+100%-

ଅରଣ୍ୟ ମଧ୍ୟରେ ସିଂହଟିଏ ବାସ କରୁଥାଏ । ସେ ପୁଣି ସେହି ଅରଣ୍ୟର ରାଜା । ସେଦିନ ସେ କି ଯୋଗରେ ସକାଳ ଠାରୁ ବାହାରିଥିଲା ଯେ ସନ୍ଧ୍ୟା ହେଲା ପଛେ ସେ ତାର ଶିକାର ଗୋଟିଏ ସଂଗ୍ରହ ନକରି ଦିନଟା ସାରା ଉପାସରେ ବିତାଇ ସାରି ପୁଣି କିଛି ଆଗକୁ ଯାଆନ୍ତେ, ତା’ର ଦୃଷ୍ଟିକୁ ଗୋଟିଏ ଗୁମ୍ଫା ଦେଖାଗଲା । ସେଠାରେ ସେହି ଗୁମ୍ଫାକୁ ଦେଖି ସେ ବିଚାର କଲା ଯେ ଏତେ ବଡ଼ ଗୁମ୍ଫାଟିଏ ଯେତେବେଳେ, ସେହି ଗୁମ୍ଫା ମଧ୍ୟରେ କେହିନା କେହି ଜୀବ ବାସ କରୁଥିବେ । ଯଦି ସେପରି ହୋଇଥାଏ ତାହାହେଲେ ତାର ଆହାର ମିଳିଯିବ।

ଏପରି ଅନେକ କଥା ମନ ମଧ୍ୟରେ ଚିନ୍ତା କରି ସିଂହ ଯେତେବେଳେ ଗୁମ୍ଫା ମଧ୍ୟକୁ ପ୍ରବେଶ କରେ ସେତେବେଳେ ସେହି ଗୁମ୍ଫା ନିକଟରେ ଥିବା ଛୋଟ ଛୋଟ କଣ୍ଟା ବୁଦା ମଧ୍ୟରେ ଥିବା ଅନେକ ଗୁଡ଼ିଏ ମୂଷା ସିଂହକୁ ଦେଖିବା ମାତ୍ରେ ଫାଙ୍କ ଫାଙ୍କ ହୋଇ ସେଠାରୁ କୁଦାମାରି ଚାଲିଗଲେ ।

ମୂଷାଗୁଡ଼କୁ ଦେଖିବାମାତ୍ରେ ସିଂହର ପାଟିରୁ ବୋହି ଆସୁଥିବା ଲାଳ ବି ବନ୍ଦ ହୋଇଗଲା । ସେଠାରୁ ସେ ନିଶ୍ଚିତ ହେଲା ଯେ ଏହି ଗୁମ୍ଫା ମଧ୍ୟରେ ନିଶ୍ଚୟ କୌଣସି ଜୀବ ବାସ କରୁଅଛି । ବୋଧହୁଏ ସେହି ଜୀବକୁ ଦେଖିବା ମାତ୍ରେ ମୂଷା ଗୁଡାକ ଜୀବନ ବିକଳେ ପଳାଇଗଲେ ।

ସିଂହ ଏ ପ୍ରକାରର ଭାବନା ମନ ମଧ୍ୟରେ ପୋଷଣ କରି ଧିରେ ଧିରେ ପାଦକୁ ଚାପି ଚାପି ଯାଇ ଗୁମ୍ଫା ମଧ୍ୟରେ ପ୍ରବେଶ କରି ସବୁ ସ୍ଥାନକୁ ତନ୍ନ ତନ୍ନ କରି ଖୋଜି କୌଣସି ଜୀବର ସନ୍ଧାନ ପାଇଲା ନାହିଁ । ଏହାପରେ ତାର ଧାରଣା ହେଲା ଯେ ଯେଉଁ ଜୀବ ଏହି ଗୁମ୍ଫାରେ ବାସ କରୁଥିବ ସନ୍ଧ୍ୟା ହେଲାଣି ତ ଏବେ ବିଶ୍ରାମ କରିବା ନିମନ୍ତେ ଏଠାକୁ ଫେରିବ । ଏହା ଭାବି ସିଂହ ସେହି ଗୁମ୍ଫା ମଧ୍ୟରେ ହିଁ ବିଶ୍ରାମ କଲା ।

google-tez-social
ସିଂହର ବିଶ୍ରାମ କରିବା ଅଳ୍ପ ସମୟ ମଧ୍ୟରେ ଗୁମ୍ଫାର ମାଲିକ ବିଲୁଆ ଆସି ସେଠାରେ ପହଞ୍ଚିଲା । ସେତେବେଳେକୁ ସୂର୍ଯ୍ୟ ଅସ୍ତ ହୋଇଯାଉଥିବାର ସମୟ । ସେ ତାର ଗୁମ୍ଫାରେ ପ୍ରବେଶ କରିବା ସମୟରେ ଦେଖିଲା ଯେ ଗୁମ୍ଫାର ଦ୍ୱାରଦେଶରେ ଗୁମ୍ଫା ମଧ୍ୟକୁ ଯାଇଥିବା କୌଣସି ଏକ ବୃହତ୍ ଜୀବର ପାଦ ଚିହ୍ନ ରହିଛି କିନ୍ତୁ ତା’ର ଫେରିବାର ପାଦ ଚିହ୍ନର ଦୃଶ୍ୟ ନାହିଁ ।

ତା’ପରେ ବିଲୁଆ କିଛି ସମୟ ଗୁମ୍ଫାର ଦ୍ୱାର ଦେଶରେଅପେକ୍ଷା କରି ରହିଲା । ହେଲେ କୌଣସି ପ୍ରକାର ସନ୍ଧାନ ଜାଣିପାରିଲା ନାହିଁ । ତେଣୁ ଅତିଷ୍ଠ ମନରେ ହେ ଗୁମ୍ଫା, ହେ ଗୁମ୍ଫା ବୋଲି କେତେବାର ଡାକ ଛାଡ଼ିବା ପରେ ମଧ୍ୟ ଗୁମ୍ଫା ମଧ୍ୟରୁ କାହାରି ସ୍ୱର ଶବ୍ଦ ମିଳିଲା ନାହିଁ ।

ଏହାପରେ ବୁଦ୍ଧିଆ ବିଲୁଆ ନିଜର ଚତୁରତା ପ୍ରକାଶ କରି କହିଲା – ହଇରେ ଗୁମ୍ଫା ତୁ କ’ଣ ଏତେ ଶିଘ୍ର, ତୋର ଆଉ ମୋର ହୋଇଥିବା ସର୍ତ୍ତକୁ ଭୁଲିଗଲୁଣି । ମୁଁ ପରା ତୋତେ ବାରମ୍ବାର କହିଥିଲି ମୁଁ ଯେତେବେଳେ ବାହାରକୁ ଯିବି ଫେରିବା ସମୟରେ ତୋର ଦ୍ୱାରଦେଶରେ ଥାଇ ତୋତେ ଡାକିବି । ଯେତେବେଳେ ତୋଠାରୁ ଉତ୍ତର ପାଇବି ସେତେବେଳେ ଯାଇ ମୁଁ ଭିତରକୁ ଯିବି । ଠିକ୍ ଅଛି ମୁଁ ଯେତେବେଳେ ତୋତେ ଏତେ ଡାକୁଛି ତୁ ଯେ ମୋ ଡାକ ଶୁଣିଲୁ ନାହିଁ । ତେଣୁ ମୁଁ ଏଠାରୁ ଅନ୍ୟ ଗୁମ୍ଫାକୁ ଚାଲିଯାଉଛି । ତୁ ଏକଲା ଏଠାରେ ରହିଥା ।

ବିଲୁଆର ଏପରି ଚତୁରତାକୁ ସିଂହ ତ ବୁଝିପାରିଲା ନାହିଁ । ବରଂ ସେ ଭାବିଲା ଯେ ବିଲୁଆର ଆସିବା ବେଳେ ଗୁମ୍ଫା ବୋଧହୁଏ ତା’ ସହିତରେ କଥା ହୁଏ । ଆଜି ମୁଁ ଯେତେବେଳେ ଏହା ମଧ୍ୟରେ ବସିଥିବାର ଦେଖିଲା ସେଥିଲାଗି ବୋଧହୁଏ ଗୁମ୍ଫା ନୀରବ ରହିଗଲା । ବିଲୁଆକୁ କୌଣସି ଉତ୍ତର ଦେଲା ନାହିଁ । ତାହାହେଲେ ମୁଁ ଗୁମ୍ଫା ହୋଇ ବିଲୁଆକୁ ଡାକ ପକାଇଲେ ବିଲୁଆ ନିଶ୍ଚୟ ଏହା ମଧ୍ୟକୁ ପଶିଆସିବ । ତା’ପରେ ମୁଁ ମାଡ଼ିବସି ମୋର ଭୋଜନ କରିବି ।

ସିଂହ ଏପରି ଚିନ୍ତାକରି ବିଲୁଆକୁ ଡାକ ପକାଇଲା । ଆରେ ମିତ ଆଜି ତ ଏତେ ଗୁଡାଏ ବେଳ ହେଲାଣି । ତୁମେ ଏତେବେଳ ଯାଏ କେଉଁଠାରେ କ’ଣ କରୁଥିଲ । ଯଥା ଶୀଘ୍ର ଭିତରକୁ ପଳାଇ ଆସ । ହେ ମିତ ଶିଘ୍ର ମୋତେ କ୍ଷୁଧା ହେଲାଣି । ସାଥି ହୋଇ ଭୋଜନ କରିବାକୁ ମୁଁ ତୁମକୁ ଅପେକ୍ଷା କରିଛି ।

ଏଥର ସିଂହର କଣ୍ଠସ୍ୱର ବିଲୁଆ ଜାଣିପାରି ମନେ ମନେ ଖୁବ୍ ହସିଲା । ଆରେ ଚାଲାଖି କରି ସିଂହ ଆସି ଗୁମ୍ଫା ମଧ୍ୟରେ ବସିଛୁ । ଆଚ୍ଛା ଠିକ୍ ଅଛି । ବସିଥାରେ ସିଂହ । ସେହିପରି ରାତି ସାରା ବସିଥିବୁ ହେଲେ ବିଲୁଆକୁ ତୁ ଆଉ ତୋ ଆଖିରେ ଦେଖିବୁ ନାହିଁ । ଏକଥା ଭାବି ବିଲୁଆ ସେଦିନ ସେଠାରୁ ଚମ୍ପଟ ମାରି ଅନ୍ୟସ୍ଥାନକୁ ଚାଲିଗଲା । ବିଲୁଆ ଚାଲିଯିବା ପରେ ବିଚରା ସିଂହ ସେହି ରାତ୍ରଟି ସାରା ଉପାସରେ ଗୁମ୍ଫା ମଧ୍ୟରେ ଶୋଇପଡ଼ିଲା ।