+100%-

ସୃଜନପୁର ନାମକ ଗୋଟିଏ ମଫସଲ ଗ୍ରାମ ଥିଲା । ସେହି ଗ୍ରାମରେ କାଳିଆ କୁମ୍ଭାରର ଘର । କୁମ୍ଭାର ମାଟିରେ ହାଣ୍ଡି ଗଢ଼ି ତାହାକୁ ପୋଡ଼ି ଗ୍ରାମକୁ ଗ୍ରାମ ନେଇ ବିକ୍ରୟ କରେ । ସେଥିରୁ ଯାହା ରୋଜଗାର ହୁଏ ସେହିଥିରେ ତାର ପରିବାର ପ୍ରତିପୋଷଣ କରେ । ତେବେ କୁମ୍ଭାର ଅନେକ ଗୁଡାଏ ତ ହାଣ୍ଡି ଗଢ଼େ । ସେ ହାଣ୍ଡି କ’ଣ ଗୋଟିଏ ଦିନରେ ବିକ୍ରି ହୋଇଯାଏ । ସେଥିପାଇଁ କୁମ୍ଭାର ତା’ର ବାରିପଟରେ ଗୋଟିଏ ଭାଡ଼ି କରିଥାଏ । ହାଣ୍ଡିଗୁଡ଼ିକ ପୋଡ଼ି ସାରିଲେ ତାହାକୁ ଭାଟିରୁ ବାହାର କରି ଭାଡ଼ିରେ ସଜାଇ ରଖେ ।

କୁମ୍ଭାର ହାଣ୍ଡି ଭାଡ଼ି ତଳଟା ସଦାସର୍ବଦା ଅନ୍ଧାରିଆ ଆଉ ସନ୍ତସନ୍ତିଆ ମଧ୍ୟ ହୋଇଥାଏ । ଜନ୍ଦାମାନେ ପ୍ରାୟତଃ ସନ୍ତସନ୍ତିଆ ଜାଗାରେ ରହିବାକୁ ଭଲ ପାଆନ୍ତି । ପୁଣି ଅନ୍ଧାରିଆ ଜାଗାରେ ମୂଷାମାନେ ମଧ୍ୟ ମାଟି ଗାଳି ଗାତ କରି ରହିବାକୁ ସୁବିଧା ମନେ କରନ୍ତି । ଯେଉଁଠାରେ ମୂଷା ମାଟି ଗାଳିଛି ସେଠାରେ ଗାତ କରି ମୂଷା ନିଶ୍ଚୟ ରହୁଥିବ । ଏକଥାକୁ ଚାଲାଖିଆ ସାପଟିଏ ଜାଣିପାରି କ’ଣ କଲାନା ସେ ମଧ୍ୟ ସେହି ଭାଡ଼ିତଳେ ରହିବାକୁ ସ୍ଥିର କରି ରହିଲା । ଏହି ସମୟରେ ଭାଡ଼ି ତଳେ ଥିବା କେତେକ ଜନ୍ଦା ସାପର ଚାଲିବା ମଧ୍ୟରେ ଦଳି ମକଚି ହୋଇ ମରିଗଲେ ତ ଆଉ କେତେକ ଦରମଲା ହୋଇ ପଡ଼ି ରହିଲେ । କ’ଣ କରିବେ ଏତେ ବଡ଼ ଜୀବ, ଏମାନେ ଯେ କେଡ଼େ କ୍ଷୁଦ୍ର ଜୀବ । ସେମାନଙ୍କର ପ୍ରତିବାଦ କରିବାର ସାହାସ ବା କାହିଁ ।

ଦିନକର କଥା ସାପ ବାହାରକୁ ଶିକାର କରିବା ଉଦ୍ଧେଶ୍ୟରେ ଯାଇଥିଲା ଯେ କେହି ତାକୁ ବାଡ଼ିରେ ପିଟି ଦେଇଥିବାରୁ ମଝି ପେଟରେ ଜଖମ ଲାଗିଲା । କ’ଣ କରିବ ବିଚରା, ସେଇଠାରୁ ସେ ବଡ଼ କଷ୍ଟରେ ଭାଡ଼ି ତଳକୁ ଘୁଷୁରି ଘୁଷୁରି ଆସିଲା । ଏଥିରେ ମଧ୍ୟ ଅନେକ ଜନ୍ଦା ତା’ର ପେଟତଳେ ଚାପି ହୋଇ ମରିଗଲେ । ଆଉ କେତେକ ବିଚ୍ଛିନ୍ନ ହୋଇ ବୁଲିବାକୁ ଲାଗିଲେ ।

google-tez-social
ଏତିକି ବେଳେ ଜନ୍ଦାଙ୍କର ବନ୍ଧୁ ବୋଇଲେ ଗୋଟିଏ ବୁଢ଼ା ଜନ୍ଦା ନିଜର ଆତ୍ମୀୟମାନଙ୍କୁ ଦେଖିବାକୁ ଆସି ଏ ଘଟଣା ଦେଖି ସେ ବଡ଼ ମର୍ମାହତ ହୋଇପଡ଼ିଲା । ସାପ ପ୍ରତି ବହୁତ କ୍ରୋଦ ମଧ୍ୟ କଲା । ସେହି କ୍ରୋଧ ହୋଇ ସମସ୍ତ ଜନ୍ଦାକୁ ଡାକି କହିଦେଇ ଗଲା ଯେ ଏଠି ଏପରି ହେବା ଦରକାର ଯେ ତୁମ୍ଭେମାନେ ଏକତ୍ରିତ ହୋଇଯାଅ । ସଂଘବଦ୍ଧ ହୋଇ ଏକତ୍ର ଆକ୍ରମଣ କର । ବଳେ ସାପଟା ମରିଯିବ । ଏବେ ତ ଆଘାତ ପାଇ ସାପର ଅଣ୍ଟା ଭାଙ୍ଗିଯାଇଛି । ଏଇବେଳରେ ହିଁ ଆକ୍ରମଣ ଦରକାର । ଏହା ବତାଇ ଦେଇ ବୁଢ଼ା ଜନ୍ଦାଟି ଚାଲିଗଲା । ସେତେବେଳକୁ ବୁଢ଼ା ସାପଟି ଆରାମରେ ଶୋଇ ପଡ଼ିଥିଲା । ଏପରି ସୁଯୋଗ ପାଇ ସବୁତକ ନାଲି ଜନ୍ଦା ଅଣ୍ଟା ଭିଡ଼ି ଆକ୍ରମଣ କରିବାକୁ ଲାଗିଗଲେ । କେତେଜଣ ଆକ୍ରମଣ କରି ସାପର ଆଖି ଦୁଇଟାକୁ ତାଡ଼ିଦେଲେ ତ ଆଉ କେତେକ ସାପର ଦେହଟାକୁ କାମୁଡ଼ି କାମୁଡ଼ି ବିଷାକ୍ତ କରିଦେଲେ । ଏହାପରେ ସାପଟି ଛଟପଟ ହୋଇ ମରିଗଲା ।