+100%-

ବଡ଼ ଘଞ୍ଚ ଅରଣ୍ୟ ଗୋଟିଏ । ସେହି ଅରଣ୍ୟ ମଧ୍ୟରେ ଥାଏ ଗୋଟିଏ ପୁଷ୍କରିଣୀ । ପୁଷ୍କରିଣୀରେ ନାନା ଜାତିର ଛୋଟ ଛୋଟ ମାଛ ଥାଆନ୍ତି । ଆଉ ଅନେକ ପାଣି ଥିବାରୁ ମାଛମାନେ ଖୁବ୍ ମନ ଆନନ୍ଦରେ ଖେଳାବୁଲା କରନ୍ତି ।

ଏହାରି ମଧ୍ୟରେ ଗୋଟିଏ କଳା ଜଟିଆ ବଗ ଆସି ସେହି ପୁଷ୍କରିଣୀ ତୁଠରେ ବସିଲା । କାହାରିକୁ କିଛି କହିଲା ନାହିଁ । ପ୍ରତିଦିନ ପୁଷ୍କରିଣୀ କୂଳକୁ ବଗ ଆସେ । କାହାକୁ କିଛି ନକହି ମଉନ ହୋଇ ବସେ । ସକାଳୁ ଆସିଥିଲେ ସନ୍ଧ୍ୟାକୁ ପୁଣି ଚାଲିଯାଏ ।

ବଗଟିର ପ୍ରତିଦିନ ଏପରି ଆସିବା ମଧ୍ୟରେ ମାଛମାନେ ମଧ୍ୟ ବଗକୁ ଦେଖି ପୁଷ୍କରିଣୀ କୂଳରେ ଥିଲେ ସେମାନେ ପାଣି ଭିତରକୁ ଚାଲିଯାଇ ଖେଳନ୍ତି । ହେଲେ ସମସ୍ତଙ୍କର ସେହି ବଗଟି ଉପରେ ସଦାସର୍ବଦା ନଜର ଥାଏ । ସମସ୍ତେ ଜାଣନ୍ତି ଯେ ବଗଟି ବୁଢ଼ା ହୋଇ ଯାଇଛି । କାହାରିକୁ କିଛି କହୁ ନାହିଁ । ଯିବାବେଳକୁ ସେ ଖାଲି ଆଖିରୁ ଦୁଇବୁନ୍ଦା ଲୁହ ଗଡ଼ାଇ ପଳାଇ ଯାଉଛି ।

ଏମିତି କେତେ ଦିନ ବଗଟି ପୁଷ୍କରିଣୀ କୂଳକୁ ଆସି ଚାଲିଯିବା କଥାକୁ ପୁଷ୍କରିଣୀ ମଧ୍ୟରେ ରହୁଥିବା ଗୋଟିଏ ବୁଢ଼ା କଙ୍କଡ଼ା ଦେଖୁଥାଏ । ଦିନେ ବଗଟି ଆସି ଯେତେବେଳେ ପୁଷ୍କରିଣୀ ତୁଠରେ ବସିଲା ଧିରେ ଧିରେ ପାଣି ମଧ୍ୟରୁ କଙ୍କଡ଼ାଟିଏ ଆସି ପଚାରିଲା – ୟେ ବଗ ଭାଇ! ତୁମେ ତ ସବୁଦିନ ଆସୁଛ । କାହାରିକୁ କିଛି କହୁ ନାହଁ । ମଉନ ବ୍ରତ କରିଛ ନା କ’ଣ? ହେଲା ସବୁଦିନ ଆସୁଛ ଆଉ ଯାଉଛ । ଆଚ୍ଛା କହିଲ ଭାଇ ଯିବା ବେଳକୁ ତୁମେ କାନ୍ଦୁଛ କାହିଁକି?

ବଗ କହିଲା – ଦେଖୁଛ ତ ଭାଇ, ମୁଁ ବୁଢ଼ା ହୋଇଗଲିଣି । ଆଗ ପରି ଆଉ ଏ ଦୁନିଆରେ ବଞ୍ଚି ରହିବାର ଇଚ୍ଛା ବି ନାହିଁ । ସଂସାରଟା ମୋତେ ଦିଗ୍ଦାର ଲାଗିଲାଣି । ମନ କହୁଛି ଆଉ ବା କେତେଦିନ ବଞ୍ଚିବି । ପିଲା ବୟସରୁ ଏ ଯାଏ ମୁଁ ଏହି ନିରୀହ ମାଛମାନଙ୍କୁ ଖାଇ କେତେ ଯେ ପାପ କରିଛି, ଏମିତି ଅସଂଖ୍ୟ ଜୀବହତ୍ୟା ପାପ କରିଛି ଯେ ପକ୍ଷୀ ଜୀବନରୁ ମୁକ୍ତି ନାହିଁ । ମରିବା ପରେ ତ ଜନ୍ମ ନେବାକୁ ହେବ, କାରଣ ଜନମ ମରଣ ତ ଲାଗି ରହିଛି । ମୁଁ ଯଦି ପୁଣି ଏହି ବଗ ଜନ୍ମ ପାଇବି ସେତେବେଳେ ପ୍ରକୃତିକୁ ଛାଡ଼ି ବା ପାରିବି କିପରି? ପୁଣି ସେହି ନିରୀହ ମାଛମାନଙ୍କୁ ଆନନ୍ଦରେ ଭୋଜନ କରିବି । ସେତେବେଳେ ଆଗପରି ପାପପୁଣ୍ୟକୁ ମଧ୍ୟ ଭୁଲିଯିବି । ସେଥିପାଇଁ ଭଗବାନଙ୍କୁ ଡାକି କହିବାକୁ ମୋତେ ନୀରବତା ଅବଲମ୍ବନ କରିବାକୁ ପଡ଼ୁଛି । ମନେ ମନେ କହୁଛି ହେ ଭଗବାନ୍! ମୁଁ ଏହି ନିରୀହ ମାଛମାନଙ୍କୁ ଖାଇ ବହୁତ ଭୁଲ କଲିଣି । ଏଣିକି ମୋତେ ମରଣ ଦିଅ । ମୁଁ ଯେଉଁ ପାପ କରିଛି ମାନି ଯାଉଛି । ମୋତେ ମୁକ୍ତ କରିଦିଅ । ସତରେ ପୁଅ! କରିଥିବା ପାପ ଲାଗି ଆଜି ମୁଁ ଏତେ ଅନୁଶୋଚନା କରୁଅଛି ଯେ ଆଖିରୁ କେବଳ ଲୁହ ଗଡ଼ାଇବାକୁ ପଡ଼ୁଛି । ପୁଣି ମୋ ପାପ ପାଇଁ ମୁଁ ଯେତେ କାନ୍ଦୁ ନାହିଁ ସେତେ କାନ୍ଦୁଛି ଏହି ପୁଷ୍କରିଣୀରେ ଥିବା ମାଛଙ୍କ ପାଇଁ ।

କଙ୍କଡ଼ା ପଚାରିଲା, ହେ ମଉସା! ତମେ ମାଛମାନଙ୍କ ପାଇଁ କାହିଁକି କାନ୍ଦୁଛ? ସେମାନେ ତ ପୁଷ୍କରିଣୀରେ ବେଶ୍ ଆନନ୍ଦରେ ଅଛନ୍ତି । ତା’ଛଡ଼ା କେତେ ଯୁଗ ଗଲାଣି ୟେ ପୁଷ୍କରିଣୀରେ ଆଜି ଯେତିକି ପାଣି ଥିଲା ତ କାଲି ସେତିକି ପାଣି । ପୁଷ୍କରିଣୀରେ ଯଦି ଭରପୁର ପାଣି ରହିଲା ମାଛଙ୍କ ଲାଗି ଆଉ ଅସୁବିଧା କ’ଣ?

ବଗ କହିଲା ମୁଁ ମଧ୍ୟ ତୋରି କଥା ଭାବୁଛି । ଏତେ ବଡ଼ ଗଭୀର ପୁଷ୍କରିଣୀ । ପୁଷ୍କରିଣୀରେ ଭରା ପାଣି ପୁଣି ଶୁଖିଯିବ । ପାଣି ଶୁଖିଗଲେ ମାଛମାନେ ତ ଛଟପଟ ହୋଇ ମରିଯିବେ । ବୁଝିପାରିଲୁ ତ ପୁଅ? ଯାହାର ଆହାର ଏହି ମାଛମାନେ ପୁଷ୍କରଣୀ ଶୁଖିଗଲେ ତ ତାର ମଜା । ଉପରେ ପଡ଼ି ଛଟପଟ ହେଉଥିବା ମାଛମାନେ ତ ଆଉ କୁଆଡ଼େ ଯାଇପାରିବେ? ଏଇମିତି ପଙ୍କ ଉପରେ ପଡ଼ି ଛଟପଟ ହେଉଥିବେ । ଏପରି ଅବସ୍ଥାରେ ବଗକୁ ତ ମାଛମାନଙ୍କୁ ଖାଇବା ଲାଗି ସୁବିଧା ତେବେ ମୋର ତ ଆଉ ମାଛମାନଙ୍କୁ ଖାଇବାର ଚିନ୍ତା ନାହିଁ । ମୋର କେବଳ ଚିନ୍ତା ଏୟା ଯେ ମୋ ଆଖି ଆଗରେ ପୁଷ୍କରିଣୀଟା ଶୁଖିଯିବ, ବିଚରା ମାଛଗୁଡାକ ମୋ ଆଖି ଆଗରେ ଛଟପଟ ହୋଇ ମରିଯିବେ ।

କଙ୍କଡ଼ା ପଚାରିଲା – ବଗ ମଉସା! ଏ ପୁଷ୍କରିଣୀ କାହିଁକି ଶୁଖିଯିବ ଯେ, ମାଛମାନେ ପାଣି ବିନା ଛଟପଟ ହୋଇ ମରିଯିବେ ।

ବଗ କହିଲା – ମୋ କଥାକୁ ଆଉ ବିଶ୍ୱାସ କରିବ କିଏ ? ସେଥିଲାଗି ତ ମନ ମୋର କେଉଁଠାରେ ଲାଗୁନାହିଁ । ଏଠାକୁଆସି ମାଛମାନଙ୍କର ପାଣି ଭିତରେ ଆନନ୍ଦରେ ଖେଳ ଦେଖି ଦେଖି ଚାଲିଯାଏ । ମାଛମାନଙ୍କର ଶତ୍ରୁ ବଗ । ବଗ ଯମପରି ମାଛମାନଙ୍କର ଜୀବନ ନେବାକୁ ଭୁଲେ ନାହିଁ । ତେବେ ମୁଁ ସେହି ଭବିଷ୍ୟତ ବକ୍ତା ପଣ୍ଡିତଙ୍କ କଥାକୁ ଶୁଣି ଆସିବା ପରେ ତୁମ୍ଭକୁ ବା କାହିଁକି ଜଣାନ୍ତି । ଏଥିରେ ମୋର କି ଲାଭ ହେବ ।

କଙ୍କଡ଼ା କହିଲା ମଉସା! ତୁମର ଏହି କଥାକୁ ମୁଁ କିଛି ବୁଝିପାରୁ ନାହିଁ । ଏତେ ବଡ଼ ପୁଷ୍କରିଣୀ ପୁଣି ପାଣିରେ ଭରା । ଏପରି ପୁଷ୍କରିଣୀ ଶୁଖିଯିବ କାହିଁକି?

google-tez-social
ବଗ କହିଲା – ମୋ କଥାକୁ ତୁମ୍ଭେମାନେ ବିଶ୍ୱାସ କରିବ କି ନାଁ ତାହା ମୁଁ ଜାଣେନା । ତଥାପି କହୁଛି – ଗାଁକୁ ଯାଇଥିଲି । ମୁଁ ଯେଉଁ ଗଛ ଉପରେ ଯାଇ ବସିଲି ଯୋଗକୁ ସେଦିନ ସେହି ବୃକ୍ଷ ମୂଳରେ ବହୁତ ଲୋକଙ୍କର ଗହଳି ଦେଖି ଭାବିଲି ଯେ ୟେତ ଭବିଷ୍ୟତ ବକ୍ତା । ତା’ ପାଖରେ ଆଜି ଗ୍ରାମଟା ସାରା ଲୋକ ଆସି ଜମା ହୋଇଛନ୍ତି କାହିଁକି? ତା’ପରେ କେତେବେଳକେ ଜାଣିଲି ଯେ ଲୋକମାନଙ୍କୁ ସେହି ପଣ୍ଡିତ ଭବିଷ୍ୟତ ବକ୍ତା ଗଣନା କରି କହୁଛି । ଆଜିଠାରୁ ବହୁବର୍ଷ ଯାଏ ଏହି ଭୂଖଣ୍ଡରେ ଆଦୌ ବର୍ଷା ହେବ ନାହିଁ । ଅଳପ ଦିନ ମଧ୍ୟରେ କୂପ ପୁଷ୍କରିଣୀ ସବୁ ଶୁଖିଯିବ । ପାଣିଲାଗି ହାହାକାର ପଡ଼ିଯିବ । ଏଠାରେ ଥିବା ମନୁଷ୍ୟଙ୍କ ଠାରୁ କ୍ଷୁଦ୍ରାତିକ୍ଷୁଦ୍ର ପିମ୍ପୁଡ଼ି ଯାଏ ପାଣି ନପାଇ ମରିଯିବେ । ସେହିପରି ଏହି ପୁଷ୍କରିଣୀରୁ ତ ପାଣି ଶୁଖିଯିବ । ପୁଷ୍କରିଣୀରେ ଥିବା ଏହି ନିରୀହ ମାଛମାନେ ତ ଛଟପଟ ହୋଇ ନିଶ୍ଚୟ ମରିଯିବେ । ପୁଣି ଆଗକୁ ଗୋଟିଏ ଯୁଗ ମଧ୍ୟ ଏ ଅଞ୍ଚଳରେ ବର୍ଷା ହେବ ନାହିଁ ।

ସହଜେ ତ ମାଛମାନଙ୍କର ମୋ ଉପରେ ଭୟ । କାରଣ ମୁଁ ଜଳଜୀବମାନଙ୍କର ଶତ୍ରୁ । ମୋର ଆମିଷ ଭୋଜନ ପ୍ରତି ବିତୃଷ୍ଣା ହୋଇଯାଇଛି । ଏକଥା ସିନା ମୋତେ ବିଶ୍ୱାସ ହେଲେ ଏହି ଜଳଜୀବମାନଙ୍କର କେବେ ବିଶ୍ୱାସ ହେବ ଭାବୁଛୁ । କାରଣ ଏହି ଯମରାଜା କାହାକୁ ଜୀବନ ଦେଇଦେବ ଏପରି ବିଶ୍ୱାସ କାହାର ହେବ? ସେଥିଲାଗି କେବଳ ମନ ଦୁଃଖରେ ମୁଁ ଏଠାରେ ନିରୂପାୟ ହୋଇ ବସିଛି ।

କଙ୍କଡ଼ା ସହିତ ବଗର ଯେତିକି କଥାବାର୍ତ୍ତା ହେଲା ତାହା ମୁହୂର୍ତ୍ତକ ମଧ୍ୟରେ ପୁଷ୍କରିଣୀ ମଧ୍ୟରେ ଖେଳିଗଲା । ଏକଥା ଶୁଣିବା ମାତ୍ରକେ ସମସ୍ତ ମାଛମାନଙ୍କର ହୋସ ନ ରହିବା ପରି ଅବସ୍ଥାକୁ ପଳାଇ ଆସିଲା । ସେମାନେ ଭୟଭୀତ ହୋଇପଡ଼ିଲେ । ଏହାପରେ ନିରୂପାୟ ହୋଇ କଙ୍କଡ଼ା ପାଖକୁ ଧାଇଁ ଯାଇ ଗୋଟି ଗୋଟି କରି ସମସ୍ତ କଥା କହିଲେ – ତାହାହେଲେ ଆମେ ବଞ୍ଚିବା କିପରି । ଏହି ପୁଷ୍କରିଣୀରେ ଥିବା ସମସ୍ତ ଜୀବଙ୍କର କ’ଣ କୁଳନାଶ ହେବ । ଏହାପାଇଁ କ’ଣ କିଛି ଉପାୟ ନାହିଁ ।

ସମସ୍ତଙ୍କର ଭୟଭୀତ ଅବସ୍ଥା ସହିତ କଙ୍କଡ଼ା ମଧ୍ୟ ଭୟଭୀତ ହୋଇପଡ଼ିଲା । ସେ କହିଲା – ହେ ବଗ ମଉସା । ଏହାପାଇଁ କ’ଣ ଆଉ କୌଣସି ଉପାୟ ନାହିଁ ।

ବଗ କହିଲା – ଉପାୟ ଥିଲେ କ’ଣ ହେବ । ସବୁରି ମୂଳରେ ବିଶ୍ୱାସ । ମୋତେ କ’ଣ ତୁମମାନଙ୍କର ବିଶ୍ୱାସ ଅଛି ଯେ ମୁଁ ଯାହା କହିବି ମାନିଯିବ । କାରଣ ସଂସାରରେ ବିରାଡ଼ି ଆଉ ବଗକୁ କେବେ ମାଛମାନେ ଶତ୍ରୁ ନ ଭାବି ମିତ୍ର ଭାବିବେ?

କଙ୍କଡ଼ା କହିଲା – ଛାଡ଼ନ୍ତୁ ସେକଥା ମଉସା । ବିପଦକାଳେ ମନୁଷ୍ୟର ସୂତା ଖିଅକୁ ଆଶ୍ରୟ । ବିଶ୍ୱାସରେ ବିଷ ଦେଲେ ତୁମର ପାପ ହେବ । ଆମେ ସମସ୍ତେ ତୁମକୁ ଅନୁରୋଧ କରଅଛୁ ଯେ କିପରି ଆମେମାନେ ଏହି ବିପଦରୁ ବଞ୍ଚିଯିବୁ ତାହାର ଉପାୟ ଆମକୁ ବତାନ୍ତୁ । ଏତେଗୁଡ଼ାଏ ଜୀବକୁ ବଞ୍ଚାଇ ଦେଲେ ତୁମର ଧର୍ମ ହେବ ।

କଙ୍କଡ଼ାର ସମସ୍ତ କଥା ଶୁଣିବା ପରେ ବଗ କହିଲା – ଧର୍ମ କଥା ତ ମୁଁ ଭାବୁଛି । କାରଣ ଜୀବନରେ ତ ଅନେକ ଗୁଡାଏ ପାପ କରି ମୋ ମୃତ୍ୟୁ ପରେ ମୋତେ କେତେ ନର୍କ ଭୋଗ କରିବାକୁ ହେବ । ଭଗବାନଙ୍କର ଦୟାରୁ ଯଦି ମୁଁ ଏହି ମାଛ ମାନଙ୍କର ଜୀବନ ରକ୍ଷା କରିଦେଇ ପାରିବି ତାହାହେଲେ ପାପରୁ ମୁକ୍ତି ପାଇବି । ତାହାହେଲେ ମୁଁ ଗୋଟାଏ କଥା ଚିନ୍ତା କରିଥିଲି ସେହି କଥା ତୁମକୁ କହୁଛି । ଏହି ଅଞ୍ଚଳଠାରୁ କେଜାଣି ସହସ୍ର ଯୋଜନାରେ ଆଉ ଏକ ଅଞ୍ଚଳ ଅଛି । ସେଠାରେ ମଧ୍ୟ ଏହିପରି ଏକ ପୁଷ୍କରିଣୀ ଅଛି । ସେ ଅଞ୍ଚଳକୁ ଏପରି ବିପଦ ପଡ଼ିବାର ଆଶଙ୍କା ନାହିଁ । ବର୍ତ୍ତମାନ ସେହି ଗୋଟାଏ ଉପାୟ । ତୁମ୍ଭେମାନେ ଏତେ ଦୂର ପୁଷ୍କରିଣୀ ଥିବା ଅଞ୍ଚଳକୁ ଯିବ ବା କିପରି?

କଙ୍କଡ଼ା କହିଲା – ମୁଁ କ’ଣ କହିବି? ବୁଢ଼ା ହୋଇଯିବା ପରେ ଏତେବଡ଼ କାର୍ଯ୍ୟ ତୁଲାଇବା ମୋ ପାଇଁ କଷ୍ଟପ୍ରଦ ହେବ ।

ବଗର ଏତାଦୃଶ କଥା ଶୁଣି ମାଛମାନେ ନିରାଶ୍ରୟ ହୋଇ ପଡ଼ିବାରୁ କଙ୍କଡ଼ା ପୁଣି ବଗକୁ କହିଲା – ଦେଖ ବଗ ମଉସା! ଏତେଗୁଡାଏ ଜୀବଙ୍କର ଜୀବନ ରକ୍ଷା କରିବାକୁ ଯାଇ ତୁମର ଯଦି କିଛି ହୋଇଯାଏ ତାହାହେଲେ ତୁମେ ତ ମୁକ୍ତି ପାଇଯିବ । ତାହାଛଡ଼ା ମାଛମାନେ ବଞ୍ଚି ଯାଆନ୍ତେ । ଦୟାକରି ତୁମେ ଯଦି ଏତିକି କାର୍ଯ୍ୟକୁ ତୁଲାଇ ଦେଇପାରନ୍ତ ଭଗବାନ ତୁମର ମଙ୍ଗଳ କରିବେ ।

ତହୁଁ ବଗ କହିଲା – ଠିକ୍ ଅଛି । ତୁ ମୋତେ ଯେଉଁ କଥା କହିଲୁ ମୁଁ ସେଥିରେ ରାଜି ହେଉଛି । ଜୀବନର ଶେଷ ଅବସ୍ଥାରେ ଯଦି ମୋ ଦ୍ୱାରା ଏତିକି କାର୍ଯ୍ୟ ହୋଇଯାଏ ତାହାହେଲେ ଜାଣିବି ଯେ ଚିନ୍ତା ଦୂର ହୋଇଛି । ଏହା କହି ବଗ କହିଲା, ମୋର ବଳ ବୟସ ନାହିଁ । ଶକ୍ତି ଅନୁସାରେ ଗୋଟିଏ ଗୋଟିଏ ମାଛ ମୋ ପିଠିରେ ବୋହି ନେଇ ସେହି ପୁଷ୍କରିଣୀରେ ପହଞ୍ଚାଇ ଦେବି । ଆଉ ମଧ୍ୟ ଥକିଯିବା ଯାଏ କରୁଥିବି ।

ବଗ ମୁଖରୁ ଯେମିତି ଏତିକି କଥା ମାଛମାନେ ଶୁଣିପାରିଲେ ସବୁ ମାଛମାନେ ଆସି ବଗ ନିକଟରେ ଭିଡ଼ ଲଗାଇଦେଲେ । ସମସ୍ତଙ୍କ ମୁଖରୁ ସେହି ଗୋଟିଏ କଥା ବାହାରିଲା, ବଗ ମଉସା! ଆଗ ମୋ ପ୍ରତି ଦୟାକର । ବଗ କହିଲା – ତୁମେମାନେ ବ୍ୟସ୍ତ ହୁଅ ନାହିଁ । ମୋର ଦେହରୁ ବଳ ସରିବା ପର୍ଯ୍ୟନ୍ତ ମୁଁ ଏଠାରୁ ଜଣ ଜଣ କରି ନେଇଯିବି । ତୁମ୍ଭମାନଙ୍କୁ ଏହି ମୃତ୍ୟୁ କାଳୀନ ବିପଦରୁ ରକ୍ଷା କରିବି ।

ଏହାପରେ ଗୋଟି ଗୋଟି କରି ବଗ ପୁଷ୍କରିଣୀର ସବୁ ମାଛତକ ତା’ର ପିଠିରେ ପକାଇ ନେଇଗଲା ଓ ଦୂରରେ ଥିବା ପାହାଡ଼ ଉପରେ ବସି ମନ ଖୁସିରେ ଖାଇଦେଲା ।

ଏମିତି ନେବା ଓ ଖାଇବା ମଧ୍ୟରେ ପୁଷ୍କରଣୀର ସମସ୍ତ ମାଛକୁ ଶେଷ କରିଦେଇ ଆସି ପୁଷ୍କରିଣୀ କୂଳରେ ବସି ଡାକିଲା – ଆରେ କିଏ କେଉଁଠି ରହିଗଲ ଶୀଘ୍ର ଶୀଘ୍ର ବାହାରିପଡ଼ ।

ସେତେବେଳେକୁ ପୁଷ୍କରିଣୀରେ ଆଉ ଗୋଟିଏ ହେଲେ ମାଛ ନଥିଲେ । ଶେଷକୁ କଙ୍କଡ଼ାଟି ଥିଲା । କଙ୍କଡ଼ା କହିଲା – ତୁମେ ଦୟା କଲାରୁ ପୁଷ୍କରିଣୀ ସାରା ମାଛମାନଙ୍କର ଜୀବନ ରକ୍ଷାକଲା । ପୁଷ୍କରିଣୀରେ ଆଉ ଗୋଟିଏ ହେଲେ ମାଛ ନାହାଁନ୍ତି ହେଲେ ମୁଁ ଯେ ରହିଯାଇଛି । ଏବେ ମୋତେ ଟିକେ ଦୟାକର ମଉସା । ମୋତେ ମଧ୍ୟ ଏ ବିପଦରୁ ରକ୍ଷା କରିବାରେ   ସାହାଯ୍ୟ କର । ମୁଁ କ’ଣ ତୁମ ପାଇଁ କେତେବେଳେ ଉପକାରରେ ଆସିବି ନାହିଁ ।

ବଗ କହିଲା – ମୋର ତ ଉପକାର କରୁଛୁ । ଆଉ ଆଗକୁ ମଧ୍ୟ କରିବୁ । ତୋରି କଥାକୁ କାଟି ନପାରି ପରା ମୋତେ ସମସ୍ତଙ୍କୁ ଏଠାରୁ ରକ୍ଷାକରିବାକୁ ହେଲା । ହେଲେ ତୁ ବି ଚାଲ୍ ମୁଁ ତୋତେ ନେଇଯାଇ ସେହି ପୁଷ୍କରିଣୀରେ ଛାଡ଼ିଦେବି ।

ସେଦିନ କିନ୍ତୁ ବଗର ମନରୁ ଲୋଭ ଛାଡ଼ିନଥିଲା । ମରଣ କାଳେ ବିପରୀତ ବୁଦ୍ଧି ତାକୁ ଦେଖାଗଲା । କେତେ ଦିନଆଉ ପାପା ଲୁଚି ରହିବ, ଦିନେ ନା’ ଦିନେ ସତ୍ୟ ପ୍ରକାଶ ପାଇବ ।

ଅତି ଲୋଭରେ କଙ୍କଡ଼ାକୁ ପିଠିରେ ପକାଇ ବଗ ତା’ର ସେହି ଗନ୍ତବ୍ୟ ପଥରେ ଆଗେଇଲା । ଅନେକ ବାଟ ଚାଲିଯିବା ପରେ କଙ୍କଡ଼ା ପଚାରିଲା – ମଉସା! ଆମେ ତ ବହୁତ ଗୁଡିଏ ରାସ୍ତା ଚାଲି ଆସିଲେଣି । ତେବେ ପହଞ୍ଚିବା ଲାଗି ଆଉ କେତେ ବାଟ ରହିଲା!

ଆକାଶ ମାର୍ଗରେ ବଗ ଉଡ଼ୁଛି । ଏଥର କଙ୍କଡ଼ାର କି ଉପାୟ । ଯଦି ମୋ ପିଠି ଉପରୁ ତଳକୁଡ଼େଇଁ ପଡ଼ିବ ତାହାହେଲେ ଯେଉଁ ଜୀବନକୁ ବଞ୍ଚାଇବା ଲାଗି ସେ ମୋ ପିଠିରେ ବସି ଆସିଛି ତା’ର ସେହି ମରଣଟି ହେବ । କଙ୍କଡ଼ା କଥାରେ ଠୋ ଠୋ ହୋଇ ହସି ବଗ କହିଲା – ବାୟା ହୋଇଲୁଣି କି ପୁଅ । ବୁଢ଼ା ହୋଇଯିବାରୁ ସିନା ମୁଁ ମାଛମାନଙ୍କୁ ଧରି ଖାଇପାରୁନଥିଲି । ହେଲେ ବୁଦ୍ଧି ତ ଥିଲା । ସେହି ବୁଦ୍ଧିବଳରେ ଏ ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହେଲି । ସବୁ ମାଛଙ୍କୁ ଗୋଟି ଗୋଟି କରି ଏହି ପାହାଡ଼ ଉପରକୁ ଆଣି ଖାଇ ସାରିଛି । ଏବେ ତ ତୋର ପାଳି ପଡ଼ିଲା । ଆଉ କିଛି ସମୟ ପରେ ତୋର ମଧ୍ୟ ପ୍ରାଣ ମୋ ହାତରେ ଯିବ । ଆରେ ପୁଷ୍କରିଣୀରେ କ’ଣ ଆଉ ମାଛ ଅଛନ୍ତି । ମୁଁ ପୁଣି ଖାଇଥାନ୍ତି କ’ଣ? ଶେଷରେ ପରା ତୋର ପାଳି ପଡ଼ିଲା ।

କଙ୍କଡ଼ା କହିଲା – ତାହାହେଲେ ଠିକ୍ ଅଛି ମଉସା । ପାପ, ଅସତ୍ୟ ତ ସବୁଦିନ ସରଳ ଭାବରେ ଯାଇ ନଥାଏ । ପାପୀକୁ ଦିନେ ନା ଦିନେ ଉପଯୁକ୍ତ ଦଣ୍ଡ ମିଳିଥାଏ । ତୁ ସିନା ନିରୀହ ମାଛ ଗୁଡ଼ାଙ୍କୁ ଧରି ଖାଇଗଲୁ ଏଥର ତ ମୋ ହାବୁଡ଼େ ପଡ଼ିଛୁ । ତୋତେ ମୁଁ କିପରି ଛାଡ଼ିଦେବି ଭାବୁଛୁ । ଏହା କହି କଙ୍କଡ଼ା ବଗର ଗଳାକୁ ତାର ଦୁଇ ବୁଢା ଗୋଡରେ ଏମିତି ଚାପି ଧରିଲା ଯେ ବଗ ଆଉ ଯାଏ କୁଆଡେ? ତହୁ ବଗ ପ୍ରାଣ ବିକଳରେ କହିଲା ମୋତେ ତୁ ଛାଡିଦେ ।

କଙ୍କଡ଼ା କହିଲା – ଠିକ୍ ଅଛି ତୁ ମୋତେ ଯେଉଁଠାରୁ ଆଣି ଥିଲୁ ସେହିଠାରେ ଛାଡ଼ି ଦେ । ବଗ ଭାବିଲା କଙ୍କଡ଼ା ଯାହା କଲାଣି ସେ ଅଚାନକ୍ ମରିଯିବ। ତାହାଠାରୁ ଭଲହେବ ତାକୁ ଯେତେ ସିଘ୍ର ହେବ ତା ସ୍ଥାନରେ ନେଇ ଛାଡିଦେବା । ଏହାକହି ବଗ ସେହି ଅଧାବାଟରୁ ଫେରାଇ ଆଣି କଙ୍କଡ଼ାକୁ ନେଇ ପୂର୍ବ ପୁଷ୍କରିଣୀ ପାଖରେ ପହଞ୍ଚିବାରୁ କଙ୍କଡ଼ା ବଗର ଗଳାକୁ ଏପରି ଭାବରେ ଚାପି ଧରିଲା ଯେ ବଗ ସେହିଠାରେ ମୃତ୍ୟୁ ବରଣ କଲା ।

ଏହି ଗଳ୍ପର ମୁଖ୍ୟ କଥା ହେଲା – କଙ୍କଡ଼ା କହିଥିଲା ତୁ ମୋତେ ଯେଉଁଠାରୁ ଆଣି ଥିଲୁ ସେହିଠାରେ ଛାଡ଼ି ଦେ । ଅର୍ଥାତ୍ ଜୀବ ମୃତ୍ୟୁ ଆଗରୁ ଯେଉଁଠୁ ଆସିଥାଏ ମୃତ୍ୟୁ ପରେ ଜୀବ ପୁଣି ସେହି ସ୍ଥାନକୁ ଫେରିବା ପରେ ତା’ର ପାପ ପୂଣ୍ୟ ବିଚାର କରି ବିଧାତା ତା’ର ପର ଜନ୍ମ ଦେଇଥାଆନ୍ତି ।

ଦ୍ୱିତୀୟ କଥାଟି ହେଲା ଖାଦକ ଯେତେ ପ୍ରକାର ବୁଝାଇ କହିଲେ ମଧ୍ୟ ଖାଦ୍ୟ ତା’ କଥାକୁ ସତ୍ୟ ଭାବିବାର ପରିଣତି ହୁଏ ମୃତ୍ୟୁ ।

ତୃତୟ କଥାଟି ହେଲା – ପାପ ଓ ଅସତ୍ୟ ଆଚରଣ ଫଳ ସମସ୍ତଙ୍କୁ ବଗ ପରି ଭୋଗ କରିବାକୁ ହୋଇଥାଏ ।