+100%-

ସମୃଦ୍ଧିଶାଳୀ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟରେ ଜୀର୍ଣ୍ଣାଧନ ନାମକ ଗୋଟିଏ ବଣିଆ ଥିଲା । ଭାଗ୍ୟକଥା, ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ସେ ଫକୀର । କୌଣସି କାରଣରୁ ବଣିଆଟି ଗରୀବ ହୋଇଯିବାରୁ ସେ ଚିନ୍ତାକଲା ଯେ କିଛି ଧନ ରୋଜଗାର ନିମନ୍ତେ ସେ ବିଦେଶ ଯିବ । ତେବେ ବିଦେଶ ଯିବା ଲାଗି ତ ପୁଣି ଧନର ଆବଶ୍ୟକତା ଅଛି । ଏଥିଲାଗି ତା’ ମୁଣ୍ଡରେ ପଶିଲା ଯେ ତା’ର ଯେଉଁ ସୁନ୍ଦର ନିକିତି ଗୋଟିଏ ଅଛି ସେହି ନିକିତିଟିକୁ ସାହୁକାର ପାଖରେ ବନ୍ଧା ପକାଇ କିଛି ଧନ ଆଣିବ । ବିଦେଶରୁ ଧନ ରୋଜଗାର କରି ଘରକୁ ଫେରିଲେ ସାହୁକାରକୁ ସୁଧ ମୂଳ ଦେଇ ନିକିତିଟିକୁ ମୁକୁଳାଇ ନେବ ।

ବଣିଆ ସେୟା କଲା । ନିକିତିଟିକୁ ସାହୁକାର ପାଖରେ ବନ୍ଧା ପକାଇ ବିଦେଶକୁ ଗଲା । ବିଦେଶରୁ ସେ ଭଲ ରୋଜଗାର କରି ଗ୍ରାମକୁ ଆସି ସାହୁକାରକୁ ତାର ସୁଧ ମୂଳ ଦେଇ ନିକିତିଟି ଆଣିବା ଲାଗି ଯେତେବେଳେ କହିଲା – ସେତେବେଳେ ନିକିତି ଉପରୁ ସାହୁକାର ଲୋଭ ଛାଡ଼ିଲା ନାହିଁ । ସେ କହିଲା – ଏତେ ଦିନ ହେଲା ଗଲୁଣି । ମୁଁ କ’ଣ ତୋ ନିକିତିଟିକୁ ସବୁଦିନ ଜଗି ବସିଥାଆନ୍ତି । କେତେବେଳେ ନିକିତିଟାକୁ ମୂଷା ଖାଇଗଲା ଯେ ତାହା ମୁଁ ଜାଣି ପାରିଲି ନାହିଁ । ତୁ ଆଉ ମୋତେ ଟଙ୍କା ଦେବୁ କ’ଣ । ବରଂ ସେହି ଟଙ୍କାରେ ତୁ ଗୋଟିଏ ନିକିତି କିଣି ଆଣିବା ଦରକାର

ସାହୁକାରର ଏପରି କଥା ଶୁଣି ବଣିଆର ହାଲ୍କା ଶୁଖିଗଲା । ସତରେ ଏ ଯୁଗ କ’ଣ ହୋଇଗଲା ଯେ, ଅସୁବିଧାରେ ପଡ଼ି ନିକିତିଟି ବନ୍ଧା ପକାଇ ଟଙ୍କା ନେଲି ଆଜି ପୁଣି ଟଙ୍କା ଦେଇ ନିକିତି ଫେରାଇ ନେବାକୁ ଆସିବା ବେଳକୁ ସାହୁକାର କହୁଛି ନିକିତିଟାକୁ ମୂଷା ଖାଇଗଲା । ଏପରି ଅସମ୍ଭବ ଅନୀତି ସାମାନ୍ୟ ନିକିତି ପାଇଁ କରାଯାଇପାରେ ।

google-tez-social
ଏହାପରେ ସେହି ନିକିତି ପାଇଁ ଖୁବ୍ ପାଟିତୁଣ୍ଡ ହେଲା । ହେଲେ ସାହୁକାର ଆଦୌ ନିକିତି ଦେବାକୁ ରାଜି ହେଲା ନାହିଁ । କ’ଣ କରିବ? ବଣିଆ ବିଚରା କାନ ମୁଣ୍ଡ ଆଉଁସି ସେ ତାର ଘରକୁ ଫେରିଲା ।

ଏମିତି କିଛିଦିନ ବିତିଗଲା । ବଣିଆ ସୁବିଧା ଉଣ୍ଡୁଥାଏ । କେଉଁଦିନ ସାହୁକାରକୁ କେଞ୍ଚ ଦେବ । ଦିନକର କଥା । ସାହୁକାର ଆଉ ବଣିଆ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ନଥାଏ । ଭଲରେ ଭଲରେ ସେମାନେ ଚଳୁଥାଆନ୍ତି । କିନ୍ତୁ ବଣିଆ ମନରେ ଯେଉଁ ଯୋଜନା ଥିଲା ସେ ଏଥର ତାହା କରିବାକୁ ଚିନ୍ତାକରି ସାହୁକାରକୁ କହିଲା – ଭାଇ! ମୁଁ ନଦୀକୁ ଗାଧୋଇବା ପାଇଁ ଯିବି । ତୁମ ପୁଅକୁ କୁହତ ସେ ମୋ ସାଙ୍ଗରେ ଟିକେ ଯାଆନ୍ତା । ସାହୁକାର ସେଦିନ ବଣିଆର ଉଦ୍ଧେଶ୍ୟ ତ କିଛି ଜାଣିନଥିଲା । ସେ ପୁଅକୁ ବଣିଆ ସାଥିରେ ପଠାଇ ଦେଲା ।

ବଣିଆ ଗଲା ଗାଧୋଇ । ଗାଧୋଇ ଯିବା ପଥରେ ଗୋଟିଏ ଅଦରକାରୀ ଘର ମଧ୍ୟକୁ ସାହୁକାରର ପୁଅକୁ ଡାକିନେଇ ତାକୁ ସେଠାରେ ରଖି ପଦାରୁ ଚାବି ଗୋଟିଏ ପକାଇ ପଳାଇ ଆସିଲା ।

କେତେବେଳରୁ ବଣିଆ ଆଉ ତାଙ୍କ ପୁଅ ଗାଧୋଇ ଗଲେଣି ଏଯାଏ କାହିଁକି ଫେରୁ ନାହାଁନ୍ତି ବୋଲି ଚାଲି ଚାଲି ଯାଇ ବଣିଆ ଘରେ ସାହୁକାର ପହଞ୍ଚିଗଲା । ସେଠାରେ ସେ କେବଳ ବଣିଆକୁ ଦେଖି ପଚାରିଲା ସାଥିରେ ପରା ମୋ ପୁଅକୁ ନେଇ ଯାଇଥିଲୁ, ତୁ ତ ଆସିଲୁଣି ହେଲେ ମୋ ପୁଅ ।

ବଣିଆ ମୁହଁ ଶୁଖାଇ ଦେଇ କହିଲା – ମୁଁ କ’ଣ କରିବି । ମୁଁ ନଦୀରେ ଗାଧୋଉଥିବା ସମୟରେ କେଉଁଠାରେ ସେ ଚିଲଟା ଥିଲା ଯେ ପୁଅକୁ ତୋର ନଦୀପଠାରୁ ଉଠାଇ ନେଇ ପଳାଇଲା । ସେ ତ ଆକାଶରେ ଆକାଶରେ ଉଡାଇ ନେଇ ପଳାଇଲା । ତଳେ ଥାଇ ମୁଁ ବା କ’ଣ କରିପାରିଥାଆନ୍ତି । ଶେଷରେ ନୈରାଶ୍ୟ ହୋଇ ଘରକୁ ଫେରି ଆସିଲି ।

ବଣିଆଠାରୁ ଏକଥା ଶୁଣନ୍ତେ ସାହୁକାର ରାଗିଯାଇ କହିଲା, ତୁ ମୋ ସାଥିରେ ଚାଲବାଜି କରୁଛୁ । ଜାଣିଛୁଟି ମୁଁ କିଏ? ଆଚ୍ଛା ଠିକ୍ ଅଛି । ଏତେ ବଡ଼ ପୁଅକୁ ମୋର କିପରି ଚିଲ ନେଇଗଲା କଚେରୀକୁ ଗଲେ ବଳେ ବୁଝିପାରିବୁ । ଭାବୁଛୁ ତୋ ନିକିତିକୁ ମୂଷା ଖାଇଗଲା ବୋଲି ତୁ ମୋ ପୁଅକୁ ଚିଲ ନେଇଗଲା ବୋଲି ମୋଠାରୁ ଉଦ୍ଧାର ପାଇଯିବୁ ।

ବଣିଆ ଉପରେ ବହୁତ କ୍ରୋଧ ହୋଇ ସାହୁକାର ଯାଇ ରାଜ ଦରବାରରେ ବଣିଆ ବିପକ୍ଷରେ ଅଭିଯୋଗ କରି ବଣିଆ କରିଥିବା ଅପରାଧ ବିଷୟରେ ସମସ୍ତ ଜଣାଇଲା ।

ସଭାରେ ରାଜା ବସି ସବୁକଥା ଶୁଣି ବଣିଆ ଉପରେ ଖୁବ୍ ବିରକ୍ତ ହୋଇଗଲେ । ସାହୁକାରର ଏତେବଡ଼ ପୁଅକୁ ଚିଲ ନେଇଗଲା ଏ କି ପରିକା କଥା । ସବୁ ଅସମ୍ଭବ । ରାଗିଯାଇ ରାଜା ତାଙ୍କର ରାଜକର୍ମଚାରୀଙ୍କୁ ପଠାଇ ବଣିଆକୁ ରାଜସଭାକୁ ଡକାଇ ଆଣି ତାକୁ କୈଫୟତ ମାଗନ୍ତେ ବଣିଆ କହିଲା – ହଜୁର, ମୋର ଯେତେବେଳେ ଅଭାବ ପଡ଼ିଲା ବିଦେଶ ଯିବା ଲାଗି ଅର୍ଥର ଆବଶ୍ୟକ ହେବାରୁ ମୁଁ ମୋର ନିକିତି ବନ୍ଧା ପକାଇ ସାହୁକାରଠାରୁ କିଛି ଅର୍ଥ କରଜ କରିଥିଲି । ବିଦେଶରୁ ଫେରି ଯେତେବେଳେ ସୁଧମୂଳ ମିଶାଇ ସାହୁକାରକୁ ଟଙ୍କା ଫେରସ୍ତ ଦେଇ ଯେତେବେଳେ ମୋତେ ନିକିତି ଫେରାଇବାକୁ କହିଲି ସେତେବେଳେ ସେ ନାରାଜ ହୋଇ କହିଲା – ଏତେଦିନ ହୋଇଗଲା, ତୋ ନିକିତିଟାକୁ ମୂଷା ଯେ କେତେବେଳେ ଖାଇଦେଲା ସେକଥା ମୁଁ ଜାଣିପାରିଲି ନାହିଁ । ବର୍ତ୍ତମାନ ମୁଁ ନିକିତି କେଉଁଠାରୁ ଆଣିଦେବି । ବରଂ ତୁ ଗୋଟିଏ କାମ କରି ସେହି ପଇସାରେ ତୁ ଗୋଟିଏ ନିକିତି କିଣି ଆଣିବୁ । ହଜୁର! ଆପଣ ବିଚାର କରନ୍ତୁ ଯେ ନିକିତିକୁ ମୂଷା ଖାଇଗଲା ଏହା କ’ଣ ସମ୍ଭବ?

ରାଜା ଏଥର ବଣିଆ ଓ ସାହୁକାରଙ୍କ ମଧ୍ୟରେ ଲାଗିଥିବା ବିବାଦର ଅସଲ କଥାକୁ ଜାଣିପାରିଲେ । ସେ ସେଙ୍ଗ ସେଙ୍ଗ ଆଦେଶ କଲେ ଯେ ତୁମେ ପ୍ରଥମେ ବଣିଆ ସହିତ ବେଇମାନ କରିଛ ତେଣୁ ଯଥାଶୀଘ୍ର ତାଙ୍କ ନିକିତି ଫେରାଇ ବଣିଆ ଠାରୁ ନିଜ ପୁତ୍ର ନେଇଯିବ ।

ବିଚରା ସାହୁକାର ବଳେବଳେ ବିପଦରେ ଛନ୍ଦି ହୋଇ ପଡ଼ିଲା ଓ ମିଥ୍ୟା କଥା କପଟ ଆଚରଣ ଦ୍ୱାରା ରାଜ ସଭାରେ ଅପମାନିତ ହୋଇ ବଣିଆକୁ ତାର ନିକିତିକୁ ଫେରାଇବା ପରେ ନିଜର ପୁଅକୁ ଫେରି ପାଇଲା ।