+100%-

ଘନ ବୃକ୍ଷରେ ପରିପୂର୍ଣ୍ଣ ଅରଣ୍ୟଟିଏ । ସେହି ଅରଣ୍ୟରେ ନାନାପ୍ରକାର ପଶୁପକ୍ଷୀଙ୍କର ଚଳପ୍ରଚଳ ଥାଏ । ଦିନେ ଶିକାରୀ ଗୋଟିଏ ଆସି ପକ୍ଷୀ ଧରିବା ଉଦ୍ଧେଶ୍ୟରେ ଭୂମି ଉପରେ କିଛି ଖୁଦ କଣିକା ବୁଣି ଜାଲ ବସାଇ ଦେଇ ଚାଲିଗଲା । ଏହି ସମୟରେ ଆକାଶରେ ଚିତ୍ରଗ୍ରୀବ ନାମକ ପକ୍ଷୀରାଜା ତା’ର ସାଙ୍ଗମାନଙ୍କୁ ଧରି ଆକାଶରେ ଉଡ଼ିଉଡ଼ି ଯାଉଥିଲେ ।

ସେମାନଙ୍କ ମଧ୍ୟରୁ ଗୋଟିଏ କପୋତର ଦୃଷ୍ଟି ଭୂମି ଉପରେ ପଡ଼ିଯାଆନ୍ତେ ସେ କହିଲା ଆରେ ଭାଇମାନେ – ଦେଖିଲଣି ଭୂମି ଉପରେ କେତେ ଖୁଦକଣିକା ପଡ଼ିଛି? ଏହି ସ୍ଥାନ ଛାଡ଼ି କାହିଁକି ପୁଣି ଆଗକୁ ଯିବା । ହେଲେ ଅନ୍ୟପକ୍ଷୀମାନେ ସେ କଥାକୁ ଅସ୍ୱୀକାର କରି ନୀରବରେ ଥାଆନ୍ତି । କିନ୍ତୁ ୟେତ ଗୋଟାଏ ଲୋଭି କପୋତ ।

ସେ ପୁଣି କହିଲା – ଆରେ ନୀରବ କାହିଁକି? ଏତେଗୁଡାଏ ଖୁଦକଣିକା ଆମେ ଏଠାରେ ଛାଡ଼ି ପଳାଇବା ନା କଣ? ଚାଲ ଆଉ ଡ଼େରି ନକରି ଖୁଦତକ ଖାଇଦେଇ ଉଡ଼ିଯିବା । ଅନ୍ୟପକ୍ଷୀମାନଙ୍କର ଇଚ୍ଛା ଥିଲେ ମଧ୍ୟ ରାଜାଙ୍କ ଭୟରେ କେହି କିଛି କହି ନପାରି ରାଜା ଚିତ୍ରଗ୍ରୀବଙ୍କ ମୁଖକୁ ଖାଲି ଚାହୁଁ ଥାଆନ୍ତି । ଚିତ୍ରଗ୍ରୀବ ସମସ୍ତଙ୍କ କଥା ଅବଶ୍ୟ ବୁଝିପାରିଲେ । ସେ କହିଲେ – ଦେଖ ବାବା, ଏ ତ ଜଙ୍ଗଲ ଜାଗା । ଜଙ୍ଗଲର ପାଖ ଆଖରେ ଗୋଟିଏ ହେଲେ ଗ୍ରାମ ନାହିଁ । ତେବେ ଏମିତି ଏକ ଅରଣ୍ୟ ମଧ୍ୟକୁ ଖୁଦ କଣିକା ଗୁଡ଼ାଏ ଆସିବା ଅସମ୍ଭବ ନୁହଁ କି ? ଏହା ନିଶ୍ଚୟ କୌଣସି ଶିକାରୀର କାମ ।

google-tez-social
ରାଜା ଅବଶ୍ୟ ନିଜ ବିଚାରରୁ ସତ୍ୟ କଥାଟିଏ କହିଲେ! କିନ୍ତୁ ଅନ୍ୟମାନେ ସେ କଥାକୁ ଗ୍ରହଣ ନକରି ଲୋଭବଶତଃ ସେହିଠାରେ ହିଁ ଓହ୍ଲାଇ ପଡ଼ିଲେ । ହେଲେ ରାଜା ଚିତ୍ରଗ୍ରୀବଙ୍କ କଥାଟି ସତ୍ୟ ହେଲା । ଖୁଦ ଖାଇବାକୁ ଆସି ପକ୍ଷୀମାନେ ଶିକାରୀର ଜାଲ ମଧ୍ୟରେ ରହିଗଲେ ।

ଚିତ୍ରଗ୍ରୀବ କହିଲେ ଦେଖିଲ ତ! ମୋ କଥାକୁ ଖାତିର କଲ ନାହିଁ? ବର୍ତ୍ତମାନ ଫଳ କିପରି ଭୋଗିବାକୁ ହେଲା! ଏଥର ଗୋଟିଏ କାମ କର ଏଠି ଏମିତି ପଡ଼ିରହିଲେ ଆମକୁ ଉଦ୍ଧାର ପାଇବାର କୌଣସି ବାଟ ନାହିଁ । ଚାଲ ଆମେ ସମସ୍ତେ ବଳ ଖଟାଇ ଉଡ଼ି ପଳାଇବା । ତେଣିକି ବିଚାର କରିବା ଯେ, ଆମେ କିପରି ଉପାୟ କରିବା । ବର୍ତ୍ତମାନ ଆମକୁ ଏହି ଶିକାରୀ କବଳରୁ ରକ୍ଷା ପାଇବାକୁ ହେବ ।

ଚିତ୍ରଗ୍ରୀବର କଥା ସମସ୍ତଙ୍କ ମନକୁ ପାଇଲା । ସମସ୍ତେ ବଳ ଖଟାଇ ଜାଲ ସହ ଉଡ଼ିବାକୁ ଲାଗିଲେ । ଶିକାରୀ ଦୂରରୁ ଦୌଡ଼ି ଦୌଡ଼ି ଆସିଲା ସିନା ହେଲେ ପକ୍ଷୀମାନଙ୍କୁ ଆୟତ୍ତ କରି ପାରିଲା ନାହିଁ । ଶେଷରେ ଶିକାରୀକୁ ନୈରାଶ୍ୟ ହୋଇ ଫେରିଯିବାକୁ ହେଲା ।

ଏହିପରି ଭାବରେ ଅନେକ ପଥ ପକ୍ଷୀମାନେ ଅତିକ୍ରମ କରିଗଲେ । କିଛିବାଟ ଯାଆନ୍ତେ ଚିତ୍ରଗ୍ରୀବ କହିଲା – ମୋର ଜଣେ ବନ୍ଧୁ ଅଛନ୍ତି । ତାହାଙ୍କର ନାମ ହିରଣ୍ୟକ ମୂଷିକ ରାଜା । ଆମେ ସମସ୍ତେ ଯାଇ ସେହିଠାରେ ଓହ୍ଲାଇ ତାଙ୍କୁ ଆମକୁ ଏଭଳି ବିପଦରୁ ରକ୍ଷା କରିବାକୁ କହିବା । ସେ ନିଶ୍ଚୟ ନିଜର ତୀକ୍ଷ୍ଣ ଦାନ୍ତଦ୍ୱାରା ଆମର ଜାଲକୁ କାଟିଦେଲେ ଆମେ ଏହି ବିପଦରୁ ରକ୍ଷା ପାଇଯିବା ।

ପକ୍ଷୀମାନେ ରାଜା ଚିତ୍ରଗ୍ରୀବଙ୍କ କଥାମାନି ସେହି ବଣରେ ଯାଇ ଓହ୍ଲାଇଲେ । ସେତେବେଳକୁ ମୂଷିକ ରାଜା ସେହି ଗାତ ମୁହଁରେ ବସିଥିଲା । ସେ ଯେତେବେଳେ ଏମାନଙ୍କୁ ଦେଖିଲା ଭୟପାଇ ଗାତ ଭିତରକୁ ପଳାଇ ଯିବାରୁ ଚିତ୍ରଗ୍ରୀବ ଗାତ ପାଖକୁ ଯାଇ କହିଲା ହେ ବନ୍ଧୁ! ମୋତେ କ’ଣ ଚିହ୍ନିପାରୁନାହଁ? ମୁଁ ପରା ଚିତ୍ରଗ୍ରୀବ ।

ମୂଷା ଏଥର ଚିତ୍ରଗ୍ରୀବର କଣ୍ଠ ସ୍ୱରରୁ ନିଜର ବନ୍ଧୁଙ୍କୁ ଚିହ୍ନି ପାଖକୁ ଆସିଲା । ସେମାନଙ୍କ ଠାରୁ ସମସ୍ତ ବୃତ୍ତାନ୍ତ ଶୁଣିଲା । ତା’ପରେ କହିଲା ଠିକ୍ ଅଛି? ଏପରି ବିପଦରେ ମୋର ବନ୍ଧୁ ପଡ଼ିଛନ୍ତି ଯେବେ ତାଙ୍କୁ ମୋତେ ନିଶ୍ଚୟ ସାହାଯ୍ୟ କରିବାକୁ ହେବ? ଏହାକହି ଜାଲ କାଟିବାକୁ ଆରମ୍ଭ କରନ୍ତେ! ଚିତ୍ରଗ୍ରୀବ କହିଲା ଦେଖ ବନ୍ଧୁ! ଆଗ ମୋର ସାଙ୍ଗମାନଙ୍କ ଜାଲ କାଟି ରକ୍ଷା କର । ତା’ପରେ ଯାଇ ମୋର ଜାଲ କାଟିବ? ମୂଷିକ ରାଜା ବନ୍ଧୁଙ୍କର କହିବା ଅନୁସାରେ ସମସ୍ତ ଜାଲ କାଟି ଉଦ୍ଧାର କରି ସାରିବା ପରେ ବନ୍ଧୁଙ୍କର ଜାଲ କାଟିବାକୁ ଆରମ୍ଭ କରି କହିଲା – ବୁଝିଲ ବନ୍ଧୁ! ତୁମ କଥାକୁ ମୁଁ ସମର୍ଥନ କରୁଛି । କାରଣ ଏପରି ଜାଲ ମଧ୍ୟରେ ବନ୍ଧନରେ ପଡ଼ି ନିଜ ଲାଗି କେବେ ଅବହେଳା କରିବ ନାହିଁ । ହେଲେ ତୁମର ତୁମ ବନ୍ଧୁମାନଙ୍କ ପ୍ରତି ଥିବା ସ୍ନେହ ଶ୍ରଦ୍ଧା ତଥା ଆତ୍ମୀୟତା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି!

ଏହାପରେ ଚିତ୍ରଗ୍ରୀବ କହିଲା – ଦେଖ ବନ୍ଧୁ! ଏଥିରେ ମୋର କି ତ୍ୟାଗଅଛି ବରଂ ଆମ ସମସ୍ତଙ୍କର ଏହା କେବଳ ଏକତାର ବଳ । ତା’ପରେ ସମସ୍ତ ପକ୍ଷୀ ସ୍ୱାଧୀନତାର ସହିତ ଉଡ଼ିବାକୁ ଲାଗିଲେ । ମୂଷିକ ରାଜା ବନ୍ଧୁର ଉପକାର କରିସାରି ପୁନଶ୍ଚ ନିଜ ଗାତକୁ ଚାଲିଗଲା ।