସାରିବା ପରେ କହେ ରାଜା ନିଜର କର୍ମ ଫଳ ନିଜେ ହିଁ ଭୋଗ କରନ୍ତୁ ।

ତେବେ ପ୍ରଥମ କନ୍ୟାର କଥାରେ ରାଜା ଯେତିକି ପରିମାଣରେ ଆନନ୍ଦ ହେଉଥିଲେ ତା’ର ଅନେକ ଗୁଣରେ ଦ୍ୱିତୀୟ କନ୍ୟାର କଥାଶୁଣି କ୍ରୋଧିତ ହେଉଥିଲେ । ଏସବୁ କଥା ପ୍ରତିଦିନ ରାଜାଙ୍କୁ ଖୁବ୍ କଷ୍ଟ ଦେଉଥିଲା । ଦିନେ ରାଜାଙ୍କର କ୍ରୋଧ ବଢ଼ିଯାଇଥିଲା । ସେ କ୍ରୋଧିତ ହୋଇ ସୈନ୍ୟମାନଙ୍କୁ ଆଦେଶ ଦେଲେ ଯେ ଯେତେଶିଘ୍ର ହେବ ମୋର ଦ୍ୱିତୀୟ କନ୍ୟାକୁ ରାଜନଅରରୁ ବାହାର କରି ଦିଅ ଓ ତାହାକୁ କୌଣସି ଏକ ଅପରିଚିତ ବିଦେଶୀ ହସ୍ତରେ ଅର୍ପଣ କରି ତୁରନ୍ତ ଆସି ମୋତେ ସେହି ସମ୍ବାଦ ଶୁଣାଅ ।

ରାଜାଙ୍କର ନିର୍ଦ୍ଧେଶକୁ ବା କିଏ ପାଳନ ନ କରିବ । ପୁଣି ପାଳନ ନକଲେ ଯେ ମୁଣ୍ଡ କାଟହେବ । ତେଣୁ ସୈନ୍ୟମାନେ ବିନା କଥାରେ ରାଜକନ୍ୟାକୁ ରାଜନଗରରୁ ବାହାର କରିଦେଇ ସେହି ରୋଗୀଣା ରାଜକୁମାରଙ୍କୁ ବିଦେଶୀ ଭାବି ପ୍ରଦାନ କରି ରାଜ ଉଆସକୁ ଫେରି ଆସିଲେ । ଯେଉଁ କଥା ସୈନ୍ୟଙ୍କ ନିମନ୍ତେ ଥିଲା ଦୁଃଖପ୍ରଦ ଆଉ ରାଜାଙ୍କ ଲାଗି ଥିଲା ସୁଖପ୍ରଦ । ରାଜକନ୍ୟାଙ୍କୁ ଛାଡ଼ି ଆସିବାପରେ ରାଜାଙ୍କୁ ସମ୍ବାଦ ଜଣାଇ ଦେଲେ ।

ରାଜକୁମାରୀ ପିତାଙ୍କର ଏପରି କଠୋର ନିର୍ଦ୍ଧେଶକୁ ନିଜର ଭାଗ୍ୟଫଳ ଭାବି ଖୁବ୍ ଆନନ୍ଦରେ ଗ୍ରହଣ କରିନେଲେ ଏବଂ ସେହି ରୋଗୀଣା ରାଜକୁମାରଙ୍କୁ ବିନା ଦ୍ୱିଧାରେ ନିଜର ସ୍ୱାମୀ ଭାବରେ ଗ୍ରହଣ କଲେ ।

ଏହାପରେ ଦୁହେଁ କିପରି ଏ ସଂସାରରେ ବଞ୍ଚିରହିବେ ସେପରି ମାର୍ଗ ସ୍ଥିର କରିବାକୁ ଲାଗିଲେ । ରାଜକୁମାରଙ୍କର ସ୍ୱାସ୍ଥ୍ୟହାନି କାରଣରୁ ସେତେବେଳେ ସେ ଅକର୍ମଣ୍ୟ ହୋଇଯାଇଥିଲେ। ଏଣୁ ରାଜକୁମାରୀ ସେହି ରାଜ୍ୟର ଶେଷ ଭାଗରେ ସ୍ୱାମୀ ରାଜକୁମାରଙ୍କୁ ଛାଡ଼ି ନିଜେ କିଛି ଆବଶ୍ୟକ ଦ୍ରବ୍ୟ କିଣିବା ନିମନ୍ତେ ନଗର ମଧ୍ୟକୁ ଗଲେ । ନଗର ମଧ୍ୟରୁ କିଛି ଆବଶ୍ୟକ ଦ୍ରବ୍ୟ କିଣିସାରି ରାଜକୁମାରୀ ଯେତେବେଳେ ନିଜର ସ୍ୱାମୀଙ୍କ ନିକଟକୁ ଫେରି ଆସିଲେ ସେଠାରେ ସେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ସେ ଦେଖିଲେ ରାଜକୁମାରଙ୍କର ବିଶ୍ରାମର ସ୍ଥଳଥିଲା ଏକ ବାଲିଯୁକ୍ତ ମାଟିର ହୁଙ୍କା । ସେ ଅଜାଣତରେ ବାଲି ହୁଙ୍କା ନିକଟରେ ରାଜକୁମାରଙ୍କୁ ବିଶ୍ରାମ ନିମନ୍ତେ ଛାଡ଼ି ନଗର ମଧ୍ୟକୁ ଚାଲିଯାଇଥିଲେ । ସେଠାରେ ଆସି ଦେଖିଲେ ଏକ ବିଚିତ୍ର ଦୃଶ୍ୟ, ରାଜକୁମାର ନିଦ୍ରାରେ ଶୋଇଯାଇଛନ୍ତି । ତାଙ୍କ ମୁଖପଥ ଦେଇ ନାଗସାପଟିଏ ଫଣା ବାହାରକରି ହୁଙ୍କାରେ ଥିବା ଅନ୍ୟ ଏକ ସର୍ପ ଦୁହିଁଙ୍କ ମଧ୍ୟରେ ଏକ ବିବାଦୀୟ ଆଲୋଚନା ଚାଲିଛି ।

ସେମାନଙ୍କ ମଧ୍ୟରୁ ଜଣେ କହିଲା – ଦୁରାତ୍ମା, ଏପରି ଜଣେ ସରଳ ନିଷ୍କପଟ ସୁନ୍ଦର ରାଜକୁମାରଙ୍କୁ ତୁ କାହିଁକି ଏପରି ଦୁଃଖ ଦେଉଛୁ । ତୋଲାଗି ରଜାକୁମାର କିପରି ଦୁଃଖ ଭୋଗ କରୁଛି ତାହା ତୋ ନିଜ ଆଖିରେ ଦେଖିଛୁତ । ସତରେ ତୁ କେଡ଼େ ନିର୍ଦୟ ଆଉ ପାଷାଣ, ରାଜକୁମାର ପ୍ରତି ତୋର ଟିକେ ଦୟା ଆସୁନାହିଁ । ତୁ ଯଦି ରାଜକୁମାରଙ୍କର ଉଦରକୁ ପରିତ୍ୟାଗ କରି ଚାଲି ଯାଆନ୍ତୁ ରାଜକୁମାର ସମସ୍ତ ଦୁଃଖରୁ ମୁକ୍ତି ପାଇଯାଆନ୍ତେ, ରାଜକୁମାରୀ ଯେବେ ଏକଥା ଜାଣିପାରନ୍ତେ ଯେ – ଯଦି କେହି   ପୁରୁଣା କାଞ୍ଜିରେ ସୋରିଷବାଟି ରାଜକୁମାରଙ୍କୁ ପିଆଇ ଦେବ ଏଥିରେ ତୋର ମୃତ୍ୟୁ ହୁଅନ୍ତା, ରାଜକୁମାର ବି ବଞ୍ଚିଯାଆନ୍ତେ ଆଉ ସୁନ୍ଦର ସ୍ୱାସ୍ଥ୍ୟ ନେଇ ବଞ୍ଚି ରହନ୍ତେ।

ରାଜକୁମାରଙ୍କ ଉଦରସ୍ଥ ସର୍ପକୁ ଯେତେବେଳେ ଏତେଗୁଡାଏ କଥା ଅନ୍ୟ ସର୍ପଟି କହିଗଲା ତାହା ଶୁଣି ସର୍ପ କ୍ରୋଧିତ ହୋଇ କହିଲା ତୋର ପୁଣି ଏତେ ସାହସ ହେଲା ମୋତେ ଜ୍ଞାନର କଥା କହୁଛୁ । ତୁ ପୁଣି ହୁଙ୍କାମଧ୍ୟରେ କେଉଁ କାଳରୁ ଥିବା ଏତେଗୁଡାଏ ସ୍ୱର୍ଣ୍ଣମୁଦ୍ରାରେ ପୂର୍ଣ୍ଣ କଳସୀ ଦୁଇଟି ପାଖରେ ବସା କରି ସେହି କଳସୀ ଦୁଇଟିକୁ ଦୂଷିତ କରୁଛୁ କାହିଁକି, କେହି ଜଣେ ଜାଣିବା ଶୁଣିବା ଲୋକ ଏକଥା ଜାଣିପାରନ୍ତା ଯଦି ସେ ତୋର ବାସସ୍ଥାନ ଗର୍ଭର ଉତ୍ତପ୍ତ ଜଳ କିମ୍ବା ଉତ୍ତପ୍ତ ତୈଳ ଢ଼ାଳି ତୋତେ ମାରିଦିଅନ୍ତା ତାହାହେଲେ ଗର୍ତ୍ତରେ ଥିବା ସମସ୍ତ ସୁବର୍ଣ୍ଣ ସେ ନେଇପାରନ୍ତା ।

ରାଜକୁମାରୀ ସେତେବେଳେ ଗୋଟିଏ ବୃକ୍ଷ ଆଢ଼ୁଆଳରେ ଥାଇ ସବୁ ମନଦେଇ ସୁଣୁଥାଆନ୍ତି। ସାପର କହିବା ଅନୁଯାଇ କାଞ୍ଜିରେ ସୋରିଷବାଟି ରାଜକୁମାରଙ୍କୁ ପିଆଇ ଦିଅନ୍ତେ ସର୍ପଟି ମରିଗଲା । ଏହାପରେ ରାଜକୁମାର ରୋଗ ମୁକ୍ତ ହୋଇଗଲେ । ରାଜକୁମାର ଓ ରାଜକୁମାରୀ ଖୁବ୍ ଆନନ୍ଦ ହେଲେ, ଏହାପରେ ଦୁହିଁଙ୍କର ମନ୍ତ୍ରଣା ଦ୍ୱାରା ରାଜକୁମାରୀ କିଛି ତୈଳକୁ ଗରମକରି ହୁଙ୍କା ଗର୍ଭରେ ଢ଼ାଳି ଦିଅନ୍ତେ ସର୍ପଟି ମରିଗଲା ।ଏହିପରି ଭାବରେ ସର୍ପଦୁଇଟିର ମୃତ୍ୟୁ ହୋଇଗଲା । ରାଜକୁମାର ସୁସ୍ଥ ହୋଇଯିବାପରେ ଦୁହେଁ ହୁଙ୍କାକୁ ଖୋଳି ଗୁଡାଏ ସୁବର୍ଣ୍ଣର ମୁଦ୍ରାକୁ ଉଦ୍ଧାରକରି ନିଜର ରାଜ୍ୟକୁ ଫେରି ଆସିଲେ । ଯେଉଁ ପ୍ରାଣୀମାନେ ଉଭୟ ଉଭୟଙ୍କର ମର୍ମ କଥାକୁ ଗୋପନ ରଖିପାରନ୍ତି ନାହିଁ ସେମାନଙ୍କର ଅବସ୍ଥା ଏହିପରି ହୋଇଥାଏ ।