+100%-

ସାଗରର କୂଳକୁ ଲାଗି ଅସଂଖ୍ୟ ଝାଉଁ ବୃକ୍ଷ ଥିବା ଛୋଟିଆ ଜଙ୍ଗଲ । ସେହି ଝାଉଁ ବୃକ୍ଷରେ ସ୍ୱାମୀ ସ୍ତ୍ରୀ ଭାବରେ ଦୁଇଟି ପକ୍ଷୀ ବାସ କରୁଥାଆନ୍ତି । ସେମାନେ କୁଆ କୋଇଲି କପୋତ କପୋତୀ ପରି ପକ୍ଷୀ । ନାମ ତାଙ୍କର ଟେଣ୍ଟେଇ ପକ୍ଷୀ ।

ସେମାନଙ୍କ ଅହଂକାର ଏତେ ଯେ ସେମାନେ ବଡ଼ ସାନ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ସଦାବେଳେ ଅହଂକାରୀ ମନ, ଏଡ଼େ ଗର୍ବୀ ଅହଂକାରୀ ଯେ ସାଗରର ଢ଼େଉକୁ ତାଙ୍କର ଖାତର ନାହିଁ । ଆକାଶକୁ ନିଜ ଗୋଡ଼ରେ ବି ଅଟକାଇ ଦେବାର ଶକ୍ତି ତାଙ୍କର । ସେଥିପାଇଁ ଏହି ସ୍ୱାମୀ ସ୍ତ୍ରୀ ପକ୍ଷୀ ଯୋଡ଼ିକ ପ୍ରତିଦିନ ରାତ୍ରରେ ଶୋଇବା ସମୟରେ ଚିତ୍ ହୋଇ ଆକାଶ ଆଡ଼କୁ ଗୋଡ଼ ଦୁଇଟିକୁ ଟେକି ଶୋଇଥାଆନ୍ତି । କାରଣ ସେ ଭାବନ୍ତି ଯେ ସେମାନଙ୍କର ଶୋଇପଡ଼ିଥିବା ବେଳେ ସରଗ ଯଦି କୌଣସ କାରଣରୁ ଭାଙ୍ଗିପଡ଼େ ତାହାହେଲେ ସେମାନେ ତାଙ୍କର ଗୋଡ଼ ଦୁଇଟିରେ ଟେକି ଧରି ନିଜର ପ୍ରାଣ ରକ୍ଷା କରିବେ ।

ଦିନକର କଥା । ଟେଣ୍ଟେଇ ପକ୍ଷୀର ଅଣ୍ଡା ଦେବାର ସମୟ ଆସୁଥାଏ । କେତେବେଳେ କେଉଁ କଥା । ଦେହ ଅଛି ତ ରୋଗ ବୈରାଗ ଆଉ ଦଇବି ବିପତ୍ତି ତା ପାଇଁ ଧରା ବନ୍ଧା । ସେଥିପାଇଁ ମନ ମଧ୍ୟରେ ନିଜର ଛୁଆପ୍ରତି କାଳେ ହଠାତ୍ ବିପଦ ଆସିଯିବ ସେପରି ଭୟ ମନ ମଧ୍ୟରେ ସଞ୍ଚାର ହେବା କାରଣରୁ ସ୍ତ୍ରୀ ଟେଣ୍ଟେଇ ପକ୍ଷୀ ସ୍ୱାମୀଙ୍କୁ ତାର ପାଖକୁ ଡାକି କହିଲା -ଦେଖ ମୋର ତ ଅଣ୍ଡା ଦେବାର ବେଳ ପାଖେଇ ଆସିଲାଣି । ଆଉ କେଇଟା ଦିନ ଯେ । ବେଳ ଥାଉଁ ଥାଉଁ ବିପଦକୁ ନିବାରଣ କରିବା ଲାଗି କିଛି ତ ବ୍ୟବସ୍ଥା କରିବାକୁ ହେବ ।

ଏକଥା ଶୁଣିବା ମାତ୍ରେ ସ୍ୱାମୀ ଟେଣ୍ଟେଇ କହିଲା – ଏହି ସ୍ଥାନ ତ ଆମ ଲାଗି ନିରାପଦ । ଅଣ୍ଡା ଦେବା ଲାଗି ଆଗରୁ ଏତେ ଚିନ୍ତା କରୁଛ କାହିଁକି?

ସ୍ତ୍ରୀ ଟେଣ୍ଟେଇ ପକ୍ଷୀ କହିଲା – ମୁଁ କହିବାର କାରଣ ହେଉଛି ଏ ହେଉଛି ସାଗର କୂଳ । ଏଠାରେ ମୋ ଛୁଆ ପାଇଁ ନିରାପଦ ସ୍ଥାନ ହେବ ନାହିଁ । ବରଂ ଆଜିଠାରୁ କିଛି ଗୋଟାଏ ବ୍ୟବସ୍ଥା କରି ଆମେ ଏଠାରୁ ଚାଲିଯିବା । ନିରାପଦ ସ୍ଥାନରେ ଅଣ୍ଡାଦେବା, ମୋର ଛୁଆ ଗୁଡ଼ିକ ଯେତେବେଳେ ବଡ଼ ହୋଇଯିବେ ଆମେ ପୁଣି ଏହି ସ୍ଥାନକୁ ଫେରିଆସିବା ।

google-tez-social
ଏତେବେଳଯାଏ ଟେଣ୍ଟେଇ ପକ୍ଷୀ ଯେତେ କଥା କହିଲା ସେକଥା ଅତି ହାଲୁକା ଭାବରେ ପୁରୁଷ ଟେଣ୍ଟେଇ ପକ୍ଷୀ ଗ୍ରହଣ କରି କହିଲା – ଆଲୋ ସତରେ ତୁ ପାଗଳି ହୋଇଗଲୁଣି । ଏ ସାଗର କୂଳ କେଡ଼େ ସୁନ୍ଦର । ଏପରି ପ୍ରଶସ୍ତ ସାଗର କୂଳକୁ ଛାଡ଼ି କେଉଁ ଅଜଣା ଦୂର ସ୍ଥାନକୁ ଯିବା ଲାଗି ଇଚ୍ଛା କରୁଛୁ କହିଲୁ । ମୁଁ କହୁଛି, ତୁ ଏଇଠାରେ ହିଁ ଅଣ୍ଡା ଦେବୁ । ଏହି ପ୍ରଶସ୍ଥ ସ୍ଥାନରେ ମୁଁ ମୋର ଛୁଆକୁ ଉଡ଼ାଇ ଶିଖାଇବି । ତେବେ ଏଠାରେ ତ ଖାଦ୍ୟରେ ଆମର ଅଭାବ ନାହିଁ ।

ସ୍ୱାମୀ ତା’ର ଯେତେ କଥା ବୁଝାଇ ଶୁଝାଇ କହିଲା ସ୍ତ୍ରୀ ଟେଣ୍ଟେଇ କିନ୍ତୁ ସେକଥାକୁ ବୁଝିଲା ନାହିଁ । ସେ କହିଲା ମୁଁ ତୁମର ମଙ୍ଗଳ କଥା କହୁଛି । କାହିଁକିନା ଆଗକୁ ଆସୁଛି ଚାନ୍ଦିନୀ ରାତି । ତମେ ଜାଣିଛ ଚାନ୍ଦିନୀ ରାତି ହେଲେ ଏ ସାଗର ଆନନ୍ଦ କହିଲେ ନ ସରେ । ତା’ ଦେହରୁ ଏତେ ଜୋରରେ ଜୁଆର ଆସେ ଯେ ଦେଖିଲେ ଭୟ ଲାଗେ । ମୋତେ ସାଗରର ସେହି ବଡ଼ ବଡ଼ ଜୁଆରକୁ ଭୟ । ଯଦି ବଡ଼ ଜୁଆରଟେ ଆସିବ ନା ସେ ମୋ ଛୁଆଙ୍କୁ ଭସାଇ ନେଇଯିବ ତା କୋଳକୁ । ତମର ସେତେବେଳେ କି ଉପାୟ ଥିବ? ତମେ କ’ଣ ସାଗର ସାଥିରେ ଲଢ଼େଇ କରି ତା’ କୋଳରୁ ମୋ ଛୁଆମାନଙ୍କୁ ଛଡ଼ାଇ ଆଣିବ! ତମେ ଜାଣିଛଟି ସେହି ସାଗର ଜୁଆରରେ ହାତୀଟିଏ ପଡ଼ିଲେ ସେ ବି ଭାସିଯିବ। ହାତୀ ଆଗରେ ଆମେ ତ ଛାର ସାଧାରଣ ।

ସ୍ତ୍ରୀ କଥାରେ ପୁରୁଷ ଟେଣ୍ଟେଇ ପକ୍ଷୀ ପୁଣି ଠୋ ଠୋ ହୋଇ ହସିଲା । ସେ କହିଲା – ତୁ ପାଗଳୁ ହେଲୁ ନା କ’ଣ । ସାଗର ଢ଼େଉର ପୁଣି ଏତେ ତାକତ ଯେ ସେ ଆମର ଅଣ୍ଡାକୁ ଭସାଇ ନେବ । ମନେରଖ ସାଗରର ସେମିତି କରାମତି ନାହିଁ । ମୁଁ ତୋତେ କଥା ଦେଉଛି, ତୋ ଛୁଆ କଥା ମୁଁ ବୁଝିବି । ତୁ କେବଳ ନିର୍ଭୟ ହୋଇ ରହିବୁ । ତାହା ନହେଲେ ଏଠାରେ ଯେପରି ତୋର ସାଗରର ଜୁଆରକୁ ଭୟ ସେହିପରି ଆଉ କିଛି ଭୟ ମଧ୍ୟ ଅନ୍ୟ ସ୍ଥାନରେ ଅଛି । ଭୟ ପୁଣି ଏପରି କଥା ଯେ ତାହା ସବୁଠାରେ ଥାଏ । ଯାହାର ମୁଣ୍ଡରେ ବିଦ୍ୟାବୁଦ୍ଧି ଅଛି ସେ ସମସ୍ତ ଭୟରୁ ମୁକତି ପାଇଯିବ । କ’ଣ ମୋର ତାକତ ଜାଣି ନାହୁଁ?

ଏତେବେଳଯାଏ ସ୍ୱାମୀ ସ୍ତ୍ରୀ ଟେଣ୍ଟେଇ ପକ୍ଷୀ ଯାହା ଯାହା ସବୁ କଥା ହେଉଥିଲେ ସେ କଥାକୁ ସବୁ ଶୁଣୁଥିଲା ସାଗର । ସାଗରର ଆକାର ଯେପରି ସେହିପରି ଶକ୍ତି ଅଛି ତା’ର । କେତେ ଅହଙ୍କାର ଏହି ପକ୍ଷୀଙ୍କର । ସେମାନଙ୍କ କଥାତ ସାଗର ସବୁ ଶୁଣିଥିଲା । ସେ କେବଳ ଅପେକ୍ଷା କରିଲା ସେହି ସମୟକୁ କେତେବେଳେ ସ୍ତ୍ରୀ ପକ୍ଷୀ ଅଣ୍ଡା ଦେବ ।

ସ୍ତ୍ରୀ ଟେଣ୍ଟେଇ ପକ୍ଷୀର ଅଣ୍ଡା ଦେବାର ସମୟ ଆସିଲା । ଉଚ୍ଚିତ ସମୟରେ ସେଠାରେ ସେ ଅଣ୍ଡା ଦେଇ ଅଣ୍ଡାକୁ ନିଜର ଡ଼େଣା ତଳେ ଲୁଚାଇ ରଖି ଦିନସାରା ଅଣ୍ଡାକୁ ଜଗି ବସି ରହିଲା । ସାଗର ମଧ୍ୟ ଅପେକ୍ଷା କରିଥିଲା, ସେ ସିନା ଆକାଶ ଖସି ପଡ଼ିଲେ ନିଜ ଗୋଡ଼ ଯୋଡ଼ାକରେ ଆକାଶକୁ ଟେକି ଧରିବାର ସାହାସ ଧରିଛି । ଦେଖିବା ଏଥର ତାର ଅଣ୍ଡାକୁ ଭସାଇ ନେଲେ ସେ ମୋର କ’ଣ କରିବ । ଏକା ଥରକେ ତାହାର ଅହଂକାର ଆଉ ଗର୍ବପଣ ଭାଙ୍ଗିଯିବ । ଏହାଭାବି ସାଗର ଗୋଟାଏ ବଡ଼ ଜୁଆର ହୋଇ ଆସିଲା ଯେ ଅଣ୍ଡାକୁ ଭସାଇ ନେଇ ଚାଲିଗଲା । ସେତେବେଳେ ଟେଣ୍ଟେଇ ଅଣ୍ଡାକୁ ତାର ପକ୍ଷତଳେ ଧରି ରଖିବାର ଉପାୟ ପାଇଲା ନାହିଁ । ଏପରି ବଡ଼ ଜୁଆର ଆସିବା ଦେଖି ନିଜକୁ କିପରି ସ୍ତ୍ରୀ ଟେଣ୍ଟେଇ ରକ୍ଷା କରିପାରିବ ସେ ତାର ଉପାୟ କରି ସେଠାରୁ ଉଡ଼ି ପଳାଇଗଲା ।

ଜୁଆର ଛାଡ଼ିଗଲା । ପୁରୁଷ ଓ ସ୍ତ୍ରୀ ପକ୍ଷୀ ଯୋଡ଼ିକ ପୁଣି ଉଡ଼ି ଉଡ଼ି ଆସି ସେହିଠାରେ ପହଞ୍ଚି ଦେଖିଲେ ଅଣ୍ଡାର କୌଣସି ପତ୍ତା ମିଳିଲା ନାହିଁ । ଅଣ୍ଡା କଥା ମନେ ପକାଇ ସ୍ତ୍ରୀ ଟେଣ୍ଟେଇ ପକ୍ଷୀ ଖାଲି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ଆଉ ପୁଣି ତା’ର ସ୍ୱାମୀକୁ କହିଲା ମୁଁ ଯେଉଁଥିପାଇଁ ତୁମକୁ କହୁଥିଲି ତାହାହିଁ ତ ହେଲା । ନିଜର ଅହଂକାର କଥା ନିଜକୁ ଖାଇଲା । ସତକୁ ସ୍ତ୍ରୀର କଥା ସିନା ସେଦିନ ନିଜର ଅହଂକାର ଆଉ ଗର୍ବୀ ମନରେ ଶୁଣିଲା ନାହିଁ ହେଲେ ଆଜି ସେ ଖାଲି ତା’ର ଛୁଆଙ୍କ ଲାଗି କାନ୍ଦିବାକୁ ଲାଗିଲା ।