+100%-

ଚିତ୍ରପୁର ନାମକ ନଗରରେ ଚିତ୍ରରଥ ନାମକ ଜଣେ ରାଜାଙ୍କର ରାଜତ୍ୱ ଥିଲା । ରାଜାଙ୍କର ପୁଷ୍ପ ଉଦ୍ୟାନ ମଧ୍ୟରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ଅନେକ ଗୁଡ଼ି ହଂସ ବାସ କରୁଥିଲେ । ସେହି ହଂସମାନେ ପ୍ରତି ଛଅମାସରେ ଗୋଟିଏ ଲେଖା ସୁନାର ଅଣ୍ଡା ଦେଉଥିଲେ । ରାଜା ଯେତେବେଳେ ପୁଷ୍ପ ଉଦ୍ୟାନକୁ ରାଣୀଙ୍କୁ ନେଇ ସାନ୍ଧ୍ୟ ଭ୍ରମଣରେ ଯାଆନ୍ତି ପରିଚାରିକାମାନଙ୍କୁ ଲଗାଇ ସେହି ଅଣ୍ଡାଗୁଡ଼ିକ ସଂଗ୍ରହ କରି ନଅରକୁ ନେଇ ଆସନ୍ତି । ଏଥିଲାଗି ହଂସମାନଙ୍କ ଉପରେ ରାଜାଙ୍କର ବିଶେଷ ଶ୍ରଦ୍ଧା ରହିଗଲା । ଏଥିପାଇଁ ସେହି କ୍ଷୁଦ୍ର ହଂସମାନେ ଭାବିଲେ ଯେ ରାଜାଙ୍କ ଗୁଣଠାରୁ ଅମେ କେଉଁ ଗୁଣରେ କମ୍ ନୁହଁନ୍ତି । ଆମର ସୁନାର ଅଣ୍ଡା ଦେଖି ରାଜା ଲୋଭିତ । ସେଥିଲାଗି ସେ ଆମ ପ୍ରତି ଅନେକ ଶ୍ରଦ୍ଧା ସ୍ନେହ ରଖିଛନ୍ତି । ଆମେ ଯଦି ବଳେ ବଳେ କହିବା ପୁଷ୍କରିଣୀ ଛାଡ଼ି ଯିବାକୁ ରାଜା ନିଶ୍ଚୟ ନତମସ୍ତକ ହୋଇ ସୁନା ଲୋଭରେ ଆମର ଚାଲିଯିବା ରାସ୍ତାରେ ପ୍ରତିବନ୍ଧକ ହୋଇ ଆମକୁ ଅନୁରୋଧ କରିବେ । ଏହାବ୍ୟତୀତ ରାଜାଙ୍କର ଅନ୍ୟ ଉପାୟ କିଛି ନାହିଁ ।

ଏହିପରି ହଂସମାନଙ୍କ ମଧ୍ୟରେ ଅନେକ ଅହଂଭାବ ଜାଗ୍ରତ ହେଲା । ସେମାନେ ସୁନା ଅଣ୍ଡା ଦେଉଥିବା ଅହଂକାର ଗୁଣଦ୍ୱାରା ଗର୍ବି ହୋଇ ଉଠିଲେ । ସେମାନଙ୍କ ଆଖିରେ ରାଜା ମଧ୍ୟ ସାଧାରଣ ହୋଇଗଲେ ।

ଦିନକର କଥା କୁଆଡ଼ୁଗୋଟିଏ ସୁନାପକ୍ଷୀ ଉଡ଼ି ଉଡ଼ି ଯାଉ ଯାଉ ରାଜାଙ୍କ ଉଦ୍ୟାନ ପ୍ରତି ତା’ର ଦୃଷ୍ଟି ପଡ଼ିଲା । ଜାଗାଟିର ମନୋହର ଶୋଭା ଦେଖି ସେ ସେହି ଉଦ୍ୟାନରେ ଓହ୍ଲାଇ ପଡ଼ି ଜଳ କ୍ରୀଡ଼ା କରିବା ନିମନ୍ତେ ପୁଷ୍କରିଣୀର ନିକଟକୁ ଗଲା ।

ପୁଷ୍କରିଣୀ ମଧ୍ୟରେ ସେ ଦେଖିଲା ଯେ ତାରି ପରି ଅନେକ ହଂସ ମଧ୍ୟ ପୁଷ୍କରିଣୀ ମଧ୍ୟରେ ବାସ କରୁଛନ୍ତି । ସେମାନଙ୍କୁ ଦେଖିବା ପରେ ସେ ବହୁତ ଖୁସି ହୋଇଗଲା କାରଣ ବନ୍ଧୁଗୁଡ଼ିଏ ତାକୁ ମିଳିଗଲେ ।

ଏହାଭାବି ସୁନାପକ୍ଷୀଟି ଯେତେବେଳେ ପୁଷ୍କରିଣୀର ପାହାଚ ଦେଇ ଜଳ ଆଡ଼କୁ ଚାଲିଲା ସେତେବେଳେ ସୁନା ପକ୍ଷୀଟି ଆଗରୁ ରହୁଥିବା ହଂସମାନଙ୍କ ଦ୍ୱାରା ବାଧାପ୍ରାପ୍ତ ହେଲା । ଏହାଦ୍ୱାରା ସେଠାରେ କଳହର ସୂତ୍ରପାତ ହେଲା ।

google-tez-social
ଶେଷରେ ନିରୂପାୟ ହୋଇ ସୁନାପକ୍ଷୀ କହିଲା ଯେ ତାହାହେଲେ ମୋତେ ରାଜାଙ୍କ ପାଖରେ ଗୁହାରୀ କରିବାକୁ ହେବ । ସୁନାପକ୍ଷୀ ଠାରୁ ଏକଥା ଶୁଣିବା ମାତ୍ରେ ସେହି ଗର୍ବୀ ଅହଂକାର ହଂସମାନେ କହିଲେ ରାଜାଙ୍କ ପାଖରେ ଗୁହାରୀ କଲେ ରାଜା କେବେ ତୋ କଥା ଶୁଣିବେ ନାହିଁ । ବରଂ ତୋତେ ହତ୍ୟା କରିବାକୁ କହିବେ । ଏହାର କାରଣ ହେଲା ଆମେ ସୁନା ଅଣ୍ଡା ଦେଉ । ଆମ ଦ୍ୱାରା ରାଜା ଧିରେ ଧିରେ ବହୁ ଧନପତି ହେବାରେ ଲାଗିଛନ୍ତି । ଆମେ ରାଜାଙ୍କ ଆଖିରେ ବହୁତ ବଡ଼ । ରାଜା କିନ୍ତୁ ତୋ ଗୁହାରୀ ଶୁଣିବେନି । ଆମକୁ ଅନୁରୋଧ କରି କହିବେ ତୁମ୍ଭମାନଙ୍କର ଏହି ପୁଷ୍କରିଣୀରେ ସମ୍ପୂର୍ଣ୍ଣ ଅଧିକାର । ତୁମମାନଙ୍କ ବ୍ୟତୀତ ଅନ୍ୟ କୌଣସି ପକ୍ଷୀ ଏହି ପୁଷ୍କରିଣୀରେ ରହିପାରିବେ ନାହିଁ । ସୁନା ଚଢ଼େଇ ସହିତରେ ହଂସମାନଙ୍କର ବହୁଯୁକ୍ତି ତର୍କ ହେଲା, ଅହଂକାର ହଂସମାନେ ପୁଷ୍କରିଣୀରେ ସୁନା ପକ୍ଷୀଟିକୁ ପୁରାଇ ଦେଲେ ନାହିଁ । ଶେଷରେ ସୁନା ଚଢ଼େଇ ରାଜାଙ୍କ ନିକଟରେ ପହଞ୍ଚି ସମସ୍ତ ସତ୍ୟ ସତ୍ୟ କଥା କହିଲା ।

ଏକଥା ଶୁଣବା ପରେ ରାଜା ଖୁବ୍ ରାଗି ଉଠିଲା । ସେ ସଙ୍ଗେ ସଙ୍ଗେ ନିଜର ପ୍ରହରୀମାନଙ୍କୁ ଡାକି ବୁଝାଇଦେଲେ ଯେ, ରାଜାଙ୍କର ପ୍ରଜାମାନଙ୍କ ପ୍ରତି ସ୍ନେହ ଆଦର କରିବା ତ ବିହିତ ନ୍ୟାୟ, ଏହାର ମାନେ ନୁହଁ ଯେ ଯେଉଁ ରାଜା ସ୍ନେହ ଆଦର ଦେଇ ରାଜ୍ୟ ଚାଳଏ ସେ ରାଜାର ମୁଣ୍ଡ ଉପରେ ପ୍ରଜାମାନେ ପାଦଦେଇ ଚାଲିବେ ଓ ହେୟ ମନେ କରିବେ । ତୁମେ ଯାଅ ସେହି ହଂସମାନଙ୍କୁ ହତ୍ୟା କରି ସେମାନଙ୍କର ଅହଂଭାବ ଓ ଗର୍ବକୁ ଚୂର୍ଣ୍ଣ କରିଦେବ ।

ପ୍ରହରୀମାନେ ରାଜାଙ୍କର ଆଦେଶକୁ ପାଳନ କରିବା ନିମନ୍ତେ ଉଦ୍ୟାନରେ ପ୍ରବେଶ କରି ଦେଖନ୍ତି ଯେ ହଂସମାନେ ପୁଷ୍କରିଣୀ ପରିତ୍ୟାଗ କରି କେଉଁଆଡ଼େ ପଳାଇ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ବୃଦ୍ଧ ହଂସ ରହିଯାଇଥିଲା । ସେ ସଙ୍ଗେ ସଙ୍ଗେ ପ୍ରହରୀମାନଙ୍କୁ ହାତଯୋଡ଼ି କହିଲା, କାଲିଠାରୁ ସେହି ଅହଂକାରୀ ହଂସମାନେ କେଉଁଆଡ଼େ ପଳାଇଛନ୍ତି । ମୋର ଅନୁରୋଧ ଏହି ଶରଣାର୍ଥୀ ସୁନପକ୍ଷୀଟିକୁ ପୁଷ୍କରିଣୀ ସ୍ଥାନ ଦେବା ନିମନ୍ତେ ରାଜାଙ୍କୁ କୁହନ୍ତୁ । ସେମାନେ ଯେପରି ଗର୍ବ କଲେ ପ୍ରଭୁ ଇଷ୍ଟଦେବତାଙ୍କୁ ନ ମାନିଲେ ଫଳ ବି ପାଇଲେ ।

ପ୍ରହରୀମାନେ ଏକଥା ଜାଣିବା ପରେ ସମସ୍ତ ସମ୍ବାଦ ରାଜାଙ୍କ ଆଗରେ କହିଲେ ଓ ସେହି ଦିନଠାରୁ ସୁନାପକ୍ଷୀ ପୁଷ୍କରିଣୀରେ ଆନନ୍ଦରେ ବାସ କଲା ।